ଶୂନ୍ୟରେ ମିଶିଲେ ଶୂନ୍ୟକାଳର ସ୍ରଷ୍ଟା!

News Story - Posted on 2017-03-06

 

ଲୋକସଭାର ପୂର୍ବତନ ବାଚସ୍ପଚିତ ତଥା ବିଶିଷ୍ଟ ସମାଜବାଦୀ ନେତା ରବି ରାୟ ଆଉ ନାହାଁନ୍ତି। ମାର୍ଚ୍ଚ ୬ ତାରିଖ ଅପରାହ୍ନ ୩ଟା ୨୦ରେ କଟକ ଏସ‌୍‍ସିବି ମେଡିକାଲ କଲେଜରେ ତାଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ହୋଇ ସେ ଏସ‌୍‍ସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷଦର୍ଶନ କରିଛନ୍ତି ଅନେକ ରାଜନୈତିକ ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି। ତେବେ ସେ ଫେବୃଆରୀ ୧୨ ତାରିଖରୁ ଏସସିବିର ଚିକିତ୍ସାଧୀନ ଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରକ ପାଇଁ ସେଠାକୁ ଯାଇ ତାଙ୍କୁ ଦେଖା କରି ନଥିଲେ। ମୃତ୍ୟୁ ପରେ ମଧ୍ୟ ସେ ମେଡିକାଲ ଯାଇଁ ତାଙ୍କର ଶେଷଦର୍ଶନ କରି ନଥିଲେ।

 

ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଫେବୃଆରୀ ୧୨ ତାରିଖରେ ଏସସିବି ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ ମହାନ ସମାଜବାଦୀ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ। ଦୀର୍ଘ ୨୨ ଦିନ ଧରି ଡାକ୍ତରମାନେ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ ବଂଚାଇ ରଖିଥିଲେ। କିନ୍ତୁ ବିଧିର ବିଧାନ ଅଲଗା। ଆଜି ସମସ୍ତଙ୍କୁ ଶୋକସାଗରରେ ଭସାଇ ଡାକ୍ତରଖାନାରେ ଅସ୍ତ ହୋଇଗଲେ ରବି, ଓଡ଼ିଶାର ଏକମାତ୍ର ନେତା ଯିଏ କି ଲୋକସଭା ବାଚସ୍ପତି ପଦ ଅଳଂକୃତ କରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଶାରେ ଆଦର୍ଶବାଦୀ ରାଜନୀତିର ଗୋଟିଏ ଅଧ୍ୟାୟ ଶେଷ ହୋଇଗଲା।

 

୧୯୨୬ ମସିହା ନଭେମ୍ୱର ମାସ ୨୬ ତାରିଖରେ ତତ୍କାଳୀନ ପୁରୀ ଜିଲାର ଭଁଅରାଗଡ ଗ୍ରାମରେ ଜନ୍ମଲାଭ କରିଥିଲେ ରାୟ। ସେ କଟକର ରେଭେନ୍ସା କଲେଜ ଓ ମଧୁସୂଦନ ଆଇନ‌୍‍ ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ। ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିବା କାଳରେ ଛାତ୍ର ଆନ୍ଦୋଳନରେ ଯୋଗଦେଇ ବ୍ରିଟିଶ‌୍‍ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ପରେ ସେ ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜବାଦୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୯୫୩-୫୪ରେ ସେ ଅଖିଳ ଭାରତ ସମାଜବାଦୀ ଯୁବକ ସଭାର ଯୁଗ୍ମ ସଂପାଦକ ଥିଲେ। ୧୯୫୬ ମସିହାରେ ସେ ଓଡ଼ିଶାରେ ରାମ ମନୋହର ଲୋହିଆଙ୍କ ନେତୃତ୍ୱାଧୀନ ସୋସାଲିଷ୍ଟ ପାର୍ଟିର ସଂଗଠନ ଆରମ୍ଭ କରିଥିଲେ। ସେ ଏହି ଦଳର ଜାତୀୟ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ। ୧୯୬୦ ମସିହାରେ ସେ ଦଳର ଜାତୀୟ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ। ୧୯୬୭ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଚତୁର୍ଥ ଲୋକସଭାରେ ସେ ସଂଯୁକ୍ତ ସୋସାଲିଷ୍ଟ ପାର୍ଟି ବା ଏସଏସପିର ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪ ମସିହାରେ ସେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। 

 

