‘ମହିଳା-ମାନସିକତା ବଦଳୁ’

News Story - Posted on 2017-03-09

ମହିଳାମାନେ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ବୁଧବାର କିଟ‌୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ ମତ ଦେଇଛନ୍ତି। କିଟ‍୍‌ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ପ୍ରଜ୍ଜ୍ୱଳାର ପ୍ରତିଷ୍ଠାତ୍ରୀ ପଦ୍ମଶ୍ରୀ ସୁନୀତା କୃଷ୍ଣନ‌ କହିଥିଲେ, ଆନ୍ତର୍ଜାତିକ ମହିଳା ଦିବସ ପାଳନ ମହିଳାମାନଙ୍କ ଉଦ୍ଦେଶ୍ୟରେ ନୁହେଁ, ଏହା ପ୍ରକୃତରେ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ। ମହିଳାମାନଙ୍କ ପ୍ରତି ପୁରୁଷମାନଙ୍କର ଯେଉଁ ମାନସିକତା ରହିଛି, ସେଥିରେ ପରିବର୍ତ୍ତନ ଆଣିବା ପାଇଁ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ। ମହିଳାମାନେ ଉପଭୋଗର ବସ୍ତୁ ନୁହେଁ ବୋଲି ପୁରୁଷମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଉଚିତ। ପୁରୁଷମାନଙ୍କର ଏଭଳି ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ମହିଳାମାନଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ମହିଳାମାନେ ନିଜକୁ ଦୁର୍ବଳା, ଅବଳା ମନେ ନ କରି ନିଜକୁ ଶକ୍ତିଶାଳୀ ମନେକରିବା ଉଚିତ।

 

ମହିଳାମାନେ ପ୍ରଥମେ ମହିଳାମାନଙ୍କ ପ୍ରତି ମହିଳାମାନଙ୍କ ମଧ୍ୟରେ ଥିବା ମାନସିକତାରେ ପରିବର୍ତ୍ତନ ହେବା ଦରକାର। ମହିଳାମାନେ କେବେ ବି ନିଜକୁ ଏକ ଉପଭୋଗ୍ୟ ବସ୍ତୁ ଭାବେ ଭାବିବା ଉଚିତ ନୁହେଁ। ପୁରୁଷ ଓ ମହିଳା ସବୁକ୍ଷେତ୍ରରେ ସମାନ ବୋଲି ମହିଳାମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ। ପରିବାର, ସମାଜ, ଦେଶ ଓ ରାଜ୍ୟ ସମୃଦ୍ଧ ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ରହିଛି। ସେ ମହିଳା ହେଉ କି ପୁରୁଷ ହେଉ, ସମସ୍ତେ ସମାନ ବୋଲି ମହିଳାମାନେ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଉଚିତ। ମହିଳାମାନଙ୍କ ପ୍ରତି ପୁରୁଷମାନଙ୍କର ଭ୍ରାନ୍ତ ଧାରଣା ଦୂର କରିବା ଲାଗି ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।

 

ଅନ୍ୟତମ ଅତିଥି ବିଶିଷ୍ଟ ବରିଷ୍ଠ ପ୍ରଶାସକ ତଥା ବିଶିଷ୍ଟ କଥକ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଶୋଭନା ନାରାୟଣନ‍୍‌ କହିଥିଲେ, ଅଧିକାଂଶଙ୍କ ମାନସିକତା ହେଉଛି ମହିଳାମାନେ ହେଉଛନ୍ତି ଅବଳା, ଦୁର୍ବଳା। କିନ୍ତୁ ଆମ ପରମ୍ପରା ଓ ସଂସ୍କୃତିରେ ମହିଳାମାନେ ଏକ ଶକ୍ତି ବୋଲି କୁହାଯାଇଛି। ସେହିପରି ଆମ ପରମ୍ପରାରେ ମଧ୍ୟ ଅର୍ଦ୍ଧନାରୀଶ୍ୱରଙ୍କ କଥା କୁହାଯାଇଛି। ଏହା ପ୍ରମାଣିତ କରୁଛି ଯେ, ସମାଜରେ ମହିଳା ଓ ପୁରୁଷଙ୍କ ସମାନ ଅଧିକାର ରହିଛି। ମହିଳାମାନଙ୍କ ମନରେ ନାରୀ ହେଉଛି ଅବଳା, ଦୁର୍ବଳା ବୋଲି ଯେଉଁ ଧାରଣା ରହିଛି, ସେଥିରେ ପରିବର୍ତ୍ତନ ଆଣିବା ଦରକାର। ମହିଳାମାନେ ଗାନ୍ଧାରୀଙ୍କ ଭଳି ଆଖିରେ ପଟି ବାନ୍ଧି ସବୁ କଥାକୁ ସହି ନେଇଯିବା ଉଚିତ ନୁହେଁ। ସେମାନଙ୍କର ଗାନ୍ଧାରୀ ମନୋବୃତ୍ତିରେ ପରିବର୍ତ୍ତନ ଆଣିବା ଦରକାର। ମହିଳାମାନେ କ’ଣ କରିବେ, କ’ଣ ନ କରିବେ, କେଉଁଟି ଉଚିତ, କେଉଁଟି ଅନୁଚିତ ସେସବୁ ନିଷ୍ପତ୍ତି ନିଜେ ନେବା ଉଚିତ। ମହିଳାମାନେ ସେମାନଙ୍କ ପାରମ୍ପରିକ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। କାରଣ ପରମ୍ପରା ହେଉଛି ମଣିଷକୃତ ସୃଷ୍ଟି। ତେଣୁ ମହିଳାମାନେ ପାରମ୍ପରିକ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ କୁଣ୍ଠାବୋଧ ନ କରିବାକୁ ସେ ଆହ୍ୱାନ ଦେଇଥିଲେ। ମହିଳାମାନେ ହେଉଛନ୍ତି ପରିବର୍ତ୍ତନର ବାର୍ତ୍ତାବହ।

