ଗରିବ ନୋହୁଁ, ଗରିବ ଚାଉଳ ଖାଉଁ!

News Story - Posted on 2017-03-05

ଓଡ଼ିଶାର ୪.୨୦ ଲକ୍ଷ ଲୋକଙ୍କ ମଧ୍ୟରୁ ୩.୨୩ ଲକ୍ଷ ଲୋକ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କିକିଆ ଚାଉଳ ଯୋଜନାର ହିତାଧିକାରୀ। ତଥାପି କହି ଓଡ଼ିଶାକୁ ଗରିବ କହିଲେ ଚାକରଚାକରାଣୀରେ ଭର୍ତ୍ତି ହୋଇଥିବା ବିଜୁ ଜନତା ଦଳର ନେତାମାନଙ୍କୁ ବାଧୁଛି। ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଓଡ଼ିଶାର ସ୍ବାଭିମାନ ଭୁଲୁଣ୍ଠିତ କରିଛି ବୋଲି ଅଭିଯୋଗ କରୁଛନ୍ତି। ଏଇ ଅଭିଯୋଗରେ ପୁଣି ବିଧାନସଭାକୁ ୪ ଦିନ ଅଚଳ କରାଯାଇଛି। ଓଡ଼ିଶା ଗରିବ ନୁହେଁ ତ ଏହାର ୮୦ ପ୍ରତିଶତ ଉପରେ ଲୋକ ଗରିବ ହେଲେ କେମିତି?

 

ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ‌୍‍ ଅନୁଯାୟୀ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୩,୨୬,୪୧,୮୦୦ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ସର୍ବଶେଷ ହିସାବ ଅନୁଯାୟୀ ୩,୨୩,୨୩,୧୦୮ ଲୋକ ଏବେ ଟଙ୍କିକିଆ ଚାଉଳ/ଗହମ ପାଉଛନ୍ତି। ଏହି ହିତାଧିକାରୀମାନଙ୍କ ପାଇଁ ଏବେ ମାସିକ ୧୫,୪୫,୯୦୭ କ୍ୱିଣ୍ଟାଲ ଚାଉଳ ଓ ୨,୪୭,୮୦୦ କ୍ୱିଣ୍ଟାଲ ଗହମ ରିହାତି ଦରରେ ଯୋଗାଇ ଦିଆଯାଉଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା।

 

ସେ କହିଛନ୍ତି ଯେ ଖାଉଟି କାର୍ଡ ପାଇଁ ୧ କୋଟି ୬ ଲକ୍ଷ ଆବେଦନ ଆସିଥିବା ବେଳେ ଅଦ୍ୟାବଧି ୮୬,୧୪,୨୨୨ ହିତାଧିକାରୀ ପରିବାରକୁ ରେସନ‌୍‍ କାର୍ଡ ଯୋଗାଇ ଦିଆଯାଇଛି। ଏହାଛଡ଼ା ଭୁଲ‌୍‍ ତଥ୍ୟ ଦେଇ ରେସନ‌୍‍ କାର୍ଡ ନେଇଥିବା ୧,୨୨,୨୯୨ ଅଯୋଗ୍ୟ ହିତାଧିକାରୀଙ୍କ ରେସନ‌୍‍ କାର୍ଡ ବାତିଲ କରାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ରିହାତି ମୂଲ୍ୟରେ କିଲୋ ପ୍ରତି ୩ ଟଙ୍କା ଦରରେ ଚାଉଳ ଓ ୨ ଟଙ୍କା ଦରରେ ଗହମ ଯୋଗାଉଛନ୍ତି। କେନ୍ଦ୍ର ସରକାର ରିହାତି ଆକାରରେ ଚାଉଳ କିଲା ପ୍ରତି ୨୭ ଟଙ୍କା ୯୪ ପଇସା ଓ ଗହମ କିଲୋ ପ୍ରତି ୨୦ ଟଙ୍କା ବହନ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧ ଜନଗଣନା ବେଳକୁ ଓଡ଼ିଶାରେ ୯୬ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରରେ ପ୍ରାୟ ୪ କୋଟି ୨୦ ଲକ୍ଷ ଲୋକ ଥିଲେ।

