ଜାନକୀମାନେ ନ୍ୟାୟ ପାଇବେ କେବେ?

News Story - Posted on 2017-03-09

ପ୍ରହଲାଦ କୁମାର ସିଂହ

 

‘ଭୋକ ନୁହେଁ, ଇଜ୍ଜତ ବଡ଼। ସାକ୍ଷ୍ୟ ଦେବାକୁ ଚାଲିଲେ ୧୦୦ କିଲୋମିଟର। ୧୭ ବର୍ଷ ଧରି ଚାଲିଛି ଭଉଣୀ ବଳାତ୍କାର ମାମଲାର ବିଚାର। ୮ ଦିନରେ ପହଞ୍ଚିଲେ ଫିରିଙ୍ଗିଆରୁ ଭଞ୍ଜନଗର ଅଦାଲତ।’

 

ସତ୍ୟପଥର ପଦାତିକ ଜଣେ ଆଦିବାସୀ ମହିଳାଙ୍କ ନ୍ୟାୟ ପାଇଁ ସଂଘର୍ଷ ସଂକ୍ରାନ୍ତରେ ୨୦୧୭ ଜାନୁଆରୀ ୧୦ ତାରିଖରେ ‘ସମାଜ’ର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ପ୍ରଥମ ଖବରର ଏହା ହେଉଛି ଏକ ଶୀର୍ଷକ। ମହିଳାଙ୍କ ମାନ ଇଜ୍ଜତ କେତେ ସୁରକ୍ଷିତ ଓ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କରିବାରେ ବିଚାର ବ୍ୟବସ୍ଥା କେତେ ତତ୍ପର ତାହାର ନିଚ୍ଛକ ନିଦର୍ଶନ ହେଉଛି ଏହି ଘଟଣା। ଆମ ଦେଶ ତଥା ରାଜ୍ୟର ହଜାର ହଜାର ଜାନକୀ ପରିଚ୍ଛା ନ୍ୟାୟ ପାଇଁ ଚଳାଇଥିବା ଲମ୍ୱା ଲଢ଼େଇର ଏହା ଏକ ଉଦାହରଣ ମାତ୍ର।

 

୧୭ ବର୍ଷ ତଳେ ଜାନକୀଙ୍କ ଭଉଣୀ ବଳାତ୍କାରର ଶିକାର ହୋଇଥିଲେ। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଲୋମଟାଙ୍କୁରା ଅପରାଧ ମାମଲାର ସାକ୍ଷୀ ହେଉଛନ୍ତି ଜାନକୀ। ମାମଲାର ତାରିଖ ପରେ ତାରିଖ ବର୍ଷ ବର୍ଷ ଧରି ଗଡ଼ି ଚାଲୁଛି। ଭୋକ ଉପାସରେ ସଢ଼ୁଥିବା ଜାନକୀ କିନ୍ତୁ ଭଉଣୀର ବଳାତ୍କାରୀକୁ ଦଣ୍ଡିତ କରିବା ପାଇଁ ଆଇନ‍୍‌ ବ୍ୟବସ୍ଥାକୁ ସହଯୋଗ ଦେବା ଲାଗି ଦୁଇ ଛୁଆଙ୍କୁ ଧରି ଚାଲି ଚାଲି ୧୦୦ କିମି ଆସି ଅଦାଲତରେ ହାଜର ହୋଇ ଫେରିଛନ୍ତି।

 

ଛବିରାଣୀ ହତ୍ୟା ଧର୍ଷଣ ମାମଲାର ଦଣ୍ଡବିଧାନ ପାଇଁ ୨୫ ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ବଲାଙ୍ଗୀରର ପଶୁର୍ରାମ ଶତପଥୀ ହତ୍ୟାକାଣ୍ଡର ଦଣ୍ଡବିଧାନ ପାଇଁ ଲାଗିଗଲା ୪୦ ବର୍ଷରୁ ଅଧିକ  ସମୟ। ସୁପ୍ରିମ‍୍‌କୋର୍ଟରେ ତ ଓଡ଼ିଶା ସୀମା ବିବାଦ ସଂକ୍ରାନ୍ତୀୟ ମାମଲା ପ୍ରାୟ ୫୦ ବର୍ଷ ଧରି ଗଡ଼ୁଛି।

 

