ମୁନ‌୍‍ସୀ ମେଲଣରେ ମୁସଲମାନ!

News Story - Posted on 2017-03-10

ଶୁଭେନ୍ଦୁ କୁମାର ଭୂୟାଁ

 

ଓଡିଶାରେ ମୁଖ୍ୟତଃ ଉପକୂଳଜିଲ୍ଲାଗୁଡିକରେ ଦୋଳପର୍ବ ଓ ଦୋଳମେଲଣ ପାଳନର ସର୍ବାଧିକ ଗୁରୁତ୍ୱ ରହିଛି। ପୁରୀର ଶ୍ରୀଜଗନ୍ନାଥ କ୍ଷେତ୍ର ଓ ଶ୍ରୀମନ୍ଦିର, ଓଳକଣା, ଧର୍ମଶାଳା, ଅରିଲୋ, ହରିରାଜପୁର ଓ କଟକ ସହର ସମେତ ରାଜ୍ୟର ଆଉ କେତେକ ସ୍ଥାନ ଯଥା ଦେବୀ-କନ୍ଦଳ ଦ୍ୱୀପାଚଂଳର ଦିପୋଟୀମେଲଣ, ରାଜନଗରର ରାଧାକୃଷ୍ଣ ମେଲଣ, ବାଣପୁରର ପଂଚୁଦୋଳ ମେଲଣ ଭଳି ଅନ୍ୟକେତେକ ସ୍ଥାନରେ ମଧ୍ୟ ଦୋଳମେଲଣର ପରଂପରା ଏବେବି ଉଜ୍ଜୀବିତ। ତେବେ ଦକ୍ଷିଣ କି ପଶ୍ଚିମ ଓଡିଶାରେ ଦୋଳମେଲଣ ଅନୁଷ୍ଠିତ ହେଉନଥିଲାବେଳେ ହୋଲିପର୍ବ ସର୍ବତ୍ର ପାଳିତ ହୋଇଥାଏ।

 

ବୈଷ୍ଣବ ଭକ୍ତିପରଂପରା ଆଧାରରେ ଏବଂ ଶ୍ରୀଜଗନ୍ନାଥ-ଶ୍ରୀକୃଷ୍ଣଙ୍କ ଏକତ୍ୱ ଆଧାରରେ ମଧୁମୟ ବସନ୍ତଋରୁରେ ଆୟୋଜିତ ପୌରାଣିକ ଦୋଳପର୍ବ ଉତ୍କଳର ଗ୍ରାମ୍ୟ ସମାଜଜୀବନରେ ଶ୍ରଦ୍ଧା, ସଦାଚାର, ସୌହାର୍ଦ୍ଦ୍ୟ ଓ ସଦ‌୍‍ଭାବର ମିଳନପର୍ବ ଭାବରେ ପାଳିତ ହେବା ଏକ ଉଲ୍ଲେଖନୀୟ ଘଟଣା। ଗ୍ରାମ ଗ୍ରାମ, ଗୋଷ୍ଠୀ, ସମାଜ ଓ ଠାକୁରବାଡି ଗୁଡିକ ମଧ୍ୟରେ ଦୋଳପର୍ବ ଏକ ସାଂସ୍କୃତିକ ଐକ୍ୟ ସ୍ଥାପନ, ସଂହତି ଓ ଭାଇଚାରା ରକ୍ଷା କ୍ଷେତ୍ରରେ ଏକ ସଂଯୋଗ ସେତୁ ଭାବରେ ମଧ୍ୟ କାର୍ଯ୍ୟ କରିଆସିଥାଏ। ଫଗୁଣର ଏହି ଫଗୁପର୍ବ କେବଳ ରାଧାକୃଷ୍ଣଙ୍କ ଅପ୍ରାକୃତ ମିଳନପର୍ବ ନୁହେଁ ଏହା ସାରା ମାନବ ସଭ୍ୟତା ଓ ସଂସ୍କୃତି ପାଇଁ ଯଥାର୍ଥରେ ଏକ ପ୍ରେମ ଓ ସଂପ୍ରୀତିର ଗଣପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ।

 

