ବନ୍ଦ ହେବ ୭ ଲକ୍ଷ ଖୋଳ କମ୍ପାନୀ!

News Story - Posted on 2017-02-28

କଳାଧନ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇ ପାରନ୍ତି ସରକାର। ଆନୁଷ୍ଠାନିକ ଭାବେ ବେଆଇନ ଅର୍ଥ କାରବାର ଚଳାଇଥିବା ପ୍ରାୟ ୭୦୦ ଖୋଳ ବା ଆବରଣ କମ୍ପାନୀଙ୍କୁ ବନ୍ଦ କରିବା ଚିନ୍ତା କରାଯାଉଛି। ଏହି କମ୍ପାନୀଗୁଡ଼ିକ ନାମକୁ ମାତ୍ର ବ୍ୟବସାୟ କରନ୍ତି କିନ୍ତୁ ବିପୁଳ ପରିମାଣର ଅର୍ଥ କାରବାର କରିଥାନ୍ତି। ବିମୁଦ୍ରାକରଣ ପରେ ଏସବୁ କମ୍ପାନୀ ଜରିଆରେ ବିପୁଳ ପରିମାଣର ପୁରୁଣା ନୋଟ ବ୍ୟାଙ୍କରେ ଜମା ହୋଇଛି।

 

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭାରତରେ ଏବେ ଏପରି ପ୍ରାୟ ୬-୭ ଲକ୍ଷ ଖୋଳ କମ୍ପାନୀ ରହିଛନ୍ତି। ଏଗୁଡ଼ିକର ମୂଳ ପୁଂଜି ଅତ୍ୟନ୍ତ ନଗଣ୍ୟ, ବଜାରରେ ପ୍ରାୟତ ନିଷ୍କ୍ରିୟ ଥାଆନ୍ତି। କିନ୍ତୁ ମଝିରେ ମଝିରେ ଏସବୁ କମ୍ପାନୀକୁ ଟଙ୍କା ଆସେ ଓ ପୁଣି ବାହାରିଯାଏ। ହିସାବ ଖାତାରେ ଏଭଳି କମ୍ପାନୀ ବିପୁଳ ପରିମାଣର ଜମା ଦର୍ଶାଇଥାନ୍ତି। ବିମୁଦ୍ରାକରଣ ପରେ ଏସବୁ କମ୍ପାନୀ ବ୍ୟାପକ ମନି ଲଣ୍ଡରିଂ ବା ବେଆଇନ ଅର୍ଥ କାରବାର କରିଥିବା ସରକାର ଜାଣିବାକୁ ପାଇଛନ୍ତି।

 

ଏସବୁ କମ୍ପାନୀଙ୍କର ବେଆଇନ କାରବାର ଓ କଳାଧନ ସଂପର୍କରେ ସଠିକ ଓ ସବିଶେଷ ତଥ୍ୟ ଜାଣିବାକୁ ସରକାର କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ ବା ସିବିଡିଟି ସମେତ ବହୁ ସଂସ୍ଥାଙ୍କୁ ନିୟୋଜିତ କରିଛନ୍ତି। ବିସ୍ତୃତ ରିପୋର୍ଟ ମିଳିବା ପରେ ସରକାର ଏସବୁ କମ୍ପାନୀଙ୍କ ପଂଜୀକରଣ ରଦ୍ଦ କରିଦେଇ ପାରନ୍ତି କିମ୍ୱାର ଏଗୁଡ଼ିକର ବ୍ୟାଙ୍କ ଖାତା ଅଚଳ କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଭଳି କମ୍ପାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି।

 

ସରକାରଙ୍କ ପାଖରେ ଏଯାଏଁ ଉପଲବ୍ଧ ଥିବା ତଥ୍ୟ ଅନୁସାରେ ୫୪ ଜଣ ପେସାଦାରଙ୍କ ସହାୟତାରେ ୪୪୯ ଜଣ ଲୋକ ବିମୁଦ୍ରାକରଣ ପରେ ୩୯୦୦ କୋଟି ଟଙ୍କା ବେଆଇନ ଭାବେ ଚାଲାଣ କରିଛନ୍ତି। ବିମୁଦ୍ରାକରଣ ପରେ କେତେକ ଖୋଳ ବା ଆବରଣ କମ୍ପାନୀରେ ୧୨୩୮ କୋଟି ଟଙ୍କା ଜମା ହୋଇଛି। ସିରିୟସ ଫ୍ରଡ଼ ଇନଭେଷ୍ଟିଗେସନ ଅଫିସ ବା ଏସଏଫଆଇଓ ଇତିମଧ୍ୟରେ ୪୯ ଖୋଳ କମ୍ପାନୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

 

ଏସବୁ ଜାଲି କମ୍ପାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ରାଜସ୍ୱ ଓ କର୍ପୋରେଟ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତରେ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କ ଫୋର୍ସରେ ବିଭିନ୍ନ ମନ୍ତ୍ରଣାଳୟ ଓ ପ୍ରବର୍ତ୍ତନ ସଂସ୍ଥାର ପ୍ରତିନିଧିମାନେ ରହିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top