ଈଶ୍ବର ଏକ ଅନୁଭବ

News Story - Posted on 2016-01-29

ଡକ୍ଟର ବିବୁଧ ରଂଜନ

ଆଜିକାଲି ପ୍ରତିଦିନ ଟିଭିରେ ବିଭିନ୍ନ ବେଶ ପୋଷାକରେ, ରଂଗଢଙ୍ଗରେ ନାନା ପ୍ରକାରର ଧର୍ମଗୁରୁ ପ୍ରବଚନ ଦେବାରେ ଲାଗୁଛନ୍ତି | ଏତଦ ବ୍ୟତିତ ଭାରତବର୍ଷର ପ୍ରତି ସହରରେ ଏବଂ ବିଶେଷକରି ଆମ ଓଡ଼ିଶାରେ ବର୍ଷକ ବାରମାସି କେଉଁଠି ନା କେଉଁଠି ବାବା, ମା, ଧର୍ମଗୁରୁମାନେ ଆସି ସାଧାରଣ ମଣିଷଙ୍କୁ ପ୍ରବଚନ ମାଧ୍ୟମରେ ବୋକା ବନେଇବାରେ ଲାଗିଛନ୍ତି | ଏମାନେ ଈଶ୍ବରଙ୍କର ପ୍ରତିନିଧି ଭାବରେ ନିଜକୁ ଉପସ୍ଥାପନା କରି ଥାଆନ୍ତି | ସତେ ଯେମିତି ଈଶ୍ବରଙ୍କ ସହ ଏମାନଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ, ସଂପର୍କ, ସାକ୍ଷାତ୍କାର ହୋଇଯାଇଛି | ଏମାନଙ୍କ ମୁଖ ନିସୃତବାଣୀକୁ ମାନି ଚଳିଗଲେ ମଣିଷର ସମସ୍ତ ଦୁଃଖ, ଜ୍ବାଳା, ଯନ୍ତ୍ରଣା ସତେ ଯେପରି ଉଭେଇ ଯିବ, ମଣିଷର ସମସ୍ତ କାମନା ବାସନାର ପରିତୃପ୍ତି ଆସିଯିବ |

ମୁଁ କିନ୍ତୁ ସ୍ପଷ୍ଟଭାବେ କହିବାକୁ ଚାହେଁ ଯେ - ଏହି ସବୁ ଧର୍ମଗୁରୁମାନେ ହୁଏତ ପଣ୍ଡିତ ହୋଇଥାଇ ପାରନ୍ତି କିନ୍ତୁ ଆଦୌ ଜ୍ଞାନୀ ନୁହନ୍ତି | ଏମାନେ ଆଦୌ ଈଶ୍ବର ଉପଲବ୍ଧ ମଣିଷ ନୁହନ୍ତି | ଏମାନେ ପଣ୍ଡିତ ଏଇଥିପାଇଁ ଯେ - ଏମାନେ ପ୍ରତ୍ୟେକ ଗୀତା, ବେଦ, ଉପନିଷଦ, ପୁରାଣ, ଶାସ୍ତ୍ର ହୁଏତ ପଢ଼ି ଘୋଷି ଦେଇଛନ୍ତି | ଶାସ୍ତ୍ର, ଶ୍ଲୋକ, ଶବ୍ଦ ମୁଖସ୍ଥ | ପ୍ରବଚନ ଦେବା ମାତ୍ରକେ ଅନର୍ଗଳ ଏହିସବୁ ପୂର୍ବରୁ ପାକୁଳି ଥିବା ବାସି ପଚାସଢ଼ା ଶବ୍ଦ ସବୁ ମୁହଁରୁ ବାହାରି ଆସନ୍ତି | ଆଉ ଏମାନେ ସାଧାରଣ ମଣିଷଙ୍କ ଆଗରେ ଜ୍ଞାନୀ ବୋଲେଇ ହୁଅନ୍ତି |

