ପୁଞ୍ଜିବାଦର ପରିଣାମ ଆର୍ଥିକ ଅସମାନତା

News Story - Posted on 2017-03-13

ସୂର୍ଯ୍ୟମଣି ମିଶ୍ର

 

୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ବର୍ଷରେ ୩୫ କୋଟିରୁ ଅଧିକ ଲୋକ ୨ ବେଳା ପେଟପୂରା ଖାଦ୍ୟ ପାଉନାହାନ୍ତି। ୭୦ ପ୍ରତିଶତ ଲୋକଙ୍କର ଦୈନିକ ଆୟ ୨୦ ଟଙ୍କାରେ ସୀମିତ ରହିଛି। ସମ୍ପତ୍ତିର ଅସମାନ ବଣ୍ଟନ ହିଁ ଏହି ପରିଣତିର ପ୍ରମୁଖ କାରଣ। ପୁଞ୍ଜିବାଦ ରାସ୍ତାରେ ଚାଲିବା ଯୋଗୁ ଭାରତ ଆର୍ଥିକ ସ୍ୱାବଲମ୍ୱନଶୀଳ ହେବା ତ ଦୂରର କଥା, ଭୋକରେ ଥିବା ଲୋକଙ୍କ ସଂଖ୍ୟା ବଢିଚାଲିଛି ସିନା କମୁନାହିଁ। ଭାରତର ଏକ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୫୮ ପ୍ରତିଶତ ସମ୍ପତ୍ତି ରହିଛି। ଏହି ସମ୍ପତ୍ତି ଠୁଳର ସୂତ୍ର ୟୁରୋପର ବ୍ୟାବସାୟିକ ପୁଞ୍ଜିବାଦରୁ ଆରମ୍ଭ ହୋଇଥିଲା। ସାମ୍ୟବାଦ ଓ ସମାଜବାଦ ଶୋଷଣ ଏବଂ ପୁଞ୍ଜିବାଦ ବିରୋଧରେ ସଂଘର୍ଷ ଚଳାଇ ରଖିଥିଲେ ହେଁ ପୁଞ୍ଜିବାଦୀ ବ୍ୟବସ୍ଥା ସମ୍ପ୍ରସାରିତ ହେଉଛି।

 

୧୯୧୭ରେ ସାମ୍ୟବାଦ ଓ ସମାଜବାଦ ପ୍ରତିଷ୍ଠା ପାଇଁ ବଲ‍୍‌ସେଭିକ୍ ବିପ୍ଲବ ଆରମ୍ଭ ହୋଇଥିଲା। ଲେନିନ‍୍‌, ଷ୍ଟାଲିନ‍୍‌, ଟ୍ରଟସ୍କି ଏହି ବିପ୍ଳବର ନେତୃତ୍ୱ ନେଇଥିଲେ। ଧନୀ ଗରିବ ଭେଦଭାବକୁ ନେଇ ଜନ୍ମ ନେଇଥିଲା ଏହି ବିପ୍ଲବ। ଏହା ଥିଲା ବିଶ୍ୱର ସବୁଠୁ ରକ୍ତକ୍ଷୟୀ ସଂଗ୍ରାମ। ଲେନିନ‍୍‌ ଓ ଷ୍ଟାଲିନ‍୍‌ଙ୍କ ନେତୃତ୍ୱରେ ଧନିଙ୍କଠାରୁ ସମ୍ପତ୍ତି ଛଡ଼ାଇ ଆଣିବାରେ ଏହି ବିପ୍ଳବ ଉଦାହରଣ ସୃଷ୍ଟି କରିଥିଲା। ଏହି ବିପ୍ଳବର ଫଳସ୍ୱରୂପ ବିଶ୍ୱବ୍ୟାପୀ କମ୍ୟୁନିଜିମ‍୍‌ର ବିକାଶ ହୋଇଥିଲା। କମ୍ୟୁନିଜିମ‍୍‌ର ଏହି ଉତ୍ଥାନ ସାମ୍ରାଜ୍ୟବାଦୀ ଆମେରିକା ପାଇଁ ଅସହ୍ୟ ହୋଇଥିଲା। ଆମେରିକା ନେତୃତ୍ୱରେ କମ୍ୟୁନିଜିମ‍୍‌ ବିରୋଧରେ ଏବଂ ପୁଞ୍ଜିବାଦ ସପକ୍ଷରେ ସଂଘର୍ଷର ବାତାବରଣ ସୃଷ୍ଟି କରାଯାଇଥିଲା।

