ପିଢି

News Story - Posted on 2017-03-08

ପ୍ରଣତି ବେହେରା

କେବେ ସବାରୀଟିଏ ଆସି ଅଟକିଥିଲା ଅଗଣାରେ ଯେ, ଓଢଣା ଫାଙ୍କରୁ ଟୁକୁଡାଏ ଜହ୍ନ ଭଳି ଦିଶିଥିଲା ମୁହଁ। ପୂର୍ବରୁ ତା’ ନାଆଁ ଯାହା ଥାଉ ନା କାହିଁକି...ସେଇଦିନଠୁ ତାକୁ ଜହ୍ନ ଡକାହେଲା।

 

ହଳଦୀମଖା ଦେହରେ ନୂଆଶାଢୀ ପିନ୍ଧି ନିଜ ବାସ୍ନାରେ ନିଜେ ବିଭୋର୍ ହେଇ ପଡୁଥିଲା। ବିଭୋର୍ କରୁଥିଲା ତା’ ଆତ୍ମାର ଆତ୍ମୀୟ ମଣିଷଟିକୁ।

 

ସ୍ନେହମହୁରେ ରଂଜେଇ ନେଲା ଓଠ। ମଧୁର ସମ୍ଭାଷଣରେ ଆପଣାର କଲା ସମସ୍ତ ପରିଜନଙ୍କୁ।

 

ସୁଖଦୁଃଖ, ଯାତନା ଜଂଜାଳ, ନିନ୍ଦାପ୍ରଶଂସା...ସବୁକିଛିକୁ ପାଥେୟ କରି ଦିନ ପରେ ଦିନ ଅତିକ୍ରମି ଚାଲିଲା।

 

ଅତି ଭଲ କାମକରି ପ୍ରଶଂସା ପଦେ ପାଇବା ଆଶା ରଖୁ ନ ରଖୁ, ଚାଲି ଯାଉ ଯାଉ ଝୁଣ୍ଟିପଡିଲେ ନିଶ୍ଚିତ ଭାବେ ଶଂକିଯାଉଥିଲା। ପିତୃକୁଳ ଯେ ଆହୂତ ହେଉଥିଲେ ଅସମ୍ମାନେ!

 

ଦର୍ପଣରେ ଠୁକ୍ ଠୁକ୍ ମୁହଁ ଖୁମ୍ପୁଥିବା ଘରଚଟିଆମାନଙ୍କ ଘରକରଣାକୁ ନିଘା କଲା ନିବିଡ ଭାବେ। ବସା ଭାଙ୍ଗିଯିବା ପରେ ପୁଣି ଥରେ କାଠିକୁଟା ସଂଗ୍ରହ କରି ତାକୁ ପୂର୍ବବତ୍ ସଜାଡି ନେବାର ଧୈର୍ଯ୍ୟଶୀଳତା ଶିଖିନେଲା।

 

ପକ୍ଷୀଶାବକମାନଙ୍କ ମୁହଁରେ ମା ପକ୍ଷୀ ଆଧାର ଦେବାବେଳେ ନିଜ ଭିତରେ ଅପତ୍ୟ ସୁଖ ପାଇଁ ସ୍ଥାନଟିଏ ସଂଚାର କଲା।

 

ସ୍ବାମୀ, ପୁତ୍ର, ପରିବାର ସବୁକୁ ନେଇ କେବେ ପୋଖି ଗୃହିଣୀପଣଟିଏ ତା’ ଭିତରେ କଡ ଲେଉଟାଇବା ବେଳେ ହଠାତ୍ ଯେମିତି ସବୁକିଛି ଓଲଟପାଲଟ ହେଇଯିବାକୁ ବସିଲା।

 

କଳା ବଉଦ ଖଣ୍ଡିଏ ଯେମିତି ଜହ୍ନର ସମୁଜ୍ଜଳ ସଂସାରକୁ କାଳିମାମୟ କରିଦେଲା।

 

କୋକେଇଟିଏରେ ବୁହା ହେଇଗଲା ତା’ ଆତ୍ମାର ଆତ୍ମୀୟ ଜଣକ।

 

ରଂଗୀନ୍ ଶାଢୀ, ଚୁଡି, କୁଂକୁମ, ସିନ୍ଦୂର ସବୁକିଛି ବଦଳରେ ତାକୁ ପିନ୍ଧେଇ ଦିଆଗଲା ସଫେଦ୍ ଶୂନ୍ୟତାବୋଧ କେବଳ।