ଏହି ପରିପ୍ରେକ୍ଷୀରେ ସଂସ୍କୃତି ସମ୍ପନ୍ନ ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ଦୋଳମେଲଣ ମଧ୍ୟରେ ଧର୍ମଶାଳାର ମୁନସୀ ମେଲଣର ଗୁରୁତ୍ୱ ସର୍ବାଧିକ। ୧୮୭୭ ମସିହାରୁ ଆରମ୍ଭ ହୋଇଥିବା ଏହି ମେଲଣର ପ୍ରଥମ ଓ ପ୍ରଧାନ ପୃଷ୍ଠପୋଷକ ଥିଲେ ଧର୍ମଶାଳା ପୋଲିସ ଥାନାର ତତ‌୍‍କାଳୀନ ମୁନ‌୍‍ସୀ ସାହେବ। ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ଏହି ମେଲଣର ସ୍ଥାୟୀ ସଭାପତି ହେଉଛନ୍ତି ଧର୍ମଶାଳା ଥାନାର ଆଇ.ଆଇ.ସି.। ଥାନାର ଆଇ.ଆଇ.ସି ଯିଏ ଥାଆନ୍ତୁ ନା କାହିଁକି କମିଟିର ସ୍ଥାୟୀ ସଭାପତି ଭାବେ ସେ ଏହାକୁ ସୁପରିଚାଳନା କରିବା ହିଁ ଧାର୍ଯ୍ୟ। ତେବେ ପ୍ରଥମ ମେଲଣର ଶୁଭାରମ୍ଭ କରିଥିବା ମୁନ‌୍‍ସୀ (ପୋଲିସ)ଙ୍କ ଭିତରେ ମୁନ‌୍‍ସୀ ଗୋପୀନାଥ ପରିଜା, ମୁନ‌୍‍ସୀ ଏଚ‌୍‍.ବି. ଦାସ ଓ ମୁନ‌୍‍ସୀ ସଦାଶିବ ମଲ୍ଲିକ ନାମ ଏବେବି ସ୍ମରଣାତୀତ । ବିଭିନ୍ନ ସମୟରେ ଏହି ମେଲଣ କମିଟିର ସଦସ୍ୟଭାବେ ଚହଟା ଜମିଦାର ଅବଦୁଲ କୟୁମ‌୍‍, ଶେଖ‌୍‍ ହନିଫ‌୍‍, ଚୋରମୁହାଁ ଗ୍ରାମର ଶେଖ‌୍‍ ରସିଦ‌୍‍, ଶେଖ‌୍‍ ସନା, ମୋଗଲାଜମ‌୍‍ ଖାଁ ଓ ସାମ୍ୱାଦିକ ଗୁଲାମ ଗସ‌୍‍ ପ୍ରମୁଖ ଏହାର ସୁପରିଚାଳନା ପାଇଁ କାର୍ଯ୍ୟ ସଂପାଦନକରି ବେଶ‌୍‍ ପ୍ରଶଂସିତ ହୋଇଛନ୍ତି।

 

