କେଲୁଅ ଗର୍ଭରେ ବୌଦ୍ଧ ସ୍ତୁପ!

News Story - Posted on 2017-03-08

 ବିଶ୍ୱ ବୌଦ୍ଧ ଐତିହ୍ୟ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କେଲୁଅ ନଦୀ ଉପିତ୍ତି ସ୍ଥଳ ତିନି ମୁହାଁଣି ନଦୀ ଗର୍ଭରୁ ଏକ ବିଧ୍ୱସ୍ତ ବୌଦ୍ଧ ପୀଠର ସନ୍ଧାନ ମିଳିଥିବା ଜଣାପଡ଼ିଛି। ବୌଦ୍ଧ ଐତିହ୍ୟର ଜିଲା ଭାବେ ଦେଶ ଓ ବିଦେଶରେ ପରିଚିତ ଯାଜପୁର ସାଂସ୍କୃତିକ ଓ ଧାର୍ମିକ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି।

 

ଓଡ଼ିଶା ରାଜ୍ୟ ସଂସ୍କୃତି ବିଭାଗର ଅନୁମତି କ୍ରମେ ବ୍ରାହ୍ମଣୀ-କେଲୁଅ ଦ୍ୱୀପାଞ୍ଚଳର ଐତିହ୍ୟ ଓ ସଂସ୍କୃତି ସଂପର୍କୀତ ଏକ ଗବେଷଣା ପ୍ରକଳ୍ପରେ ନିୟୋଜିତ ଡ. ନୃସିଂହ ଚରଣ ସାହୁଙ୍କ କ୍ଷେତ୍ରାନୁଧ୍ୟାନରୁ ଉପରୋକ୍ତ ଅଂଚଳରେ ଆନୁମାନିକ ୭ମ/୮ମ ଶତାବ୍ଦୀର ବୌଦ୍ଧ ଧର୍ମାଲମ୍ୱୀଙ୍କ ଏକ ବାସସ୍ଥଳୀ ଓ ଗୋଟିଏ ଅର୍ଘ୍ୟ ସ୍ତୁପର ସ୍ମାରକୀ ଜଳାଧାର ମଧ୍ୟରେ ବିକ୍ଷିପ୍ତ ଅବସ୍ଥାରେ ପଡିଥିବା କୁହାଯାଉଛି। ବଜ୍ରଗିରି, ରତ୍ନଗିରି ଆଦି ପାହାଡରେ ଉପଲବ୍ଧ ବଉଳମାଳିଆ ପ୍ରସ୍ତରରେ ନିର୍ମିତ ଅର୍ଘ୍ୟ ସ୍ତୁପର ଶୀର୍ଷ ଓ ମଧ୍ୟ ଭାଗର କାରୁକାର୍ଯ୍ୟପୂର୍ଣ୍ଣ କିଛି ଅଂଶ ଗୋଚର ହେବାବେଳେ ନିକଟସ୍ଥ ଜାରକା ଅଂଚଳର ମାଙ୍କଡା ପଥର ଛଇରୁ ସଂଗୃହୀତ ଅନେକ ପ୍ରସ୍ତର ଖଣ୍ଡ ଆବାସ ସ୍ଥଳିରେ ବ୍ୟବହୃତ ଅନୁମିତ ହୁଏ।

 

ଉଲ୍ଲେଖନୀୟ ଏହିକି, ନିକଟ ଅତୀତରେ ଧର୍ମଶାଳା ଅଂଚଳଳରୁ ଆବିଷ୍କୃତ ବୌଦ୍ଧପୀଠମାନଙ୍କ ପରି ଉକ୍ତ ବିଧ୍ୱସ୍ତ ପୀଠଟି ବୌଦ୍ଧ ଧର୍ମର ପ୍ରସାରକୁ ସୂଚିତ କରେ। ଗବେଷକ ଡ. ସାହୁ ଏ ସଂପର୍କରେ କୁହନ୍ତି ଯେ, କେଲୁଅ ହେଉଛି ପ୍ରାକୃତିକ ଭାବେ ସୃଷ୍ଟ ଏକ ନଦୀ ନଥିଲା । ବ୍ରାହ୍ମଣୀ-କେଲୁଅ ଦୀପାଂଚଳ ସୃଷ୍ଟି ପୂର୍ବରୁ ଧର୍ମଶାଳାର ପଶ୍ଚିମାଂଚଳ ସହ ଭୂ-ସଂଯୋଗ ଥିଲା। ତତ୍‌ସହିତ ବ୍ରାହ୍ମଣୀ ନଦୀର ଦୁଇ ପାର୍ଶ୍ୱରେ ଇଂରେଜମାନଙ୍କ ଦ୍ୱାରା ୧୮୨୫ ମସିହା ପରେ ବନ୍ଧ ନିର୍ମାଣ ପୂର୍ବରୁ ବର୍ଷା ଦିନେ ନଦୀ ଜଳ ସ୍ଥଳଭାଗକୁ ପ୍ରସାର କ୍ରମେ ଅନେକ କୀର୍ତ୍ତିରାଜି ଧ୍ୱଂସ ହୋଇଯାଇଥିଲା।

 

ଉତ୍ତର ପ୍ରତାପ, ନରସିହଂପୁର, ବେଦିପୁର, ଚଇନହୁଡା ଆଦି ଗ୍ରାମା ଳରୁ ବୌଦ୍ଧ କୀର୍ତ୍ତିର ଆବିଷ୍କାର ଏକଦା ସେହି ଅଂଚଳର ବୌଦ୍ଧ ଧର୍ମ ପ୍ରସାରର ପ୍ରମାଣ ପ୍ରଦାନ କରେ। ସୋମବଂଶୀ ଶାସନ କାଳରେ ମନୁଷ୍ୟକୃତ ଭାବେ ଉକ୍ତ ଅଂଚଳର ବୌଦ୍ଧକୀର୍ତ୍ତି ରାଜି ଉପେକ୍ଷିତ ଭାବେ କ୍ରମ ବିଲୟ ଲଭିଥିବା ମଧ୍ୟ ଅନୁମିତ ହୁଏ। ଜଳେଶ୍ୱର, ମୁକ୍ତେଶ୍ୱର‌୍‍, ରାମେଶ୍ୱର ଆଦି ଅଂଚଳରେ ଜନ ସାଧାରଣ ପରେ ଶୈବ ଧର୍ମ ପ୍ରତି ଆସକ୍ତ ହୋଇଥିଲେ। ଆବିଷ୍କୃତ ବିଧ୍ୱସ୍ତ ବୌଦ୍ଧ ପୀଠଟିର ଅନେକ ସ୍ମୁତି ନଦୀର ଜଳ ସ୍ରୋତରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଛି ଓ କିଛି ବାଲୁକା ରାଶି ମଧ୍ୟରେ ପୋତି ହୋଇଯାଇଛି। ସେଗୁଡିକର ଉତ‌୍‍ଖନନ ଓ ସଂରକ୍ଷଣ ଆବଶ୍ୟକ ବୋଲି ଡ. ସାହୁ ମତ ପ୍ରକାଶ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top