ଅନ୍ୟ ଏକ ଘଟଣାରେ ମାତ୍ର ୧୦ ବର୍ଷ ବୟସରେ ଧର୍ଷଣର ଶିକାର ହୋଇଥିଲେ ଜଣେ ନାବାଳିକା। ଏହାର ପ୍ରାୟ ୫୦ ବର୍ଷ ପରେ ମାମଲାର ପୁନର୍ବିଚାର ପାଇଁ ଅଦାଲତରେ ହାଜର ହେବାକୁ ମିଳିଛି ପୀଡ଼ିତାଙ୍କୁ ସମନ‍୍‌। ଏବେ ତାଙ୍କ ବୟସ ୬୦ରୁ ଅଧିକ। ପୁଅ-ବୋହୁ, ଝିଅ-ଜ୍ୱାଇଁ, ଝିଆରୀ-ପୁତୁରା, ନାତି-ନାତୁଣୀ, ଭଣଜା-ଭାଣିଜିଙ୍କୁ ନେଇ ବଞ୍ଚିଥିବା ଏହି ବିଧବା ବୃଦ୍ଧା କ’ଣ ଅଦାଲତର କାଠଗଡ଼ାରେ ଛିଡ଼ା ହୋଇ ଏବେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବୟାନ‍୍‌ ଦେଇପାରିବେ?

 

ଏ ପରିପ୍ରେକ୍ଷୀରେ ଜାନକୀ କିମ୍ୱା ତାଙ୍କ ପୀଡ଼ିତା ଭଉଣୀଙ୍କ ଜୀବଦ୍ଦଶାରେ ଯେ ତାଙ୍କ ଭଉଣୀ ପ୍ରତି ଅପରାଧ କରିଥିବା ଆସାମୀ ଦଣ୍ଡିତ ହେବେ ଏ ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ। କୁହାଯାଏ ବିଳମ୍ୱିତ ନ୍ୟାୟ ପ୍ରଦାନ ନ୍ୟାୟ ନ ଦେବା ସହିତ ସମାନ। ଶହେ ଅପରାଧୀ ପଛେ ଖସି ଯାଆନ୍ତୁ ଜଣେ ନିରପରାଧୀ ଦଣ୍ଡ ନ ପାଉ- ଏହି ବିଚିତ୍ର ନ୍ୟାୟରେ ସଂଖ୍ୟାଧିକ ଅପରାଧିକ ମାମଲାର ବିଚାର ଅହେତୁକ ବିଳମ୍ୱ ହେବା ସଙ୍ଗେ ସଙ୍ଗେ କ୍ୱଚିତ କ୍ଷେତ୍ରରେ ଅପରାଧୀ ଦଣ୍ଡିତ ହେଉଛନ୍ତି। ଏହା ଲୋକଙ୍କ ଧନଜୀବନର ନିରାପତ୍ତା ସହିତ ଆଇନ‍୍‌ ଶୃଙ୍ଖଳା ବ୍ୟବସ୍ଥା ପାଇଁ ସୃଷ୍ଟି କରିଛି ବଡ଼ ଆହ୍ୱାନ।

 

ଭାରତ ସରକାରଙ୍କ ଜାତୀୟ କ୍ରାଇମ‍୍‌ ରେକର୍ଡ ବ୍ୟୁରୋର କ୍ରାଇମ‍୍‌ ଇନ‍୍‌ ଇଣ୍ଡିଆ-୨୦୧୫ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଭାରତୀୟ ପିଙ୍ଗଳ କୋଡ଼ର ବିଭିନ୍ନ ଧାରାରେ ରୁଜୁ ଅପରାଧିକ ମାମଲାରୁ ଯେତେ ଫଇସଲା ହେଉଛି ତାହାର ମାତ୍ର ଶତକଡ଼ା ୯.୫ ପ୍ରତିଶତ କ୍ଷେତ୍ରରେ ଆସାମୀଙ୍କ ପ୍ରତି ଦଣ୍ଡବିଧାନ ହେଉଥିବା ବେଳେ ୯୦.୫ ପ୍ରତିଶତରେ ଅପରାଧୀ ଖସି ଯାଉଛନ୍ତି। ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୪୬.୯ ପ୍ରତିଶତ ଥିବା ବେଳେ ନାଗାଲାଣ୍ଡ ଭଳି ଛୋଟ ରାଜ୍ୟରେ ୬୯.୬ ପ୍ରତିଶତ, ତାମିଲନାଡ଼ୁରେ ୬୩.୬ ଓ କେରଳରେ ୮୨.୩ ପ୍ରତିଶତ ରହୁଛି। ଦେଶର ସବୁ ରାଜ୍ୟ ତୁଳନାରେ ଓଡ଼ିଶାରେ ଦଣ୍ଡବିଧାନ ହାର କମ‍୍‌ କାହିଁକି? ଏ କ୍ଷେତ୍ରରେ ଜାନକୀଙ୍କ ଭଳି ଯେଉଁମାନେ ନ୍ୟାୟ ପାଇଁ ବର୍ଷ ବର୍ଷ ଧରି ସଂଗ୍ରାମ କରୁଛନ୍ତି ସେମାନେ ଅପରାଧିଙ୍କୁ ଦଣ୍ଡିତ ହେବାର କ’ଣ ଦେଖିପାରିବେ?