 

ଗୋଟିଏ ପଟେ ସାମ୍ରାଜ୍ୟବାଦୀ ଆମେରିକା ଅନ୍ୟପଟରେ ସାମ୍ୟବାଦୀ ସୋଭିଏତ ସଂଘ। ଦୁଇ ରାଷ୍ଟ୍ର ମଧ୍ୟରେ ପୁଞ୍ଜିବାଦ ଓ ସାମ୍ୟବାଦକୁ ନେଇ ଶୀତଳ ଯୁଦ୍ଧ ଲାଗି ରହିଥିଲା। ହୁଏତ ଏହି ସମୟରେ ସୋଭିଏତ ସଂଘର ଶକ୍ତିର ପଲା ଭାରି ଥିଲା। ବିଶ୍ୱର ଅନେକ ଦେଶ ସୋଭିଏତ ଦେଶର କମ୍ୟୁନିଜିମ‍୍‌ ଶାସନକୁ ଗ୍ରହଣ କରୁଥିଲେ, କିନ୍ତୁ ଦୀର୍ଘ ୫ ଦଶନ୍ଧି ଧରି ସାମ୍ୟବାଦ ପଥରେ  ଶାସନ ଚାଲିଥିବା ସୋଭିଏତ ସଂଘର ପତନ ଘଟିଲା। ୧୯୯୧ରେ ସୋଭିଏତ ସଂଘର ପତନ ପରେ ପୁଞ୍ଜିବାଦ ଉପରେ ଭରସା ସୃଷ୍ଟି ହେଲା। ଆମେରିକା ଭଳି ସାମ୍ରାଜ୍ୟବାଦୀ ଦେଶ ପୁଣି ଥରେ ବିଶ୍ୱରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରଭାବେ ପୁଞ୍ଜିବାଦର ଜୟଜୟକାର କରିବାକୁ ମାର୍ଗଦର୍ଶନ ଦେଲା। ପୁଞ୍ଜିବାଦ ଅଧିକ ଶକ୍ତିଶାଳୀ ହେବା ସହ ବ୍ୟାପକ ଭାବେ ଗୋଟିଏ ଦେଶରୁ ଆଉ ଗୋଟେ ଦେଶକୁ ପ୍ରସାରିତ ହେଲା। ଏପରିକି ଚୀନ‍୍‌ ଭଳି ସାମ୍ୟବାଦୀ ରାଷ୍ଟ୍ରରେ ଉଦାରୀକରଣ ଅର୍ଥନୀତି କାର୍ଯ୍ୟକାରୀ ହେଲା। ଏହାର ଫଳ ସ୍ୱରୂପ ସମ୍ପତିର ଅସମାନ ବିଭାଜନ ଦିଗରେ ପୁଞ୍ଜିବାଦୀ ଶକ୍ତି  ସଫଳ ହେଲେ। ଅସମାନତା ଏବଂ ଅନ୍ୟାୟ ବେଆଇନ‍୍‌ କାର୍ଯ୍ୟର ପରିଣାମ ନୁହେଁ। ଏହା ଧୂର୍ତ୍ତ ଲୋକଙ୍କ ଦ୍ୱାରା ସାମ୍ବିଧାନିକ ବାଟରେ ଆଇନସିଦ୍ଧ କରାଯାଉଛି। ଏହା ପୁଞ୍ଜିବାଦର ତରିକା।

 

