ଆଧାର ନଥିଲେ ଚଳିବ!

News Story - Posted on 2017-03-08

ଆଧାର ନମ୍ୱର/କାର୍ଡ ନଥିଲେ ମଧ୍ୟ କୌଣସି ନାଗରିକ ସରକାରୀ ସୁବିଧାରୁ ବଂଚିତ ହେବେ ନାହଁି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଏହି ମର୍ମରେ କେନ୍ଦ୍ର କ୍ୟାବିନେଟ ସଚିବାଳୟରୁ ଏକ ବିବୃତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ, ଆଧାର ନମ୍ୱର ମିଳିବା ପର୍ଯ୍ୟନ୍ତ ଜଣେ ଯୋଗ୍ୟ ନାଗରିକଙ୍କୁ ବିକଳ୍ପ ପରିଚୟ ପତ୍ର ବା ରେକର୍ଡ ମାଧ୍ୟମରେ ସମସ୍ତ ସୁବିଧା ପ୍ରଦାନ କରାଯିବ। ସେହିପରି ଆଧାର ଆଇନ ୨୦୧୬ର ରେଗୁଲେସନ ୧୨ ଆଧାରରେ ହିତାଧିକାରୀମାନଙ୍କୁ ଆଧାର ନମ୍ୱର ପ୍ରଦାନ କରିବା ଲାଗି ସମ୍ପୃକ୍ତ ବିଭାଗମାନେ ଆବଶ୍ୟକ ଆଧାର ପରିଚୟ ପତ୍ର ପ୍ରସ୍ତୁତି ଲାଗି ସମସ୍ତ ସୁବିଧା ଯୋଗାଇ ଦେବାକୁ ନିଦ୍ଦେର୍ଶ ଦିଆଯାଇଛି।

 

ସରକାରୀ ଅର୍ଥ ଏବଂ ସାମଗ୍ରୀର ବାଟମାରଣାକୁ ରୋକିବା ଏବଂ ସେବା ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ଆଧାର ନମ୍ୱରର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିକଟରେ ଆହୁରି କେତେକ ସରକାରୀ କଲ୍ୟାଣକାରୀ ସ୍କିମ‌୍‍କୁ ଆଧାର ଭିତ୍ତିକ କରିବା ଲାଗି ଆଦେଶନାମା ଜାରି କରିଛନ୍ତି। ତେବେ ଏହି ନିଷ୍ପତି ଅନୁଯାୟୀ ଆଧାର ନମ୍ୱର ପ୍ରଦାନକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ଏଭଳି ସୁବିଧା ପାଇ ନଥିବା ହିତାଧିକାରୀଙ୍କ ପକ୍ଷରେ ବିକଳ୍ପ ପ୍ରାମାଣିକ ପରିଚୟ ବ୍ୟବସ୍ଥାର ପ୍ରାବଧାନ ରଖାଯାଇଛି।

 

ମଧ୍ୟାହ୍ନ ଭୋଜନ ଏବଂ ସମନ୍ୱୀତ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରମାନଙ୍କୁ ପିଲାଙ୍କଠାରୁ ଆଧାର ନମ୍ୱର ସଂଗ୍ରହ ଲାଗି କୁହାଯାଇଛି। ତେବେ ଯେଉଁ ପିଲାଙ୍କର ବର୍ତ୍ତମାନ ସୁଦ୍ଧା ଆଧାର ନମ୍ୱର ପ୍ରସ୍ତୁତ ହୋଇନାହଁି ସେମାନଙ୍କ ପାଇଁ ତୁରନ୍ତ ଏହି ନମ୍ୱର ପ୍ରସ୍ତୁତ କରିବା ଦିଗରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ବିଦ୍ୟାଳୟ ଏବଂ ଆଇସିଡିଏସ କର୍ତ୍ତୃପକ୍ଷଙ୍କୁ ନିଦ୍ଦେର୍ଶ ଦିଆଯାଇଛି। ଅପରପକ୍ଷରେ ଆଧାର ନମ୍ୱର ନଥିବା କୌଣସି ପିଲାଙ୍କୁ ସରକାରୀ ସୁବିଧାରୁ ବଂଚିତ ନ କରିବା ଲାଗି କୁହାଯାଇଛି।