 

ଜନଜୀବନକୁ ଦୋହଲାଇ ଦେଇ ଝଡ଼ ସୃଷ୍ଟି କରିଥିବା ନିର୍ଭୟା ଘଟଣାର ତଦନ୍ତ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିଥିବା ସୁପ୍ରିମ‍୍‌କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦିବଙ୍ଗତ ଜେ.ଏସ‍୍‌ ବର୍ମା କହିଥିଲେ ଯେ, ଭାରତୀୟ ବିଚାର ବ୍ୟବସ୍ଥା ପଞ୍ଚତାରକା ବ୍ୟାଧିରେ ଆକ୍ରାନ୍ତ। ଅଧିକ ଟଙ୍କା ଖର୍ଚ୍ଚ କରି ପ୍ରଭାବଶାଳୀ ଲୋକେ ମାମଲା ଗଡ଼ାଇ ଚାଲିବା ସହ ବିଚାର ପ୍ରକ୍ରିୟାକୁ ଆହ୍ୱାନ ଦେଉଛନ୍ତି। ଜାନକୀଙ୍କ ଭଳି ଜଣେ ଗରିବ ଲୋକ ନ୍ୟାୟ ପାଇଁ ଖର୍ଚ୍ଚ କରିବାକୁ ମୋଟା ଅଙ୍କର ଅର୍ଥ ପାଇବେ କେଉଁଠୁ? ଜାତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ଥିବା ଅନ୍ୟଜଣେ ପୂର୍ବତନ ମୁଖ୍ୟ ବିଚାରପତି ଏଚ‍୍‌.ଏଲ‍୍‌ ଦତ୍ତୁ ବି ମାନବିକ ଅଧିକାରର ସୁରକ୍ଷା ଘେନି ନିକଟ ଅତୀତରେ ଉଦ‍୍‌ବେଗ ପ୍ରକାଶ କରି ଏହି ସଂସ୍ଥା ପର୍ଯ୍ୟାପ୍ତ ଦଣ୍ଡ ଦେବାକୁ ଅକ୍ଷମ ବୋଲି କହିଛନ୍ତି।

ଆମ ଦେଶର ନିମ୍ନରୁ ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ୩ କୋଟିରୁ ଅଧିକ ମାମଲା ବିଚାର ପାଇଁ ପଡ଼ି ରହିଛି।

 