ତାର୍କିକ ଏବଂ ବିଜ୍ଞାନ ଦୃଷ୍ଟିରେ ଦେଖିଲେ ସ୍ୱୀକାର କରିବାକୁ ହେବ ଯେ, ଜଣେ ବ୍ୟକ୍ତି ପାଇଁ ଏତେ ବ୍ୟାପକ ସମ୍ପତ୍ତି ଆହରଣ ଓ ଠୁଳ କରିବା ସମ୍ଭବ ନୁହେଁ, ଯାହା ପୁଞ୍ଜିବାଦ ବ୍ୟବସ୍ଥାରେ ହିଁ ସମ୍ଭବ ହୋଇଥାଏ। ପୁଞ୍ଜିବାଦୀ ପଣ୍ଡିତଙ୍କ ଦ୍ୱାରା ପ୍ରଚାର କରାଯାଉଥିଲା ଓ କରାଯାଉଛି ଯେ, ଧନୀ ଓ ମହାଧନୀ ହେବା ପାଇଁ କଠୋର ପରିଶ୍ରମ ଓ ମେଧା ଦରକାର। ଯେଉଁ ହାତଗଣତି ମହାଧନୀମାନେ ବିଶ୍ୱ ସମ୍ପତ୍ତିର ୯୯ ପ୍ରତିଶତକୁ ନିଜ କବ‍୍‌ଜାରେ ରଖିଛନ୍ତି ସେମାନେ କଠୋର ପରିଶ୍ରମ ଏବଂ ନିଜର ମେଧା ବଳରେ ସମ୍ଭବ କରିଛନ୍ତି ବୋଲି କହିବା କେତେ ବାସ୍ତବ, କେତେ ସତ୍ୟ? ପୁଞ୍ଜିବାଦୀ ପଣ୍ଡିତଙ୍କ ଏହି ତତ୍ତ୍ୱର ସଠିକତା ଯେ ନାହିଁ ତାହା ନିଶ୍ଚିତ। ସମ୍ପତ୍ତିର ଅସମାନ ବଣ୍ଟନ ପଦ୍ଧତି ହିଁ ଏହି ମହାଧନୀମାନଙ୍କୁ ଅସଂଗଠିତ ଲୁଟ‍୍‌ କରିବା ପାଇଁ ସହାୟକ ହୋଇଛି। ଏହା ପୁଞ୍ଜିବାଦ ଓ ଉଦାରୀକରଣ ଅର୍ଥନୀତିକୁ ଆପଣେଇବାର ଫଳ। ପୁଞ୍ଜିବାଦ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରର ସଂଖ୍ୟାଧିକ ଲୋକଙ୍କ ପାଇଁ ଅସମାନତା ସୃଷ୍ଟି କରିଥିବାବେଳେ ଭାରତ ଏହି ଆର୍ଥିକ ଅସମାନତାରୁ ବାଦ‍୍‌ ପଡ଼ିନାହିଁ।

 

ସଦ୍ୟତମ ବିଶ୍ୱ ଭୋକ ସୂଚକାଙ୍କ ବା ଗ୍ଲୋବାଲ‍୍‌ ହଙ୍ଗର‍୍‌ ଇଣ୍ଡେକ୍ସ (ଜିଏଚ‍୍‌ଆଇ) ରିପୋର୍ଟ ଅନୁସାରେ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଚୀନ ଭଳି ଦେଶଠାରୁ ଭାରତର ଦାରିଦ୍ର୍ୟ ସ୍ଥିତି ଅତି ଦୟନୀୟ। ‘ଅନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନ’ ପକ୍ଷରୁ ବିଶ୍ୱସ୍ତରରେ ଏହି ସୂଚକାଙ୍କ ପ୍ରତିବର୍ଷ ପ୍ରକାଶ ପାଇଥାଏ। ଯେଉଁଥିରେ ବିଶ୍ୱର ବିଭିନ୍ନ ଦେଶରେ ଥିବା ଭୋକ ଓ କୁପୋଷଣର ସ୍ଥିତି ସଂପର୍କରେ ସୂଚନା ଥାଏ। ଚଳିତବର୍ଷର ରିପୋର୍ଟରେ ଆଫ୍ରିକାର ନାଇଜର‍୍‌, ଚାଦ, ସିଏରା ଲିଅନ‍୍‌ ଭଳି ଦେଶଠାରୁ ଭାରତର ଭୋକର ସ୍ଥିତି ଆହୁରି ଖରାପ।

ସ୍ୱାଧୀନତାର ୭୦ ବର୍ଷ ପରେ ଭାରତର ୧୫ ପ୍ରତିଶତ ଶିଶୁ କୁପୋଷଣର ଶିକାର, ୨୦ କୋଟିରୁ ଅଧିକ ଲୋକ ଆବଶ୍ୟକ ମୁତାବକ ଦୁଇଓଳି ଖାଦ୍ୟ ପାଆନ୍ତି ନାହିଁ, ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧିର ପ୍ରଚାର ପାଇଁ ଆହ୍ୱାନର ପ୍ରସଙ୍ଗ ହୋଇଛି।

 

