ଓଡ଼ିଶା ଆସିଛନ୍ତି ୦.୮୬% ବିଦେଶୀ

News Story - Posted on 2017-03-07

ଗତବର୍ଷ ଭାରତକୁ ୮୮ ଲକ୍ଷ ୯୦ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଏହି ବର୍ଷରେ ଓଡ଼ିଶା ମାଟି ମାଡ଼ିଛନ୍ତି ମାତ୍ର ୭୬,୩୬୧ ଜଣ ବିଦେଶୀ ପର୍ଯ୍ୟଟକ। ମୋଟାମୋଟି ଭାବେ ସମଗ୍ର ଦେଶକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ତାହାର ୦.୮୬ ପ୍ରତିଶତ ପହଞ୍ଚୁଛନ୍ତି ଓଡ଼ିଶାରେ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

 

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୧ ମସିହାରେ ଆମ ଦେଶକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସିଥିଲେ ତାହାର ୦.୯୬ ଭାଗ ଓଡ଼ିଶା ଆସିଥିବା ବେଳେ ୨୦୧୨ ଓ ୨୦୧୩ ବର୍ଷରେ ଏହି ହାର ଯଥାକ୍ରମେ ୦.୯୮ ଓ ୦.୯୬ ପ୍ରତିଶତ ଥିଲା। ମୋଟାମୋଟି ଭାବେ ବର୍ଷକୁ ବର୍ଷ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏହାର ହାର ଅତି ନଗଣ୍ୟ।

 

ଏହି ତଥ୍ୟ ଅନୁଯାୟୀ ୨୦୧୩ ବର୍ଷରେ ଓଡ଼ିଶାକୁ ୬୬,୬୭୫ ବିଦେଶୀ ପର୍ଯ୍ୟଟକଙ୍କ ସମେତ ମୋଟ‌୍‍ ୯୮,୬୬,୮୧୦ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୬ ବର୍ଷରେ ଆମ ରାଜ୍ୟକୁ ୭୬,୩୬୧ ବିଦେଶୀ ପର୍ଯ୍ୟଟକଙ୍କ ସମେତ ମୋଟ‌୍‍ ୧,୨୯,୧୯,୨୬୦ ପର୍ଯ୍ୟଟକ ଆସିଛନ୍ତି। ତେବେ ୨୦୦୦ ମସିହାରେ ଆମ ଦେଶକୁ ୫୭,୭୫,୬୯୨ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଏହି ସଂଖ୍ୟା ବଢ଼ି ବଢ଼ି ୨୦୧୬ରେ ୮୮,୯୦,୦୦୦ରେ ପହଞ୍ଚିଛି। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଗତବର୍ଷ ରାଜ୍ୟ ଭିତରର ୭୭,୦୫,୪୨୫ ଓ ଦେଶର ଅନ୍ୟ ରାଜ୍ୟରୁ ୫୧,୩୭,୪୭୪ ପର୍ଯ୍ୟଟକ ଆସିଥିବା ବେଳେ ବିଦେଶରୁ ଆସିଥିଲେ ମାତ୍ର ୭୬,୩୬୧ ପର୍ଯ୍ୟଟକ।

 

ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ମେକ‌୍‍ ଇନ‌୍‍ ଓଡ଼ିଶା କନ‌୍‍କ୍ଲେଭ‌୍‍ରେ ଅନ୍ୟୁନ ୧୪ଟି ସଂସ୍ଥା ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ୨,୦୭୬ କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଫଳରେ ୧୨,୪୭୧ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଏଥିରେ ଅନ୍ୟୁନ ୧୦ଟି ହୋଟେଲ‌୍‍ ରାଜ୍ୟରେ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top