ଦେଶର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କର ଗତ ମିଳିତ ସମ୍ମିଳନୀର ବିବରଣୀରୁ ଜଣାପଡ଼ିଛି ଯେ ହାଇକୋର୍ଟଗୁଡ଼ିକରେ ପାଖାପାଖି ୩୯ ଲକ୍ଷ ମାମଲା ପଡ଼ି ରହିଥିବା ବେଳେ ସେଥିରୁ ୧୦ ବର୍ଷରୁ ପୁରୁଣା ମାମଲା ସଂଖ୍ୟା ହେଉଛି ୭ଲକ୍ଷ ୪୫ ହଜାର ଏବଂ ୫ରୁ ୧୦ ବର୍ଷର ପୁରୁଣା ମାମଲା ହେଉଛି ୯ ଲକ୍ଷ ୨୦ ହଜାର। କେବଳ ହାଇକୋର୍ଟଗୁଡ଼ିକରେ ପ୍ରାୟ ୨ ଲକ୍ଷ ୭୦ ହଜାର ଅପରାଧିକ ମାମଲା ରହିଛି ଯାହାସବୁ ୫ରୁ ୧୦ ବର୍ଷ ପୁରୁଣା। ଏଗୁଡ଼ିକରେ ୧୦ ବର୍ଷରୁ ପୁରୁଣା ଅପରାଧିକ ମାମଲା ପଡ଼ିରହିଛି ୨ ଲକ୍ଷ ୧୨ ହଜାରରୁ ଅଧିକ। ଏହି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ରହିଥିବା ୧,୬୯,୪୫୩ଟି ମାମଲା ମଧ୍ୟରୁ ୪୨,୭୨୩ଟି ୧୦ ବର୍ଷରୁ ଓ ୩୮,୭୩୯ଟି ୫ରୁ ୧୦ ବର୍ଷ ପୁରୁଣା। ଏଥିମଧ୍ୟରେ ରହିଛି ୧୦,୨୦୬ଟି ଅପରାଧିକ ମାମଲା ଯାହା ବିଚାର ପାଇଁ ୫ରୁ ୧୦ ବର୍ଷ ଧରି ଓ ୬୨୪୯ଟି ମାମଲା ଯାହା ୧୦ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଛି।

 

ଏଠାରେ ଉଲ୍ଲେଖନୀୟ ଯେ ମାମଲା ଅନୁପାତରେ ଓଡ଼ିଶା ହାଇକୋର୍ଟରେ ଅନ୍ୟୁନ ୪୦ ଜଣ ବିଚାରପତି ରହିବା କଥା। ତେବେ ଏଠାରେ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବା ବେଳେ ସେଥିରୁ ବି ୮ଟି ଖାଲି। ସାରା ଦେଶରେ ଅନୁରୂପ ଅବସ୍ଥା। ମୋଟାମୋଟି ଭାବେ ଓଡ଼ିଶାର ଉଚ୍ଚ ଓ ନିମ୍ନ ଅତାଲତଗୁଡ଼ିକରେ ୧୨ ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ବିଭିନ୍ନ ଟ୍ରିବ୍ୟୁନାଲ, ଅନ୍ୟ ବିଚାର ସଂସ୍ଥା ଓ ରାଜସ୍ୱ ସଂସ୍ଥାଗୁଡ଼ିକରେ ପଡ଼ିଥିବା ମାମଲାକୁ ହିସାବକୁ ନେଲେ ଏ ସଂଖ୍ୟା ଓଡ଼ିଶାରେ ୧୭ ଲକ୍ଷ ହେବ ।

 