ଦେଶରେ ୧ ରୁ ୬ ବର୍ଷ ଯାଏ ଶିଶୁଙ୍କ ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା, ୧୪ ବର୍ଷର ପିଲାମାନଙ୍କ ପାଇଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଓ ମନ ମୋହନ ସିଂହଙ୍କ ସରକାର ସମୟଠାରୁ ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଭଳି ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ଏହି ଯୋଜନାର ସୁଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୨୦ କୋଟିରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ତାହା ଜିଏଚ‍୍‌ଆଇର ସଦ୍ୟତମ ରିପୋର୍ଟ ସୂଚାଇ ଦିଏ। ୧୯୯୧ ପରଠାରୁ ଦେଶରେ କାର୍ଯ୍ୟକାରୀ ହେଉଥିବା ମୁକ୍ତ ଅର୍ଥନୀତି ଯାହା ଉଦାରୀକରଣ ଅର୍ଥନୀତି ଭାବେ ପରିଚିତ, ଏହି ଆର୍ଥିକ ସଂସ୍କାର ନୀତି ଯେ, ଦାରିଦ୍ର୍ୟ ଦୂରକରିବାରେ ଓ ବହୁ ସଂଖ୍ୟକ ଲୋକଙ୍କ କ୍ରୟଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରି ନାହିଁ, ତାହା ଏହି ହଙ୍ଗର‍୍‌ ଇଣ୍ଡେକ୍ସ ରିପୋର୍ଟ ଉପରେ ଆଖି ପକାଇଲେ ସ୍ପଷ୍ଟ ଜଣାପଡେ଼। ଜିଡିପି ବା ମୋଟ ଘରୋଇ ଉତ୍ପାଦ ଅନ୍ୟ ଅର୍ଥରେ କହିଲେ ଆର୍ଥିକ ବିକାଶ ଅଳ୍ପ କେତେଜଣ ଧନୀକ ବର୍ଗ ପାଇଁ ଆଶୀର୍ବାଦଯୁକ୍ତ ହୋଇଛି; କିନ୍ତୁ ବହୁ ସଂଖ୍ୟକ ଲୋକ ଏହାର ସୁଫଳ ପାଇପାରିନାହାନ୍ତି।

 

ଭାରତ ବଜାରଭିତ୍ତିକ ଅର୍ଥ ବ୍ୟବସ୍ଥାକୁ ଆପଣେଇବାର ୪ ଦଶନ୍ଧି ପରେ ଦେଶର ସମତୁଲ ଆର୍ଥିକ ବିକାଶ ହୋଇପାରିନାହିଁ। ଆର୍ଥିକ ଅଭିବୃଦ୍ଧି ବା ଜିଡିପିର ସ୍ଥିତି ଭଲ ଅଛି। ବିଶ୍ୱର ଧନୀ ରାଷ୍ଟ୍ର ତାଲିକାରେ ଭାରତ ସପ୍ତମରେ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଣ୍ଡପିଛା ବାର୍ଷିକ ଆୟ ୮,୫୩୩ ଟଙ୍କା ବୋଲି ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟରେ ସୂଚନା ଦେଇଛନ୍ତି। କିନ୍ତୁ ଧନୀ ଗରିବ ମଧ୍ୟରେ ବୈଷମ୍ୟର ଯେଉଁ ଉଚ୍ଚ ପାଚେରି ସୃଷ୍ଟି ହୋଇଛି, ସେ ଦିଗରେ ଉଦାରୀକରଣ ଆର୍ଥିକ ନୀତି ଯେ କାରଣ ସେ ନେଇ ସରକାର ସମୀକ୍ଷା କରିନାହାନ୍ତି। ସଦ୍ୟତମ ଜାତୀୟ ନମୂନା ସର୍ଭେ ରିପୋର୍ଟ ଉପରେ ଆଖି ପକାଇଲେ ଗତ ଦୁଇ ଦଶକ ମଧ୍ୟରେ ଉଦାରୀକରଣ ଅର୍ଥନୀତିର ପରାଭବ ଯାହା, ତାହା ହେଲା ସହରୀ ଭାରତର ୧୦ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ପାଖରେ ହାରାହାରି ୧୪.୬ କୋଟି ଟଙ୍କା ଥିବା ବେଳେ ୧୦ ପ୍ରତିଶତ ସହରୀ ଗରିବଙ୍କ ପାଖରେ ହାରାହାରି ୨୯୧ ଟଙ୍କା ରହିଛି। ସହରୀ ଧନୀଙ୍କ ପାଖରେ ଗରିବଙ୍କ ତୁଳନାରେ ୫ ଲକ୍ଷ ଗୁଣା ଅଧିକ ସମ୍ପତ୍ତି ରହିଥିବା କେନ୍ଦ୍ର ସରକାରଙ୍କ ଏହି ବିଭାଗ ନିଜ ରିପୋର୍ଟରେ ସୂଚାଇଛି। ଏହିପରି ଗ୍ରାମୀଣ ଭାରତରେ ୧୦ ପ୍ରତିଶତ ଧନୀଙ୍କ ପାଖରେ ହାରାହାରି ୫.୭ କୋଟି ଟଙ୍କା ଥିବା ବେଳେ ୧୦ ପ୍ରତିଶତ ଗରିବଙ୍କ ପାଖରେ ହାରାହାରି ୨୫୭ ଟଙ୍କା ରହିଛି। 