ଦୋଳପୂର୍ଣ୍ଣିମା ଯିବାର ତୃତୀୟ ଦିନରେ ଆୟୋଜିତ ହୁଏ ଏହି ଐତିହାସିକ ମେଲଣଯାତ୍ରା। ଧର୍ମଶାଳାର ହାଟପଡିଆରେ ବସୁଥିବା ଏହି ମେଲଣ ୪ ଏକର ୨୭ ଡେସିମିଲ ଜମି ଉପରେ ପ୍ରତିଷ୍ଠିତ ଏବଂ ଏହି ଜମିର ଦାତା ହେଉଛନ୍ତି ଚୋରମୁହାଁର ତତ‌୍‍କାଳୀନ ଜମିଦାର ବେଲାଲ ମହମ୍ମଦ। ମୁନ‌୍‍ସୀ ମେଲଣର ପ୍ରାରମ୍ଭିକ ପ୍ରସ୍ତୁତି ସ୍ୱରୂପ ପ୍ରଥମେ ଚୋରମୁହାଁ ଗ୍ରାମର ସ୍ଥାନପତି ଦୋଳବିମାନର ଠାକୁର ରାଧା ଗୋପୀନାଥଜୀଉଙ୍କୁ ଆମନ୍ତ୍ରଣ କରାଯାଇଥାଏ। ଫଗୁଦଶମୀ ତିଥିରୁ ସ୍ଥାନପତିଙ୍କୁ ବରଣ ପାଇଁ ପାରଂପାରିକ ଭାବେ ମେଲଣ କମିଟିର ସଭାପତି ତଥା ଧର୍ମଶାଳା ଥାନା ଆଇ.ଆଇ.ସି ଓ ଅନ୍ୟ ସଦସ୍ୟମାନେ ଫୁଲ, ଭୋଗଡାଲା, ଗୁଆ, ପାନ ଓ ନିମନ୍ତ୍ରଣପତ୍ର ସହ ବରଣ କରିବାକୁ ଯାଆନ୍ତି ଠାକୁରଙ୍କୁ। ଏହା ପରେ ରସୁଲପୁର, ଧର୍ମଶାଳା, ବଡଚଣା ଓ କୋରେଇ ବ୍ଲକର ଅନ୍ୟାନ୍ୟ ପ୍ରାୟ ୩୫/୪୦ ଘର ଠାକୁରମାନଙ୍କୁ ନିମନ୍ତ୍ରଣ କରିବାକୁ କମିଟିର ସଦସ୍ୟମାନଙ୍କ ସହ ମୁସଲମାନ‌୍‍ ଭାଇମାନେ ମଧ୍ୟ ଯାଇଥାନ୍ତି-ଯାହାକି ଏକ ଉଲ୍ଲେଖନୀୟ ଘଟଣା। ଏହି ନିମନ୍ତ୍ରଣ କାର୍ଯ୍ୟ ସାତଦିନ ଧରି ଚାଲେ।

 

ଧର୍ମଶାଳା ଥାନା ପରିସରରେ ପୂର୍ବରୁ ଥିବା ରାଣୀ ଅହଲ୍ୟାବାଈଙ୍କ ଦ୍ୱାରା ନିର୍ମିତ ଧର୍ମଶାଳା ଗୃହରେ ପୂର୍ବରୁ ଦୂରଦୂରାନ୍ତରୁ ସପରିବାରସହ ଆସି ଲୋକମାନେ ମୁନ‌୍‍ସୀମେଲଣ ଦେଖୁଥିଲେ। ଏବେ ମଧ୍ୟ ପ୍ରାୟ ଦଶହଜାରରୁ ଅଧିକ ଲୋକ ଆସି ଏହି ମେଲଣ ଦେଖିବାକୁ ଆସିଥାଆନ୍ତି କିନ୍ତୁ ଅତୀତର ସେହି ଧର୍ମଶାଳା ଗୃହ ଆଉ ନାହିଁ। ଧର୍ମଶାଲା ମୁନ‌୍‍ସୀମେଲଣ କମିଟିରେ ଏବେ ୭୦ ରୁ ଅଧିକ ଜଣ ସଦସ୍ୟ ଥିଲାବେଳେ ସେଥିରୁ ପ୍ରାୟ ୨୦ରୁ ଅଧିକ ଦେଉଛନ୍ତି ଏକ୍ସ-ଅଫିସଓ ସଦସ୍ୟ। ଏହି ଐତିହାସିକ ମେଲଣପାଇଁ ବର୍ଷକୁ ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୁଏ ଏବଂ ଏହା ବିଭିନ୍ନ ବ୍ୟକ୍ତିବିଶେଷ, ଧର୍ମାନୁରାଗୀ ବ୍ୟକ୍ତି, ଅନୁ‌୍‍ଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରୁ ମିଳିଥାଏ ବୋଲି ବଡଚଣାବାରି ଗ୍ରାମର ପ୍ରମୋଦ କୁମାର ଦାସ କୁହନ୍ତି। ଚଳିତବର୍ଷ ମୁନ‌୍‍ସୀମେଲଣ ୧୪୦ତମ ବାର୍ଷିକ ମେଲଣ ଅନୁଷ୍ଠିତ କରୁଥିଲାବେଳେ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ଇତିମଧ୍ୟରେ କରାଯାଇଛି।

 