କିନ୍ତୁ ମନେ ରଖିବାକୁ ହେବ ଯେ ସ୍ମୃତି ଜ୍ଞାନ ନୁହେଁ | ଜ୍ଞାନର ଅର୍ଥ ହେଲା ଅନୁଭବ | ଅନୁଭବରୁ ଜ୍ଞାନ ଆସିଥାଏ | ଈଶ୍ବର ମଧ୍ୟ ସେହିଭଳି ଏକ ଅନୁଭବ | ପୋଥିର ପୃଷ୍ଠାରୁ, ଶବ୍ଦର ଅର୍ଥରୁ, ପଣ୍ଡିତର ଉଚ୍ଚାରଣରୁ ହୁଏତ ଈଶ୍ବରଙ୍କୁ ଅନୁମାନ କରାଯାଇପାରେ | ଈଶ୍ବରଙ୍କ ସମ୍ବନ୍ଧରେ କିଛି ଜଣା ଯାଇପାରେ | କିନ୍ତୁ ଖୋଦ୍ ଈଶ୍ବରଙ୍କୁ ନୁହେଁ |

ଈଶ୍ବରଙ୍କ ସମ୍ବନ୍ଧରେ ଜାଣିବା ଏବଂ ଈଶ୍ବରଙ୍କୁ ଜାଣିବା ଭିତରେ ପାଣ୍ଡିତ୍ୟ ଓ ଜ୍ଞାନର ଫରକ | କିନ୍ତୁ ତଥାକଥିତ ଜ୍ଞାନୀ ଯେଉଁମାନେ ସେମାନଙ୍କ ମସ୍ତିଷ୍କ ଭିତରେ ଶାସ୍ତ୍ର ବ୍ୟତୀତ ଆଉ କିଛି ହିଁ ନଥାଏ | ସବୁବେଳେ ଶାସ୍ତ୍ରର ପ୍ରତିଧ୍ବନି ହେଉଥାଏ ଏମାନଙ୍କ ଭିତରେ - ଏମାନଙ୍କ ବାହାରେ | ଏମାନେ କେବେ ବି ଭାବି ପାରନ୍ତି ନାହିଁ ଯେ - ଆମେମାନେ କିଛି ହିଁ ଜାଣିନାହୁଁ | ବରଂ ଏମାନଙ୍କ ମନରେ ମଜବୁତ ଧାରଣା ରହିଥାଏ ଯେ ମୁଁ ସବୁ କିଛି ଜାଣିଛି | ଏହି ମୁଁ ସବୁକିଛି ଜାଣିଛି, ମୁଁ ଜଣେ ଜ୍ଞାନୀ ଏହି ଧାରଣା ହିଁ ଈଶ୍ବର ଉପଲବ୍ଧି ପଥରେ ବାଧା ସୃଷ୍ଟି କରିଥାଏ |

କିନ୍ତୁ ଯିଏ ଅଜ୍ଞାନୀ ସେ ଜାଣିଥାଏ ମୁଁ କିଛି ଜାଣେ ନାହିଁ | ଜାଣିବାର ଅହଙ୍କାର ତା ଭିତରେ ଆଦୌ ହିଁ ନଥାଏ | ସେ ସହଜ, ସରଳ, ବିନମ୍ର ମଣିଷଟିଏ ହୋଇଥାଏ ଏବଂ ସେହି ସରଳତା ମଧ୍ୟରେ ଈଶ୍ବର ଅନୁଭବରେ ଆସି ଥାଆନ୍ତି |

ଲିଓ ଟଲଷ୍ଟୟଙ୍କର ଏକ କାହାଣୀ - ରୁଷିଆର କୌଣସି ଏକ ନଦୀ କୂଳରେ ତିନିଜଣ ଫକୀର ରହୁଥିଲେ | ସେମାନଙ୍କର ପ୍ରସିଦ୍ଧି ଏପରି ହୋଇଥିଲା ଯେ ପ୍ରତିଦିନ ହଜାର ହଜାର ଲୋକେ ଏହି ଫକୀରଙ୍କୁ ଦର୍ଶନ କରିବାକୁ ଯାଉଥିଲେ | କିନ୍ତୁ ଫକୀର ତିନିଜଣ ଅତ୍ୟନ୍ତ ବୋକା ଏବଂ ଆଦୌ ପାଠପଢ଼ି ନଥିଲେ | ମହାମୁର୍ଖ, ମହାମୂଢ଼ | ଧର୍ମ ଫର୍ମ କିଛି ହିଁ ଜାଣି ନଥିଲେ | ତଥାପି ସେମାନଙ୍କୁ ଦର୍ଶନ କରିବାକୁ ଲୋକେ ଜମା ହେଉଥିଲେ |

