ଗହ୍ମା ପୁନେଇଁରେ ମାଈଁ!

News Story - Posted on 2017-03-09

ଚାରୁ ଚନ୍ଦନ ଦାଶ

 

ପ୍ରତିବର୍ଷ ପଡ଼େ ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ଏହି ଦିନଟି ଆସିଲେ ନାରୀ ସୁରକ୍ଷା ପ୍ରତି ସମସ୍ତଙ୍କ ନଜର ଆସେ। ଖବରକାଗଜରେ ନାରୀ ସ୍ବତନ୍ତ୍ର ପୃଷ୍ଠା ମଣ୍ଡନ କରେ। ପୁଣି ଟିଭିରେ ଅନ୍ତର୍ଜାତୀୟ ମହିଳା ଦିବସର ସ୍ପେଶାଲ ଏପିସୋଡ।

 

ସେ ଯାହାବି ହେଉ, ସମଗ୍ର ବିଶ୍ବରେ ଏହି ଦିନଟି ନାରୀଙ୍କ ପାଇଁ ସମର୍ପିତ। ପୁରାଣ କାଳରେ ନାରୀକୁ ଅବଳା, ଦୁର୍ବଳା କୁହାଯାଉଥିଲା। ମାତ୍ର, ଆଜି ନାରୀ ମହାକାଶ ଯାଇ ପାରୁଛି, ପୁଣି ଦେଶର ଶାସନ ଭାର ଦାୟିତ୍ବ ନେଉଛି। ଆଉ ସେଇ ଯୁଗ ନାହିଁ ଯେ, ନାରୀ ହାତେ ଲମ୍ବର ଓଢଣୀ ପକାଇ ମୁଣ୍ଡ ନୁଆଇଁ କେବଳ ପୁରୁଷର କଥାରେ ମୁଣ୍ଡ ଟୁଙ୍ଗରୁଥିବ! ବୁର୍ଖା ଭିତରୁ କେବଳ ‘ହାଁ ଜୀ’ କହୁଥିବ!

 

ହେଲେ ଏତେସବୁ ଘଟିବା ପରେ ବି କାହିଁକି ମନରେ ପ୍ରଶ୍ନ ଉଠେ ଯେ, ପ୍ରକୃତରେ କ’ଣ ଆଜିର ସମାଜରେ ନାରୀ ସୁରକ୍ଷିତ? ଯଦି ସୁରକ୍ଷିତ ତେବେ କେମିତି ଆମ ଗାଁ ଗୁରୁବାରୀ ମାଉସୀ ଝିଅର ୧୬ ବର୍ଷର ଝିଅକୁ ମଦ ପିଇ ୪ ଜଣ ଅତି ବୀଭତ୍ସ ଭାବରେ ଧର୍ଷଣ କଲେ? ଯଦି ଏଯାଏଁ ସମାଜରୁ ନାରୀଙ୍କ ଉପରୁ ଜୁଲମ ହଟିଯାଇଛି ତେବେ କାହିଁକି ସୁର ଅଜାଙ୍କ ୨୧ ବର୍ଷର ବୋହୂ ବିଧବା ହେଇ ଘରର ଚାରି କାନ୍ଥରେ ପଡ଼ି ରହିଁ ଦଇବକୁ ଭରସା କରି ବଞ୍ଚିଛି?

 

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ତାଙ୍କର ନାରୀର ନୀତି ପୁସ୍ତକରେ ଲେଖିଛନ୍ତି, ଝିଅ ମୋର, ତୁମର ସେବା, ତୁମର ଚାଲିବା, ତୁମର ଚିନ୍ତା, ତୁମର କହିବା ପୁରୁଷ ଜନ ସାଧାରଣଙ୍କ ଭିତରେ ଯେପରି ଏପରି ଗୋଟାଏ ଭାବର ସୃଷ୍ଟି କରେ, ଯେଉଁଥିରେ ସେମାନେ ଅବନତ ମସ୍ତକରେ ନତଜାନୁ ହୋଇ ସସମ୍ଭ୍ରମେ ଭକ୍ତି ଗଦ ଗଦ କଣ୍ଠରେ, ମା ମୋର, ଜନନୀ ମୋର କହି ମୁଗ୍ଧ ହୁଅନ୍ତି, ବୁଦ୍ଧ ହୁଅନ୍ତି, ତୃପ୍ତ ହୁଅନ୍ତି, କୃତାର୍ଥ ହୁଅନ୍ତି, ତେବେ ହିଁ ତମେ ନାରୀ, ତେବେ ହିଁ ତମେ ସତୀ! !

 

ସତରେ ଏହି ପନ୍ଥା କ’ଣ ଆମେ ଅବଲମ୍ବନ କରୁଛେ? ମୁଁ କ’ଣ ଏହି ଚାରିଧାଡିଆ ତତ୍ତ୍ବ ବୁଝି ପାରିଛି? ଯଦି ଆମେ ବୁଝି ପାରନ୍ତେ ତେବେ କାହିଁକି ଗୁରୁବାରୀ ମାଉସୀର 16 ବର୍ଷର ନାବାଳିକା ଝିଅକୁ ପାପୀମାନେ ନୃଶଂସ ଭାବେ ବଳାତ୍କାର କରିଥାନ୍ତେ? ଡାହାଣୀ ସନ୍ଦେହରେ କ’ଣ ଜଣେ ନିରୀହା ସ୍ତ୍ରୀକୁ ହତ୍ୟା କରା ଯାଇ ପାରନ୍ତା?

