ଶ୍ରୀଜଗନ୍ନାଥ : ନାନା ମୁନି ନାନା ମତ-୩

News Story - Posted on 2016-01-28

ସୋମେଶ ମହାପାତ୍ର

ସାରଳା ମହାଭାରତ : ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ଜାତିର ମହାକବି ସାରଳା ଦାସ ତାଙ୍କ ରଚିତ ମହାଭାରତର ବନପର୍ବ ଓ ମୂଷଳୀ ପର୍ବରେ ଜଗନ୍ନାଥଙ୍କର ଆବିର୍ଭାବ ଓ ପ୍ରତିଷ୍ଠା ସମ୍ପର୍କରେ ବିସ୍ତୃତଭାବେ ଲେଖିଛନ୍ତି କିନ୍ତୁ ଏହି ଦୁଇପର୍ବରେ ବର୍ଣ୍ଣିତ ବିଷୟବସ୍ତୁ ପରସ୍ପରଠାରୁ କେତେକାଂଶରେ ଭିନ୍ନ |

ମୂଷଳୀ ପର୍ବ ଅନୁସାରେ ତ୍ରେତାଯୁଗରେ ରାମଚନ୍ଦ୍ର ଲଙ୍କା ଯିବାକୁ ଯେଉଁ ସେତୁ ବାନ୍ଧିଥିଲେ ସେଥିରେ ବହୁତ ପର୍ବତ ଥିଲା | ସେହି ପର୍ବତମାନଙ୍କ ମଧ୍ୟରେ ନୀଳସୁନ୍ଦର ଓ ନୀଳଗିରି ବୋଲି ଦୁଇଟି ପର୍ବତ ଥିଲା | ହନୁମାନଙ୍କ କାନ୍ଧ ଉପରେ ବସି ରାମଚନ୍ଦ୍ର ଯୁଦ୍ଧ କରୁଥିଲେ | ପ୍ରଥମେ ହନୁମାନ ନୀଳସୁନ୍ଦର ପର୍ବତ ଉପରେ ବସିଥିଲେ | ପରେ ନୀଳଗିରି ପର୍ବତ ଉପରକୁ ଡେଇଁ ପଡିବାରୁ ତାଙ୍କ ଭାରା ସହି ନପାରି ନୀଳଗିରି ପାତାଳ ଭିତରେ ପଶି ଗୋପନ ହୋଇଗଲା | ସେହି ନୀଳଗିରି ହିଁ ପରେ ଦ୍ବାରକା ହେଲା |

ନୀଳସୁନ୍ଦର ଗିରି ଦିନକୁ ଦିନ ବୃଦ୍ଧି ପାଇବାରୁ ସୂର୍ଯ୍ୟଙ୍କର ରଥର ଗତି ଅବରୋଧ ହେଲା | ତେଣୁ ସୂର୍ଯ୍ୟଦେବ ତାକୁ ଅଭିଶାପ ଦେଇ ତାର ଶରୀରକୁ କ୍ଷୁଦ୍ର କରିଦେଲେ | ଏହି ପର୍ବତରେ ଭୀମ ଦ୍ବାପର ଯୁଗରେ ମହାମୂଷଳ ଘଷିଥିଲେ | ତାହା ସଂପୂର୍ଣ୍ଣ ନିଃଶେଷ ନହେବାରୁ ସେ ତାକୁ ସମୁଦ୍ର ଜଳରେ ଫିଙ୍ଗିଦେଲେ | ଗୋଟିଏ ମୀନ ତାକୁ ଗିଳିଦେଲୋ | କେଉଟର ଜାଲରେ ସେ ମାଛଟି ପଡିଲା | ଜାରାଶବର ସେ ମାଛକୁ ନେଇ କାଟିଲାବେଳେ ଲୁହାଖଣ୍ଡଟିକୁ ପାଇଲା | ତାହା ବ୍ୟବହାର କରି ସେ ତାର ଶରମୁନ ତିଆରି କଲା | ଦିନେ ଶିକାର କରୁ କରୁ ସେ ଅଜାଣତରେ ଶିଆଳି ଲଟାରେ ଶୋଇଥିବା କୃଷ୍ଣଙ୍କ ପାଦକୁ ମୃଗର କାନବୋଲି ଭାବି ଶର ବିନ୍ଧିଦେଲା | ଶ୍ରୀକୃଷ୍ଣ ଦେହତ୍ୟାଗ କଲେ |