ଏ ସମ୍ବାଦ ସେ ଦେଶର ମୁଖ୍ୟ ଖ୍ରୀଷ୍ଟିୟାନ ପୁରୋହିତଙ୍କ କାନରେ ପଡ଼ିଲା | ପୋପ୍ ଖୁବ୍ ଆଶ୍ଚର୍ଯ୍ୟ ହେଲେ | କାରଣ ବିନା ଚର୍ଚ୍ଚର ଅନୁମୋଦନରେ କାହାରିକୁ ସନ୍ଥ ବୋଲି ଘୋଷଣା କରାଯାଉନଥିଲା | (ଏପରି ଦେଖା ଯାଇଥାଏ, ବ୍ୟକ୍ତି ମରିବାର ଦୁଇଶହ ତିନିଶହ ବର୍ଷ ପରେ ଖ୍ରୀଷ୍ଟିୟାନ ଧର୍ମରେ ପୋପ୍ ମହାଶୟ କେବେ କାହାରିକୁ ‘ସନ୍ଥ’ ଭାବରେ ଘୋଷଣା କରି ଥାଆନ୍ତି | ଯେମିତି ମଦର ଟେରେସାଙ୍କ କ୍ଷେତ୍ରରେ ମଧ୍ୟ ହୋଇଥିଲା | ସନ୍ଥ ଅର୍ଥ ଈଶ୍ବର ଉପଲବ୍ଧ ମଣିଷ ପାଖାପାଖି ଈଶ୍ବର | ମଣିଷ ବଂଚିବା ବେଳେ ଏହି ଚର୍ଚ୍ଚ କାହାରିକୁ ଜିଅନ୍ତା ଜାଳି ମଧ୍ୟ ଦେଇଛି | ଯେପରି ଜନ୍ ଅଫ ଆର୍କଙ୍କୁ ଜିଅନ୍ତା ଜାଳି ଦିଆ ଯାଇଥିଲା | ପୁଣି ଏହାର ଅନେକ ଶହବର୍ଷ ପରେ ସେହି ଚର୍ଚ୍ଚ ଜନ୍ ଅଫ ଆର୍କଙ୍କୁ ସନ୍ଥ ଭାବେ ଘୋଷଣା କରିଥିବାର ନଜିର ମଧ୍ୟ ଅଛି ଇତିହାସରେ |)

ତେଣୁ ପୋପ୍ ଆଶ୍ଚର୍ଯ୍ୟ ହେଲେ - ଚର୍ଚ୍ଚ ଯେତେବେଳେ ଘୋଷଣା କରିନାହିଁ ସେତେବେଳେ ଏହି ତିନିମୁର୍ଖଙ୍କୁ ସନ୍ଥ ଭାବରେ ଏତେ ସଂଖ୍ୟାରେ ଲୋକ ଦର୍ଶନ କରିବାକୁ କିପରି କାହିଁକି ଯାଉଛନ୍ତି ? (ଭାରତବର୍ଷ କଥା ଅଲଗା | ଆମ ଦେଶରେତ ଯେ କେହି ନିଜର ବେଶଭୂଷା, ପୋଷାକ, ରଙ୍ଗ ବଦଳାଇ ଦେଇ ନିଜକୁ ନିଜେ ସନ୍ଥ ଘୋଷଣା କରି ଦେଇ ପାରୁଛି |)

ପୋପ୍ ଗୋଟିଏ ଦିନ ଡଙ୍ଗାରେ ବସି ନଦୀର ଆର କୂଳରେ ରହୁଥିବା ତିନି ମୁର୍ଖ ଫକୀରଙ୍କୁ ଦେଖା କରିବାକୁ ଗଲେ | ପୋପ୍ ପହଞ୍ଚିବା ବେଳକୁ ଫକୀର ତିନିହେଁ ଗୋଟିଏ ଗଛ ତଳେ ବସିଥିଲେ | ଖୁବ୍ ସାଦାସିଧା ଗାଁ ଲୋକ ଭଳି ଦିଶୁଥିଲେ | ଧର୍ମଗୁରୁ ପୋପଙ୍କୁ ଦେଖିବା ମାତ୍ରକେ ତିନିଜଣ ତାଙ୍କ ପାଦଛୁଇଁ ପ୍ରଣାମ କଲେ | ପୋପ୍ ଅନୁଭବ କଲେ ଯେ - ଏ ତିନିଜଣ ବିଲକୁଲ ମୁର୍ଖ, ଗାଁବାଲା ବୋକା |

