କିମ୍ୱଦନ୍ତୀର ମହାନାୟକ

News Story - Posted on 2017-03-05

ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ

 

କିମ୍ୱଦନ୍ତୀର ମହାନାୟକ ସେ। ନିର୍ବିକାର ମଣିଷ। ଅହରହ ଚିନ୍ତା ଥିଲା ଓଡିଆ ଜାତି କିପରି ଆଗକୁ ବଢିବ, ବିଶ୍ୱ ଦରବାରରେ ଓଡିଶା କିପରି ଖ୍ୟାତି ଲାଭକରିବ। ତାହା ଥିଲା ବିଜୁ ବାବୁଙ୍କର ସ୍ୱପ୍ନ। ସମାଲୋଚନାରେ ସେ ଭାଙ୍ଗି ପଡୁ ନଥିଲେ କିମ୍ୱା ପ୍ରଶଂସା ଶୁଣି ଆତ୍ମହରା ହୋଇ ଯାଉ ନଥିଲେ। ଉଚ୍ଚ ମନ ଏବଂ ପ୍ରଶସ୍ତ ହୃଦୟର ଅଧିକାରୀ ଥିଲେ ସେ। ସଂକୀର୍ଣ୍ଣତା କିମ୍ୱା ହିନମନ୍ୟତା ତାଙ୍କୁ କେବେହେଲେ ଛୁଇଁପାରି ନଥିଲା। ସେ ଥିଲେ ଦୃଢ ମାନସିକତା ସଂପନ୍ନ ବ୍ୟକ୍ତି। ମାତୃଭୂମିର ସେବା ପାଇଁ ନିଜ ଜିଦ‌୍‍ ଆଗରେ ସେ କେବେ ହାରିଯାଉ ନଥିଲେ। ସେ ପ୍ରମାଣିତ କରିଥିଲେ ଦୃଢ ଇଚ୍ଛାଶକ୍ତି ଆଗରେ କୌଣସି ପ୍ରକାର ପ୍ରତିବନ୍ଧକ ବିଜୟ ଲାଭ କରି ପାରିବ ନାହିଁ। ନିଜ ଦୁଃସାହସିକତା ପାଇଁ ସେ ଯେତିକି ଖ୍ୟାତି ଲାଭ କରିଥିଲେ ଦୃଢ ଦେଶପ୍ରେମର ନଜିର ଦେଇ ସେତିକି ଜନପ୍ରିୟତା ହାସଲ କରିଥିଲେ। ସାଧାରଣ ମଣିଷ ବର୍ତ୍ତମାନ ବିଷୟରେ ଚିନ୍ତା କରୁଥିବା ବେଳେ ସେ ସୁଦୂର ଭବିଷ୍ୟତ ଚିନ୍ତାରେ ମଗ୍ନ ରହୁଥିଲେ। ସେ ଥିଲେ ସ୍ୱପ୍ନଦର୍ଶୀ, ଯାହା ଭାବୁଥିଲେ ତାକୁ କାର୍ଯକ୍ଷେତ୍ରରେ ପ୍ରତିଫଳିତ କରିବାକୁ ଚାହଁୁ ଥିଲେ। ଆଗାମି ପିଢି ପାଇଁ ପ୍ରେରଣାର ଉତ୍ସ ସାଜିଥିବା ସେହି ମହାନାୟକଙ୍କୁ ଏ ଓଡିଆ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ କେବେହେଲେ ଭୁଲି ପାରିବ ନାହିଁ। ଇତିହାସ ପୃଷ୍ଠାରେ ତାଙ୍କ ଜୀବନ ବୃତ୍ତାନ୍ତ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।

 

