କ୍ଷେତ ଆଳୁରୁ ଖାତା ଆଳୁ ୫ ଗୁଣ ଅଧିକ!

News Story - Posted on 2017-03-01

 

ଓଡ଼ିଶାରେ ଚାଷୀ କ୍ଷେତରେ ଫଳୁଥିବା ଆଳୁ ଓ ସରକାରୀ ଖାତାରେ ଥିବା ଆଳୁ ଉତ୍ପାଦନ ହିସାବ ଭିତରେ ଆକାଶ-ପାତାଳ ଫରକ‌୍‍। କେବଳ ସେତିକି ନୁହେଁ ବିଧାନସଭାରେ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ବର୍ଷୱାରି ଆଳୁ ଉତ୍ପାଦନ ସଂକ୍ରାନ୍ତ ତଥ୍ୟରେ ବି ୩/୪ ଗୁଣ ତଫାତ‌୍‍ ରହୁଛି। ଏଥିରୁ କ୍ଷେତ ଆଳୁ ଓ ଖାତା ଆଳୁ ଭିତରୁ କେଉଁଟି ଠିକ‌୍‍ ସେଥିଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟ ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ କେତେ ଆଳୁ ଉତ୍ପାଦିତ ହୋଇଛି ତାହା ଜାଣିବାକୁ ଚାହିଁଥିବା ବେଳେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୧୧-୧୨ ବର୍ଷରେ ରାଜ୍ୟରେ ୨,୦୧,୦୪୯ ମେଟ୍ରିକ‌୍‍ ଟନ‌୍‍ ଆଳୁ ଉତ୍ପାଦିତ ହୋଇଥିବା ବେଳେ ଏହି ପରିମାଣ ୨୦୧୨-୧୩ ବର୍ଷରେ ଥିଲା ୨,୦୧,୦୬୩ ମେଟ୍ରିକ‌୍‍ ଟନ‌୍‍। ୨୦୧୩-୧୪ ବର୍ଷରେ ରାଜ୍ୟରେ ୨,୪୯,୭୫୯ ମେଟ୍ରିକ‌୍‍ ଟନ‌୍‍ ଆଳୁ ଉତ୍ପାଦିତ ହୋଇଥିବା ବେଳେ ୨୦୧୪-୧୫ରେ ୨,୬୮,୪୮୯ ମେଟ୍ରିକ‌୍‍ ଟନ‌୍‍ ଓ ୨୦୧୫-୧୬ରେ ୨,୭୮,୭୪୭ ମେଟ୍ରିକ‌୍‍ ଟନ‌୍‍ ଆଳୁ ଉତ୍ପାଦିତ ହୋଇଛି।

 

ଅନ୍ୟପକ୍ଷରେ ବିଧାନସଭାର ଚଳିତ ବଜେଟ‌୍‍ ଅଧିବେଶନ ସମୟରେ ଉପସ୍ଥାପିତ ଓଡ଼ିଶା ଆର୍ଥିକ ସର୍ଭେ ୨୦୧୬-୧୭ ରିପୋର୍ଟର ୬୫ ପୃଷ୍ଠାରେ ଉଲ୍ଲେଖ କରାଯାଇଛି ଯେ ୨୦୧୧-୧୨ ବର୍ଷରେ ଓଡ଼ିଶାରେ ୬୩ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଉତ୍ପାଦିତ ହୋଇଥିଲା ବେଳେ ୨୦୧୨-୧୩ରେ ୬୫ ହଜାର ମେଟ୍ରିକ‌୍‍ ଟନ‌୍‍,୨୦୧୩-୧୪ରେ ୭୧ ହଜାର ମେଟ୍ରିକ‌୍‍ ଟନ‌୍‍, ୨୦୧୪-୧୫ରେ ୧୦୪ ହଜାର ମେଟ୍ରିକ‌୍‍ ଟନ‌୍‍ ଓ ୨୦୧୫-୧୬ ବର୍ଷରେ ୫୭ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଉତ୍ପାଦିତ ହୋଇଛି। କୃଷି ଓ ଖାଦ୍ୟ ଉ୍ୱାଦନ ନିର୍ଦ୍ଦେଶାଳୟ, ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ତଥ୍ୟ ଆଧାରରେ ଆର୍ଥିକ ସର୍ଭେ ରିପୋର୍ଟରେ ରାଜ୍ୟର ଆଳୁ ଉତ୍ପାଦନ ସଂକ୍ରାନ୍ତରେ ଉପରୋକ୍ତ ତଥ୍ୟ ଦିଆଯାଇଛି। ବିଧାନସଭାରେ ଉପସ୍ଥାପିତ କୃଷିମନ୍ତ୍ରୀଙ୍କ ଉତ୍ତର ଓ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଆର୍ଥିକ ସର୍ଭେ ରିପୋର୍ଟରେ ଗତ ୫ ବର୍ଷର ଆଳୁ ଉତ୍ପାଦନ ସଂକ୍ରାନ୍ତରେ ଯେଉଁ ପରସ୍ପର ବିରୋଧୀ ତଥ୍ୟ ଦିଆଯାଇଛି ସେଥିରେ ଆକାଶ-ପାତାଳ ତଫାତ‌୍‍ ଥିବାରୁ ପ୍ରକୃତରେ ଚାଷୀଙ୍କ କ୍ଷେତ୍ରରେ କେତେ ଆଳୁ ଫଳୁଛି ଓ ସରକାରୀ ଖାତାରେ କେତେ ଆଳୁ ଫଳାଯାଉଛି ତାହା ଉପରେ ବିଧାୟକ ଶ୍ରୀ ରାୟ ପ୍ରଶ୍ନ ଉଠାଇଛନ୍ତି।

