ଆତ୍ମଦାହ

News Story - Posted on 2017-03-11

ଅମିୟ ପାଣ୍ଡବ

 

ଆତ୍ମଦାହରେ ବି କ’ଣ ଆନନ୍ଦ ମିଳିପାରେ? ତେବେ ଆତ୍ମଦାହର ନିଷ୍ପତ୍ତି ମଣିଷ କାହିଁକି ନିଏ? ସେ ଅନନ୍ୟୋପାୟ ହୋଇପଡେ ନା ପରିସ୍ଥିତି ତାକୁ ବାଧ୍ୟ କରେ? ଏଇଟା ଗୋଟେ ବାହାନା ନୁହେଁ ତ?

 

କାହିଁକି ସୀମା ନିଜକୁ ତିଳତିଳ କରି ଜାଳୁଥିଲା? ଅନ୍ୟକୁ ଆଲୋକିତ କରିବାକୁ ନା ନିଜେ ଆନନ୍ଦିତ ହେବାକୁ? ଏମିତି କରି ସେ କ’ଣ କହିବାକୁ ଚାହୁଁଥିଲା? କ୍ଷତଗୁଡ଼ିକୁ ଲୁଚାଇବାକୁ ଚାହୁଁଥିଲା ନା କ୍ଷତି ଭରଣା କରିବାକୁ? ସୀମା ନିଜେ ଦ୍ୱନ୍ଦ୍ବର ଦୋ’ଛକିରେ ଛିଡ଼ା ହୋଇଥିଲା ନା ଅନ୍ୟମାନଙ୍କୁ ସେଠି ଛିଡ଼ା କରାଉଥିଲା? ସୀମା ନିଜେ ଜଳୁଥିଲା ନା ଅନ୍ୟକୁ ଜଳାଉଥିଲା? ନିଜ ଚାରିପଟେ ସେ ଯେଉଁ ଲକ୍ଷ୍ମଣରେଖା ଟାଣିଥିଲା, ତାକୁ ପରବର୍ତ୍ତୀ ସମୟରେ ସେ ନା ନିଜେ ଆଉ ଲିଭାଇ ପାରିଲା ନା ଆଉ କେହି? ନିଜକୁ ନିବୁଜ ରଖିବାକୁ ସେ ଯେଉଁ ପାଚେରୀ ତୋଳିଥିଲା, ତାହା ତା ପାଇଁ ବୁମେରାଂ ପାଲଟି ଗଲାନି ତ? ସୁନା ପଞ୍ଜୁରୀରେ ଥିଲେ ବି ଶାରୀଟିଏ କ’ଣ ପାଇଁ ମୁକ୍ତିର ମନ୍ତ୍ରପାଠ ଜପୁଥାଏ ଅନବରତ, ଅହର୍ନିଶ?

 

ଅଥଚ ସୀମା...।

 

ନିଜ ଗୋଡ଼ହାତ, ଅଙ୍ଗପ୍ରତ୍ୟଙ୍ଗକୁ ନିଜେ ହିଁ ଗିଳି ପକାଉଥିବା ଗୋଟେ ଅଦ୍ଭୁତ ସାମୁଦ୍ରିକ ଜୀବ ପରି ଖୁବ‌୍‍ ରହସ୍ୟମୟୀ ଥିଲା ସୀମା। ନିଜ ପ୍ରତିଭା ଓ ପ୍ରବୃତ୍ତିକୁ ପରସ୍ତ ପରସ୍ତ କରି ଚିରି ଦେଇଥିଲା ସେ। ସମ୍ପର୍କର ସବୁ ଖିଅଗୁଡ଼ିକୁ କାଟି ଦେଇଥିଲା। ନିଜକୁ ବିଚ୍ଛିନ୍ନ କରି ରଖିବାର ଗୋଟେ ବିଚିତ୍ର ମାନସିକତା ତାକୁ ଜାବୁଡି ଧରିଥିଲା ଖୁବ‌୍‍ ଜୋର‌୍‍ରେ। ସେ ମୁକ୍ତି ଚାହୁଁନଥିଲା ସେ ଯନ୍ତାରୁ। ସେ ମୁକୁଳିବାକୁ ଚାହୁଁନଥିଲା ଜମାରୁ। କମନୀୟତାକୁ କାଢିପକାଇ ସେ କର୍ଦ୍ଦମାକ୍ତ ହେଉଥିଲା। ସେ ଶୂଳିରେ ଚଢିବାକୁ ନିଜର ପ୍ରସ୍ତୁତି କରୁଥିଲା। ସେ ସତେଜତାକୁ ପ୍ରତ୍ୟାଖ୍ୟାନ କରି ସଢିବାକୁ ଚାହୁଁଥିଲା। ସେ ପରିଚ୍ଛନ୍ନତାକୁ ପରିହାର କରି ପୁତିଗନ୍ଧମୟ ପରିବେଶ ଭିତରକୁ ପ୍ରବେଶ କରିଥିଲା ସ୍ୱଇଚ୍ଛାରେ। ସମସ୍ତ ସମ୍ଭାବନାକୁ ସମାଧି ଦେଇ ଅମୁହାଁ ଗହ୍ୱର ମଧ୍ୟକୁ ଗତି କରୁଥିଲା। ଦରଜର ଦରିଆରେ ସନ୍ତରଣ କରୁଥିଲା ହେଲେ ପାଉନଥିଲା କୂଳ କି କିନ୍ନାରା। ସେ ଉଚ୍ଛନ୍ନ ହେଉଥିଲା, ଉବୁଟୁବୁ ବି!

