ଯେତେ ସବୁ ସକାଳ-୧

News Story - Posted on 2017-03-13

ସୁନୀତି ମୁଣ୍ଡ‌୍‍

 

ସବୁ ମୁହୂର୍ତ୍ତ ସମାନ ନଥାଏ। ଗୋଟିଏ ଗୋଟିଏ ମୁହୂର୍ତ୍ତ ଏମିତି ଆସେ ଯାହାର ଅନୁଭବ ସମଗ୍ର ଜୀବନକୁ ଛାଇଯାଏ। ସେଦିନ ଥିଲା ସେମିତି ଗୋଟେ ସକାଳ ଏବଂ ସେମିତି ଗୋଟିଏ ମୁହୂର୍ତ୍ତ। ଯୋଉଥିରେ ଲାଗିଲା ମୁଁ ଯେମିତି ମୋ ଆୟତ୍ତରେ ନାହିଁ, ମୁଁ ଆଉ କାହାର ଛୁଆଁରେ ଭରିଯାଉଛି, ପୂରିଉଠୁଛି, ଆଉ ଯେମିତି କେହି ଜଣେ ମୋତେ ଟାଣି ନେଇଯାଉଚି। ଗଛ-ବୃଚ୍ଛ, ପକ୍ଷୀ-ଆକାଶ, ଜଳ-ପବନ ସବୁ ମୋତେ ଛୁଉଁଛନ୍ତି, କିନ୍ତୁ ମୁଁ ତାଙ୍କ ଭିତରେ ନାହିଁ। ଆଉ କା’ ଭିତରେ ଅଛି। ସେ ଅନୁଭବ ଯେତିକି ଅସ୍ପଷ୍ଟ ସେତିକି ଅବୋଧ୍ୟ, ପୁଣି ସେତିକି ମୁଗ୍ଧକର। ବେଳେବେଳେ ଲାଗିଲା ମଣିଷଟିଏ ଈଶ୍ୱର ପାଲଟି ଯାଉଛି ଆଉ ବେଳେବେଳେ ଈଶ୍ୱର ମଣିଷ ହେବା ପାଇଁ ବ୍ୟାକୁଳ ହେଉଛନ୍ତି। ମୁକ୍ତି ନଥିଲା ସେ ଅନୁଭବରୁ। ସେ ମୁହୂର୍ତ୍ତ ତ ଚାଲିଗଲା କିନ୍ତୁ ମୁଁ ତାକୁ ଛାଡି ପାରିନଥିଲି। ସେସବୁକୁ ମୁଁ ସାଉଁଟିବାକୁ ଚେଷ୍ଟା କଲି ଶବ୍ଦରେ। ଶବ୍ଦ ସବୁ କେତେବେଳେ କବିତା ପାଲଟିଲା ମୁଁ ଜାଣେନା। ବୋଧହୁଏ ସେହି ମୁହୂର୍ତ୍ତ ଏବଂ ସେହି ମୁହୂର୍ତ୍ତରେ ବିରାଜମାନ ଥିବା ଈଶ୍ୱର ବା ସେପରି କେହି। ମୋ ହାତରେ ସେସବୁ କବିତା ଲେଖେଇ ନେଇଥିଲେ। ଗୋଟିଏ ସକାଳ ଦେଇଯାଇଥିଲା ‘ଯେତେସବୁ ସକାଳ’। ଈଶ୍ୱରୀୟ ଅନୁଭବରେ ମାନବୀୟ ପ୍ରେମ କଥା ଉପରେ ଆଧାରିତ ଏହି ଦୀର୍ଘ କବିତା ଏବେ ସାମାନ୍ୟକଥନ.କମ୍‌ର ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ କରାଗଲା।

 

ପ୍ରତିଟି ସକାଳ ଆସେ

ନୂଆ ଭାବ ଆଉ

ନୂଆ ରୂପ ନେଇ ।

ମୋ ଉଦ୍ଦେଶ୍ୟରେ ଗଢାଥିବା ସକାଳ

ଶୂନ୍ୟତାରେ ଭରେ ପ୍ରୀତିର ବେପଥୁ ।

 

ଅତଏବ,

ପ୍ରତିଟି ଶୂନ୍ୟତା ଲୋଡେ ଏବେ

ତୁମ ମୁହାଁ ହେବାକୁ।

ମାଛି ଅଂଧାର ସକାଳ

ଆଜିକାଲି ଖୁବ‌୍‍ ଭଲ ଲାଗେ

ଏଣୁ’ତ ତମାମ ରାତି ଉଜାଗର

ତୁମ ଉଦ୍ଦେଶ୍ୟରେ ।

 

ଛାତି ଫାଟି ଫାଟି ଯାଏ...

