ଆଳୁ, ପିଆଜ, ତେଲ କିଣି ଗରିବ!

News Story - Posted on 2017-02-26

ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କରୁ ପ୍ରଚୁର ପରିମାଣର ଡାଲି, ତେଲ, ଆଳୁ ଓ ପିଆଜ ଆମଦାନୀ କରୁଛି। ଏହି ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବର୍ଷକୁ ବର୍ଷ ଆମଦାନୀ ପରିମାଣ ବଢ଼ିବାରେ ଲାଗିଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୦-୧୧ ବର୍ଷରେ ଆମ ରାଜ୍ୟ ପାଇଁ ୨ ଲକ୍ଷ ୬୭ ହଜାର ମେଟ୍ରିକ‌୍‍ ଟନ‌୍‍ ଡାଲି ବାହାରୁ ଆମଦାନୀ କରାଯାଇଥିବା ବେଳେ ୨୦୧୫-୧୬ ବର୍ଷରେ ଓଡ଼ିଶା ବାହାରୁ ଆମଦାନୀ କରିଛି ୩ ଲକ୍ଷ ୪୦ ହଜାର ମେଟ୍ରିକ‌୍‍ ଟନ‌୍‍ ଡାଲି। ସେହିଭଳି ୨୦୧୦-୧୧ ବର୍ଷରେ ୧ ଲକ୍ଷ ୫୫ ହଜାର ମେଟ୍ରିକ‌୍‍ ଟନ‌୍‍ ଖାଇବା ତେଲ ବାହାରୁ ଆମଦାନୀ କରାଯାଇଥିବା ବେଳେ ୨୦୧୫-୧୬ ବର୍ଷରେ ଅଣାଯାଇଛି ୨ଲକ୍ଷ ୪୮ ହଜାର ମେଟ୍ରିକ‌୍‍ ଟନ‌୍‍।

 

୨୦୧୦-୧୧ ବର୍ଷରେ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟରୁ ୨ ଲକ୍ଷ ୨୬ ହଜାର ମେଟ୍ରିକ‌୍‍ ଟନ‌୍‍ ପିଆଜ ଆମଦାନୀ କରିଥିବା ବେଳେ ୨୦୧୫-୧୬ ବର୍ଷରେ ଅନ୍ୟ ରାଜ୍ୟରୁ ଆଣିଥିବା ପିଆଜର ପରିମାଣ ୩ ଲକ୍ଷ ୮୮ ହଜାର ମେଟ୍ରିକ‌୍‍ ଟନ‌୍‍। ଏହି ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶା ଲାଗି ବାର୍ଷିକ ଯେତେ ପରିମାଣର ଡାଲି, ଖାଇବା ତେଲ ଓ ପିଆଜ ଆବଶ୍ୟକ ପଡ଼ୁଛି ତାହା ସମ୍ପୂର୍ଣ୍ଣ ଭାବେ ଆମଦାନୀ କରାଯାଉଛି।

 

