ବିଜୁବାବୁଙ୍କ କାର୍ଟୁନ ଓ ପରେଶ ପ୍ରଧାନ

News Story - Posted on 2017-03-05

ସୁରେନ୍ଦ୍ର ଦାସ

 

ବିଜୁ ପଟ୍ଟନାୟକ ଓରଫ୍ ବିଜୁବାବୁ ଏଇ ନାଁଟି ଯଥେଷ୍ଟ ତାଙ୍କୁ ଚିହ୍ନିବା ପାଇଁ। ବିଜୁବାବୁଙ୍କ ବାବଦରେ ବହୁ ପୁସ୍ତକ ରଚନା ହୋଇଛି। ଅନେକ ବ୍ୟକ୍ତି ଓ ଗବେଷକ ତଥା ଅନ୍ତରଙ୍ଗ ସହକର୍ମୀ ବିଜୁବାବୁଙ୍କ ବାବଦରେ ଅନେକ ଅବିସ୍ମରଣୀୟ ଲୋମହର୍ଷଣକାରୀ ଦୁଃସାହାସିକ କଥା ଓ ଗାଥାର ଅବତାରଣା କରିଛନ୍ତି, ସେକଥା ସମସ୍ତଙ୍କୁ ଜଣା। ବିଜୁବାବୁଙ୍କ ମହାନୁଭବତା ଓ କୋମଳ ହୃଦୟର ଅଙ୍ଗେନିଭା କଥା ମଧ୍ୟ ଅନେକ ଅଛି। ଯେଉଁମାନେ ସେ ମହାନାୟକଙ୍କ ସଙ୍ଗେ ଅନ୍ତରଙ୍ଗ ମୁହୂର୍ତ୍ତ କଟାଇଛନ୍ତି ସେମାନେ ନିଶ୍ଚିତ ଭାବେ ବହୁକଥା କହିପାରିବେ। ଏ ଲେଖକ ମଧ୍ୟ ବିଜୁବାବୁଙ୍କ ସାଙ୍ଗରେ ଦୀର୍ଘ ବର୍ଷ ଅନ୍ତରଙ୍ଗ ଭାବେ କଟାଇବାର ଅପୂର୍ବ ସୁଯୋଗ ପାଇଛି। ଅନେକ କଥା ଅଛି ଯାହା ଏଯାଏ ଲୋକଲୋଚନକୁ ଆସି ପାରିନାହିଁ। ସେଇସବୁ ଅନାଲୋଚିତ ଅଧ୍ୟାୟରୁ ମାତ୍ର ଗୋଟିଏ କଥା ଏଠାରେ ଅବତାରଣା କରିବାକୁ ଯାଉଛି। ଆଶାକରେ ବିଜୁପ୍ରେମୀଙ୍କୁ ତଥା ଉତ୍ତରପିଢି ଏବଂ ଆଜିର ନେତୃମଣ୍ଡଳିଙ୍କୁ ଏହା ବିଶେଷ ଭାବରେ କକାର୍ଯ୍ୟଦକ୍ଷତା ତଥା ଅନୁପ୍ରେରଣା ଯୋଗାଇବାରେ ସକ୍ଷମ ହେବ।

 