ଯୋଗାଣ ମନ୍ତ୍ରୀ ପୁଣି ଉଲ୍ଲେଖ କରିଛନ୍ତି ଯେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇ ଶସ୍ତାରେ ଚାଉଳ ଗହମ ପାଇବା ଲାଗି ନୂଆ ରେସନ‌୍‍ କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ୬,୭୮୬ ମାମଲା ରୁଜୁ କରାଯାଇଥିବା ବେଳେ ୩୫୩ ଜଣଙ୍କୁ ଗିରଫ କରାଯାଇଥିଲା। ଏଥିମଧ୍ୟରୁ ଅଧିକାଂଶ ମାମଲା ପ୍ରତ୍ୟାହାର କରାଯାଇଛି। ଅଯୋଗ୍ୟ ହିତାଧିକାରୀମାନେ ଉଠାଇଥିବା ସାମଗ୍ରୀ ବାବଦକୁ ୪୨,୧୩,୬୭,୨୬୮ ଟଙ୍କା ଆଦାୟ କରାଯାଇଛି। ତେବେ ପରବର୍ତ୍ତୀ ସମୟରେ ଆଦାୟ ଅର୍ଥରୁ ୨୨,୫୬,୧୯,୪୮୬ ଟଙ୍କା ଫେରସ୍ତ ଦିଆଯାଇଛି।

 

ରାଜ୍ୟର ବହୁ ଅଭାବୀ ପରିବାର ଏଯାବତ‌୍‍ ନୂଆ ରେସନ‌୍‍ କାର୍ଡ ପାଇନଥିବାରୁ ଟଙ୍କିକିଆ ଚାଉଳ ଯୋଜନାରୁ ବଞ୍ଚିତ ହେଉଥିବା ଦର୍ଶାଇ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ସୀମିତ ସମୟ ମଧ୍ୟରେ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଶିବିର କରି ଉପେକ୍ଷିତ ହିତାଧିକାରୀମାନଙ୍କୁ ଚିହ୍ନଟ ସହିତ ନୂଆ ରେସନ‌୍‍ କାର୍ଡ ବାଣ୍ଟିବା ଲାଗି ପରାମର୍ଶ ଦେଇଛନ୍ତି।

 

ନବୀନ ସରକାରଙ୍କ ହିତାଧିକାରୀ ଚୟନ ଓ ଦିଲିପ ରାୟଙ୍କ ଏଭଳି ବୟାନରୁ ବୋଧ ହେଉଛି ଓଡ଼ିଶାରେ ଗରିବ ମାନ୍ୟତା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥାଉ ବା ନଥାଉ ନେତାମାନେ କିନ୍ତୁ ଭୋଟ ବ୍ୟାଙ୍କ ଗଢ଼ିବାକୁ ଅଧିକରୁ ଅଧିକ ଲୋକଙ୍କୁ ଗରିବ ତାଲିକାରେ ଗଣିବାକୁ ଖୁବ ଭଲ ପାଉଛନ୍ତି।

 

କେବଳ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ନୁହେଁ, ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ଏହା ପ୍ରମାଣ କରୁଛି। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ଏବେ ସୁଦ୍ଧା ୬୦ ଲକ୍ଷରୁ ଅଧିକ କର୍ମପତ୍ର ମଂଜୁର କରିଛନ୍ତି। ଏହାର ଅର୍ଥ ଏହି ୬୦ ଲକ୍ଷ କର୍ମପତ୍ର ଯେଉଁମାନଙ୍କୁ ମଂଜୁର ହୋଇଛି ସେମାନଙ୍କ ପରିବାର ହେଲେ ଗରିବ। କାରଣ ଆଇନ ଅନୁସାରେ କେବଳ ଦାରିଦ୍ର୍ୟ ସୀମାରେଖ ତଳେ ଥିବା ପରିବାରର ଲୋକମାନେ ହିଁ ଏମଜିଏନଆରଇଜିଏ ଯୋଜନାର ହିତାଧିକାରୀ ହୋଇପାରିବେ।

 

ଏହା ବାଦ ଅଛି ପୁଣି ସାମାଜିକ ଭତ୍ତା ଯୋଜନା। ରାଜ୍ୟ ସରକାର ପ୍ରଚଳନ କରିଥିବା ମଧୁବାବୁ ଭତ୍ତା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଇତିମଧ୍ୟରେ ୫୦ ଲକ୍ଷକୁ ବୃଦ୍ଧି ପାଇଛି। ଏହି ଯୋଜନା ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ।

 

ଏସବୁ ହିତାଧିକାରୀମାନେ ତେବେ ଗରିବ ନା ଧନୀ? ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗରିବ କହିବାରୁ ପାଟିତୁଣ୍ଡ କରୁଥିବା ବିଜେଡି ନେତାମାନେ ଏ ପ୍ରଶ୍ନର ଉତ୍ତର ଦେବା ଉଚିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ପଷ୍ଟ କରିବା ଉଚିତ ଯେ ଏହି ‘ଗରିବ’ ହିତାଧିକାରୀମାନେ ବାସ୍ତବରେ ଗରିବ ନୁହନ୍ତି, ସେମାନେ ବିଜେଡିର ଭୋଟ ବ୍ୟାଙ୍କ ହୋଇଥିବାରୁ ସରକାର ସେମାନଙ୍କୁ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ହିତାଧିକାରୀ ତାଲିକାରେ ସାମିଲ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top