୧.୩୮ ଲକ୍ଷ ପଦ ଖାଲି, ୪୪ ହଜାର ଲୋପ

News Story - Posted on 2017-02-28

ଓଡ଼ିଶାରେ ୧,୩୮,୩୫୫ଟି ସରକାରୀ ଚାକିରି ଖାଲି ପଡ଼ିଛି। ଏଥିମଧ୍ୟରୁ ତୃତୀୟ ଶ୍ରେଣୀ ପାହ୍ୟାରେ ସର୍ବାଧିକ ୭୬,୧୪୭ ପଦବୀ ଖାଲି ପଡ଼ିଥିବା ବେଳେ ଚତୁର୍ଥ ଶ୍ରେଣୀ ପାହ୍ୟାର ୨୨,୩୪୭, ଦ୍ୱିତୀୟ ଶ୍ରେଣୀ ପାହ୍ୟାର ୨୦,୯୨୦ ଓ ପ୍ରଥମ ଶ୍ରେଣୀ ପାହ୍ୟାର ୬,୫୧୩ ପଦବୀ ଖାଲି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ‌୍‍ ବିଧାନସଭାରେ ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ରାଜ୍ୟରେ ଲାଗି ରହିଥିବା ଉତ୍କଟ ବେକାରୀ ସମସ୍ୟା ଦୃଷ୍ଟିରୁ ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦପଦବୀ କେବେସୁଦ୍ଧା ପୂରଣ କରାଯିବ ବୋଲି ଶ୍ରୀ ରାୟ ସିଧାସଳଖ ପସ୍ଖରିଥିବା ପ୍ରଶ୍ନକୁ କିନ୍ତୁ ଅର୍ଥମନ୍ତ୍ରୀ ଏଡ଼ାଇ ଯାଇଛନ୍ତି।

 

ରାଜ୍ୟ ସରକାରଙ୍କ ସର୍ବଶେଷ ବାର୍ଷିକ ଏଷ୍ଟାବ୍ଲିସ‌୍‍ମେଣ୍ଟ ରିଭ୍ୟୁ ଅନୁଯାୟୀ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାହ୍ୟା ମଧ୍ୟରେ ୧,୧୨, ୯୨୭ ପଦବୀ ଖାଲି ପଡ଼ିଥିବା ବେଳେ ଗ୍ରାଣ୍ଟ ଇନ‌୍‍ ଏଡ‌୍‍ ଦିଆଯାଉଥିବା ପଦବୀଗୁଡ଼ିକ ମଧ୍ୟରୁ ୧୨,୪୨୮ଟି ମଧ୍ୟ ଖାଲି ପଡ଼ିଛି। ଅର୍ଥମନ୍ତ୍ରୀଙ୍କ ପ୍ରଦତ୍ତ ହିସାବ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୩୮,୭୧୭ ପଦବୀ ଖାଲି ପଡ଼ିଥିବା ବେଳେ ସ୍ୱରାଷ୍ଟ୍ର ବିଭାଗରେ ଖାଲି ଅଛି ୧୬,୩୮୬ଟି ସ୍ଖକିରି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ବିଭିନ୍ନ ପାହ୍ୟାର ୧୨,୧୬୭ଟି ପଦବୀ ଖାଲି ପଡ଼ିଥିବା ବେଳେ ଉଚ୍ଚଶିକ୍ଷା ବିଭାଗରେ ୮,୪୭୦, ରାଜସ୍ୱ ବିଭାଗରେ ୯,୭୯୦, ଜଳସମ୍ପଦ ବିଭାଗରେ ୫,୭୦୯ ଓ କୃଷି ବିଭାଗରେ ୫,୩୪୩ଟି ଚାକିରି ଖାଲି ଅଛି। ଯେଉଁସବୁ ବିଭାଗରେ ହଜାରେରୁ ଅଧିକ ଚାକିରି ଖାଲି ପଡ଼ିଛି ସେଗୁଡ଼ିକ ହେଲା ଆଇନ‌୍‍, ଅର୍ଥ, ପୂର୍ତ୍ତ, ଅନୁସୂଚିତ ଜନାଜତି କଲ୍ୟାଣ, ନଗର ଉନ୍ନୟନ, ଯୋଜନା ଓ ସଂଯୋଜନ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ, ମହିଳା ଓ ଶିଶୁ କଲ୍ୟାଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ। ଅନ୍ୟ ବିଭାଗଗୁଡ଼ିକରେ ହଜାରେରୁ କମ‌୍‍ କରି ପଦବୀ ଖାଲି ପଡ଼ିଥିବା ଅର୍ଥମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।