ବିଜୁବାବୁ ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ 1988 ମସିହାରୁ ଅଧିଷ୍ଠିତ ହୋଇଥାନ୍ତି। ଏଠାରେ ବହୁ ଅଙ୍ଗେନିଭା କଥାରୁ ମାତ୍ର ଗୋଟିଏ ଦିନର କଥା ଅବତାରଣା କରୁଛି।  ସେଦିନ ଥାଏ 1990 ମସିହା ମାର୍ଚ୍ଚ 11 ତାରିଖ  ହୋଲିର ରଙ୍ଗରେ ସମସ୍ତେ ମାତିଥା’ନ୍ତି। ବିଜୁବାବୁ ମାର୍ଚ୍ଚ 5 ତାରିଖରେ ଦ୍ବିତୀୟବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥାନ୍ତି, ମନ୍ତ୍ରିମଣ୍ଡଳ ଗଢି ନଥାନ୍ତି,  ସାମ୍ବାଦିକମାଙ୍କ୍ତଙ୍କ ପ୍ରଶ୍ନର ଉତ୍ତରରେ ବିଜୁବାବୁ କହିଥାନ୍ତି, ଆମ୍‌ ଆଇ ନଟ୍ ଏନଫ୍‌?(ମୁଁ କ’ଣ ଯଥେଷ୍ଟ ନୁହେଁ?) ଏଇ ଭଳି ଏକ କାର୍ଯ୍ୟ ବ୍ୟସ୍ତ ସମୟରେ ‘ଚିନ୍ତା ଓ ଚେତନାର ବସନ୍ତ ମହୋତ୍ସବ’ ମାର୍ଚ୍ଚ 11ରେ। ସୂଚନା ଭବନର ସାମନା ପଟରେ ଖୋଲା ମଞ୍ଚରେ ବସନ୍ତ ମହୋତ୍ସବର ଆୟୋଜନ। ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ଅଧକ୍ଷ ଭାବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ସେଇଦିନ ସ୍ଥିର ହୋଇଥାଏ ଅପରାହ୍ନ 5ଟା 30ମି:ରେ। ବିଜୁବାବୁ କିନ୍ତୁ ଆସି ପହଂଚିଲେ 5ଟା 15ରେ। ଆୟୋଜନ ସରି ନଥାଏ। କ’ଣ କରିବୁ ଭାବି ପାରିଲୁ ନାହିଁ। ବସନ୍ତ ମହୋତ୍ସବ ଅବସରରେ ସୂଚନା ଭବନ ପୋର୍ଟିକୋ ପାଖରେ ଲାଗିଥିବା କାଚ କବାଟରେ ଆମେ ଗୋଟାଏ କାର୍ଟୁନ ଫଟୋ ପ୍ରଦର୍ଶନୀର ଆୟୋଜନ କରିଥିଲୁ। ହଠାତ୍ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ବିଜୁବାବୁଙ୍କୁ କାର୍ଟୁନ ପ୍ରଦର୍ଶନୀ ବୁଲାଇ ଦେଖାଇବା ଭିତରେ ଆମର ବାକିଥିବା ଆୟୋଜନ ମଧ୍ୟ ସରିଯିବ।

 

ବିଜୁବାବୁଙ୍କୁ ଫୁଲମାଳ ଦିଆଯାଇ ସ୍ବାଗତ କରାଯିବ। ଫୁଲମାଳଟି ଧରି ଛିଡ଼ା ହୋଇଥିଲା ମୋର ସାନଝିଅ ଚିନୁ (ସ୍ମିତା)। ତା’ ହାତରୁ ଫୁଲମାଳଟି ଆଣି ବିଜୁବାବୁଙ୍କୁ ଦେବାକୁ ଗଲି  ବିଜୁବାବୁ ମନାକଲେ, କହିଲେ ସେଇ ଯେଉଁ ଛୋଟ ପିଲାଟି ଫୁଲମାଳ ଧରିଛି ମୁଁ ତା’ରି ଠାରୁ ନେବି। ସେ ମତେ ପିନ୍ଧାଇ ଦେବ। କଅଁଳେଇ ନିର୍ଦ୍ଦେଶ ଦେଲେ ଚିନୁକୁ, ‘ଦେ ମୋ ବେକରେ ଗଳେଇ ଦେ।’ ତିନି ଫୁଟ/ସାଢ଼େତିନି ଫୁଟର କୁନି ଝିଅଟିଏ ଚିନୁ। ସେ କେମିତିବା 6 ଫୁଟ 3 ଇଞ୍ଚର ଉତ୍ତୁଙ୍ଗ ଶିଖର ମୁଣ୍ଡକୁ ଛୁଇଁ ଫୁଲମାଳଟି ବେକରେ ଗଳାଇବ? ପ୍ରାୟ ଦୁଇ ମିନିଟ୍ ଡ଼େଇଁବା ପରେ ହାରିଯାଇ ଫୁଲମାଳଟିକୁ ଧରି ମନ ଦୁଃଖକରି ଛିଡ଼ାହେବା ପରେ ବିଜୁବାବୁ ଚିନୁକୁ କହିଲେ, ‘ତୁ ମତେ ମାଳ ନ ଦେଲେ ମୁଁ ସଭାକୁ ଯିବିନି’। ଏକା ଜିଦ୍ ବିଜୁବାବୁଙ୍କର ‘ତୁ ମତେ ମାଳ ପିନ୍ଧାଇବୁ’।

