ଶ୍ରୀଜଗନ୍ନାଥ : ନାନା ମୁନି ନାନା ମତ-୨

News Story - Posted on 2016-01-28

ସୋମେଶ ମହାପାତ୍ର

ସ୍କନ୍ଧ ପୁରାଣ : କେତେକ ଏହି ପୁରାଣକୁ ତ୍ରୟୋଦଶ ଶତାବ୍ଦୀର ରଚନା ବୋଲି କହିଲାବେଳେ ଏହା ଉତ୍କଳଖଣ୍ଡ ତୃତୀୟ ଶତାବ୍ଦୀରେ ରଚିତ ହୋଇଥିବା ଅନୁମାନ କରାଯାଏ | ପ୍ରଳୟ ପ୍ରୟୋଧିଜଳରୁ ବରାହରୂପୀ ବିଷ୍ଣୁ ବସୁମତି ମାତାଙ୍କୁ ଉଦ୍ଧାର କରିବା ପରେ ବ୍ରହ୍ମା ସମଗ୍ର ସଂସାର ସୃଷ୍ଟି କଲେ | ତହୁଁ ସଚରାଚର ଜୀବକୂଳଙ୍କ ମୋକ୍ଷର ଉପାୟ ସଂପର୍କରେ ବ୍ରହ୍ମା ମହାପ୍ରଭୁ ବିଷ୍ଣୁଙ୍କୁ ପ୍ରଶ୍ନ କରିବାରୁ ସେ ପୁରୁଷୋତ୍ତମ କ୍ଷେତ୍ର ଦକ୍ଷିଣ ସମୁଦ୍ର ତଟସ୍ଥ ନୀଳଗିରିରେ ସ୍ବୟଂ ନୀଳମାଧବ ରୂପରେ ବାସ କରୁଛନ୍ତି ବୋଲି କହିଲେ | ପୁରାଣର ବର୍ଣ୍ଣନା ଅନୁସାରେ ସେତେବେଳକୁ ନୀଳଗିରି ଉପରେ ଏକକୋଶବ୍ୟାପୀ ଏକ କଳ୍ପବୃକ୍ଷ ଥିଲା | ସେହି ବୃକ୍ଷର ପଶ୍ଚିମ ଭାଗରେ ରୋହିଣୀ ଗୁଣ୍ଡ ଓ ଏହାର ଉତ୍ତରଭାଗରେ ନୀଳମାଧବ ମୂର୍ତ୍ତିଙ୍କୁ ବିଶ୍ବାବସୁ ଶବର ପୂଜା କରୁଥିଲେ |

ସେ ପର୍ଯ୍ୟନ୍ତ କ୍ଷେତ୍ରର ମହିମା ଗୋପନୀୟ ହୋଇ ରହିଥିଲା | ଦେବତାମାନେ ପ୍ରତିଦିନ ଆସି ନୀଳମାଧବଙ୍କୁ ପୂଜା କରୁଥିଲେ | ଏହି କ୍ଷେତ୍ରରେ ଯିଏ ତାଙ୍କୁ ଦର୍ଶନ କରିବ ସେ ସାଯୁଜ୍ୟ ମୁକ୍ତି ପାଇବ ବୋଲି ଶ୍ରୀବିଷ୍ଣୁ କହିଲେ | ଏହି କ୍ଷେତ୍ରରେ ଏପରି ମହିମା ଯୋଗୁଁ ଯମଙ୍କ କର୍ତ୍ତବ୍ୟ ପାଳନରେ ବ୍ୟାଘାତ ଘଟିଲା | ବିଷ୍ଣୁଙ୍କ ନିକଟରେ ଯମ ଏହାର ପ୍ରତିକାର ଲୋଡିବାରୁ ବିଷ୍ଣୁ ଆଶ୍ବାସନା ଦେଇ କହିଲେ, ‘ଚିନ୍ତାର କୌଣସି କାରଣ ନାହିଁ | କିଛି କାଳ ପରେ ସେ ସ୍ବୟଂ ଏହି କ୍ଷେତ୍ରରୁ ଅନ୍ତର୍ହିତ ହୋଇଯିବେ | କିନ୍ତୁ ଏହି କ୍ଷେତ୍ରରେ ଯମଙ୍କର କର୍ତ୍ତୃତ୍ବ ରହିବ ନାହିଁ |