ଭାରତର ନିମ୍ନ ଅତାଲତଗୁଡ଼ିକରେ ୨ କୋଟି ୭୦ ଲକ୍ଷରୁ ଅଧିକ ମାମଲା ପଡ଼ି ରହିଥିବା ବେଳେ ସେଥିମଧ୍ୟରୁ ୧କୋଟି ୮୬ ଲକ୍ଷ ହେଉଛି ଅପରାଧିକ ମାମଲା। ଏହି ଅପରାଧିକ ମାମଲାଗୁଡ଼ିକ ଭିତରୁ ପ୍ରାୟ ୧୪ ଲକ୍ଷ ୨୦ ହଜାରଟି ମାମଲା ୧୦ ବର୍ଷରୁ ପୁରୁଣା ହୋଇଥିବା ବେଳେ ପ୍ରାୟ ୩୦ ଲକ୍ଷ ମାମଲା ହେଉଛି ୫ରୁ ୧୦ ବର୍ଷ ପୁରୁଣା। ଏ ପରିପ୍ରେକ୍ଷୀରେ ବଳାତ୍କାର ସମେତ ମହିଳାଙ୍କ ପ୍ରତି ଘଟୁଥିବା ହିଂସାଜନିତ ମାମଲାଗୁଡ଼ିକରେ ଆମ ରାଜ୍ୟରେ ଦଣ୍ଡବିଧାନ ହାର ୧୨ ପ୍ରତିଶତରୁ କମ‍୍‌ ରହିବା ମହିଳାମାନଙ୍କ ନିରାପତ୍ତା ପ୍ରତି ମଧ୍ୟ ଏକ ପ୍ରଶ୍ନବାଚୀ। ସମଗ୍ର ଦେଶରେ ପର୍ଯ୍ୟାପ୍ତ ସଂଖ୍ୟକ ବିଚାରପତି ନଥିବା ବେଳେ ସୁପ୍ରିମ‍୍‌କୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଘେନି କେନ୍ଦ୍ର ସରକାର ଓ ସୁପ୍ରିମ‍୍‌କୋର୍ଟଙ୍କ କଲେଜିୟମ‍୍‌ ମଧ୍ୟରେ ଚାଲିଥିବା ଟଣାଓଟରା ଯୋଗୁଁ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଳମ୍ୱିତ ବିଚାର ପ୍ରକ୍ରିୟା ଘେନି ଖୋଦ‍୍‌ ସୁପ୍ରିମ‍୍‌କୋର୍ଟର ତଦାନିନ୍ତନ ମୁଖ୍ୟ ବିଚାରପତି ଟି.ଏସ‍୍‌ ଠାକୁର ଭାବବିହ୍ୱଳ ହୋଇ ଏହି ଜାତୀୟ ସ୍ତରର ବୈଠକରେ ବି ଲୁହ ଗଡ଼ାଇଛନ୍ତି। କିନ୍ତୁ  ବ୍ୟବସ୍ଥାରେ ଉନ୍ନତି ଆସିନାହିଁ। ମାମଲାରେ ଛନ୍ଦି ହୋଇ ବର୍ଷ ବର୍ଷ ଏମିତିକି ପୁରୁଷ ପୁରୁଷ ଧରି ଘୋସାଡ଼ି ହେଉଥିବା ଲୋକଙ୍କ ଦୁଃଖ ମା’ମଲା ଜନିତ ପରିସ୍ଥିତି ଭଳି ହେଉଛି।  ସେମାନେ କେବଳ ଲୁହ ଗଡ଼ାଉନାହାନ୍ତି, ଅନେକ କ୍ଷେତ୍ରରେ ମାମଲାରେ ଛନ୍ଦି ହୋଇ ସର୍ବସ୍ୱାନ୍ତ ମଧ୍ୟ ହୋଇପଡ଼ୁଛନ୍ତି।

 

ଉଲ୍ଲେଖନୀୟ ଯେ, ଆମ ଦେଶରେ ଥିବା ବିଚାରାଧୀନ ମାମଲାଗୁଡ଼ିକରୁ ସଂଖ୍ୟାଧିକରେ ସରକାର ପକ୍ଷଭୁକ୍ତ। ତେଣୁ ସରକାରୀ କଳ ବିଚାର ବିଭାଗର ସ୍ୱାଧୀନତା ପରିବେର୍ତ୍ତ ଅନୁଗତ ବ୍ୟବସ୍ଥା ଲାଗି ଚାହିଁଥାନ୍ତି। କିନ୍ତୁ ଏହା ଯେ ଦେଶର ଗଣତନ୍ତ୍ର, ସାମ୍ୱିଧାନିକ ବ୍ୟବସ୍ଥା ଓ ସର୍ବୋପରି ଲୋକଙ୍କ ଧନଜୀବନ ପାଇଁ ଏକ ବିପତ୍ତି ତାହା ଦଳମତ ନିର୍ବିଶେଷରେ ରାଷ୍ଟ୍ର ଓ ରାଜ୍ୟ ଚଳାଉଥିବା ରାଜନେତା ଓ ଅମଲାତନ୍ତ୍ରୀମାନେ ବୁଝିବାକୁ ନାରାଜ। ୧୮୬୧ର ଭାରତୀୟ ପୋଲିସ ଆଇନ‍୍‌, ୧୮୬୦ର ଭାରତୀୟ ପିଙ୍ଗଳ କୋଡ୍ ଭଳି ବ୍ରିଟିଶ‍୍‌ ସମୟର ବହୁ ପୁରୁଣା ଆଇନ୍‌ରେ ଅଣନିଃଶ୍ୱାସୀ ହୋଇପଡ଼ିଲାଣି ଆମ ବ୍ୟବସ୍ଥା। ସମୟ ସହ ତାଳଦେଇ ଏହି ପୁରୁଣା ଆଇନ‍୍‌ ସବୁକୁ ହଟାଇ ନୂଆ ବ୍ୟବସ୍ଥା ଆସିପାରୁନାହିଁ।