ଏହି ଦୁଃଖଦ ଘଟଣା ପରେ ସଖା ଅର୍ଜୁନ ଜାରା ଶବର ସାହାଯ୍ୟରେ କୃଷ୍ଣଙ୍କ ପିଣ୍ଡକୁ ଦାହ କରିବା ଲାଗି ଆୟୋଜନ କଲେ | ଜାରା କାଳିନ୍ଦୀ ତଟର କଳେବର ଅରଣ୍ୟରୁ ଅଗୁରୁ ବୃକ୍ଷ ଆଣିବା ପରେ ଜୁଇ ପ୍ରସ୍ତୁତ ହେଲା | କାଠ ଶେଷ ହେଲା | କିନ୍ତୁ କୃଷ୍ଣଙ୍କ ଶରୀରର ମଧ୍ୟ ଭାଗ ତଥାପି ଦଗ୍ଧ ହେଲା ନାହିଁ | ଅର୍ଜୁନ ବହୁ ବିକଳ ହେବାରୁ ଶୂନ୍ୟ ବାଣୀ ହେଲା, ‘ଏ ପିଣ୍ଡକୁ ଅଗ୍ନି ଦହନ କରିପାରିବ ନାହିଁ | ତୁମେ ଅଗ୍ନି ଲିଭାଇ ପିଣ୍ଡକୁ ସମୁଦ୍ରରେ ମେଲି ଦିଅ | ସେ ନୀଳ ସୁନ୍ଦର ପର୍ବତରେ ରହି କାଳକାଳକୁ ପୂଜା ପାଇବେ |’ ଏହାପରେ ଅର୍ଜୁନ ପିଣ୍ଡକୁ ସମୁଦ୍ରରେ ଭସାଇଦେଲେ | ପିଣ୍ଡର ଶେଷ ଅବସ୍ଥାନ ପର୍ଯ୍ୟନ୍ତ ଲକ୍ଷ୍ୟ ରଖିବାକୁ ଜାରା ଶବରକୁ ଆଦେଶ ଦେଇ ସମୁଦ୍ର କୂଳେ କୂଳେ ଦ୍ବାରକା ଗଲେ |

ଜାରା ନଜର ରଖିଥାଏ | ଦିନେ କୃଷ୍ଣ ତାକୁ ସ୍ବପ୍ନରେ ଦେଖାଦେଇ ତାଙ୍କ ପ୍ରତିମା ପୂଜା କରିବା ପାଇଁ କହିଲେ | ନିଦରୁ ଉଠି ସେ ପାଖରେ ଏକ ବିଷ୍ଣୁ ପ୍ରତିମାଙ୍କୁ ପାଇଲା | ପୁତ୍ର, ଭାର୍ଯ୍ୟା କାହାକୁ ନକହି ସେ ଦିବ୍ୟ ପ୍ରତିମାଙ୍କୁ ଧଉଳି ପର୍ବତ ଉପରେ ଗୋଟିଏ ଅଗୁରୁ ବୃକ୍ଷମୂଳେ ସ୍ଥାପନା କରି ଭକ୍ତିର ସହ ବଣର ଫଳମୂଳ, ପତ୍ରପାଣି ଦେଇ ଶବରୀ ନାରାୟଣୀ ଭାବେ ପୂଜା କଲା | ଏହିପରି କେତେବର୍ଷ ଗତ ହୋଇଗଲା |

କାଂଚି ନଗରର ବିଷ୍ଣୁଭକ୍ତ ରାଜା ଗାଲ ମାଧବ ପ୍ରତିଦିନ ଚଳୁ ଜଳରେ ବିଷ୍ଣୁଙ୍କୁ ଦର୍ଶନ କରନ୍ତି | ତା’ପରେ ପ୍ରସାଦ ସେବନ କରନ୍ତି | କୃଷ୍ଣଙ୍କ ଅବତାର ଶେଷ ହେବାରୁ ଚଳୁରେ ଆଉ ବିଷ୍ଣୁଙ୍କ ଛବି ଦେଖାଗଲେ ନାହିଁ | ରାଜା ମନକଷ୍ଟରେ ଅନ୍ନଜଳ ସ୍ପର୍ଶ କଲେ ନାହିଁ | ଶ୍ରୀକୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ପିଣ୍ଡ ଅର୍ଜୁନ ସମୁଦ୍ରରେ ମେଲି ଦେଇଥିବା କଥା ଶୁଣିବା ପରେ ସେ ପିଣ୍ଡଙ୍କର ସନ୍ଧାନ ନେବାକୁ ତାଙ୍କର ପାତ୍ରମାନଙ୍କୁ ବିଭିନ୍ନ ଆଡକୁ ପଠାଇଲେ | ଶେଷରେ ଦକ୍ଷିଣ ଦିଗକୁ ଯାଇଥିବା ବ୍ରାହ୍ମଣ ବାଦୁଦେବ ଶବର ପଲ୍ଲୀରେ ଜାରାଙ୍କୁ ପାଇଲେ | ତା ପୁଅ ସହ ମଇତ୍ର ବସି କେତେଦିନ ସେଠାରେ ରହିବା ପରେ ଜାରା ବିଷ୍ଣୁ ପ୍ରତିମାଙ୍କୁ ଦେଖାଇବାକୁ ରାଜି ହେଲେ ଓ ଆଖିରେ ଅନ୍ଧପୁଟୁଳି ବାନ୍ଧି ଅଗୁରୁ ଗଛ ପର୍ଯ୍ୟନ୍ତ ନେଲେ | ପରେ ସେହି ଗୋପନ ପଥଟିକୁ ଜାଣିବା ପାଇଁ ବାସୁଦେବ ସେଠାକୁ ଗଲାବେଳେ ବାଟସାରା ଯବଧାନ ବୁଣି ବୁଣି ଯାଇଥିଲେ | ବିଷ୍ଣୁ ମୂତ୍ତିର୍ଙ୍କୁ ଦର୍ଶନ କରିସାରି ବାସୁଦେବ ଛଅସାତ ମାସ ପରେ କାଂଚି ଫେରିଯାଇ ରାଜା ଗାଲ ମାଧବଙ୍କୁ ସମସ୍ତ ବୃତ୍ତାନ୍ତ କହିଲେ |