ସତ୍ୟଯୁଗରେ ବ୍ରହ୍ମାଙ୍କର ପଞ୍ଚମପୁରୁଷ ସୂର୍ଯ୍ୟବଂଶୀୟ ରାଜା ଇନ୍ଦ୍ରଦ୍ୟୁମ୍ନ ଅବନ୍ତୀ ନଗରୀରେ ରାଜତ୍ବ କରୁଥିଲେ | ସେ ଥିଲେ ଜଣେ ନିଷ୍ଠାପର ବିଷ୍ଣୁ ଉପାସକ | ଦିନେ ପଣ୍ଡିତମାନଙ୍କ ସଭାରେ ରାଜା ପଚାରିଲେ, କେଉଁଠାରେ ସେ ସାକ୍ଷାତ ବିଷ୍ଣୁଙ୍କୁ ସ୍ବଚକ୍ଷୁରେ ଦର୍ଶନ କରିପାରିବେ ? ଏ କଥା ଶୁଣି ସଦା ତୀର୍ଥ ଭ୍ରମଣ କରୁଥିବା ଜଣେ ତପସ୍ବୀ କହିଲେ, ‘ପୁରୁଷୋତ୍ତମ କ୍ଷେତ୍ରରେ ସ୍ବୟଂ ଭଗବାନ ପୁରୁଷୋତ୍ତମ ବିରାଜିତ | ତାଙ୍କୁ ଦର୍ଶନ କରି ମନସ୍କାମନା ପୂରଣ କରନ୍ତୁ |

ପ୍ରଭୁଙ୍କ ସନ୍ଧାନ ନେବା ପାଇଁ ଇନ୍ଦ୍ରଦ୍ୟୁମ୍ନ ନିଜ ପୁରୋହିତଙ୍କ ଭାଇ ବିଦ୍ୟାପତିଙ୍କୁ ଉତ୍କଳଦେଶକୁ ପଠାଇଲେ | ବିଦ୍ୟାପତି ପୁରୁଷୋତ୍ତମ କ୍ଷେତ୍ରରେ ପହଂଚି ନୀଳାଚଳର ପଶ୍ଚିମରେ ଥିବା ଶବର ଦୀପକ ନାମକ ଏକ ଶବର ପଲ୍ଲୀରେ ଆଶ୍ରୟ ନେଲେ | ସେଠାରେ ବିଶ୍ବାବସୁଙ୍କ ସହିତ ତାଙ୍କର ପରିଚୟ ହେଲା ଏବଂ ସେ ନିଜ ଆଗମନର କାରଣ ତାଙ୍କୁ ଜଣାଇଲେ | ବିଦ୍ୟାପତି ଫେରିବା ପର୍ଯ୍ୟନ୍ତ ଇନ୍ଦ୍ରଦ୍ୟୁମ୍ନ ରାଜା ଉପବାସରେ ରହିଥିବେ ବୋଲି ଜାଣିବା ପରେ ବିଶ୍ବାବସୁ ସହାନୁଭୂତିଶୀଳ ହୋଇ ବିଦ୍ୟାପତିଙ୍କୁ ଗୋଟିଏ ସଂକୀର୍ଣ୍ଣ ଏକପଦୀ ପଥରେ ନୀଳଗିରି ଉପରକୁ ନେଇଯାଇ ନୀଳମାଧବଙ୍କୁ ଦର୍ଶନ କରାଇଲେ |

ଏହାପରେ ବିଦ୍ୟାପତି ଆପଣାଦେଶକୁ ଫେରି ମହାରାଜାଙ୍କୁ ସମସ୍ତ ଘଟଣା ଜଣାଇଲେ | ଏହି ଅବସରରେ ଭଗବାନ ବିଷ୍ଣୁ ଯମଙ୍କୁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଅନୁସାରେ ନୀଳମାଧବ ମୂର୍ତ୍ତିଙ୍କୁ ବାଲୁକାରାଶି ଦ୍ବାରା ଲୁକ୍କାୟିତ କରିଦେଲେ |