 

ମୁଁ ଦେଖିଲି ଏ ସମସ୍ୟାର ତୁରନ୍ତ ସମାଧାନ କରି ବିଜୁବାବୁଙ୍କୁ କାର୍ଟୁନ ପ୍ରଦର୍ଶନୀ ଆଡ଼କୁ ନେବାକୁ ହେବ। ତୁରନ୍ତ ଚିନୁକୁ ଦୁଇ ହାତରେ ଉଠାଇଲି ଉପରକୁ, କହିଲି, ଦେ ଏଥର ବେକରେ ମାଳଟିକୁ ଗଳାଇ ଦେ। ତାହା ହିଁ ହେଲା। ବିଜୁବାବୁ କହିଲେ ତୁ ଭାରି ଚାଲାକରେ!!!  ମୁଁ କହିଲି, ‘ଚେଲା କାହାର?’ ‘କାହାର’ ବୋଲି ବିଜୁବାବୁ ପଚାରିଲେ। ମୁଁ କହିଲି, ‘ବିଜୁବାବୁଙ୍କର’। ମୋ ଉତ୍ତରରେ ସେ ଭାରିଖୁସି ହୋଇ ପଚାରିଲେ, ଆଚ୍ଛା ଏ ପିଲାଟି କିଏ? ମୁଁ କହିଲି, ମୋ ଝିଅ। କହିଲେ, ମୁଁ ଆଜି ତୋ ଝିଅକୁ ବାହାହେଲି। ତୋ ଝିଅ ମୋ’ର କୁଇନ ଓ ମାଳଟି ଚିନୁ ବେକରେ ଗଳାଇଦେଇ ବୀର ଦର୍ପରେ ଚାଲିଲେ କାର୍ଟୁନ ପ୍ରଦର୍ଶନୀ ଦେଖିବା ପାଇଁ।

 

ଆମେସବୁ ସାଙ୍ଗରେ ଗଲୁ। ରଂଗୀନ କାର୍ଟୁନ ଚିତ୍ରଗୁଡ଼ିକ ଦେଖି ଭାରି ଖୁସି ହେଲେ। ଗୋଟିଏ କାର୍ଟୁନ ଛବି ପାଖରେ ଅଟକି ଯାଇ ଚଷମାକୁ ଦୁଇ ତିନି ଥର ଉପର ତଳ କରି ପଚାରିଲେ, ‘ଏଇସବୁ କାର୍ଟୁନ କିଏ କରିଛି ?’ ମୁଁ କହିଲି, ପରେଶ ପ୍ରଧାନ। ତାକୁ ଡାକ୍। ମୁଁ ପଛକୁ ଅନେଇଲି। ଆମେ ସମସ୍ତେ ବିଜୁବାବୁଙ୍କ ପାଖରେ କାର୍ଟୁନ ଚିତ୍ର ଦେଖୁଥିଲା ବେଳେ ପରେଶ ପ୍ରଧାନ ମଧ୍ୟ ଆମ ସାଙ୍ଗରେ ଥିଲା। ମାତ୍ର ଦେଖିଲା ବେଳକୁ ନାହିଁ। ବିଜୁବାବୁ ନିରିଖି କରି ସେଇ କାର୍ଟୁନ ଚିତ୍ରଟି ଦେଖୁଥା’ନ୍ତି। ଚିତ୍ରଟି ଥିଲା ବିଜୁବାବୁ ନନ୍ଦିନୀ ଦେବୀଙ୍କୁ ପିଚିକାରୀ ମାରି ରଙ୍ଗ ଖେଳୁଛନ୍ତି ଓ ନନ୍ଦିନୀଦେବୀ ଥାଉ ଥାଉ ମୁଦ୍ରାରେ ଅଛନ୍ତି। ଟିକିଏ ନିରବତା ପରେ ବିଜୁବାବୁ ପୁଣି ପଚାରିଲେ ଡାକିଲୁ ତାକୁ? ମୁଁ କହିଲି, ସାର୍ ସିଏ ନାହିଁ। ‘କ’ଣ ତା’ ନାଁ?’ ବୋଲି ବିଜୁବାବୁ ପଚାରିଲେ। ପୁଣି ସେଇ ନାଁଟି ନେଲି, ‘ପରେଶ ପ୍ରଧାନ।’