 

ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୧୫-୧୬ ବର୍ଷରେ କୃଷକମାନଙ୍କୁ ହେକ୍ଟର ପିଛା ଆଳୁ ଚାଷ ନିମନ୍ତେ ୩୦ ହଜାର ଟଙ୍କା ଓ ୨୦୧୬-୧୭ ବର୍ଷରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୧୭-୧୮ ବର୍ଷରେ ହେକ୍ଟର ପ୍ରତି ୧୫ ହଜାର ଟଙ୍କାର ସହାୟତା ପ୍ରଦାନ ପାଇଁ ଯୋଜନା ରହିଛି। ଆଳୁ ମିଶନ‌୍‍ ଆରମ୍ଭରୁ ୨୦୧୫-୧୬ ବର୍ଷରେ ୨୦ ହଜାର ହେକ୍ଟର ଜମିରେ ଆଳୁ ଚାଷ କରି ୩ ଲକ୍ଷ ୭୪ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଉ୍ୱାଦନ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଏହି ବର୍ଷରେ ୨୫,୧୮୩ ହେକ୍ଟର ଜମିରେ ଆଳୁ ଚାଷ କରାଯାଇ ୨ ଲକ୍ଷ ୭୮ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଫଳାଯାଇଛି। ୨୦୧୬-୧୭ ବର୍ଷରେ ୨୫ ହଜାର ହେକ୍ଟର ଜମିରେ ୪ ଲକ୍ଷ ୬୮ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଫଳାଇବାକୁ ଲକ୍ଷ୍ୟ ଥିବା ବେଳେ ୨୫,୧୮୩ ହେକ୍ଟର ଜମିରେ ଆଳୁ ଚାଷ ହୋଇଛି। ୨୦୧୭-୧୮ ବର୍ଷରେ  ୩୫ ହଜାର ହେକ୍ଟର ଜମିରେ ୬ ଲକ୍ଷ ୫୫ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଫଳାଇବାକୁ ଆଳୁ ମିଶନ‌୍‍ ଆରମ୍ଭରୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ମହାରଥୀ ବିଧାୟକ ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି।

 

ତେବେ ୦୭.୧୨.୨୦୧୬ରେ ବିଧାୟକ ଶ୍ରୀ ରାୟଙ୍କ ଅନୁରୂପ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ ଯେ ୨୦୧୫-୧୬ ବର୍ଷରେ ୩୦ ହଜାର ହେକ୍ଟର ଜମିରେ ୫ ଲକ୍ଷ ୨୮ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଫଳାଇବାକୁ ଆଳୁ ମିଶନ‌୍‍ ଲକ୍ଷ୍ୟ ରଖିଥିଲା। ସେହିପରି ୨୦୧୬-୧୭ ବର୍ଷରେ ୪୫ ହଜାର ହେକ୍ଟର ଜମିରେ ୮,୦୯,୭୫୦ ମେଟ୍ରିକ‌୍‍ ଟନ‌୍‍ ଓ ୨୦୧୭-୧୮ରେ ୬୦ ହଜାର ହେକ୍ଟର ଜମିରେ ୧୧,୧୨,୦୦୦ ମେଟ୍ରିକ‌୍‍ ଟନ‌୍‍ ଆଳୁ ଫଳାଇବାକୁ ଆଳୁ ମିଶନ‌୍‍ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୩ ମାସ ଭିତରେ ଆଳୁ ମିଶନ‌୍‍ର ଆଳୁ ଚାଷ ଓ ଆଳୁ ଉତ୍ପାଦନ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଘେନି ବିଧାନସଭାରେ କୃଷିମନ୍ତ୍ରୀ ଦେଇଥିବା ଦୁଇଟି ଉତ୍ତରରେ ବି ଆକାଶ-ପାତାଳ ତଫାତ‌୍‍। ଏ ଦୁଇଟି ଉତ୍ତର ମଧ୍ୟରୁ କେଉଁଟି ଠିକ‌୍‍ ସେଥିଘେନି ମଧ୍ୟ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। 


ପ୍ରତିକ୍ରିୟା

amitabh patra - Email: amitabhpatra@gmail.com - Posted on 2017-03-04 21:51:37

https://www.facebook.com/photo.php?fbid=10153356806464059&set=a.10150204855284059.333213.596664058&type=3&theater

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top