 

ବର୍ତ୍ତମାନ ସୁଦ୍ଧା ଦେଶରେ ୧୧୨ କୋଟି ଲୋକଙ୍କୁ ଆଧାର ନମ୍ୱର ଦିଆଯାଇସାରିଲାଣି। ଏଭଳି ପରିସ୍ଥିତିରେ ଆଧାର ବର୍ତ୍ତମାନ ଉତ୍ତମ ପ୍ରଶାସନ, ସଂସ୍କାର, ପରିବର୍ତ୍ତନ ଏବଂ ଜନ ସଶକ୍ତିକରଣର ଏକ ଉତ୍ତମ ମାଧ୍ୟମ ପାଲଟିଛି। ଏପରିକି ଯୋଗ୍ୟ ହିତାଧିକାରୀମାନଙ୍କ ପାଖରେ ସରକାରୀ ସୁବିଧା ପହଂଚୁଛି ଏବଂ ନକଲି ହିତାଧିକାରୀ ଓ ମଧ୍ୟସ୍ଥି ଏହି ବ୍ୟବସ୍ଥାରୁ ବାଦ‌୍‍ ପଡୁଛନ୍ତି। ସରକାରୀ ଅର୍ଥର ବାଟମାରଣା ମଧ୍ୟ ଅନେକାଂଶରେ ହ୍ରାସ ପାଇଥିବା ବିଭିନ୍ନ ଅନୁଧ୍ୟାନ ଓ ସର୍ବେକ୍ଷଣରୁ ଜଣାପଡିଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଆଧାର ନମ୍ୱର ଜରିଆରେ କୋଟି କୋଟି ପ୍ରକୃତ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥା ମାଧ୍ୟମରେ ସୁବିଧା ପହଂଚାଯାଉଛି। ପହଲ ଯୋଜନା ଅଧୀନରେ ଗ୍ୟାସ ଉପଭୋକ୍ତାମାନଙ୍କୁ ଏଲପିଜି ସବସିଡି, ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ମେଧା ବୃତ୍ତି, ମନରେଗା ମାଧ୍ୟମରେ ପାରିଶ୍ରମିକ ଏବଂ ହିତାଧିକାରୀମାନଙ୍କୁ ପେନସନ ଠିକ‌୍‍ ଭାବେ ପହଂଚିପାରୁଛି।

 

ସେହିପରି ଆଧାର ଭିତ୍ତିକ ସାଧାରଣ ବଂଟନ ବ୍ୟବସ୍ଥା ଜରିଆରେ ଖାଦ୍ୟାନ୍ନର ଉପଯୁକ୍ତ ବିତରଣ ହେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ମିଳୁଛି। ଏଥିରେ କୌଣସି ପ୍ରକାର ଅସାଧୁ କାରବାର, ଦଲାଲି ଧନ୍ଦା ରହୁନାହଁି। ଆଧାର ଭିତ୍ତିକ ସେବା ପ୍ରଦାନ ବ୍ୟବସ୍ଥା ଦ୍ୱାରା ଅନେକ ସରକାରୀ ଅର୍ଥ ସଂଚୟ ହୋଇପାରିଛି। ଅଢ଼େଇ ବର୍ଷରୁ ଅଧିକ ସମୟ ମଧ୍ୟରେ ୪୯ ହଜାର କୋଟି ଟଙ୍କାରୁ ଅଧିକ ସରକାରୀ ଅର୍ଥ ସଂଚୟ ହୋଇପାରିଛି ବୋଲି ଏହି ସରକାରୀ ବିବୃତିରେ କୁହାଯାଇଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top