ଆଳୁର ବାର୍ଷିକ ଚାହିଦା ଯେତେ ତାହା ତୁଳନାରେ କମ‌୍‍ ଆମଦାନୀ କରାଯାଉଥିବା ଯୋଗାଣ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ୨୦୧୦-୧୧ ବର୍ଷରେ ଓଡ଼ିଶା ପାଇଁ ୯ ଲକ୍ଷ ୧୩ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଆବଶ୍ୟକ ଥିବା ବେଳେ ଆମଦାନୀ କରଯାଇଥିଲା ୭ ଲକ୍ଷ ୨୨ ହଜାର ମେଟ୍ରିକ‌୍‍ ଟନ‌୍‍। ୨୦୧୧-୧୨ ବର୍ଷରେ ଓଡ଼ିଶାର ଆଳୁ ଚାହିଦା ୧୦ ଲକ୍ଷ ୨୧ ହଜାର ମେଟ୍ରିକ‌୍‍ ଟନ‌୍‍ ଥିବା ବେଳେ ଆମଦାନୀ ହୋଇଥିଲା ୮ ଲକ୍ଷ ୨୦ ହଜାର ମେଟ୍ରିକ‌୍‍ ଟନ‌୍‍। ସେହିପରି ପରବର୍ତ୍ତୀ ବର୍ଷରେ ମଧ୍ୟ ଅନୁରୂପ ପରିମାଣର ଆଳୁ ଅନ୍ୟ ରାଜ୍ୟରୁ ଅଣାଯାଇଥିଲା। ୨୦୧୩-୧୪ ବର୍ଷରେ ଓଡ଼ିଶା ପାଇଁ ୧୧ ଲକ୍ଷ ୬୯ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଆବଶ୍ୟକ ଥିବା ବେଳେ ଆମଦାନୀ କରାଯାଇଥିଲା ୯ ଲକ୍ଷ ୧୯ ହଜାର ମେଟ୍ରିକ‌୍‍ ଟନ‌୍‍। ୨୦୧୪-୧୫ ବର୍ଷର ଆମ ରାଜ୍ୟ ପାଇଁ ଆଳୁ ଚାହିଦା ୧୧ ଲକ୍ଷ ୮୫ ହଜାର ମେଟ୍ରିକ‌୍‍ ଟନ‌୍‍ ଥିବା ବେଳେ ଉକ୍ତ ବର୍ଷରେ ଅନ୍ୟ ରାଜ୍ୟମାନଙ୍କରୁ ଓଡ଼ିଶା କିଣିଥିଲା ୯ ଲକ୍ଷ ୧୬ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ। ୨୦୧୫-୧୬ ବର୍ଷରେ ଆମ ରାଜ୍ୟର ଆଳୁ ଚାହିଦା ୧୨ ଲକ୍ଷ ୨ ହଜାର ମେଟ୍ରିକ‌୍‍ ଟନ‌୍‍କୁ ବୃଦ୍ଧି ପାଇଥିବା ବେଳେ ଉକ୍ତ ବର୍ଷରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଆଣିଥିଲା ୮ ଲକ୍ଷ ୧୩ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ।

 

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୧-୧୨ ବର୍ଷରେ ଓଡ଼ିଶାରେ ବାର୍ଷିକ ମାତ୍ର ୬୩ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଫଳିଥିବା ବେଳେ ୨୦୧୪-୧୫ ବର୍ଷରେ ଆମ ରାଜ୍ୟରେ ଉତ୍ପାଦିତ ଆଳୁର ପରିମାଣ ଥିଲା ୧ ଲକ୍ଷ ୪ହଜାର ମେଟ୍ରିକ‌୍‍ ଟନ‌୍‍। ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଗଠନ କରିଥିବା ଆଳୁ ମିଶନ‌୍‍ ୨୦୧୫-୧୬ ବର୍ଷରେ ୫ ଲକ୍ଷ ୨୮ ହଜାର ମେଟ୍ରିକ‌୍‍ ଟନ‌୍‍, ୨୦୧୬-୧୭ ବର୍ଷରେ ୮ ଲକ୍ଷ ୯ ହଜାର ମେଟ୍ରିକ‌୍‍ ଟନ‌୍‍ ଓ ୨୦୧୭-୧୮ ବର୍ଷରେ ୧୧ ଲକ୍ଷ ୧୨ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ ଫଳାଇବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବାସ୍ତବରେ ଏ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ହେଉଥିବାରୁ ଓଡ଼ିଶା ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ୱନଶୀଳ ହୋଇପାରୁନାହିଁ। ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବର୍ଷକୁ ୧୨୦ ଲକ୍ଷ, ଉତ୍ତର ପ୍ରଦେଶରେ ୧୩୧ ଲକ୍ଷ ମେଟ୍ରିକ‌୍‍ ଟନ‌୍‍ ଆଳୁ ଉତ୍ପାଦିତ ହେଉଥିବା ବେଳେ ଓଡ଼ିଶା ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଛି।

 

ଡାଲି ଓ ଖାଇବା ତେଲର ଚାହିଦା ଲୋକସଂଖ୍ୟା ବୃଦ୍ଧି ସହ ବଢ଼ି ଚାଲିଥିବା ବେଳେ ଆଶାନୁରୂପ ଉତ୍ପାଦନ ହେଉନଥିବାରୁ ଓଡ଼ିଶା ଏ କ୍ଷେତ୍ରରେ ମଧ୍ୟ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି। ଖାଦ୍ୟ ସାମଗ୍ରୀ ଓ କପଡ଼ା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ୱୀ ହୋଇପାରିଲେ ଆମ ରାଜ୍ୟ ବସ୍ତୁତଃ ଦାରିଦ୍ର୍ୟ ଓ ଅନଗ୍ରସରତାର ବ୍ୟାଧିରୁ ମୁକ୍ତି ପାଇବ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତିରେ କହିଛନ୍ତି।  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top