 

ତା’ ଚାରିପଟେ ଏତେ କୋଳାହଳ ଅଥଚ ସେ ଥିଲା ନୀରବ ଓ ନିର୍ବିକାର। ନୀଳକଣ୍ଠ ପରି ହସିହସି ପିଉଥିଲା ବିଷର ପିଆଲା। ସେ ମୁମୂର୍ଷୁ ମାତ୍ର ମତୁଆଲା ବି! ସେ ବେକ ଗଳାଇ ଦେଇଥିଲା ଯୂପକାଠରେ ଆଉ ଥିଲା ଚୋଟ ଅପେକ୍ଷାରେ। ନିଜକୁ ଫାଶିଖୁଣ୍ଟରେ ଝୁଲାଇଦେଇ ସେ ନିଜେ ସେଇ ଦୃଶ୍ୟ ଉପଭୋଗ କରୁଥିଲା ଓ ଖୁବ‌୍‍ ଖୁସି ହେଉଥିଲା। କେବେ କାହାକୁ ଦୟା କିମ୍ୱା ଅନୁକମ୍ପା ଭିକ୍ଷା କରିନଥିବା ସୀମା ନିଜ ଯୁଦ୍ଧ ନିଜେ ଯୁଝୁଥିଲା। ପ୍ରତିକୂଳରେ ପହଁରି ପହଁରି ସେ ଥକି ନଥିଲା କି ଠକି ଯାଇଛି ବୋଲି ଭାବୁନଥିଲା। ଆତ୍ମନିର୍ବାସନର ଆନନ୍ଦରେ ଆତ୍ମହରା ସୀମା ନିଜକୁ ଆହୂତି ଚଢାଉଥିଲା ଆଉ କାହାର ଆମୋଦ ଓ ଆରାମଦାୟକ ଜୀବନଚର୍ଯ୍ୟା ପାଇଁ। ସ୍ୱପ୍ନ ଦେଖିବା ଭୁଲିଯାଇଥିବା ସୀମା ତ୍ୟାଗ ଓ ତୀତିକ୍ଷା ନାଁରେ ନିଜକୁ ତିଳତିଳ କରି ଜାଳୁଥିଲା ଆଉ ଗୋଟେ ପୃଥିବୀକୁ ଆଲୋକିତ କରିବା ପାଇଁ। ସୀମା କ’ଣ ସତରେ ସମାଜ ଆଖିରେ ଗୋଟେ କଣ୍ଟା ହୋଇପଡ଼ିଥିଲା, ଗୋଟେ ଅଲୋଡ଼ା ବୋଝ ପାଲଟି ଯାଇଥିଲା? କି ପାପ କରିଥିଲା ସେ, ଯାହାର ପ୍ରାୟଶ୍ଚିତ କରିବାକୁ ତାକୁ ଅହରହ ଅଗ୍ନିସ୍ନାନ କରିବାକୁ ପଡୁଛି? ଏ ତାତିରୁ ବି ସେ ପାଇପାରୁଛି ଆଶ୍ୱସ୍ତି! ଆଶ୍ଚର୍ଯ୍ୟ ନା!

 

ତେବେ କ’ଣ ପାଇଁ ସେ ସୁନୟନା ସୀମା ଏମିତି ଗୋଟେ କଠୋର ନିଷ୍ପତ୍ତି ନେଲା? ନିଷ୍ଠୁର ନିୟତି ସାମ୍ନାରେ ନଇଁପଡ଼ି ସେ ତା’ଆଡ଼କୁ ମାଡ଼ି ଆସୁଥିବା ଲେଲିହାନ ଲହଡ଼ିଗୁଡ଼ାକର ଲୋଲୁପ ଦୃଷ୍ଟିରୁ ବର୍ତ୍ତିବାକୁ ଚାହୁଁଥିଲା ନା ପଚମାନ ସମାଜର ପଙ୍କିଳ ପୁଷ୍କରିଣୀରେ ସେ ପଦ୍ମ ହୋଇ ଫୁଟିବାକୁ ଚାହୁଁଥିଲା? ସେ କ’ଣ ଫୁଟି ପାରୁଥିଲା??

 

କଳସପୁର, ଆଳି, କେନ୍ଦ୍ରାପଡ଼ା-୩୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top