ଗାଲ ମାଧବ ସୈନ୍ୟସାମନ୍ତ ସହ ଧଉଳି ପର୍ବତକୁ ଯାଇ ଯବଧାନ ଗଛର ସଂକେତକୁ ଅନୁସରଣ କରି ବିଷ୍ଣୁ ପ୍ରତିମାଙ୍କ ଆସ୍ଥାନ ନିକଟରେ ପହଂଚନ୍ତେ ସେଠାରେ ଛଡାଫୁଲ ପଡିଥିବାର ଦେଖିଲେ | ମାତ୍ର ପ୍ରତିମା ଦୃଷ୍ଟି ଗୋଚର ହେଲେ ନାହିଁ | ତାଙ୍କୁ ଶବରମାନେ ଲୁଚାଇ ଦେଇଥିବେ ଭାବି ଶବରମାନଙ୍କୁ ଆକ୍ରମଣ କରି ନିପାତ କରିଦେଲେ | କିନ୍ତୁ ଜାରା ସେ ସମୟରେ ଉପସ୍ଥିତ ନଥିବାରୁ ରକ୍ଷା ପାଇଗଲେ | ଗାଲ ମାଧବଙ୍କ ଏହି କାର୍ଯ୍ୟରେ ପ୍ରଭୁ ଅସନ୍ତୁଷ୍ଟ ହୋଇ ତାଙ୍କୁ ଅଭିଶାପ ଦେଲେ - ‘ଜାରା ଶବର ବଂଶ ବର୍ଦ୍ଦିତ ହେଉ, ତୋ ବଂଶରେ କେହି ନରହୁ’ | ଏହାପରେ ଶବର ପଲ୍ଲୀରେ ବିଷ୍ଣୁ ଆଉ ରହିବାକୁ ଇଚ୍ଛା କଲେ ନାହିଁ | ତାଙ୍କର ଆଦେଶ ଅନୁସାରେ ଗାଲ ମାଧବ ବିଷ୍ଣୁ ପ୍ରତିମାଙ୍କୁ ନୀଳଗିରି ପର୍ବତରେ ସ୍ଥାପନ କରି ପୂଜା କଲେ |

ସେତେବେଳେକୁ ଜାରା କୃଷ୍ଣଙ୍କ ପିଣ୍ଡ ସନ୍ଧାନ କରିବା ଉଦ୍ଦେଶ୍ୟରେ କୋଣାର୍କ ପାଖ ସମୁଦ୍ର କୂଳରେ ରହୁଥିଲେ | ବିରାଟ ବଂଶର ରାଜା ମଧୁକେଶରୀଙ୍କ ପୁତ୍ର ଇନ୍ଦ୍ରଦ୍ୟୁମ୍ନ ମଧ୍ୟ ନୀଳଗିରିରେ ଭଗବାନ ବିଷ୍ଣୁ ଅବସ୍ଥାନ କରିବେ ବୋଲି ଶୁଣିଥିଲେ | ତେଣୁ ସେ ସେଠାକୁ ଆସି ବିଶ୍ବାବସୁ ନାମକ ଜଣେ ବ୍ରାହ୍ମଣଙ୍କ ଦ୍ବାରା ଭଗବାନଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କଲେ | କିନ୍ତୁ ସେପର୍ଯ୍ୟନ୍ତ କୃଷ୍ଣଙ୍କ ପିଣ୍ଡ ମିଳିନଥିବାରୁ ଜାରା ଶବରଙ୍କୁ ଖୋଜି ତାଙ୍କୁ ପିଣ୍ଡ କଥା ପଚାରିଲେ | ଜାରା ଭଗବାନଙ୍କୁ ଧ୍ୟାନ କରିବାରୁ ସେ କହିଲେ ଯେ ଆମ୍ଭେ କଳିଯୁଗରେ ବଉଦ୍ଧ ରୂପରେ କିଛି କାଳ ବିହାର କରିବୁ | ତା ପରେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ମୁଁ ନିଶ୍ଚୟ ନୀଳଗିରିରେ ରହିବି | ଅଦଗ୍ଧ ପିଣ୍ଡ ଦାରୁ ପାଲଟି ଯିବ | ଆଉ ମୁଁ ଜଗନ୍ନାଥ ରୂପେ ପ୍ରକଟିତ ହେବି |