 

କାର୍ଯ୍ୟକ୍ରମ ଚାଲିଲା। ବିଜୁବାବୁଙ୍କୁ ‘ମହାମୁର୍ଖ’ ଉପାଧିରେ ଭୂଷିତ କରାଗଲା। ନୃତ୍ୟଗୀତରେ ଭରପୂର କାର୍ଯ୍ୟକ୍ରମ। ବିଜୁବାବୁଙ୍କର ଏହା ଥିଲା ଦ୍ବିତୀୟବାର ମୁଖ୍ୟମନ୍ତ୍ରୀ ହେବା ପରେ ଓଡ଼ିଶାରେ ସର୍ବ ପ୍ରଥମ ସାଧାରଣ ସଭା। ନିର୍ବାଚନ ପରେ ବିଜୁବାବୁଙ୍କୁ ଦୀର୍ଘ 28 ବର୍ଷ ପରେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟା ବହୁତ ବେଶି ଥିଲା। ତିନି ଦିନ ପରେ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବହୁ ପ୍ରଭାବଶାଳୀ, ଦକ୍ଷ ଓ ଲୋକପ୍ରିୟ ମନ୍ତ୍ରୀ ସେଦିନ ବସିବାକୁ ଚେୟାର ଖଣ୍ଡେ ମଧ୍ୟ ପାଇବା କଷ୍ଟକର ହୋଇ ପଡ଼ିଥିଲା। ପାଖ ଚାକୁଣ୍ଡା ଗଛରେ ମଧ୍ୟ କିଛି ଲୋକ ଚଢିଯାଇଥିଲେ ବିଜୁବାବୁଙ୍କର ଗୋଟିଏ ଝଲକ ପାଇବା ପାଇଁ। ଡାଳ ଭାରି ହୋଇ ଭାଙ୍ଗିବାର ଶଦ୍ଦ ଓ ଦୃଶ୍ୟ ଜଣାଇ ଦେଲା ମାତ୍ରାଧିକ ଦର୍ଶକ ଚାକୁଣ୍ଡା ଗଛ ଡାଳରେ ବସି ଦେଖୁଥିଲେ ବିଜୁବାବୁଙ୍କୁ।

 

