ନିରୁଦ୍ଦିଷ୍ଟ ଚନ୍ଦ୍ରଯାନ ଠାବ

News Story - Posted on 2017-03-10

 ଆଠ ବର୍ଷ ତଳୁ ମହାକାଶରେ ହଜି ଯାଇଥିବା ଚନ୍ଦ୍ରଯାନ-୧ର ସନ୍ଧାନ ପାଇଛି ଆମେରିକାର ନାସା। ଭାରତର ପ୍ରଥମ ଚନ୍ଦ୍ର ଅଭିଯାନରେ ଯାଇଥିବା ଚନ୍ଦ୍ରଯାନ-୧ ଅଗଷ୍ଟ ୨୦୦୯ରୁ ନିଖୋଜ ଥିଲା। ଏହା ଏବେ ଚନ୍ଦ୍ର ଚାରି ପଟେ ଘୂରି ବୁଲୁଛି ବୋଲି ପ୍ରକାଶ କରିଛି ନାସା।

 

କାଲିଫର୍ଣ୍ଣିଆର ପାସାଡେନାରେ ଥିବା ନାସାର ଜେଟ‌୍‍ ପ୍ରୋପଲସନ ଲାବୋରେଟୋରି ବା ଜେପିଏଲର ରାଡାର ବୈଜ୍ଞାନିକ ମେରିନା ବ୍ରୋଜୋଭିକ‌୍‍ କହିଛନ୍ତି ଯେ ଆମେ ନାସାର ଲୁନାର ରିକନ୍ନେସାଁ ଅର୍ବିଟର ବା ଏଲଆରଓ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଚନ୍ଦ୍ରଯାନ-୧ର ସନ୍ଧାନ ପାଇଛୁ। ଏ ଦୁଇଟି ଏବେ ପୃଥିବୀର ଉପଗ୍ରହ ଚନ୍ଦ୍ର ଚାରିପଟେ ଘୂରି ବୁଲୁଛନ୍ତି। ନାସା ତରଫରୁ ପ୍ରକାଶ ପାଇଥିବା ଏକ ବିବୃତିରେ ବ୍ରୋଜୋଭିକ‌୍‍ କହିଛନ୍ତି ଯେ ଏଲଆରଓକୁ ଖୋଜିବା ଆମ ପକ୍ଷେ ସହଜ ଥିଲା। କାରଣ ଆମେ ତାହାର ଚନ୍ଦ୍ର ପ୍ରଦକ୍ଷିଣ ନେଇ ତଥ୍ୟ ପାଇଥିଲୁ। କିନ୍ତୁ ଚନ୍ଦ୍ରଯାନ-୧ର ସନ୍ଧାନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। କାରଣ ଏହା ସହିତ ୨୦୦୯ ଅଗଷ୍ଟ ମାସରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଆନ୍ତଃ ଗ୍ରହ ରାଡାର ସହାୟତାରେ ନାସା ଏହି ସଫଳତା ହାସଲ କରିଛି।

 

ପୃଥିବୀର କକ୍ଷପଥରେ ହଜି ଯାଇଥିବା ମହକାଶ ଯାନ ଓ ଅନ୍ୟାନ୍ୟ ଅଳିଆ ଖୋଜିବା ମାନବ ଜାତି ପାଇଁ ଏକ ବଡ଼ ଧରଣର ପ୍ରଯୁକ୍ତିଗତ ଆହ୍ୱାନ। ଏଗୁଡ଼ିକ ପୃଥିବୀ ଚାରିପଟେ ଘୂରି ବୁଲୁଥିବା ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଥିବାର ସନ୍ଧାନ କରିବା ହେଉଛି ତତୋଧିକ କଷ୍ଟକର ବ୍ୟାପାର। କାରଣ ଚନ୍ଦ୍ରର ଉଜ୍ଜ୍ୱଳ ଆଲୋକ ଭିତରେ ହଜି ଯାଇଥିବା ଏଭଳି ଛୋଟଛୋଟ ଜିନିଷକୁ ଅପ୍ଟିକାଲ ଟେଲିସ୍କୋପରେ ଦେଖିବା ସମ୍ଭବ ନୁହେଁ। ତେବେ ଆନ୍ତଃ ଗ୍ରହ ରାଡାରର ନୂଆ ପ୍ରଯୁକ୍ତି ପ୍ରୟୋଗ କରି ନାସାର ଜେପିଏଲରେ ନିୟୋଜିତ ବୈଜ୍ଞାନିକମାନେ ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତା ଭବିଷ୍ୟତର ଚନ୍ଦ୍ର ଅଭିଯାନ ଯୋଜନା କରୁଥିବା ଦେଶ ଓ ସଂସ୍ଥା ପାଇଁ ମଙ୍ଗଳଦାୟକ ହେବ ବୋଲି ନାସା କହିଛି।

 

ପୂର୍ବରୁ ଏଭଳି ରାଡାର ପୃଥିବୀଠାରୁ ହଜାର ହଜାର ମାଇଲ ଦୂରରେ ଥିବା ଛୋଟଛୋଟ ଉଲ‌୍‍କା ଖଣ୍ଡ ଠାବ କରିବାରେ ସଫଳ ହେଉଥିଲେ ମଧ୍ୟ ଚନ୍ଦ୍ର ଚାରି ପଟେ ଘୂରୁଥିବା କୃତ୍ରିମ ଉପଗ୍ରହ କିମ୍ୱା ମହାକାଶ ଯାନର ସନ୍ଧାନ କରିପାରୁ ନଥିଲା। ନିରୁଦ୍ଦିଷ୍ଟ ଚନ୍ଦ୍ରଯାନ-୧ର ସନ୍ଧାନ କରି ଏହି ରାଡାର ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଦିଗ ଉନ୍ମୋଚିତ କରିଛି।

ସୂଚନାଯୋଗ୍ୟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧାବନ ମହକାଶ କେନ୍ଦ୍ରରୁ ୨୦୦୮ ଅକ୍ଟୋବର ୨୨ ତାରିଖରେ ମହାକାଶକୁ ଉତକ୍ଷେପିତ ହୋଇଥିଲା ଚନ୍ଦ୍ରଯାନ-୧। ଏଥିରେ ଭାରତ, ଆମେରିକା, ଇଂଲଣ୍ଡ, ଜର୍ମାନୀ, ସୁଇଡେନ ଓ ବୁଲଗାରିଆର ୧୧ଟି ବୈଜ୍ଞାନିକ ଯନ୍ତ୍ର ଥିଲା। ୨୦୦୯ ଅଗଷ୍ଟ ୨୯ ତାରିଖରେ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେତେବେଳକୁ ଚନ୍ଦ୍ରଯାନ-୧ ଚନ୍ଦ୍ର ଚାରି ପଟେ ୩୪୦୦ ଥର ପ୍ରଦକ୍ଷିଣ କରି ସାରିଥିଲା। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top