 

ବିଛଣା, ତକିଆ, ଖଟ, ହ୍ୟାଙ୍ଗରରେ ଝୁଲୁଥିବା ଦେହଶୂନ୍ୟ ପୋଷାକପତ୍ର ସବୁରି ଭିତରେ ପରିଚିତ ବାସ୍ନାଟିଏ ଅନୁଭବ କଲା। ଅନିସା କଲା ଘରଲେଉଟା ପାଦଶବ୍ଦକୁ। ବିଷାଦର ବଳୟ ଭିତରୁ ମୁକୁଳି ପାରିଲାନି ଜହ୍ନ।

 

ଆଶା, ଆଶ୍ବାସନା ଦେଇ ଲେଉଟିଗଲେ ଆତ୍ମୀୟ ସ୍ବଜନ।

 

କୋଳାହଳ ମୁଖରିତ ଘର ଅଗଣାରେ ଛଳଛଳ ବହି ଯାଉଥିବା ସୁଗନ୍ଧିତ ଝରଣାଟି ଛନ୍ଦହୀନ ହେଇ ପଡିଚି ଯେମିତି!!

 

ବାଳୁତ ପିଲା ଦି’ଟା ଚାହିଁ ରହିଚନ୍ତି ଟିକିଏ ଦୂରରେ ଆଧାର ଖୁଆଖୋଇ ହେଉଥିବା ଘରଚଟିଆମାନଙ୍କ ଆଡକୁ।

 

ଜହ୍ନ ଦେଖିଲା ସେମାନଙ୍କ ମୁହଁକୁ। ଅନେକ ଦିନ ହେଲା, ତା’ ଆଖି ଦି’ଟା ପଥୁରେଇ ଯାଇଥିଲା ଯେମିତି। ଟିକିଏ ବି ଲୁହ ଝରୁ ନ ଥିଲା। କିଏ କେତେ ଟିପ୍ପଣୀ ବି କରୁଥିଲେ ଏ କଥାକୁ ନେଇ। ଏବେ କିନ୍ତୁ ଏଇ ଦୃଶ୍ୟ ଦେଖିବା ପରଠାରୁ ଲୁହର ଧାର ଅବିରତ ବହି ଚାଲିଲା। ପିଲା ଦି’ଟାଙ୍କୁ କୋଳକୁ ଉଠେଇ ନେଇ ବୋକ ଦେଇ ଲୁହଲାଳ ବଜ୍ ବଜ୍ କରିଦେଲା।

 

ତା’ ପରଠୁ ପୁଣି ଅଣ୍ଟା ସଳଖି ଛିଡା ହେଲା ଜହ୍ନ। ସଂସାରକୁ ପୁଣି ଥରେ ସଜାଡିବାରେ ଏକାଗ୍ର ହେଲା।

 

ଆତ୍ମୀୟ ସ୍ବଜନଙ୍କ ଭିତରୁ କେହିକେହି କହିଲେ, ଏତେ ଶୀଘ୍ର ଦୁଃଖ ଭୁଲିଗଲା!!

 

କେହି କିନ୍ତୁ ଦେଖି ପାରୁ ନ ଥିଲେ ଦୁଃଖ ଭିତରେ ହିଁ ସେ କେବଳ ଜୀଇଁ  ଚାଲିଥିଲା ଜୀବନକୁ.....କେବଳ ଉତ୍ତର ପିଢିର ଦାୟିତ୍ବବୋଧରେ।

      

ଭେଷଜ ରମ୍ଭାବତୀ କନିଷ୍ଠ ମହାବିଦ୍ୟାଳୟ, କୁଣ୍ଡୁକେଲା, ସୁନ୍ଦରଗଡ଼-୭୭୦୦୧୯


ପ୍ରତିକ୍ରିୟା

Trinath Sinngh - Email: trinathsingh.odisha@gmail.com - Posted on 2017-03-08 15:35:12

???? ?????? ??????????? ????? ?????? ?

TRINATH SINGH - Email: trinathsingh.odisha@gmail.com - Posted on 2017-03-08 15:40:28

bahut sundar o pratikatmaka galpa tie. Abhinandan.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top