 

ସେହିପରି ବିଶିଷ୍ଟ ମହିଳା ମଲ୍ଲଯୋଦ୍ଧା ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଲକା ତୋମାର ଏବଂ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଲିନା ଯାଦବ ମହିଳାମାନେ ପୁରୁଷମାନଙ୍କଠାରୁ କୌଣସି କ୍ଷେତ୍ରରେ ପଛୁଆ ନୁହନ୍ତି ବୋଲି ସେମାନଙ୍କ ଅଭିଜ୍ଞତାର ଉଦାହରଣ ଦେଇଥିଲେ। ହାଇଦ୍ରାବାଦ‍୍‌ସ୍ଥିତ ଆମେରିକା କନ‍୍‌ସୁଲେଟ‍୍‌ର ମୁଖ୍ୟ ଲୋକସଂପର୍କ ବ୍ୟାପାର ଅଧିକାରୀ ଗାବ୍ରିଏଲ‍୍‌ ହନ‍୍‌ସ ଅଲିଭର ମହିଳାମାନଙ୍କ ଅଧିକାରର ସୁରକ୍ଷା, ନିରାପତ୍ତା ଏବଂ ସଶକ୍ତିକରଣ ନିମନ୍ତେ ଆମେରିକା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିବା ବେଳେ ହାଇଦ୍ରାବାଦ‍୍‌ରେ ଅବସ୍ଥାପିତ ତୁର୍କୀ କନ‍୍‌ସୁଲ‍୍‌ ଜେନେରାଲ ଆର‍୍‌ଦା ଅଲ‍୍‌ତାସ‍୍‌, ମହିଳା ଚାଲାଣ ରୋକିବା ଏବଂ ମହିଳାଙ୍କୁ ସମାନ ଅଧିକାର ଓ ସୁଯୋଗ ପ୍ରଦାନ କ୍ଷେତ୍ରରେ ତୁର୍କୀ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

 

କିଟ‌୍‍ ଓ କିସ‌୍‍ର ସଭାପତି ଶାସ୍ୱତୀ ବଳ କହିଲେ, ମହିଳାମାନଙ୍କୁ ଛୋଟକରି ଦେଖାଇବା ଉଚିତ‌୍‍ ନୁହେଁ। ସବୁ କ୍ଷେତ୍ରରେ ମହିଳାମାନଙ୍କ ଦକ୍ଷତା ରହିଛି। ମହିଳାମାନଙ୍କୁ ଯେ କୌଣସି ଦାୟିତ୍ୱ ଦେଲେ ସେମାନେ ପୁରୁଷମାନଙ୍କ ପରି ସେସବୁ କାମ ସଫଳତାର ସହ ତୁଲାଇପାରନ୍ତି। ତେଣୁ ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ ବାଛବିଚାର କରାଯିବା ଉଚିତ‌୍‍ ନୁହେଁ ବୋଲି ସେ କହିଥିଲେ।

 

କିଟ‌୍‍ ଓ କିସ‌୍‍ ସର୍ବଦା ମହିଳାମାନଙ୍କୁ ସମ୍ମାନ ପ୍ରଦାନ କରିଆସୁଛି ବୋଲି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ। କିଟ‌୍‍ ଓ କିସ‌୍‍ର ଅଭିବୃଦ୍ଧି ପଛରେ ମହିଳାମାନଙ୍କ ଯୋଗଦାନ କିଛି କମ‌୍‍ ନୁହେଁ ବୋଲି ସେ କହିଥିଲେ। କିଟ‌୍‍ ଓ କିସ‌୍‍ କେବଳ କଥାରେ ମହିଳା ସଶକ୍ତିକରଣ କହିନଥାଏ କାର୍ଯ୍ୟରେ ମଧ୍ୟ ଏହାକୁ ପ୍ରତିପାଦନ କରି ଦେଖାଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ। କିଟ୍‌ରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ମହିଳା ହୋଇଥିବା ବେଳେ କିସ‌୍‍ରେ ଏହି ସଂଖ୍ୟା ୬୦ ପ୍ରତିଶତ। କିଟ‌୍‍ରେ ଛାତ୍ରୀଙ୍କ ସଂଖ୍ୟା ୪୦ ପ୍ରତିଶତ ହୋଇଥିବାବେଳେ କିସ‌୍‍ରେ ଛାତ୍ରୀଙ୍କ ସଂଖ୍ୟା ୬୦ ପ୍ରତିଶତ। କିଟ‌୍‍ର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମହିଳାମାନେ ରହି ସେମାନଙ୍କର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି।

 

କିଟ‌୍‍ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଡ଼. ମୋନାଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ‌୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. ପି. ମାଥୁରଙ୍କ ସମେତ ସମସ୍ତ ପଦାଧିକାରୀ, ବିଭାଗୀୟ ମୁଖ୍ୟ, ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top