ଅଦମ୍ୟ ସାହସ ଏବଂ ଅସୀମ ବିରତ୍ୱର ପରିଚୟ ସୃଷ୍ଟି କରିଥିବା ସେହି ମହାମାନବ ଛାତ୍ର ଜିବନରୁ ଦେଶପ୍ରେମରେ ଅନୁପ୍ରାଣିତ ହୋଇଥିଲେ। ଛାତ୍ର ଥିବାବେଳେ କଟକ ସ୍ୱରାଜ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଦେଖିବାକୁ ଯାଇ ଗୋରା ସିପାହୀଙ୍କ ଲାଠି ମାଡର ଶିକାର ହୋଇଥିବା ବିଜୁବାବୁ ବ୍ରିଟିଶ ସରକାରଙ୍କ ଅନ୍ୟାୟ ବିରୁଦ୍ଧରେ ଲଢାଇ କରିବାର ଯେଉଁ ସଂକଳ୍ପ କରିଥିଲେ ପରବର୍ତ୍ତୀ ସମୟରେ ଭାରତ ଛାଡ ଆନ୍ଦୋଳନ ସମୟରେ ବ୍ରିଟିଶ ସରକାରଙ୍କ ପାଇଲଟ ଥାଇ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅରୁଣା ଆସଫ ଅଲ୍ଲୀ ପ୍ରଭୃତିଙ୍କୁ ବ୍ରିଟିଶ ବିମାନରେ ନେଇ ଗୁପ୍ତ ସ୍ଥାନରେ ପହଞ୍ଚାଇ ସେ ତାକୁ ପୂରଣ କରିଥିଲେ। ପରେ ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥିଲା ଏବଂ ସେ ଚାକିରିରୁ ବହିଷ୍କୃତ ହେବା ସହ ଗିରଫ ହୋଇ ଜେଲ ଦଣ୍ଡ ଭୋଗିଥିଲେ। ତଥାପି ସେ ଥିଲେ ଅଦମନୀୟ।

 

୧୯୪୭ର ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ହେଉ କିମ୍ୱା ୧୯୬୨ରେ ଚୀନର ଭାରତ ଆକ୍ରମଣ, ୧୯୪୭ରେ ପାକିସ୍ଥାନ ସେନାକୁ କାଶ୍ମୀରରେ ପ୍ରତିରୋଧ କରିବା ହେଉ କିମ୍ୱା ୧୯୬୫ରେ ଭାରତ-ପାକିସ୍ଥାନ ଯୁଦ୍ଧ ସବୁକ୍ଷେତ୍ରରେ ସେ ନିଜ ବୁଦ୍ଧି ଏବଂ ବୀରତ୍ୱର ପରିଚୟ ଦେଇ ଦେଶ ମାତୃକାର ଯଶ ରଖିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ଭଳି ଜଣେ ଯୋଗଜନ୍ମା, ତେଜସ୍ୱୀ, ଦୁଃସାହସୀ ଏବଂ ଯୁଗପୁରୁଷ ମହିରେ ଜନ୍ମ ହେବା ବିରଳ। ଓଡିଶାରେ ସେ ଯେତିକି ସମ୍ମାନର ଅଧିକାରି ହୋଇପାରିଛନ୍ତି ଦେଶ ଓ ବିଦେଶରେ ସେତିକି ସୁନାମ ଅର୍ଜ୍ଜନ କରିଛନ୍ତି। ଇଣ୍ଡୋନେସିଆ ଏବଂ ରୁଷ ଭଳି ଦେଶ ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ଭୂଷିତ କରିବା ପ୍ରତ୍ୟେକ ଓଡିଆ ପାଇଁ ଗୌରବର ବିଷୟ।

 