ପୋପ୍ ସେମାନଙ୍କୁ ଗୁଡ଼ାଏ ଗାଳିମନ୍ଦ କରି ତାଗିଦ୍ କରିଦେଲେ | ସେମାନେ ସେଠାରେ କି ଯାତ୍ରା ଲଗେଇଛନ୍ତି? ପ୍ରତ୍ୟେକ ଦିନ ସେଠାରେ ଏପରି ଭିଡ଼ କାହିଁକି ଜମା କରୁଛନ୍ତି ? ଏହା ଦ୍ବାରା ସେମାନେ ଚର୍ଚ୍ଚର ବଦନାମ୍ କରୁଛନ୍ତି ଇତ୍ଯାଦି |

ଫକୀର ତିନିଜଣ କହିଲେ - ଆମେ କିଛି କରୁନାହୁଁ | ଲୋକେ ତାଙ୍କ ମନକୁ ମନ ଆସି ଯାଉଛନ୍ତି | ପୋପ୍ ପଚାରିଲେ ତୁମକୁ ସନ୍ଥ ଭାବେ କିଏ ଘୋଷଣା କରିଛି ? ଆମେ ଜାଣିନୁ | ଲୋକେ କହୁଛନ୍ତି | ତୁମେ କେଉଁ ପ୍ରାର୍ଥନା ଈଶ୍ବରଙ୍କ ଉଦ୍ଦେଶ୍ୟରେ ବୋଲୁଛ ? ବାଇବେଲ୍ ପ୍ରତିଦିନ ପଢ଼ୁଛ ? ସେମାନେ କହିଲେ - ଆମେ ବିଲକୁଲ୍ ପାଠପଢ଼ା ଜାଣିନାହୁଁ | ବାଇବେଲ୍ କେମିତି ପଢ଼ିବୁ ?

ତେବେ କ’ଣ ପୁଣି କରୁଛ ? ଚର୍ଚ୍ଚର ନିଦ୍ଦିର୍ଷ୍ଟ ପ୍ରାର୍ଥନା ଅଛି ଈଶ୍ବରଙ୍କ ପାଇଁ |

ତିନିହେଁ କହିଲେ - ଆମକୁ କିଛି ପ୍ରାର୍ଥନା ଜଣା ନାହିଁ | ଆମେ ଆମ ମନକୁ ଗୋଟିଏ ପ୍ରାର୍ଥନା ତିଆରି କରି ନେଇଛୁ |

ତୁମେ ପ୍ରାର୍ଥନା ତିଆରି କରିବାକୁ କିଏ ? ପ୍ରାର୍ଥନା ତ ପୋପ୍ଙ୍କ ଦ୍ବାରା ନନିର୍ଣ୍ଣୟ କରାଯାଏ | ପଣ୍ଡିତଙ୍କ ଦ୍ବାରା ସ୍ଥିରୀକୃତ ହୁଏ | ତୁମେ କିଏ ପ୍ରାର୍ଥନା ତିଆରି କରିବାକୁ | ଏହା ତ ଘୋର ପାପ | ନରକରେ ପଢ଼ିବା ଭଳି କଥା | ଯଦି ଈଶ୍ବରଙ୍କ ପାଖରେ ପହଞ୍ଚିବାର ଅଛି ତେବେ ସେଥିପାଇଁ ନିଦ୍ଦିର୍ଷ୍ଟ ଖସଡ଼ା ଶାସ୍ତ୍ରରେ ତିଆରି କରା ଯାଇଛି | ସେସବୁକୁ ମାନିବାକୁ ପଡ଼ିବ | ପୋପ୍, ପଣ୍ଡିତଙ୍କୁ ମାନିବାକୁ ପଡ଼ିବ | ତାଙ୍କରି ନିର୍ଦ୍ଦେଶାନୁସାରେ ଚାଲିଲେ ହିଁ ଈଶ୍ବରଙ୍କୁ ପାଇ ପାରିବ | ତୁମେ ତିନି ମୁର୍ଖ ନିଜେ ନିଜେ ପ୍ରାର୍ଥନା ତିଆରି କରି ଧର୍ମର ବିରୁଦ୍ଧାଚରଣ କରୁଛ | ଦେଖି ଶୁଣେ କ’ଣ ତୁମର ପ୍ରାର୍ଥନା ?