 

‘କ୍ରେଡିଟ‍୍‌ ସୁଇସ‍୍‌ ଗ୍ଲୋବାଲ‍୍‌ େୱଲ‍୍‌ଥ’ ରିପୋର୍ଟ ଅନୁଯାୟୀ ଆଜି ଭାରତର ସବୁଠାରୁ ୧୦ ପ୍ରତିଶତ ଧନୀକଙ୍କ ପାଖରେ ଦେଶର ୭୪ ପ୍ରତିଶତ ସମ୍ପତ୍ତି ରହିଛି। ଅବଶିଷ୍ଟ ୯୦ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୨୬ ପ୍ରତିଶତ ସମ୍ପତ୍ତି ରହିଛି। ଗତ ୧୫ ବର୍ଷ ଭିତରେ ଦେଶର ୧୫.୩୩ ଲକ୍ଷ କୋଟି ଟଙ୍କା ଅର୍ଜନ ହୋଇଛି। ଦେଶର ଏହି ମୋଟ ଅର୍ଜିତ ସମ୍ପତ୍ତି ମଧ୍ୟରୁ ୬୧ ପ୍ରତିଶତ ଅର୍ଥାତ୍ ୯ ଲକ୍ଷ କୋଟି ଟଙ୍କା ଏକ ପ୍ରତିଶତ ଧନୀକଙ୍କ କବ‍୍‌ଜାକୁ ଯାଇଛି। ରିପୋର୍ଟ ଅନୁଯାୟୀ ଏହି ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଯୋଗୁ ୧୨.୪୧ ଲକ୍ଷ କୋଟି ଟଙ୍କା ୧୦ ପ୍ରତିଶତ ଧନୀକଙ୍କ ପାଖକୁ ଯାଇଛି। ଏହା ମୋଟ ସମ୍ପତ୍ତିର ୮୧ ପ୍ରତିଶତ। ଦେଶର ଅବଶିଷ୍ଟ ୯୦ ପ୍ରତିଶତ ଲୋକଙ୍କ ପାଖକୁ ୨.୯୧ ଲକ୍ଷ କୋଟି ଟଙ୍କା ଯାଇଛି।

 