ହଁ, ଏଥର ମୁଖ୍ୟ ପ୍ରସଙ୍ଗକୁ ଆସିବା। କାର୍ଯ୍ୟକ୍ରମ ଶେଷକରି ବିଜୁବାବୁ ଗାଡ଼ିରେ ବସିଲାବେଳେ ମତେ ଡାକରା ଆସିଲା। ଡ଼ଃ. ପ୍ରସନ୍ନ ପାଟଶାଣୀ ମତେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଗାଡ଼ି ପାଖକୁ ଧରି ଆଣିଲେ। ମୁଁ ପ୍ରଣାମ କରି ବିଦାୟ ଜଣାଇଲା ବେଳକୁ ବିଜୁବାବୁ ପୁଣି ଥରେ କହିଲେ, ‘କାଲି ସକାଳେ ସେ ଟୋକାକୁ ଧରି ଆସିବୁ ଯିଏ କାର୍ଟୁନ କରିଥିଲା। ମତେ ଦେଖା କରିବୁ।’  ଏଇତକ କହିଲା ପରେ ବିଜୁବାବୁଙ୍କ ଗାଡ଼ି ଆଗକୁ ଗଡ଼ିଲା ଆଉ ମୁଁ ଜଣଙ୍କ ମଟର ସାଇକେଲରେ ବସି ଗଲି ଗୋପବଂଧୁ ଛକ ନିକଟ ୟୁନିଟ୍ 8କୁ।

 

ଭୁବନେଶ୍ବରର ୟୁନିଟ୍ 8ରେ ଗୋଟିଏ ଟୁଆର୍ ସରକାରୀ ଘରେ ପରେଶ ପ୍ରଧାନ ବାପା ମା’ଙ୍କ ସହ ରହୁଥାନ୍ତି। ପ୍ରାୟ ରାତି 9ଟା ହେବ। କବାଟ ଠକ୍ ଠକ୍ କଲି। ପରେଶ ହିଁ କବାଟ ଖୋଲିଲା। ମତେ ଦେଖି ମୁହଁଟାକୁ ଲଟକାଇ ଦେଇ କହିଲା ମୁଁ ମନା କରୁଥିଲି ସୁରଭାଇ, ଆପଣ କାର୍ଟୁନ ଜବରଦସ୍ତ ଆଙ୍କିବାକୁ କହିଲେ। ଏବେ କ’ଣ ହେବ? କହିଲି, କ’ଣ ଆଉ ହବ? କାଲି ସକାଳୁ ଯିବା। ବିଜୁବାବୁଙ୍କୁ ଭେଟିବାକୁ ହେବ। ପରେଶ ମୋଟେ ରାଜି ହେଲା ନାହିଁ। ପ୍ରବଳ ଭୟ। କ’ଣ ନାହିଁ କ’ଣ ହେବ! ବହୁ କଷ୍ଟରେ ବୁଝାସୁଝା କରିବା ପରେ ଶେଷରେ ରାଜି ହେଲା ପରେଶ ବିଜୁବାବୁଙ୍କୁ ଦେଖା କରିବା ପାଇଁ।

 

ସକାଳୁ ସକାଳୁ ମୁଁ ଯାଇ ପୁଣି ପରେଶ ପ୍ରଧାନ ଘରେ ପହଂଚିଲି। ପରେଶ ବି ପ୍ରସ୍ତୁତ ଥିଲା ଯିବା ପାଇଁ। ନବୀନ ନିବାସରେ ମୋର ଅବାଧ ପ୍ରବେଶ ଥାଏ। ଏଣୁ ମୋ’ ସାଙ୍ଗରେ ପରେଶ ମଧ୍ୟ ଗଲା। ଦେଖିଲି ବିଜୁବାବୁ ଉପର ବାରଣ୍ଡାରେ ବସିଛନ୍ତି। ପାହାଚ ପରେ ପାହାଚ ଅତିକ୍ରମ କରି ଉପରକୁ ଗଲୁ। ପଛକୁ ଚାହିଁଲା ବେଳକୁ ପରେଶ କେତେବେଳେ ସତର୍କତାର ସହ ତଳକୁ ଫେରିଗଲାଣି। ତାହା ମତେ ଜଣାନାହିଁ। ପୁଣି ଫେରିଯାଇ ତଳ ପାହାଚରୁ ପରେଶକୁ ଧରି ଧରି ଉପରକୁ ଆଣିଲି। ପରେଶ ଗୋଟାପଣେ ଥରୁଥାଏ ଓ କହୁଥାଏ, ‘ମୁଁ ଛାଡ଼ିବିନି, କହିବି, ସୁରଭାଇ କହିବାରୁ ମୁଁ ସେ କାର୍ଟୁନଗୁଡ଼ିକ କରିଛି।’ ‘ହଉ ତୁ କହିବୁ’ କହି ମୁଁ ତାକୁ ଧରି ଧରି ଉପରକୁ ନେଲି।