ବିଚରା ତିନି ଫକୀର ପୋପ୍ଙ୍କର ଧମକ, ଗାଳି ଶୁଣି ଡରିଗଲେ | ଡରିମରି କହିଲେ - ଆମେ ଆଜ୍ଞା ମୁର୍ଖ ଲୋକ | ଆମେ ଜାଣିଛୁ ପରମାତ୍ମା ହେଲେ ତ୍ରିମୂର୍ତ୍ତୀ | ପରମାତ୍ମା, ତାଙ୍କ ପୁଅ ଏବଂ ପବିତ୍ରଭୂତ (ହୋଲି ଘୋଷ୍ଟ) | ତେଣୁ ଆମେ ଆମ ପ୍ରାର୍ଥନା ତିଆରି କରିଛୁ - ୟୁ ଆର୍ ଥ୍ରୀ, ଉଇ ଆର୍ ଥ୍ରୀ, ହାଭ ମର୍ସି ଅନ୍ ଅସ୍ | ଓଡ଼ିଆରେ ଯାହାର ଅର୍ଥ ହେଲା ତୁମେ ତିନି ଜଣ, ଆମେ ତିନିଜଣ | ଆମ ଉପରେ କୃପା କର |

ପୋପ୍ ଶୁଣିବା ମାତ୍ରକେ ରାଗରେ ପାଟି କରି କହିଲେ - ବନ୍ଦ କର ଏ ବକ୍ବାସ୍ | ଏଇଟା କ’ଣ ପ୍ରାର୍ଥନା ? ଏମିତି ପ୍ରାର୍ଥନା କ’ଣ କେବେ କେଉଁଠି ଶୁଣିଛ ? ତୁମେ ତିନିଜଣ ଭଗବାନଙ୍କୁ ଥଟ୍ଟା କରୁଛ ? କଣ ନା ତୁମେ ତିନି ଆମେ ତିନି ? ଛାଡ଼ | ଆଜି ମୁଁ ତୁମକୁ ଶାସ୍ତ୍ର ସ୍ବୀକୃତ ପ୍ରାର୍ଥନା ବତେଇ ଦେଉଛି | ଆଜିଠାରୁ ଏହି ପ୍ରାର୍ଥନା କରିବ | ଏହା କହି ପୋପ୍ ସେମାନଙ୍କୁ ଏକ ପ୍ରାର୍ଥନା ବତେଇ ଦେଲେ | ତିନିଜଣ ବାରମ୍ବାର ପୋପ୍ଙ୍କ ଆଗରେ ତାହାକୁ ଘୋଷି ନେଲେ |

ପୋପ୍ ଡଙ୍ଗାରେ ସେଠାରୁ ଫେରି ଆସିଲେ | ପୋପ୍ ନଦୀ ମଝିରେ ହୋଇଛନ୍ତି କି ନାହିଁ ହଠାତ୍ ଦେଖିଲେ ସେହି ତିନିମୁର୍ଖ ପାଣି ଉପରେ ଦୌଡ଼ି ଦୌଡ଼ି ତାଙ୍କ ପାଖକୁ ଆସୁଛନ୍ତି | ପୋପ୍ଙ୍କର ହଂସା ଉଡ଼ିଗଲା | ସେ ନାଉରିଆକୁ ପଚାରିଲେ - ଏ ତିନିଜଣ ପାଣି ଉପରେ ବିନା ଡଙ୍ଗାରେ ଦୌଡ଼ି ଦୌଡ଼ି କେମିତି ଆସୁଛନ୍ତି ? ନାଉରିଆ କହିଲା - ଆଜ୍ଞା, ମୋର ଏ ଦୃଶ୍ୟ ଦେଖି ହାତ ଗୋଡ଼ ଥରିଲାଣି | ତିନି ଫକିର ଡଙ୍ଗା ପାଖରେ ପହଞ୍ଚି କହିଲେ - ଆଜ୍ଞା, କ୍ଷମା କରିବେ | ଦୟାକରି ଆଉଥରେ ଆପଣ ପ୍ରାର୍ଥନା ବତେଇ ଦିଅନ୍ତୁ | ଆମେ ଭୁଲି ଗଲୁ | ଯେହେତୁ ଆମେ ମୁର୍ଖ, ସେଥିରେ ପୁଣି ଏ ପ୍ରାର୍ଥନା ଏତେ ଲମ୍ବ | ଏହାର ଶବ୍ଦ ଏତେ କଷ୍ଟ | ଆମ ଉପରେ ଦୟା କରନ୍ତୁ | ପୋପ୍ କହିଲେ - ମୋ ପ୍ରାର୍ଥନା ଭୁଲି ଯାଅ ଏଥର | ତୁମେ ତୁମରି ପ୍ରାର୍ଥନା ଜାରୀ ରଖ | ମୋ ପ୍ରାର୍ଥନାରେ ତ ମୁଁ ପାଣି ଉପରେ କେବେବି ଚାଲି ପାରିବି ନାହିଁ | ତୁମରି ପ୍ରାର୍ଥନା ଠିକ୍ |

