ହଗି ଗଲେ ବି ହେଲିକପ୍ଟର!

News Story - Posted on 2017-02-28

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିମାନ ଯାତ୍ରା ପାଇଁ ୫ ବର୍ଷରେ ଖର୍ଚ୍ଚ ହୋଇଛି ୩୦.୮୧ କୋଟି ଟଙ୍କାରୁ ଅଧିକ ଅର୍ଥ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି। ସରକାରଙ୍କ ଉତ୍ତରରୁ ଜଣାପଡ଼ିଛି ଯେ ନବୀନବାବୁ ନବୀନ ନିବାସରୁ ଡେରାସ ଫାର୍ମ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ଜଟଣୀ ଆଦି ସ୍ଥାନକୁ ମଧ୍ୟ ହେଲିକପ୍ଟର ଓ ବିମାନରେ ଯାଇଛନ୍ତି। ଏହା ଜଣାପଡ଼ିବା ପରେ ଜଣେ ବିଧାୟକ କହିଛନ୍ତି ଯେ ସେ ହଗିଗଲେ ବି ହେଲିକପ୍ଟର ନେଇପାରନ୍ତି! ପ୍ରଜା ତ ଟିକସ ଦେଉଛନ୍ତି, ରାଜା ଅୟସ କଲେ କ୍ଷତି କ’ଣ?

 

ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀକୁ ଓ ରାଜ୍ୟର ଅନ୍ୟ ସ୍ଥାନକୁ ତଥା ରାଜ୍ୟ ବାହାରର କେଉଁ କେଉଁ ସ୍ଥାନକୁ ବିମାନ ଯୋଗେ ଯାତ୍ରା କରିଛନ୍ତି ଓ ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିତରେ ତଥା ଭୁବନେଶ୍ୱରରେ କେଉଁ ବର୍ଷ ସଡ଼କ ପଥରେ କେତେ କିଲୋମିଟର ତାଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଗାଡ଼ିରେ ଯାତ୍ରା କରିଛନ୍ତି ଓ ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।

 

ଏହାର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ପ୍ରଥମ ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୨ ମାର୍ଚ୍ଚ ୬ରୁ ୨୦୧୬ ଜୁଲାଇ ୧୮ ମଧ୍ୟରେ ମୁଖ୍ୟମନ୍ତ୍ରୀ ୩୦ ଥର ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଏଥିମଧ୍ୟରେ ଥରେ ସେ ନୂଆଦିଲ୍ଲୀରୁ ଲଣ୍ଡନ ମଧ୍ୟ ଯାଇଥିବା ଜଣାପଡ଼ିଛି। ଏହି ବିମାନ ଯାତ୍ରା ବାବଦରେ ୨୦୧୨-୧୩ରୁ ୨୦୧୬-୧୭ ଆଥିର୍କ ବର୍ଷ ମଧ୍ୟରେ ୧୯,୭୪,୩୫୯ ଟଙ୍କା ଖର୍ଚ୍ଚ ହୋଇଛି।

 

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରଦାନ କରିଥିବା ଅନ୍ୟ ବିସ୍ତୃତ ତଥ୍ୟରେ ମୁଖ୍ୟମନ୍ତ୍ରୀ ୨୦୧୨ ମଇ ୧୦ ତାରିଖରୁ ୨୦୧୬ ଡିସେମ୍ୱର ୨୪ ତାରିଖ ମଧ୍ୟରେ ଆଉ ୨୧୫ ଥର ଘରୋଇ ବିମାନରେ ଯାତ୍ରା କରିଛନ୍ତି। ଏଥିମଧ୍ୟରୁ ୫ଟି ଚାର୍ଟର ଫ୍ଲାଇଟ‌୍‍, ୧୬ଟି ଯାତ୍ରା ଏୟାରକ୍ରାଫ୍ଟ ଯୋଗେ ହୋଇଥିବା ବେଳେ ଅବଶିଷ୍ଟ ଯାତ୍ରା ହେଲିକପ୍ଟର ଯୋଗେ ହୋଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଣା ଯାଇଥିବା ଏୟାରକ୍ରାଫ୍ଟ ଓ ଚାର୍ଟର ଫ୍ଲାଇଟ‌୍‍ ବାବଦରେ ଏହି ସମୟ ମଧ୍ୟରେ ୩୩୬ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ହୋଇଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହିତ ବିଭିନ୍ନ ସ୍ଥାନକୁ ଗସ୍ତ କରିଥିବା ଅନ୍ୟ ମନ୍ତ୍ରୀମାନଙ୍କ ପାଇଁ ହେଲିକପ୍ଟର ବାବଦରେ ଏହି ସମୟ ମଧ୍ୟରେ ଖର୍ଚ୍ଚ ହୋଇଛି ୨୭୨୫ ଲକ୍ଷ ୧୭ ହଜାର ୧୪୮ ଟଙ୍କା। ମୋଟାମୋଟି ଭାବେ ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟର, ଚାର୍ଟର ଫ୍ଲାଇଟ‌୍‍, ଏୟାରକ୍ରାଫ୍ଟ ଓ ସେ ଦିଲ୍ଲୀ ଓ ଲଣ୍ଡନ ଯାଇଥିବା ବିମାନ ଭଡ଼ା ବାବଦରେ ମୋଟାମୋଟି ଖର୍ଚ୍ଚ ହୋଇଛି ୩୦ କୋଟି ୮୧ ଲକ୍ଷ ୪୨ ହଜାର ୫୦୭ ଟଙ୍କା।