 

ବିଜୁବାବୁ ଚା ପିଉଥାନ୍ତି। ମତେ ଦେଖି କହିଲେ, କିରେ କୁଆଡ଼େ? ମୁଁ ପ୍ରଣାମ କଲି ଓ ପରେଶ ମଧ୍ୟ ପ୍ରଣାମ କଲା। କହିଲି, ‘ସାର୍ ଏଇ ସେଇ ପରେଶ ପ୍ରଧାନ ଯିଏ କାଲିର କାର୍ଟୁନ ଚିତ୍ର ଆଙ୍କିିଛି।’ ‘ବସ୍’ ବୋଲି କହିଲେ ମତେ। ପରେଶ ଛିଡ଼ା ହୋଇଥାଏ। ବିଜୁବାବୁ ପରେଶକୁ ଚାହିଁଲେ ଓ ପଚାରିଲେ, ‘କ’ଣ କରୁଛୁ?’ ପରେଶ କହିବା ଆଗରୁ ମୁଁ କହିଲି, ‘ସମାଜ’ରେ କାର୍ଟୁନ କରୁଛି ଓ ଟେବୁଲରେ କାମ କରୁଛି।’ ‘କେତେ ପାଉଛୁ’? ପରେଶ ଉତ୍ତର ଦେଲା, ସାର୍! ଆଜ୍ଞା 550 ଟଙ୍କା ପାଉଛି।’

 

‘ବାହାରେ ଚାକିରୀ କରିବୁ?’ କହି ଉତ୍ତର ପାଇବା ଆଗରୁ ଦିଲ୍ଲୀ ଫୋନ କଲେ ଏବଂ ଟାଇମ୍ସ ଅଫ୍‌ ଇଣୋଡିଆର ମାଲିକଙ୍କୁ ଫୋନରେ କହିଲେ, ‘ଆଇ ଆମ୍‌ ସେଣ୍ଡିଂ ଆନ୍‌ ୟଙ୍ଗ ଆଣ୍ଡ ପ୍ରମିଜିଂ କାର୍ଟୁନିଷ୍ଟ ଟୁ ୟୁ, ସି ହ୍ବେଦର ୟୁ କ୍ୟାନ ଆକୋମୋଡେଟ ହିମ୍‌!’ ତା ଛଡ଼ା ଅନ୍ୟାନ୍ୟ କଥା ମଧ୍ୟ ହେଲେ। ପରେଶକୁ କହିଲେ, ’ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହୋଇ ଥା’। ଦୁଇ ଦିନ ଛାଡ଼ି ଆସି ମତେ ଦେଖା କର। ଏଇ ସୁରକୁ ସାଙ୍ଗରେ ଆଣି ଆସିବୁ।’

 

