ଅଭିବୃଦ୍ଧି ହାର ଖସିଛି, ବଢ଼ିବ!

News Story - Posted on 2017-02-28

ଶେଷରେ ସ୍ୱୀକାର କରିଛନ୍ତି ସରକାର। ବିମୁଦ୍ରାକରଣର ପ୍ରଭାବ ପଡ଼ିଛି। ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହୋଇଯାଇଛି। ଗତ ବର୍ଷ ଅକ୍ଟୋବର-ଡିସେମ୍ୱର ମଧ୍ୟରେ ଶେଷ ହୋଇଥିବା ୨୦୧୬-୧୭ ବର୍ଷର ତୃତୀୟ ତିମାସିଆରେ ଭାରତର ଆର୍ଥିକ ପ୍ରଗତି ହାର ୭ ପ୍ରତିଶତକୁ ଖସି ଯାଇଛି। ସେହିବର୍ଷ ଜୁଲାଇ-ସେପ୍ଟେମ୍ୱର ତିମାସିଆ ଶେଷରେ ଏହି ହାର ୭.୪ ପ୍ରତିଶତ ଥିଲା। ଏହା ଘୋଷଣା କରିଛନ୍ତି ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଶକ୍ତିକାନ୍ତ ଦାସ। ଏହା ସତ୍ତ୍ବେ ଭାରତୀୟ ଅର୍ଥନୀତି ବିଶ୍ୱର ଦ୍ରୁତ ପ୍ରଗତିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି ବୋଲି ସେ କହିଛନ୍ତି।

 

କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବିମୁଦ୍ରାକରଣର ସାମୟିକ ପ୍ରଭାବ ଥିଲା, ଏହା ଦୂର ହୋଇସାରିଛି। ବିମୁଦ୍ରାକରଣର ପ୍ରଭାବ ନେଇ ଅନେକ ଲୋକ ଅଧିକ ଆକଳନ କରିଥିଲେ। ସେମାନେ ଭୁଲ ଥିଲେ। ଆମର ମୋଟ ଘରୋଇ ଉପିାଦ ବା ଜିଡିପି ଏବେ ବି ୭ ପ୍ରତିଶତ ହାରରେ ଅଗ୍ରଗତି କରୁଛି। ଏହି ହାର ଏବେ ବି ବିଶ୍ୱରେ ସର୍ବାଧିକ। ଚୀନର ଏହି ହାର ହେଉଛି ୬.୮ ପ୍ରତିଶତ।

 

ଗତ ବର୍ଷ ଜୁଲାଇ-ସେପ୍ଟେମ୍ୱର ତିନି ମାସିଆ ସୁଦ୍ଧା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଥିଲା ୭.୪ ପ୍ରତିଶତ। ନଭେମ୍ୱର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ କଲେ। ଏହା ଫଳରେ ସାରା ଦେଶରେ କାରବାର ମାନ୍ଦା ହୋଇଗଲା। ଚାରି ଆଡେ଼ ଏହା ବିରୋଧରେ ପ୍ରତିକ୍ରିୟା ସୃଷ୍ଟି ହେଲା। ଏହାର ପ୍ରଭାବରେ ଭାରତୀୟ ଜିଡିପି ଅଭିବୃଦ୍ଧି ହାର ଅନେକଟା ଖସିଯିବ ବୋଲି ଆକଳନ କରାଗଲା। ଅକ୍ଟୋବର-ଡିସେମ୍ୱର ତିନି ମାସିଆ ପାଇଁ ରଏଟର୍ସର ଆକଳନ ଥିଲା ୬.୪ ପ୍ରତିଶତ ଅଭିବୃଦ୍ଧି।

 

ଏବେ ବି ଅନେକ ଅର୍ଥନୀତିଜ୍ଞ ଜିଡିପି ଅଭିବୃଦ୍ଧିର ଗତି ନେଇ ସନ୍ଦିହାନ ଅଛନ୍ତି। ସେମାନଙ୍କ ମତରେ ଏବେ ବି ବଜାରରେ ନଗଦ ପରିସ୍ଥିତି ସୁଧୁରି ନାହିଁ। ତେଣୁ କାରବାର ମାନ୍ଦା ରହିଛି। କ୍ରମାଗତ ତୃତୀୟ ମାସ ପାଇଁ ଦେଶରେ ଦୁଇ ଚକିଆ ଗାଡ଼ି ବିକ୍ରି କମ ରହିଛି। କାରଖାନା ଉତ୍ପାଦନ ମଧ୍ୟ କମିଛି। ଏହାର ପ୍ରଭାବରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହେଉଥିବା ଆଥିର୍କ ବର୍ଷରେ ଭାରତର ଆର୍ଥନୀତିକ ଅଭିବୃଦ୍ଧି ହାର ୬.୬ ପ୍ରତିଶତକୁ ଖସିଯିବ ବୋଲି ଆକଳନ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି। ପୂର୍ବରୁ ଏହି ଆକଳନ ଥିଲା ୭.୬ ପ୍ରତିଶତ। ତେବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କହିଥିଲା ଯେ ୨୦୧୭-୧୮ ବର୍ଷର ଶେଷ ବେଳକୁ ଭାରତର ଆର୍ଥିକ ପ୍ରଗତି ହାର ୭.୨ ପ୍ରତିଶତ ଛୁଇଁଥିବ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪-୧୫ ବର୍ଷ ଶେଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଓ ୨୦୧୫-୧୬ ଶେଷରେ ୭.୬ ପ୍ରତିଶତ ଥିଲା। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top