 

ଏଥିରେ ପୁଣି କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଅଧୀନରେ ମୋଟ‌୍‍ ୫,୬୫,୦୨୯ଟି ବିଭିନ୍ନ ପାହ୍ୟାର ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି? ଏଥିମଧ୍ୟରୁ ୬୭,୬୬୫ଟି ହେଉଛି ଗ୍ରାଣ୍ଟ ଇନ‌୍‍ ଏଡ‌୍‍ ସଂସ୍ଥାର ଚାକିରି। ଏଥିମଧ୍ୟରୁ ଗତ ସମୀକ୍ଷା ବେଳସୁଦ୍ଧା ୪,୨୬,୬୪୩ଟି ପଦବୀରେ କର୍ମଚାରୀ ଥିଲେ। ପୂର୍ବରୁ ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଗତ ୧୫ବର୍ଷ ମଧ୍ୟରେ ବିଭିନ୍ନ ବିଭାଗରେ ୪୪,୧୯୭ଟି ଖାଲିପଡ଼ିଥିବା ପଦବୀ ଉଚ୍ଛେଦ କରାଯାଇଛି।

 

୨୦୧୩ ମାର୍ଚ୍ଚ ଶେଷ ସୁଦ୍ଧା ବିଭିନ୍ନ ବିଭାଗରେ ୧,୬୪,୩୨୮ଟି ପଦବୀ ଖାଲି ପଡ଼ିଥିବା ଅର୍ଥମନ୍ତ୍ରୀ ପୂର୍ବରୁ ସୂଚାଇଥିବା ବେଳେ ଏବେ ଦେଇଥିବା ଉତ୍ତରରେ ୨୦୧୬ ମାର୍ଚ୍ଚ ଶେଷସୁଦ୍ଧା ରାଜ୍ୟରେ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୧,୩୮,୩୫୫ ବୋଲି ଉଲ୍ଲେଖ କରିଛନ୍ତି। ଅର୍ଥାତ‌୍‍ ଗତ ୩ ବର୍ଷ ମଧ୍ୟରେ ଖାଲି ପଡ଼ିଥିବା ସରକାରୀ ଚାକିରି ସଂଖ୍ୟା କମିଛି ୨୫,୯୭୩। ଏହି ହିସାବ ଆଧାରରେ ଗତ ତିନିବର୍ଷ ମଧ୍ୟରେ ବର୍ଷକୁ ହାରାହାରି ୮,୬୫୭ଟି ଖାଲି ପଦବୀ ସଂଖ୍ୟା କମୁଛି। ରାଜ୍ୟରେ ବେକାରୀ ଓ ବେରୋଜଗାରୀ ସମସ୍ୟା ଉତ୍କଟତର ହୋଇଥିବା ବେଳେ ରାଜ୍ୟ ସରକାର ୪୪,୧୯୭ଟି ସରକାରୀ ଚାକିରି ଉଚ୍ଛେଦ କରିବା ଏବଂ ୧,୩୮,୩୫୫ ଚାକିରି ଖାଲି ରଖିବା ବେକାର ଯୁବକ ଯୁବତୀଙ୍କ ପାଇଁ ନିର୍ମମ ଉପହାସ ବୋଲି ଉଲ୍ଲେଖ କରି ବର୍ଷକ ମଧ୍ୟରେ ସମସ୍ତ ଖାଲି ଓ ଉଚ୍ଛେଦ ପଦବୀ ପୂରଣ କରିବା ଏବଂ ନୂଆ ପଦବୀ ସୃଷ୍ଟି କରିବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top