ସବୁ ଲୁଗା ଓ ସୂତାକଳ ବନ୍ଦ

News Story - Posted on 2017-03-05

ଓଡ଼ିଶାରେ ଥିବା ୧୩ଟି ଯାକ ବୟନ ଶିଳ୍ପ ୟୁନିଟ‌୍‍ ଓ ଆଉ ୧୩ଟି ସୂତା କଳ ବନ୍ଦ ହୋଇପଡ଼ିଛି। ଏଗୁଡ଼ିକରୁ ଆଦୌ ଉତ୍ପାଦନ ହେଉନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ।

 

ରାଜ୍ୟରେ ଓଟିଏମ‌୍‍ ଓ ୧୨ଟି ସମବାୟ କଳ ତନ୍ତ ଓ ବୟନଶିଳ୍ପ ୟୁନିଟ‌୍‍ ବନ୍ଦ ରହିଥିବାରୁ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ କୌଣସି ବୟନଶିଳ୍ପ ସାମଗ୍ରୀ ଏଥିରୁ ଉତ୍ପାଦିତ ହୋଇନାହିଁ। ବୟନଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ସୂତା ଯୋଗାଇବା ଲାଗି ରାଜ୍ୟରେ ସମୁଦାୟ ୧୩ଟି ସୂତାକଳ ପ୍ରତିଷ୍ଠା କରାଯାଇଥିବା ବେଳେ ଏ ସମସ୍ତ ସୂତାକଳର ଉତ୍ପାଦନ କାର୍ଯ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ଏହି ବୟନ ଶିଳ୍ପର ପୁନରୁଦ୍ଧାର ପାଇଁ ବର୍ତ୍ତମାନ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

 

ସ୍ବର୍ଗତ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିବା ଚୌଦ୍ୱାରର ଓଟିଏମ‌୍‍ ସମେତ ରାହାମା, କେନ୍ଦ୍ରାପଡ଼ା, ଆଠଗଡ଼, ଢେଙ୍କାନାଳ, କଳାହାଣ୍ଡି, ମଧୁପାଟଣା, ଛତିଆ, ବାଜପୁର, ବ୍ରହ୍ମପୁର, ବରଗଡ଼, ତକତପୁର ଓ କେନ୍ଦୁକେଲାଠାରେ ଥିବା ୧୩ଟି ଯାକ ବୟନ ଓ କଳତନ୍ତ ୟୁନିଟ‌୍‍ ବନ୍ଦ ଥିବା ବେଳେ ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଜଗତ‌୍‍ସିଂହପୁର, କଟକ, ଖୋର୍ଦ୍ଧା, ଝାରସୁଗୁଡ଼ା, ମୟୂରଭଞ୍ଜ, ଗଞ୍ଜାମ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୧୩ଟି ସୂତାକଳ ବନ୍ଦ ହୋଇ ପଡ଼ିଥିବା ମନ୍ତ୍ରୀ ତାଙ୍କ ତାଲିକାରେ ଦର୍ଶାଇଛନ୍ତି।

 

ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ହାତ ଗଢ଼ା ଚୌଦ୍ୱାରର ଓଟିଏମ‌୍‍କୁ କାର୍ଯ୍ୟକ୍ଷମ କରିବା ପାଇଁ ୨୦୧୪ରୁ ଏଯାବତ‌୍‍ ଲଗାତର ଭାବେ ବିଧାୟକ ରାୟଙ୍କ ସମେତ ବହୁ ନେତା ବିଧାନସଭାର ପ୍ରାୟ ସବୁ ଅଧିବେଶନରେ ପ୍ରଶ୍ନ ଉଠାଉଥିବା ବେଳେ ଓଟିଏମ‌୍‍ ପୁନରୁଦ୍ଧାର ସମ୍ପର୍କରେ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ସରକାର କହି ଆସୁଛନ୍ତି।

 

ଏସବୁ ଲୁଗା ଓ ସୂତାକଳ ବନ୍ଦ ଥିବା ସର୍ତ୍ତ୍ବେ  ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୧,୩୮୦ କୋଟି ୭୬ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୯୬୭ ଲକ୍ଷ ବର୍ଗ ମିଟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଛି। ୨୦୦୯-୧୦ର ହସ୍ତତନ୍ତ ସୁମାରୀ ଅନୁଯାୟୀ ରାଜ୍ୟରେ ୪୩,୬୫୨ ସଂଖ୍ୟକ ହସ୍ତତନ୍ତ ଥିବା ବେଳେ ଏଗୁଡ଼ିକରେ ୬୯,୯୧୦ ଲୋକ କାମ ପାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚାଇଛନ୍ତି। ପୂର୍ବରୁ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଭାରତରୁ ବିଦେଶକୁ ଯେତେ ହସ୍ତତନ୍ତ ସାମଗ୍ରୀ ରପ୍ତାନି ହେଉଛି ତାହାର ମାତ୍ର ୦.୦୩ ପ୍ରତିଶତ ଓଡ଼ିଶାରୁ ଯାଉଛି।

 

ଓଡ଼ିଶାରେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ଯେଉଁ ବୁନିଆଦି ଓ ସମ୍ଭାବନା ରହିଛି ତାହାର ଉପଯୁକ୍ତ ବିନିଯୋଗ କରାଗଲେ ଅନ୍ୟୁନ ୧୦ ଲକ୍ଷ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ଓଡ଼ିଶାର ଅର୍ଥନୀତି ଏହାଦ୍ୱାରା ସମୃଦ୍ଧ ହୋଇପାରିବ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ରାଜ୍ୟ ସରକାର ବନ୍ଦ ଥିବା ଓଟିଏମ‌୍‍ ସମେତ ଅନ୍ୟ ସବୁ କଳତନ୍ତ, ବୟନଶିଳ୍ପ ୟୁନିଟ‌୍‍ ଓ ସୂତା କଳକୁ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଦାବି କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top