 

ଆମ ଦେଶରେ ତଥା ରାଜ୍ୟରେ ବିଚାର ବ୍ୟବସ୍ଥାର ଏଭଳି ସ୍ଥିତି ଘେନି ଅର୍ଥ କମିଶନ ଓ ଆଇନ‍୍‌ କମିଶନ ମଧ୍ୟ ଉଦ‍୍‌ବେଗ ପ୍ରକାଶ କରିଆସୁଛନ୍ତି। ଅଦାଲତଗୁଡ଼ିକ ଉପରୁ ମାମଲାର ଚାପା କମାଇବା ଓ ତ୍ୱରିତ ଫଇସଲା ଲାଗି ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ୨୦୧୧ ମସିହାରେ ରାଜ୍ୟ ମାମଲା ନୀତି ପ୍ରଣୟନ ହୋଇଛି। ଏହି ନୀତିର କାର୍ଯ୍ୟକାରିତା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିମାନ ଗଢ଼ା ଯାଇଛି। କିନ୍ତୁ ଶାସନ ବ୍ୟବସ୍ଥାର ଆନ୍ତରିକତା ଅଭାବରୁ ଏହି ରାଜ୍ୟସ୍ତରୀୟ କମଟିର ପ୍ରଥମ ବୈଠକ ୧୮.୧୦.୨୦୧୧ରେ ହୋଇଥିବା ବେଳେ ଆଉ ବୈଠକ ବସୁନାହିଁ। ଅସତ୍ୟ ଓ ଅର୍ଦ୍ଧସତ୍ୟ ଉପରେ ଆଧାରିତ ମିଛ ମାମଲା ଏବଂ ବର୍ଷ ବର୍ଷ ଧରି ଗଡ଼ୁଥିବା ହାଲୁକା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନେଲେ ଅଦାଲତ ଉପରେ ମାମଲା ଚାପ କମି ଯାଆନ୍ତା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ୱେଦନଶୀଳ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରନ୍ତା। କିନ୍ତୁ ଏ ଦିଗରେ ପ୍ରଶାସନ କଳ ସେତେଟା ଆଗ୍ରହ ପ୍ରକାଶ କରୁନାହିଁ। ତେଣୁ ଜାନକୀଙ୍କ ପରି ଅନେକ ନ୍ୟାୟ ଆଶାୟୀ ବର୍ଷ ବର୍ଷ ଧରି ଅପେକ୍ଷା କରି ବସିଥିଲେ ମଧ୍ୟ ଆସାମୀମାନେ ବେଧଡ଼କ ବୁଲି ଅଧିକରୁ ଅଧିକ ଅପରାଧ ଘଟାଇବାକୁ ସାହସ କରୁଛନ୍ତି। ଅପରାଧ ପ୍ରବଣତା କମାଇ ସୁଖ, ଶାନ୍ତି, ସମୃଦ୍ଧି ବଢ଼ାଇବା ଦିଗରେ ଆମ ବ୍ୟବସ୍ଥା ବିଫଳ ହୋଇଛି।

 

ସ୍ୱାଧୀନ ଭାରତରେ ଆଇନ‍୍‌ ଶୃଙ୍ଖଳା ଓ ସାମାଜିକ ବ୍ୟବସ୍ଥା ଯେତେ ଉନ୍ନତ ହେବ ଯେ ରାତି ଅଧରେ ବି ଜଣେ ଯୁବତୀ କୌଣସି ସ୍ଥାନକୁ ଯାଇ ନିରାପଦରେ ଫେରିଆସିବ ବୋଲି ଥିଲା ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି। ଅଥଚ ଏବେ ଦିନ ଦ୍ୱିପ୍ରହରରେ, ସର୍ବସମ୍ମୁଖରେ ଏମିତିକି ନିଜ ଘରେ ବି ଝିଅମାନେ ସୁରକ୍ଷିତ ନୁହଁନ୍ତି। ବିଚାର ବ୍ୟବସ୍ଥାକୁ ଡର ଥିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ନର୍ଲାର ନିରୀହ ଝିଅ ତପସ୍ୱିନୀକୁ ପୋଡ଼ି ମାରିବାକୁ ଅପରାଧୀମାନେ ସାହସ କରିନଥାନ୍ତେ। ଆମ ରାଜ୍ୟରେ ଅନ୍ୟୁନ ୪୨ ପ୍ରତିଶତ ମହିଳା ପାରିବାରିକ ଓ ଯୌନ ହିଂସାର ଶିକାର ହେଉଥିବା କଥା ଖୋଦ‍୍‌ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଥିବା ବେଳେ ରାଜ୍ୟ ସରକାରଙ୍କ ବାଳିକା ଓ ମହିଳା ନୀତିରେ ବି ଏକଥା ଉଲ୍ଲେଖ ରହିଛି। ଏହା କ’ଣ ଆମ ବ୍ୟବସ୍ଥା ପ୍ରତି ଆହ୍ୱାନ ନୁହେଁ।