୧୯୭୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ୧୯୮୦ ଯାଏଁ ସେ ଏହି ଦାୟିତ୍ୱରେ ଥିଲେ। ୧୯୮୯ରେ କେନ୍ଦ୍ରାପଡା ଲୋକସଭା ଆସନରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ରାୟ ନବମ ଲୋକସଭାରେ ୧୯୮୯ ଡିସେମ୍ୱର ୧୯ ତାରିଖରୁ ୧୯୯୧ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଭାବେ କାର୍ଯ୍ୟ କରିବା ସହ ତାଙ୍କ ରାଜନୈତିକ ଦକ୍ଷତାର ପରିଚୟ ଦେଇଥିଲେ। ସେ ବାଚସ୍ପତି ଥିବା ସମୟରେ ଦୂରଦର୍ଶନରେ ଲୋକସଭା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆରମ୍ଭ ହୋଇଥିଲା। ସେହିପରି ଲୋକସଭା ସଦସ୍ୟମାନଙ୍କୁ ବିଭିନ୍ନ ଜନସ୍ବାର୍ଥ ସମ୍ବଳିତ ପ୍ରଶ୍ନ ଓ ପ୍ରସଙ୍ଗ ଉପସ୍ଥାପନ କରିବାକୁ ସେ ଭାରତର ସଂସଦୀୟ ଇତିହାସରେ ଶୂନ୍ୟକାଳ ପରମ୍ପରା ପରମ୍ପରା ପ୍ରଚଳନ କରିଥିଲେ। ଏହା ପୂର୍ବରୁ ୧୯୬୭ ମସିହାରେ ସେ ଲୋକସଭା ସଦସ୍ୟ ହେବା ସମୟରେ ସଂସଦରେ ମାତୃଭାଷା ଓଡ଼ିଆରେ କହି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଓଡ଼ିଆ ଭାଷଣକୁ ଅନକ ସଦସ୍ୟ ବିରୋଧ କରିଥିଲେ ବି ରବି ରାୟ ଏହା ତାଙ୍କର ମୌଳିକ ଅଧିକାର ବୋଲି ଯୁକ୍ତି କରିଥିଲେ। ଶେଷରେ ତତ୍କଜାଳୀନ ବାଚସ୍ପତି ନୀଲମ ସଂଜୀବ ରେଡ୍ଡି ତାଙ୍କ କଥା ଗ୍ରହଣ କରିଥିଲେ ଓ ସେହିଦିନଠାରୁ ସଂସଦରେ ସଦସ୍ୟମାନେ ଚାହିଁଲେ ମାତୃଭାଷାରେ ମତାମତ ରଖିବାର ବ୍ୟବସ୍ଥା ହେଲା।

 

ତାଙ୍କ ମୃତ୍ୟୁ ସମ୍ୱାଦ ପ୍ରଚାରିତ ହେବା ପରେ ପରେ ରାଜ୍ୟର ବହୁ ବିଶିଷ୍ଟ ରାଜନେତା, ସମାଜବାଦୀ କର୍ମୀ ଓ ବୁଦ୍ଧିଜୀବୀ ହସ୍ପିଟାଲ ଯାଇଁ ତାଙ୍କର ଶେଷ ଦର୍ଶନ କରିଥିଲେ। ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରାୟ, ବିଧାୟକ ପ୍ରଭାତ ବିଶ୍ୱାଳ, ଶଶିଭୂଷଣ ବେହେରା ପ୍ରମୁଖ ହସ୍ପିଟାଲ ଯାଇଁ ଦିବଙ୍ଗତ ନେତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଏସ‌୍‍ସିବିରୁ ଆଜି ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ମଧୁସୁଦନ ଆଇନ‌୍‍ ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କଟକ ବାସଭବନକୁ ନିଆଯାଇଥିଲା। ଆସନ୍ତାକାଲି ତାଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଭଅଁରାଗଡ଼ରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ।

 

ରବି ରାୟଙ୍କ ସମ୍ମାନାର୍ଥେ ମାର୍ଚ୍ଚ ୭ ତାରିଖକୁ ରାଜ୍ୟ ସରକାର ଶୋକ ଦିବସ ଘୋଷଣା କରିଛନ୍ତି। ସବୁ ସରକାରୀ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସ୍ବର୍ଗତ ରାୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଡ. ଏସ‌୍‍ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଜେଡ‌୍‍ୟୁ ସଭାପତି ଶରତ ଯାଦବ, ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ନିରଂଜନ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି ଶ୍ରୀ ରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।


ପ୍ରତିକ୍ରିୟା

Deba Prasad Parija - Email: debaparija1@gmail.com - Posted on 2017-03-09 13:13:17

This is realy a brief sketch of his life and time.He is Rabi Ray.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top