ଓଡିଆ ଜନ ମାନସରେ ପ୍ରବାଦପୁରୁଷ ଓ ଧରଣୀର କୃଷ୍ଣସାର ରୁପେ ପରିଚିତ ବିଜୁବାବୁ ପ୍ରଥମେ ୧୯୬୧ ମସିହାରେ ଜଣେ ସର୍ବକନିଷ୍ଠ ବ୍ୟକ୍ତି ଭାବରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ମଧ୍ୟ ଓଡିଶାର ଉନ୍ନତି ନିମିତ୍ତ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାଥିଲା ଅନନ୍ୟ। ପୁନର୍ବାର ୧୯୯୦ ମସିହାରେ ଐତିହାସିକ ବିଜୟ ଧ୍ୱଜା ଉଡାଇ ସେ ରଚିଯାଇଛନ୍ତି ଅନେକ କିର୍ତ୍ତିମାନ। ପାରାଦ୍ୱୀପ ବନ୍ଦର, ଦୈତାରି- ପାରାଦ୍ୱୀପ ଏକ୍ସପ୍ରେସ ରାଜପଥ, ଚୌଦ୍ୱାର-ବଡବିଲ ଠାରେ ଶିଳ୍ପ ପ୍ରତିଷ୍ଠା, ଭୁବନେଶ୍ୱର ବିମାନ ବନ୍ଦର ପ୍ରତିଷ୍ଠା, ରିଜିଓନାଲ କଲେଜ, ଓଡିଶା ଆଭିଏସନ ସେଣ୍ଟର, ସୁନାବେଡା ଠାରେ ମିଗ ବିମାନ କାରଖାନା, ତାଳଚେର ଥର୍ମାଲ, ବାଲିମେଳା ହାଇଡ୍ରୋ-ଇଲେଟ୍ରିକ ପ୍ରୋଜେକ୍ଟ, ଓ.ୟୁ.ଏ.ଟି, ବୁର୍ଲା ଇଞ୍ଜିନିୟରିଂ କଲେଜ, ରାଉରକେଲା ଇଞ୍ଜିନିୟରିଂ କଲେଜ, ସୈନିକ ସ୍କୁଲ‌୍‍, ଯାଜପୁରର ସୁକିନ୍ଦାଠାରେ ପ୍ରତିଷ୍ଠିତ କଳିଙ୍ଗ ନଗର ଶିଳ୍ପାଞ୍ଚଳ ଇତ୍ୟାଦି ତାଙ୍କ ସ୍ମୃତିର ସ୍ୱାକ୍ଷର ବହନ କରେ। ଏଥି ସହିତ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ ସହିତ ସେଥିରେ ମହିଳା ମାନଙ୍କ ପାଇଁ ସଂରକ୍ଷଣ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଣୟନ ମାଧ୍ୟମରେ ସେ ଏକ ସୁସ୍ଥ ଗଣତନ୍ତ୍ର ଓ ସାମାଜିକ ସମାନତାର ସ୍ୱପ୍ନ ସୃଷ୍ଟି କରିଯାଇଛନ୍ତି। ୧୧ ଟଙ୍କାରୁ ୨୫ ଟଙ୍କାକୁ ମଜୁରୀ ବୃଦ୍ଧି କରିବା ଶ୍ରମିକ ଏବଂ ତାଙ୍କ ପରିବାରମାନଙ୍କ ପ୍ରତି ବିଜୁ ବାବୁଙ୍କର ଥିବା ଶ୍ରଦ୍ଧାର ପରିପ୍ରକାଶ। କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରାଇ ଓଡିଶାକୁ ବିଶ୍ୱ ଦରବାର ରେ ପ୍ରତିଷ୍ଠା କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା।

 

ରାଜ୍ୟ ରାଜନୀତି ସହ ଭାରତ ବର୍ଷର ରାଜନୀତି କ୍ଷେତ୍ରରେ ବିଜୁବାବୁଙ୍କର ଭୂମିକା ଥିଲା ସ୍ୱତନ୍ତ୍ର। ୧୯୭୭-୮୦ ମସିହାରେ କେନ୍ଦ୍ରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିବା ବିଜୁ ବାବୁ ପରବର୍ତ୍ତୀ ସମୟରେ ଭି.ପି. ସିଂହ ଏବଂ ଏଚ.ଡି. ଦେବଗୌଡା ସରକାର ସମୟରେ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

 