 

ଆମ ଦେଶ ତଥା ରାଜ୍ୟରେ ଯେତେସବୁ ଦଫାର ମାମଲା  ପଡ଼ିରହିଛି ସେଥିରୁ ଅନେକ ମିଛର ମୂଳଦୁଆ ଉପରେ ଥୁଆ। ପୁଲିସ ବ୍ୟବସ୍ଥା କ୍ଷମତାସୀନ ରାଜନେତାଙ୍କ ନିୟନ୍ତ୍ରଣରେ ରହୁଥିବାରୁ ଥାନା, ଫାଣ୍ଡିରେ ରାଜନୈତିକ ହସ୍ତକ୍ଷେପ ଅଧିକ। ଏଥିରେ ତଦନ୍ତର ନିରପେକ୍ଷତା ଆସିବ କୁଆଡ଼ୁ? ପକ୍ଷପାତ ତଦନ୍ତ ବ୍ୟବସ୍ଥା, ପକ୍ଷାଘାତଗ୍ରସ୍ତ ପୁରୁଣା ଆଇନ‍୍‌, ଅନୁଗତ ପୁଲିସ ବ୍ୟବସ୍ଥା, ବିଳମ୍ୱିତ ବିଚାର ପ୍ରକ୍ରିୟା ଓ ସର୍ବୋପରି କୋହଳ ଦଣ୍ଡବିଧାନ ଯୋଗୁଁ ଦିନକୁ ଦିନ ବ୍ୟବସ୍ଥା ବିଗିଡ଼ି ଚାଲିଛି। ଏଥିଯୋଗୁ ଦୁର୍ନୀତି, ଭ୍ରଷ୍ଟାଚାର, ପକ୍ଷପାତିତା ବଢ଼ି ଚାଲିବା ସହିତ ରାଜନୈତିକ, ସାମାଜିକ, ଆର୍ଥିକ, ପ୍ରଶାସନିକ, ନୈତିକ, ସାଂସ୍କୃତିକ, ଆଧ୍ୟାତ୍ମିକ କ୍ଷେତ୍ର ବିପର୍ଯ୍ୟସ୍ତ ହେଉଛି। ବହୁ ମମଲାରେ ଅହେତୁକ ବିଳମ୍ୱ କାରଣରୁ ସାକ୍ଷ୍ୟ ପ୍ରମାଣ କେଉଁଠି ନଷ୍ଟ ହେଉଛି ତ ଆଉ କେଉଁଠି ପ୍ରଭାବିତ । ଅନେକ କ୍ଷେତ୍ରରେ ମୁଦେଇ, ମୁଦାଲା, ସାକ୍ଷୀ ବୟସାଧିକ କାରଣରୁ ଅଦାଲତକୁ ଆସିବା ଅବସ୍ଥାରେ ନଥିବା ବେଳେ କେତେକ କ୍ଷେତ୍ରରେ ବିଳମ୍ୱିତ ବିଚାର ମଧ୍ୟରେ ସେମାନଙ୍କ ମୃତ୍ୟୁ ଘଟୁଛି। ଏଥିରେ ନ୍ୟାୟ ମିଳିବ କେଉଁଠୁ? ଏହା ସେତ୍ତ୍ୱ ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥାରୁ ଭରସା କମି କମି ଆସୁଥିବା ବେଳେ ବିଚାର ବ୍ୟବସ୍ଥା ଲୋକଙ୍କର ଅଧିକ ଆସ୍ଥାଭାଜନ ହେବା ଚାହି।

 

ମୋ-୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top