ପରେଶର ଆତଙ୍କିତ ମୁଖ ମଣ୍ଡଳ ଖୁସିରେ ଉଜ୍ଜଳ ହୋଇଗଲା। ପରେ ଶୁଣିଲି ଯେ ଦୁଇ ଦିନ ପରେ ବିଜୁବାବୁ ପରେଶ ପାଇଁ ରାଜଧାନୀରେ ଟିକେଟ୍, ଦଶହଜାର ଟଙ୍କାର ଗୋଟିଏ ଲଫାପା ଓ ଦିଲ୍ଲୀରେ ରହିବାର ବନ୍ଦୋବସ୍ତ ମଧ୍ୟ କରି ଦେଇଥିଲେ। ପରେଶ ଟାଇମ୍ସ ଅଫ ଇଣ୍ଡିଆରେ ବର୍ତ୍ତମାନ ମୁଖ୍ୟ କାର୍ଟୁନିଷୋଟ ଓ ରିପୋର୍ଟର ଭାବରେ ଦିଲ୍ଲୀରେ କାର୍ଯ୍ୟରତ। ଖୁବ୍ ଖାତିର ପରେଶ ପ୍ରଧାନର ଦିଲ୍ଲୀ ଓ ଅନ୍ୟାନ୍ୟ ସ୍ଥାନରେ। ବିରାଟ ଘର ମଧ୍ୟ ଦିଲ୍ଲୀରେ ପାଇଛି। ଏବେ ନିକଟରେ ଶ୍ରେଷ୍ଠ କାର୍ଟୁନିଷ୍ଟ ଭାବରେ ପୁରସ୍କୃତ ହୋଇଛି ଏକ ଆର୍ନ୍ତଜାତୀୟ ସଂସ୍ଥା ପକ୍ଷରୁ।

 

ଏଇ ତ ବିଜୁବାବୁ! ତାଙ୍କର ବିଶାଳ ହୃଦୟ ପ୍ରତିଭାଧରମାନଙ୍କୁ ଆଗକୁ ଯିବା ପାଇଁ ପ୍ରେରଣାର ଉତ୍ସ। ଆଜି ମଧ୍ୟ ବିଜୁବାବୁଙ୍କୁ ଝୁରୁଛି ଓଡ଼ିଶାର ମାଟି ପାଣି ପବ। ମୋ ଜାଣତରେ ଆଜି ଜଣେ ଓଡ଼ିଆ ଯୁବ ପ୍ରତିଭା ଯେ କି ବିଜୁବାବୁଙ୍କ ପରି ବିଶାଳ ଉଦାର ହୃଦୟ ଓ କାର୍ଯ୍ୟ ଦକ୍ଷତା ନେଇ ସମଗ୍ର ବିଶ୍ବରେ ବେଶ୍ ନାଁ କରିଛନ୍ତି ସେ ହେଉଛନ୍ତି ଡ଼ଃ ଅଚ୍ୟୁତ ସାମନ୍ତ। ବିଜୁବାବୁଙ୍କ ପରି କଳିଙ୍ଗ ନାମକୁ ସେ ସାର୍ଥକତାର ମହାର୍ଘରେ ଭରିଦେଇଛନ୍ତି ତାଙ୍କର କିଟ୍ ଓ କିସ୍ ଜନସେବା ମାଧ୍ୟମରେ। ପ୍ରତ୍ୟେକଟି ଓଡ଼ିଆର ହୃଦୟରେ ଆଜି ବିଜୁବାବୁଙ୍କ ପ୍ରେରଣାର ଉତ୍ସ ଉଜ୍ଜୀବୀତ ହେଉ ଏବଂ ବିଶେଷ କରି ଓଡ଼ିଶାର ଶାସକବର୍ଗ, ନେତୃବର୍ଗ ବିଜୁବାବୁଙ୍କର ମହାନତା ଓ ବିଶାଳ ହୃଦୟବତ୍ତାର ଗୁଣଟିକିକ ଆହରଣ କରନ୍ତୁ- ଏତିକି କାମନା ଏଇ ଲେଖକର।  ଏହାହିଁ ହେବ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀରେ ତାଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

               

ମହାସଚିବ, ଚିନ୍ତା ଓ ଚେତନା, ଫୋନ- 9438731046


ପ୍ରତିକ୍ରିୟା

PURNACHANDRA RATH - Email: purnachandrarath@gmail.com - Posted on 2017-03-06 21:30:48

??????? ? ???????????? ?????? ????? ???????! ????? ???????? ? ???? ??? ??? ???? ???????? ????. ?????? ????? ?????? ???? ??? ?? ????? ??? ??? ??????? ? ??? ???? ?? ?????? ???????? ??????!

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top