ଏ କାହାଣୀ ଟଲଷ୍ଟୟଙ୍କର | ସେହି ତିନିଜଣ ବିଲ୍କୁଲ୍ ପଣ୍ଡିତ ନଥିଲେ | ଖୁବ୍ ସାଦାସିଧା | ସରଳ ମଣିଷ | କିନ୍ତୁ ଏକ ନିଜସ୍ବ ଅନୁଭବ ସେମାନଙ୍କ କ୍ଷେତ୍ରରେ ଘଟି ଯାଇଛି | ଆଉ ନିଜର ଐଶ୍ବରୀୟ ଅନୁଭବ ପାଇଁ କୌଣସି ଅଧିକୃତ ପ୍ରାର୍ଥନାର ଆବଶ୍ୟକତା ନାହିଁ | ନିଜର ଅନୁଭବ ପାଇଁ କୌଣସି ଲାଇସେନ୍ସ ଶାସ୍ତ୍ର, ଶ୍ଲୋକର ଆବଶ୍ୟକତା ନାହିଁ | ଈଶ୍ବର ଉପଲବ୍ଧି ପାଇଁ କୌଣସି ପଣ୍ଡିତ, ପୁରୋହିତ, ମୁଲ୍ଲା, ପାଦ୍ରୀ ଠିକା ମଧ୍ୟ ନେଇ ନାହାନ୍ତି | ପ୍ରତିଟି ମଣିଷର ଏହା ସ୍ବରୂପସିଦ୍ଧ ଅଧିକାର | ସେ କିପରି ତାଙ୍କୁ ପାଇପାରିବ ତାହା ନିଜ ଉପରେ ନିର୍ଭର କରେ | ଏଥିପାଇଁ କୌଣସି ସ୍ଥିରୀକୃତ ମାର୍ଗ ନାହିଁ | ସେସବୁ ବକ୍ବାସ୍ | କିନ୍ତୁ ଆମେ ଅନେକ ଶାସ୍ତ୍ର, ଶ୍ଲୋକ ଆମ ଭିତରେ ଏକାଠି କରି ନେଉଛୁ ଯାହା ଆମ ଉପରେ ବୋଝ ହୋଇ ମାଡ଼ି ବସୁଛି | ଆମ ଭିତରର ସରଳତା ଆମେ ହରାଇ ବସିଛୁ | ବହୁତ କିଛି ଜାଣିବାର ଅହଙ୍କାର ଆମ ଭିତରେ ପ୍ରବେଶ କରି ଯାଉଛି |

ମୋର କହିବାର କଥା ହେଲା - ଜାଣିବା ନୁହେଁ, ସୂଚନା ମଧ୍ୟ ନୁହେଁ, ଶାସ୍ତ୍ରୀୟତା ମଧ୍ୟ ନୁହେଁ, ନିଜସ୍ବ ଆତ୍ମିକ ଅନୁଭବ, ଯେଉଁ ଅନୁଭବରେ କୌଣସି ଶବ୍ଦ ନଥାଏ, କେବଳ ବ୍ୟକ୍ତି ଏବଂ ଅସ୍ତିତ୍ବ- ଏ ଦୁଇ ବ୍ୟକ୍ତି ଅସ୍ତିତ୍ବ ମଝିରୁ ଯେବେ ସମସ୍ତ ପ୍ରାଚୀର ଖସିପଡ଼େ ସେହି ଶୂନ୍ୟତା ଭିତରେ ଯାହା ହୁଏ - ସେ ହିଁ ପରମାତ୍ମା |

ପ୍ରଜ୍ଞାଲୋକ, ତଳମାଳି ସାହି, ପୁରୀ-2, ମୋ- 9937649894


ପ୍ରତିକ୍ରିୟା

B. Mallik - Email: Basudev20651@gmail.com - Posted on 2016-05-03 20:39:37

A very good article; contains the essence of all philosophy.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top