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ‍୍‌ କ୍ଲିଣ୍ଟନ‍୍‌ଙ୍କ ତତ୍କାଳୀନ ଅର୍ଥନୈତିକ ପରାମର୍ଶଦାତା ତଥା ନବ୍ୟ ଉଦାରବାଦୀ ଆର୍ଥିକ ନୀତିର ମୁଖ୍ୟ ଉଦ୍ୟୋକ୍ତା ଯୋସେଫ୍ ଷ୍ଟିଗ୍ଲିଟଜ୍‌ ନିକଟରେ ତାଙ୍କଦ୍ୱାରା ଲିଖିତ ପୁସ୍ତକ ‘ଦ ୟୁରୋ- ହାଓ ଏ କମନ‍୍‌ କରେନ୍ସି ଥ୍ରିଟେନ୍ସ ଦ ଫିଉଚର‍୍‌ ଅଫ୍ ୟୁରୋ’ର ଲୋକାର୍ପଣ ସମୟରେ ‘ବିଜ୍‌ନେସ‍୍‌ ଇନ‍୍‌ସାଇଡର‍୍‌’ ସମ୍ୱାଦପତ୍ରକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଉଦାରୀକରଣ ଅର୍ଥନୀତିର ମୃତ୍ୟୁ ଘଟିଛି। ଏହି ନୀତି ସମୁଦାୟ ଲୋକ କଲ୍ୟାଣରେ ସହାୟକ ହୋଇପାରିନାହିଁ। କେବଳ ଅର୍ଥଶାସ୍ତ୍ରୀ ଯୋସେଫ୍ ଷ୍ଟିଗ୍ଲିଟଜ୍‌ ନୁହଁନ୍ତି, ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର  ପରାମର୍ଶଦାତା ତଥା ନବ୍ୟଉଦାରବାଦୀ ଅର୍ଥନୀତିର ବଡ଼ ସମର୍ଥକ ଅର୍ଥଶାସ୍ତ୍ରୀ ଜୋନାଥନ‍୍‌ ଓସ୍ତ୍ରୀ, ପ୍ରକାଶ ଲୋଙ୍ଗନି ଓ ଡେଭିଡ୍ ଫର୍ସେରି ମଧ୍ୟ ଏବେ ମତ ବଦଳାଇ ଉଦାରୀକରଣ ଅର୍ଥନୀତି ଦ୍ୱାରା ସମତୁଲ ବିକାଶ ହୋଇପାରିନଥିବା ସ୍ୱୀକାର କରିଛନ୍ତି। ଜନକଲ୍ୟାଣ କାର୍ଯ୍ୟସୂଚୀରୁ ଅର୍ଥକାଟ କରିବାଦ୍ୱାରା ବିକାଶ ଅଭିବୃଦ୍ଧି ବାସ୍ତବରେ ହ୍ରାସ ପାଇଥିବା ଏହି ତିନି ଅର୍ଥଶାସ୍ତ୍ରୀ ମାନିଛନ୍ତି।

 

ବିଶ୍ୱରେ ଏହି ତ୍ରୁଟିପୂର୍ଣ୍ଣ ଅର୍ଥନୀତି ବହୁସଂଖ୍ୟକ ଲୋକଙ୍କ କଲ୍ୟାଣକାରୀ ହୋଇପାରି ନାହିଁ। ଏହାର ଦୃଷ୍ଟାନ୍ତ ସଦ୍ୟତମ ବିଶ୍ୱ ଭୋକ ସୂଚକାଙ୍କ ରିପୋର୍ଟରୁ ଜଣାପଡ଼ିଛି। ଭାରତର ଅପରିବର୍ତ୍ତିତ ଦାରିଦ୍ର୍ୟର ସ୍ଥିତି ଏହାର ଉଦାହରଣ। ଉଦାରୀକରଣ ଅର୍ଥନୀତିର କୁପରିଣାମ ବୋଲି ଯୁକ୍ତିର ସହ କୁହାଯାଇପାରେ। ଏ ସଂପର୍କରେ ପୁନଃସମୀକ୍ଷା ଓ ଜନବାଦୀ ଅର୍ଥନୀତିର କର୍ଯ୍ୟକାରିତା ଜରୁରୀ। ଜନବାଦୀ ଅର୍ଥନୀତିକୁ ନଆପଣେଇଲେ ଏହି ଅସମାନତାର ପାଚେରୀ ଆହୁରି ବଢିବ। ଦେଶରେ ଏହି ଅସମାନତାକୁ ନେଇ ସଂଘର୍ଷ ଯେ ରକ୍ତକ୍ଷୟୀ ନହେବ ତାହାକୁ ଅସ୍ୱୀକାର କରାଯାଇନପାରେ। ଶାସନ ଓ ବିରୋଧୀଦଳରେ ଥିବା ରାଜନୈତିକ ଦଳ ପୁଞ୍ଜିବାଦ ରାସ୍ତାରୁ ଦୂରେଇ ନଆସିଲେ ଦେଶରେ ଅସମାନତା ଆହୁରି ବଢିବ। ଜନସମସ୍ୟା ଆହୁରି ଉତ୍କଟ ହେବ। ସମ୍ୱିଧାନ ପ୍ରଦତ୍ତ ମୌଳିକ ଅଧିକାର ପାଇବାରୁ ୮୦ ଭାଗରୁ ଅଧିକ ଲୋକ ବଞ୍ଚିତ ହୋଇ ରହିଥିବେ। ଏ ଦିଗରେ ବିତର୍କ ଓ ସମୀକ୍ଷା ଲୋଡ଼ା।

 

ଭୁବନେଶ୍ୱର, ଦୂରଭାଷ: ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top