୧୯୯୧ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଜୁବାବୁଙ୍କ ମନ୍ତ୍ରୀ ପରିଷଦରେ ଜଣେ ସଦସ୍ୟ ଭାବରେ ଯୋଗ ଦେଇ ରାଜ୍ୟବାସୀଙ୍କ ପାଇଁ ସେବା କରିବା ଦିଗରେ ଯେଉଁ ଗୁରୁମନ୍ତ୍ର ପାଇଛି ତାହା ପରବର୍ତ୍ତୀ ସମୟରେ ମୋତେ ଅନେକ ପ୍ରେରଣା ଯୋଗାଇଛି। ସେ ମୂଖ୍ୟମନ୍ତ୍ରୀ ଭାବରେ ଧୈର୍ଯ୍ୟର ସହ ଆମମାନଙ୍କ ଠାରୁ ସବୁ କଥା ଶୁଣୁଥିଲେ ଏବଂ ଉଦାର ଭାବରେ ସବୁ ବିଷୟର ସମାଧାନ କରୁଥିଲେ।

 

ତାଙ୍କ ହୃଦୟର ବିଶାଳତା ଏବଂ ଦୂରଦୃଷ୍ଟି ସଂପନ୍ନ ମାନସିକତା ତାଙ୍କୁ ଆଜି ଦେଇ ପାରିଛି ଏକ ସ୍ୱତନ୍ତ୍ର ପରିଚୟ। ସେ ଥିଲେ କଳିଙ୍ଗ ମାଟିର ସ୍ୱାଭିମାନର ସ୍ୱାକ୍ଷର। ଦଳୀୟ ରାଜନୀତିରେ ଥିଲେ ମଧ୍ୟ କ୍ଷମତା ତାଙ୍କର ବ୍ୟକ୍ତିସତ୍ତାକୁ କେବେହେଲେ ଗ୍ରାସ କରିପାରି ନଥିଲା। ତାଙ୍କ ଭଳି ଜଣେ ସ୍ୱାଭିମାନୀ ସ୍ୱାଧୀନଚେତା ମଣିଷ ଅନେକ ଥର ନିଜ ରାଜ୍ୟର ହକ‌୍‍ ପାଇବା ପାଇଁ କେନ୍ଦ୍ର ସରକାରଙ୍କ ସହ ଯୁଦ୍ଧଂ ଦେହି ଡାକରା ଦେବାକୁ ପଛାଉ ନଥିଲେ। ନଥିଲା କାହାର ନାଲି ଆଖିକୁ ଭୟ କିମ୍ୱା କ୍ଷମତା ହରାଇବାର ଆଶଙ୍କା। କଳିଙ୍ଗର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନିଜ ସ୍ମୃତିପଟ୍ଟରେ ସଦା ଉଜ୍ଜୀବିତ ରଖିଥିବା ସେହି ସଂଗ୍ରାମୀ ମଣିଷ ଜଣକ ମହାମେଘବାହାନ ଐର ଖାରବେଳଙ୍କ ବୀରତ୍ୱକୁ ପ୍ରତ୍ୟେକ ଓଡିଆଙ୍କୁ ସ୍ମରଣ କରାଇ ଏକ ସମୃଦ୍ଧ ଓ ସାହସୀ ଜାତି ଗଠନ ପାଇଁ ଆହ୍ୱାନ ଦେଉଥିଲେ। ଆଜି ତାଙ୍କ ଜନ୍ମ ଶତବାର୍ଷିକୀର ପୂର୍ତ୍ତି ଅବସରରେ ମୁଁ ଓଡିଶାର ସେହି ମହାମାନବଙ୍କ ପ୍ରତି ମୋର ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଓଡିଆ ଜାତି ପ୍ରତି ତାଙ୍କର ଆଶୀର୍ବାଦ କାମନା କରୁଛି।

 

୪୫୧, ନୟାପଲ୍ଲୀ, ଭୁବନେଶ୍ୱର-୧୨, ମୋ-୯୪୩୭୦୨୭୨୨୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top