ବିଦ୍ୟାପତିଙ୍କ ଠାରୁ ସବୁଶୁଣି ଇନ୍ଦ୍ରଦ୍ୟୁମ୍ନ ମହର୍ଷି ନାରଦଙ୍କୁ ନିଜର ପଥପ୍ରଦର୍ଶକ ରୂପେ ଗ୍ରହଣ କରି ଜ୍ୟେଷ୍ଠମାସ ଶୁକ୍ଳପଞ୍ଚମୀ  ଶୁକ୍ରବାର ପୁଷ୍ୟ ନକ୍ଷତ୍ରରେ ଯାତ୍ରା ଆରମ୍ଭ କଲେ | ଶେଷରେ ଉତ୍କଳଦେଶର ସୀମାରେ ସେମାନେ ପହଂଚିବା ପରେ ଉତ୍କଳର ରାଜା ତାଙ୍କୁ ସ୍ବାଗତକଲେ | ମହାନଦୀ ପାର ହୋଇ ଭୁବନେଶ୍ବର ବାଟେ ଆସି ସେ କେଦାରେଶ୍ବରଙ୍କୁ ଦର୍ଶନ କଲେ | ଏହାପରେ ପୁରୁଷୋତ୍ତମ କ୍ଷେତ୍ରର ପୂର୍ବ ସୀମାରେ ଥିବା ନୀଳକଣ୍ଠେଶ୍ବରଙ୍କୁ ଉପାସନା କରିବାବେଳେ ନାରଦଙ୍କଠାରୁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଥିବା କଥା ଶୁଣି ଅତିଶୟ ବିଷର୍ଣ୍ଣ ହୋଇପଡିଲେ | କିନ୍ତୁ ନାରଦ ରାଜାଙ୍କୁ ସାନ୍ତ୍ବନା ଦେଇ କହିଲେ, ସ୍ବୟଂ ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତୀ ହୋଇ ଦାରୁ ରୂପରେ ତାଙ୍କୁ ଦର୍ଶନ ଦେବେ | ଏତିକି ବେଳେ ଆକାଶବାଣୀ ଶୁଭିଲା ନୀଳମାଧବ ଉଭାନ ହୋଇଯାଇଥିଲେ ମଧ୍ୟ ତୁମ୍ଭଙ୍କୁ ଭଗବାନ ଦାରୁ ରୂପରେ ଦର୍ଶନ ଦେବେ |

ଆଶାନ୍ବିତ ହୋଇ ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କୁ ତୁଷ୍ଟ କରିବାପାଇଁ ସହସ୍ର ଅଶ୍ବମେଧ ଯଜ୍ଞପାଇଁ ଆୟୋଜନ କଲେ | ବହୁ ନୃପତି ଦେବତା, ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କଲେ | ଏକ ବିରାଟ ସଭାମଣ୍ଡପ ଏବଂ ଯଜ୍ଞବେଦୀ ନିର୍ମିତ ହେଲା | ଏକ ଉଣା ହଜାର ଅଶ୍ବମେଧ ଯଜ୍ଞ ସରିଲା | ସହସ୍ରତମ ଯଜ୍ଞ ଆରମ୍ଭର ସପ୍ତମ ଦିନରେ ଇନ୍ଦ୍ରଦ୍ୟୁମ୍ନ କ୍ଷୀର ସାଗର ମଧ୍ୟସ୍ଥ ଶ୍ବେତଦ୍ବୀପ ନିବାସୀ ମାଧବଙ୍କୁ ସ୍ବପ୍ନରେ ଦର୍ଶନ କଲେ | ଯଜ୍ଞ ସମାପନାନ୍ତେ ରାଜାଙ୍କ ସ୍ନାନ ପାଇଁ ବେଲେଶ୍ବରଙ୍କ ନିକଟରେ ସମୁଦ୍ରକୂଳରେ ସ୍ନାନାଗାର ନିମିର୍ତ ହେଲା | ଏହି ସମୟରେ ଏକ ଚାରିଶାଖାଯୁକ୍ତ ବିରାଟବୃକ୍ଷ ବେଳାଭୂମିରେ ଦେଖାଯାଉଥିବା କଥା ସେବକମାନେ ମହାରାଜାଙ୍କୁ ଜଣାଇଲେ | ସ୍ନାନାଗାର ଆଡକୁ ଭାସି ଆସୁଥିବା ସେହି ଦାରୁ ଦିଶୁଥିଲେ ବାଳସୂର୍ଯ୍ୟ ପରି ଲୋହିତ, ପ୍ରଭାଦୀପ୍ତ, ସର୍ବାଙ୍ଗରେ ଅଙ୍କିତ ଶଙ୍ଖଚକ୍ର ଚିହ୍ନ |