 

ଆଜି ଜଣେ ଝିଅ ରାତି କ’ଣ ଦିନରେ ବି ନିଜକୁ ସୁରକ୍ଷିତ ମଣୁ ନାହିଁ। କାହିଁକି ? ଏହାର କାରଣ କ’ଣ? ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତି ସୁନ୍ଦର କଥା କହିଥିଲେ। ସେ କହିଥିଲେ, ସାରା ଭାରତରେ ଆଜି ୫୬ ପ୍ରତିଶତ ମହିଳା ବିଭିନ୍ନ ନିର୍ଯାତନାର ଶିକାର ହେଉଛନ୍ତି। ଓଡ଼ିଶାରେ ୪୦-୪୫ ପ୍ରତିଶତ ଝିଅ ବଳାତ୍କାର ଏବଂ ଅନ୍ୟାନ୍ୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଯେତେବେଳ ଯାଏ ସମାଜରେ ଜଣେ ନାରୀ ସୁରକ୍ଷିତ ନରହିବ ସେତେବେଳ ଯାଏ ରାଜ୍ୟ ତଥା ଦେଶର ସାମାଜିକ ବିକାଶ ହୋଇ ପାରିବ ନାହିଁ।

 

ଅନ୍ତର୍ଜତୀୟ ମହିଳା ଦିବସ ଦିନ ଏକ ଇଂରାଜୀ ଦୈନିକ ଖବରକାଗଜରେ ଏକ ଖବର ପ୍ରକାଶିତ ହୋଇଛି ଯେ, ଗତ ଦୁଇ ମାସ ଭିତରେ କେରଳରେ ୭ ଜଣ ଅନାଥ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ତନ୍ମଧ୍ୟରୁ ୪ ଜଣ ନବମ ଶ୍ରେଣୀର ହୋଇଥିବାବେଳେ ୩ ଜଣ ଅଷ୍ଟମ ଶ୍ରେଣୀର। ଇଏତ ଗଲା କେରଳ କଥା। ଆମ ଓଡ଼ିଶା କଥା ଯଦି ଭାବିବା ତେବେ ଏଠାରେ ପ୍ରତିଦିନ ଅତିକମରେ ୪ ଜଣ ଝିଅ ଧର୍ଷଣର ଶିକାର ହେଉଥିବେ। ସେଥିମଧ୍ୟରୁ କେତେକ ଦୃଷ୍ଟିଗୋଚର ହେଉଛି ତ ଆଉ କେତେକ ଚାପି ଦିଅ ଯାଉଛି।

 

ରାଜଧାନୀ ଭୁବନେଶ୍ବର କଥା ଚିନ୍ତା କଲେ ୨୦୧୬ ମସିହାରେ ସମୁଦାୟ ୧୯୨ଟି ମାମଲା କେବଳ ମହିଳା ଥାନାରେ ରୁଜୁ ହୋଇଥିବାର କମିଶନରେଟ ପୁଲିସର ୱେବସାଇଟରେ ଅଛି। ସେହିପରି ଜାନୁଆରୀ ୨୦୧୭ରୁ ଫେବୃଆରୀ ମାସ ମଧ୍ୟରେ ୭ଟି ବଳାତ୍କାର ମାମଲା ଦାୟର କରା ଯାଇଛି। ସେଥି ମଧ୍ୟରୁ ୬ ଜଣ ନାବାଳିକା ଅଟନ୍ତି। ନିକଟରେ ଖଣ୍ଡଗିରି ଥାନା ଅଂଚଳରେ ହୋଇଥିବା ଧର୍ଷଣ ଏହାର ଜ୍ବଳନ୍ତ ଉଦାହରଣ। କେବଳ ଯେ ଧର୍ଷଣ ହେଉଛି ତାହା ନୁହେଁ, କେଉଁଠି ଯୌତୁକ ନିର୍ଯାତନା, ଏସିଡ ଫିଙ୍ଗା ଇତ୍ୟାଦି ଅନେକ ଉଦାହରଣ ରହିଛି।

ତେବେ ଏ ସବୁକୁ ଅନୁଧ୍ୟାନ କଲେ ଆମେ ସ୍ପଷ୍ଟ ଜାଣି ପାରିବେ ଯେ, ଆମ ସମାଜରେ ନାରୀ କେତେ ସୁରକ୍ଷିତ?

 

କଥାରେ ଅଛି, ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇରେ ମାଈଁ ମାଈଁ। ତେଣୁ ଗୋଟିଏ ଦିନ କେବଳ ନାରୀଙ୍କ ସୁରକ୍ଷା ପ୍ରତି ଯତ୍ନଶୀଳ ହୋଇଗଲେ ହେବ ନାହିଁ, ବରଂ ପ୍ରତ୍ୟକଟି ମଣିଷର ଭାବନାରେ ପରିବର୍ତ୍ତନ ହିଁ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top