ଇନ୍ଦ୍ରଦ୍ୟୁମ୍ନ ଜାରାଙ୍କ ଠାରୁ ଏ ସମ୍ବାଦ ପାଇ ତାଙ୍କ ସହ ନୀଳଗିରିକୁ ଆସିଲେ | ସତକୁ ସତ ରୋହିଣୀ କୁଣ୍ଡରେ ଭଗବାନ ଦାରୁ ରୂପରେ ଦେଖାଦେଲେ | ଇନ୍ଦ୍ରଦ୍ୟୁମ୍ନ ଦାରୁରେ କୃଷ୍ଣଙ୍କ ରୂପ ଦେଖିପାରିଲେ | ବିଶ୍ବାବସୁ ଓ ଜାରା ଦିହେଁ ମିଶି କୁଣ୍ଡରୁ ଦାରୁଙ୍କୁ କାଢିଲେ | ଜାରା ମୂତ୍ତିର୍ଗଠନ ଦାୟିତ୍ବ ନେଲେ | ସଙ୍ଗେ ସଙ୍ଗେ ବିଶ୍ବକର୍ମା ବ୍ରାହ୍ମଣ ବେଶରେ ଆସି ଜାରା ଶବର ସହ ମୂର୍ତ୍ତି ନିର୍ମାଣରେ ଯୋଗ ଦେଲେ |

ସେମାନେ ଦାରୁକୁ ତିନିଗଡ କଲେ | ମିଥୁନ ମାସ ପଞ୍ଚମୀ ଶ୍ରବଣା ନକ୍ଷତ୍ର ଗୁରୁବାର ଦିନ ପୂର୍ବରୁ ନିର୍ମିତ ମନ୍ଦିର ଭିତରେ ଜାରା ପ୍ରବେଶ କଲେ | ତାଙ୍କ ନିର୍ଦ୍ଦେଶରେ ମନ୍ଦିରର ସବୁ ଦ୍ବାର ବନ୍ଦ ରହିଲା ଓ ମୂର୍ତ୍ତି ଗଠନ ଶେଷ ନହେବା ପର୍ଯ୍ୟନ୍ତ ଦ୍ବାର ନଖୋଲିବା ପାଇଁ ସେ କହିଲେ | ପନ୍ଦର ଦିନ ପରେ ମନ୍ଦିର ଭିତରୁ କିଛି ଶବ୍ଦ ନଶୁଭିବାରୁ ଜାରା ଗୋପନରେ ପଳାଇ ଯାଇଥିବା ସନ୍ଦେହ କରି ରାଜା ମନ୍ଦିର ଦ୍ବାର ଖୋଲି ଦେଲେ | ସମସ୍ତେ ଦେଖିଲେ ସିଂହାସନ ଉପରେ ବିରାଜମାନ କରିଛନ୍ତି ତିନି ମୂର୍ତ୍ତି |

ଏହାପରେ କୃଷ୍ଣ ରାଜାଙ୍କୁ ଆଦେଶ ଦେଲେ - କଳିଯୁଗରେ ଲୋକେ ମୋର ବର୍ଣ୍ଣ ନଦେଖନ୍ତୁ | ଶାଳ ବୃକ୍ଷରୁ ଝୁଣା ଅଣି ପିଣ୍ଡରେ ଲେପନ କର | ସମସ୍ତଙ୍କ ଅଦେଖାରେ ଜାରା ଶବର ରାତିରେ ଅବଶିଷ୍ଟ ପିଣ୍ଡରେ ଝୁଣା ଲେପ ଦେଇ ଦାରୁମୂର୍ତ୍ତି ଭିତରେ ଗୁପ୍ତ କରିଦେଲେ | ଶେଷର ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରକଟିତ ହେଲେ | (ସମାପ୍ତ)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top