ମେଲଣ ତିଥିର ରାତ୍ର ଦଶ ଘଟିକାଠାରୁ ସୁସଜ୍ଜିତ ବିମାନରେ ଠାକୁରମାନେ ବାଣ ରୋଷଣୀର ପଟୁଆରରେ ଆସି ହୋରିଦାଣ୍ଡରେ ପହଂଚିଥାଆନ୍ତି। ଏହାପରେ ଆଡମ୍ୱରସହିତ ମେଲଣ ଶୋଭାଯାତ୍ରା ଆରମ୍ଭ ହୋଇ ତା’ପରଦିନ ଅପରାହ୍ନ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ଏହା ଚାଲିଥାଏ। ଦୋଳମେଲଣ ପଡିଆରେ ଠାକୁରମାନେ ଅଡାରେ ବସିବା ପରେ ମାଲସାହାଣ୍ଡି ଭୋଗ ଲାଗିହୋଇ ସମସ୍ତଙ୍କୁ ବିଦାକି ଅର୍ପଣ କରାଯାଇଥାଏ। ମୁନ‌୍‍ସୀମେଲଣରେ ଆସୁଥିବା ହରିପୁରର ବୃନ୍ଦାବନଚନ୍ଦ୍ରଜୀଉ ଓ ଢିହସାହିର ଗୋପୀନାଥଜୀଉ ଦୀର୍ଘ ୧୪୦ ବର୍ଷ ଏହି ମେଲଣକୁ ଆସୁଥିବାର ପରଂପରା ରହିଛି ଏବଂ ଏହି ଠାକୁରଦ୍ୱୟଙ୍କୁ ସର୍ବାଧିକ ବିଦାକି ସମ୍ମାନର ସହ ପ୍ରଦାନ କରାଯାଇଥାଏ। ମୁନ‌୍‍ସୀମେଲଣକୁ ଆସୁଥିବା ଠାକୁରବାଡିର ବିମାନଗୁଡିକର ଆକାର ସାଧାରଣ ବିମାନଠାରୁ ବହୁତ ବଡ ଏବଂ ବହୁ ମୁଲ୍ୟବାନ ସାଜସରଂଜାମରେ ଠାକୁରମାନଙ୍କୁ ସୁସଜ୍ଜିତ କରାଯାଇଥାଏ - ଯାହାକି ଅନ୍ୟତ୍ର ବିରଳ ।

 

ଧର୍ମଶାଳା ମୁନ‌୍‍ସୀମେଲଣ କମିଟିରେ ଠାକୁରବାଡିଗୁଡିକର ମୁରବୀ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ମୁସଲମାନ ଭାଇମାନେ ସଦସ୍ୟ ରହିଥିଲାବେଳେ ମେଲଣ ପଡିଆରେ ସମସ୍ତେ ଠାକୁରମାନଙ୍କୁ ନିର୍ବିଘ୍ନରେ ଭାଇଚାରା ସହିତ ଦର୍ଶନ କରିବା ହେଉଛି ଏକ ମହନୀୟ ପରଂପରା ଏପରିକି ଚୋରମୁହାଁ ଗାଁର ସ୍ଥାନପତି ଠାକୁରଙ୍କ ସମେତ ଅନ୍ୟାନ୍ୟ ଠାକୁର‌୍‍ବାଡିର ଠାକୁରମାନଙ୍କୁ ନିମନ୍ତ୍ରଣ କରିବାପାଇଁ ଆମମାନଙ୍କ ସହିତ ମୁସଲମାନ‌୍‍ ଭାଇମାନେ ମଧ୍ୟ ଯାଇଥାନ୍ତି। ଏହି ମୁନ‌୍‍ସୀମେଲଣ କମିଟିର ସଭାପତି ଦାୟିତ୍ୱ ନେବା ମୋ ଚାକିରୀ ଜୀବନର ଏକ ଅନନ୍ୟ ଅନୁଭୂତି ବୋଲି କୁହନ୍ତି ଧର୍ମଶାଳା ମୁନ‌୍‍ସୀମେଲଣ କମିଟିର ସଭାପତି ତଥା ଧର୍ମଶାଳା ଥାନା ଆଇ.ଆଇ.ସି. ଅମିତାଭ ମହାପାତ୍ର ।

 

ସଦସ୍ୟ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ

ପଲାଇ, ଯାଜପୁର-୭୫୪୨୦୫, ଦୂରଭାଷ : ୯୪୩୭୨୨୬୭୯୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top