ବହଳ ଅଂଧାର ନେସି ହେଇ ଯାଏ

ଭରପୂର ସକାଳ ସାରା,

ତୁମେ ବିଦାୟନେବା ବେଳେ।

ଓଦା ଭାବ ଭର୍ତ୍ତି ଓଦା ମନତଳେ

ତୁମ ମୁହଁ ଛବି ହୋଇ ରହିଯାଏ

ପ୍ରତି ସକାଳରେ ଛାଇଯାଅ

ମୋ’ ସାରା ଅସ୍ତିତ୍ୱରେ।

 

ତୁମେ ଆଉ ମୁଁ

ମୁଁ ଆଉ ତୁମେ

ମାଛି ଅଂଧାର କ୍ରମଶଃ

ବଢିଚାଲେ ସକାଳ ଆଡକୁ

ବିଦାୟ ବେଳ ନିକଟତର

ନୀରବ ଆର୍ତ୍ତନାଦରେ

କଅଁଳ ଛାତି ବିଳପି ଉଠେ

ନିର୍ଦ୍ଦୟ ହେଉଥାଏ ସମୟ ଆମକୁ।

 

ମୋ ନିଷ୍ପାପ ପଣକୁ ଏମିତି ଛୁଇଁବାରେ

ମନ ମୋର

ଚଂଚଳ ସତେଜତାରେ

ଜାଗି ଉଠିଲା।

ଆଦିମ ସରୀସୃପ

ବେଢିଗଲା ସମଗ୍ର ଦେହରେ।

କିଂତୁ ଛୁଇଁ ପାରିନି କି ବୁଝିପାରିନି

ତୁମର ଏସବୁ ନିଶ୍ଚୁପ ଖେଳକୁ।

 

ଅତଏବ,

ଯଂତ୍ରଣାର ଶୋଲକାଠିକୁ

ଭାଂଗିପାରୁନି ଅନଭ୍ୟସ୍ତ ଧୂଳିମନ ମୋର।

କଂଚା ସ୍ପର୍ଶକୁ ଓଲଟ ପାଲଟ କରି ଦେଖିଲି

ସବୁକିଛି ସୀମାହୀନ ହୋଇପଡୁଛି

ତୁମମୟ ପୃଥିବୀରେ

ଜିଇଁବା କଷ୍ଟକର ଲାଗୁଛି।

ଯଦିଚ ଅତି ସହଜ

ହେଲେ ଜମାରୁ ଗଢି ତ ପାରୁନି

ନିଜସ୍ୱ ଦୁର୍ଗ।

 

ଚୂନା ହୋଇଯିବ କାଳେ

ମୋ କଳ୍ପନାରେ, ଯାହାକୁ

ପ୍ରୀତିର ପଲ୍ଲବିତ ପତ୍ରରେ

ସଯତ୍ନେ ଗଢ଼ିଛି।

ଫଗୁଣ ଛୁଇଁଛି, ବର୍ଷା ବି ଛୁଇଁଛି

ଉପରେ କଳାମେଘର ସାମିଆନା

ଏସବୁକୁ ଏମିତିରେ ଭାଂଗିଦେବା

କଷ୍ଟ ହେଉଛି,

ସତରେ ଖୁବ‌୍‍ କଷ୍ଟ ହେଉଛି।

 

ମୋ ନିଷ୍ପାପପଣକୁ

ଏମିତି ଛୁଇଁବାର ନଥିଲା,

ତୁମ ପାରିଲାପଣକୁ

ଏମିତି ଲଦିଦେବାର ନଥିଲା,

ଏକାବେଳକେ ସଂଭାଳିବ କେମିତି

ଏତେସବୁ ନୂଆ ଅନୁଭବ

ଅନୂଢ଼ାଦେହ,

ନୂଆ ଦରଦ ଜାଣି ନଥିବା ମନ ?

 

ମୁକ୍ତି ଉଦ୍ଦେଶ୍ୟରେ ଯୋଡି ହୋଇଯାଏ

ଏମିତି ଏକୁଟିଆପଣ।

ମେଲା ଆକାଶର

ଭିଜା ମେଘପରି

ଛୁଇଁଗଲ କି ଏକ ଅନିର୍ବଚନୀୟତାରେ

ମୋର ତମାମ ଗୋପନୀୟତାକୁ

ସେହି ଶୀତୁଆ ସକାଳେ। 

(କ୍ରମଶଃ...)

 

ମୋ. ନଂ- ୯୭୭୮୩୧୧୫୩୩

email-sunitiodisha@gmail.com


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top