 

ଭଡ଼ାରେ ଅଣାଯାଇଥିବା ଏହି ଘରୋଇ ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଚେନ୍ନାଇ, ଭାଇଜାଗ‌୍‍, ରାୟପୁର, ନୂଆଦିଲ୍ଲୀ ଆଦି ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ହେଲିକପ୍ଟର ଯୋଗେ ଏହି ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକୁ ବାରମ୍ୱାର ଗସ୍ତ କରିଥିବା ଜଣାପଡ଼ିଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ କଟକ, ପୁରୀ, ମଞ୍ଚେଶ୍ୱର, ଡେଲାଙ୍ଗ, ତିେର୍ତ୍ତାଲ, ପାରାଦୀପ, ଚାରିଛକ, କଣାସ, ବଡ଼ସାହି, ଖୋର୍ଦ୍ଧା, ଡେରାସ, ବେଗୁନିଆ, ନୟାଗଡ଼, ରଣପୁର, ବାଲିକୁଦା, ବାଣପୁର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କୋଣାର୍କ, ଜଗତ‌୍‍ସିଂହପୁର, କେନ୍ଦ୍ରାପଡ଼ା, ବାଙ୍କୀ, ତିଗିରିଆ, ଆଠଗଡ଼, ନିଶ୍ଚିନ୍ତକୋଇଲି, ସାଲେପୁର, ନିମାପଡ଼ା, ନାଗପୁର, ତରାକାଜ, କଳିଙ୍ଗନଗର, କାକଟପୁର, କେରାଣ୍ଡିଆ, ନିଆଳି ଆଦି ରାଜଧାନୀର ନିକଟବର୍ତ୍ତୀ ସ୍ଥାନକୁ ମଧ୍ୟ ଭଡ଼ା ହେଲିକପ୍ଟରରେ ଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପ୍ରଦ ବିସ୍ତୃତ ତଥ୍ୟରୁ ଜଣାପଡ଼ିଛି।

 

ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ନିମନ୍ତେ ଗୃହ ବିଭାଗ ଓ ଜଳ ସମ୍ପଦ ବିଭାଗ ଗୋଟିଏ କରି କାର‌୍‍ ଯୋଗାଇଛନ୍ତି। ଗୃହ ବିଭାଗର ଗାଡ଼ିଟି ଗତ ୫ ବର୍ଷ ମଧ୍ୟରେ ୫୬,୬୦୦ କିଲୋମିଟର ଗତି କରିଥିବା ବେଳେ ଏହି ଗାଡ଼ି ବାବଦରେ ୪,୯୮,୧୮୯ ଟଙ୍କା ଓ ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଇଥିବା ଗାଡ଼ିଟି ୫ ବର୍ଷରେ ୮୯,୯୯୦ କିଲୋମିଟର ଗତି କରିଥିବା ବେଳେ ସେଥିପାଇଁ ଖର୍ଚ୍ଚ ହୋଇଛି ୭,୯୦,୬୫୦ ଟଙ୍କା ବୋଲି ପ୍ରଦତ୍ତ ତଥ୍ୟରୁ ପ୍ରକାଶ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top