ନାରଦଙ୍କୁ ରାଜା ଏହାର ରହସ୍ୟ ପଚାରିବାରୁ ସେ କହିଲେ, ତୁମେ ଯେଉଁ ଭଗବାନ ମାଧବଙ୍କୁ ସ୍ବପ୍ନରେ ଦେଖିଥିଲ ଏହି ଦାରୁ ହେଉଛନ୍ତି ତାଙ୍କ ଦେହରୁ ବିଚ୍ୟୁତ ଏକ ଲୋମ | ଏହି ବିଷ୍ଣୁରୂପୀ ବୃକ୍ଷଙ୍କୁ ଆଣି ଏକ ମଣ୍ଡପ ନିର୍ମାଣ କରି ମୂର୍ତ୍ତଗଠନ କର | ମୂର୍ତ୍ତି ଗଢିବା ସଂପର୍କରେ ରାଜା ନାରଦଙ୍କ ସହ ଆଲୋଚନା ରତ ଥିବା ସମୟରେ ଦେବବାଣୀ ଶୁଣାଗଲା - ‘ଜଗନ୍ନାଥ ସ୍ବୟଂ ନିଜ ପ୍ରତିମା ଗଠନ ସଂପର୍କରେ ବିବେଚନା କରି ମହାବେଦୀକୁ ଆସିବେ’ | ଶୂନ୍ୟବାଣୀ ଅନୁସାରେ ଜଣେ ବୃଦ୍ଧ ବଢେଇ ସେଠାରେ ଉପସ୍ଥିତ ହେଲେ | ଆବରଣ ବେଷ୍ଟିତ ମହାବେଦୀ ଭିତରେ ସେ ପନ୍ଦର ଦିନ ଧରି ରୁଦ୍ଧ ରହିଲେ | ପ୍ରକୃତରେ ସେହି ବୃଦ୍ଧ ବଢେଇ ରୂପ ଧାରଣ କରିଥିବା ଭଗବାନ ଭିତରେ ରହି ନିଜରୂପ ନିଜେ ଗଠନ କରିଥିଲେ | ପନ୍ଦର ଦିନ ପୂର୍ଣ୍ଣ ହେବା ପରେ ପ୍ରକୋଷ୍ଠର ଦ୍ବାର ଉନ୍ମୁକ୍ତ କରିଦିଆଯିବାରେ ସ୍ବୟଂ ଭଗବାନଙ୍କ ଦ୍ବାରା ନିର୍ମିତ ଚାରିମୂତ୍ତିର୍ଙ୍କୁ ରାଜା ଦର୍ଶନ କଲେ | ଇନ୍ଦ୍ରଦ୍ୟୁମ୍ନ ସ୍ବପ୍ନରେ ଯେଉଁ ମୂତ୍ତିର୍ଙ୍କୁ ଦେଖିଥିଲେ ସେହି ରୂପରେ ଭଗବାନ ଜଗନ୍ନାଥ ଭାବେ ଦେଖାଦେଲେ |

୧୧ଶ ଅଧ୍ୟାୟର ଥିବା ୧୦ମ ଶ୍ଳୋକରେ ଅଛି -

ଶଙ୍ଖଚକ୍ର ଗଦାପଦ୍ମ ଲକ୍ଷ୍ୟବାହୁ ଜନାର୍ଦ୍ଦନ

ଗଦାମୂଷଳ ଚକ୍ରାବ୍ଜ ଧାରୟନ୍ ପନ୍ନଗାକୃତିଃ

ଛତ୍ରାକୃତି ଫଣାସପ୍ତ ମୁକୁଟୋଜ୍ଜ୍ବଳ କୁଣ୍ଡଳଃ

ସୁଭଦ୍ରା ଚାରୁବଦନା ବରାବ୍ଜାଭୟଧାରିଣୀ ||

ଏହାପରେ ପୁଣି ଆକାଶରୁ ଶୁଭିଲା, ‘‘ରାଜନ୍ ଚାରିମୂତ୍ତିର୍ଙ୍କୁ ପଟ୍ଟବସ୍ତ୍ରଦ୍ବାରା ସୁନ୍ଦରଭାବେ ଆବୃତ କରି ଚିତ୍ରକର ଦ୍ବାରା ନିଜ ନିଜ ବର୍ଣ୍ଣରେ ଚିତ୍ରିତ କର | ନୀଳାଚଳର ଉପରିଭାଗରେ କଳ୍ପବଟର ବାୟୁକୋଣରେ ଶହେ ହାତ ଦୂରରେ ଯେଉଁ ନୃସିଂହ ଅଛନ୍ତି ତାଙ୍କର ଉତ୍ତରଭାଗରେ ଥିବା ପ୍ରଶସ୍ତଭୂମିରେ ସହସ୍ର ହାତ ଉଚ୍ଚ ଓ ଅନୁରୂପ ଆୟତନ ବିଶିଷ୍ଟ ଏକ ସୁଦୃଢ ମନ୍ଦିର ନିର୍ମାଣ କରି ତାହା ମଧ୍ୟରେ ମୂର୍ତ୍ତି ଚତୁଃଷ୍ଟୟଙ୍କୁ ପ୍ରତିଷ୍ଠା କର |’’

ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ନାରଦଙ୍କସହ ପରାମର୍ଶ କରି ଇନ୍ଦ୍ରଦ୍ୟୁମ୍ନ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରିବାକୁ ଗଲେ | ବ୍ରହ୍ମା ସେତେବେଳକୁ ଏକ ସଙ୍ଗୀତ ସମାରୋହରେ ଥିଲେ | ସେଠୁ ଆସିଲାବେଳକୁ ପୃଥିବୀରେ କେତେଯୁଗ ବିତିଗଲାଣି | ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ ଆଗୁଆ ପଠାଇ ଦେଇ ପଛେ ପଛେ ଯାଉଛନ୍ତି ବୋଲି କହିଥିଲେ | ଇନ୍ଦ୍ରଦ୍ୟୁମ୍ନ ମର୍ତ୍ତ୍ୟକୁ ଫେରିଆସି ମନ୍ଦିର ନିର୍ମାଣ ସରିଯାଇଥିବାର ଦେଖିଲେ | ତହୁଁ ତିନୋଟି ରଥ ନିର୍ମାଣ କରି ମହାବେଦୀରୁ ମୂର୍ତ୍ତିମାନଙ୍କୁ ମନ୍ଦିର ପର୍ଯ୍ୟନ୍ତ ଆଣିଲେ |

କିନ୍ତୁ ସେତେବେଳକୁ ଗାଲ ନାମକ ଜଣେ ରାଜା ମନ୍ଦିରକୁ ଅକ୍ତିଆର କରି ମାଧବଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ପୂଜା କରୁଥିଲେ | ଇନ୍ଦ୍ରଦ୍ୟୁମ୍ନ ସେହି ମାଧବ ମୂର୍ତ୍ତିଙ୍କୁ ଗୋଟିଏ ଛୋଟ ମନ୍ଦିର ଗଢି ସ୍ଥାନାନ୍ତର କରିଦେଲେ | ଗାଲ ରାଜା ଏ ସନ୍ଦେଶ ପାଇ କ୍ରୋଧରେ ସୈନ୍ୟସାମନ୍ତ ଧରି ପୁରୁଷୋତ୍ତମକୁ ଆସିଲେ | କିନ୍ତୁ ଇନ୍ଦ୍ରଦ୍ୟୁମ୍ନଙ୍କ ଆୟୋଜନ, ବ୍ରହ୍ମଲୋକ ଯାତ୍ରା, ବ୍ରହ୍ମା ଓ ଦେବତାମାନଙ୍କ ଉପସ୍ଥିତି ଇତ୍ୟାଦି ପ୍ରସଙ୍ଗ ଶୁଣି ଆଉ ବିବାଦ ନକରି ଇନ୍ଦ୍ରଦ୍ୟୁମ୍ନଙ୍କୁ ସାହାଯ୍ୟ କଲେ | ଏପର୍ଯ୍ୟନ୍ତ ସେ ଦାରୁମୂର୍ତ୍ତୀଙ୍କୁ ପୂଜା କରିନଥିବାରୁ ଦୁଃଖପ୍ରକାଶ କଲେ |

ବ୍ରହ୍ମା ମନ୍ଦିର ପ୍ରତିଷ୍ଠା ପାଇଁ ବ୍ରହ୍ମଲୋକରୁ ଆସିଲେ | ବୈଶାଖମାସ ଶୁକ୍ଳ ଅଷ୍ଟମୀ ପୁଷ୍ୟା ନକ୍ଷତ୍ର ଗୁରୁବାର ଦିନ ମନ୍ଦିର ପ୍ରତିଷ୍ଠା ଓ ମୂର୍ତ୍ତି ଚତୁଃଷ୍ଟୟଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ କଲେ | ସବୁମନ୍ତ୍ରଠାରୁ ଶ୍ରେଷ୍ଠ ପରମେଷ୍ଟି ମନ୍ତ୍ରରେ ବ୍ରହ୍ମା ଜଗନ୍ନାଥଙ୍କଚ ଅଭିମନ୍ତ୍ରିତ କରିଥିଲେ | ଏହି ମନ୍ତ୍ରର ପ୍ରଭାବରେ ପ୍ରଥମେ ଜଗନ୍ନାଥ ନୃସିଂହ ରୂପରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଖାଦେଇଥିଲେ | ଶେଷରେ ଇନ୍ଦ୍ରଦ୍ୟୁମ୍ନ ଶ୍ବେତବଂଶୀୟ ରାଜା ଗାଲଙ୍କୁ ମନ୍ଦିର ସମର୍ପଣ କରି ବ୍ରହ୍ମଲୋକକୁ ପ୍ରସ୍ଥାନ କଲେ | (କ୍ରମଶଃ)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top