ଦାରିଦ୍ର୍ୟ କମୁଛି, ବ୍ୟବଧାନ କମୁନି!

News Story - Posted on 2017-02-25

ଦାରିଦ୍ର୍ୟ ହ୍ରାସ ଓ ମାନବ ବିକାଶ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିଛି ବୋଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟର ପ୍ରତ୍ୟେକ ବର୍ଗର ଲୋକ ଏବଂ ପ୍ରତ୍ରେକ ଅଂଚଳରେ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ତଥାପି ଆଂଚଳିକ, ସାମାଜିକ ଓ ବିକାଶ ବ୍ୟବଧାନ ବଳବତ୍ତର ରହିଛି ବୋଲି ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

ପ୍ରତ୍ୟେକ ବିକାଶର ପ୍ରମୁଖ ଲକ୍ଷ୍ୟ ହେଉଛି ଦାରିଦ୍ର୍ୟ ଦୂରୀକରଣ ଓ ମାନବ ବିକାଶ। ଆର୍ଥନୀତିକ ଅଭିବୃଦ୍ଧି ସବୁ ସମୟରେ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇ ନଥାଏ। ସେଥିପାଇଁ ସ୍ୱତନ୍ତ୍ର ଓ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯିବା ଦରକାର। ଓଡ଼ିଶା ଏ କ୍ଷେତ୍ରରେ ଅନେକ ସଫଳ ହୋଇଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ମନ୍ତବ୍ୟ ଦିଆଯାଇଛି। ଆଧୁନିକ ସମାଜରେ ଭୌତିକ, ସାମାଜିକ ଓ ବୌଦ୍ଧିକ ବଂଚନାର ବିଭିନ୍ନ ସ୍ତରକୁ ଦାରିଦ୍ର୍ୟ କୁହାଯାଉଛି। ହେଲେ ଭାରତ କ୍ଷେତ୍ରରେ କେବଳ ବସ୍ତୁଗତ ବା ଭୌତିକ ବଂଚନାକୁ ହିଁ ଦାରିଦ୍ର୍ୟର ମାନକ ହିସାବରେ ଗ୍ରହଣ କରାଯାଇଛି। ଏହି ଭୌତିକ ଦାରିଦ୍ର୍ୟ ଦୂର କରିବାରେ ଓଡ଼ିଶା ଅନେକଟା ସଫଳ ହୋଇଛି।

 

ଲକଡ଼ାୱାଲା କମିଟିର ପଦ୍ଧତି ଅନୁସାରେ ହିସାବ କରାଗଲେ ୧୯୭୩-୭୪ ବର୍ଷ ଓଡ଼ିଶା ଜନସଂଖ୍ୟାର ୬୭.୧୮ ପ୍ରତିଶତ ଲୋକ ଦରିଦ୍ର ଥିଲେ। ସେତେବେଳେ ଜାତୀୟ ସ୍ତରରେ ଦାରିଦ୍ର୍ୟ ହାର ଥିଲା ୫୪.୮୮ ପ୍ରତିଶତ। ୨୦୦୪-୦୫ ବେଳକୁ ଏହି ହାର ଜାତୀୟ ସ୍ତରରେ ୨୭.୫୦ ପ୍ରତିଶତ ଓ ଓଡ଼ିଶାରେ ୪୬.୪୦ ପ୍ରତିଶତକୁ ଖସି ଆସିଥିଲା। ତେବେ ସଂଶୋଧିତ ତେନ୍ଦୁଲକର କମିଟିର ପଦ୍ଧତି ଅନୁସାରେ ହିସାବ କରାଯିବାରୁ ସେହି ବର୍ଷ ଓଡ଼ିଶା ଓ ଜାତୀୟ ସ୍ତରର ଦାରିଦ୍ର୍ୟ ହାର ଯଥାକ୍ରମେ ୫୭.୨୦ ପ୍ରତିଶତ ଓ ୩୭.୨୦ ପ୍ରତିଶତ ହୋଇଥିଲା। ୨୦୦୪-୦୫ ବର୍ଷରୁ ଆରମ୍ଭ କରି ୨୦୧୧-୧୨ ବର୍ଷ ମଧ୍ୟରେ ଓଡ଼ିଶାର ଦାରିଦ୍ର୍ୟ ହାର ଦ୍ରୁତଗତିରେ ହ୍ରାସ ପାଇଥିଲା। ଏହି ସମୟ ମଧ୍ୟରେ ଦାରିଦ୍ର୍ୟ ହାର ୫୭.୨୦ ପ୍ରତିଶତରୁ ୨୪.୬ ପ୍ରତିଶତ ହ୍ରାସ ପାଇ ୩୨.୬ ପ୍ରତିଶତରେ ପହଂଚିଥିଲା।

 

ଏହି ସମୟ ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଅଂଚଳ ଓ ସାମାଜିକ ବର୍ଗରେ ଦାରିଦ୍ର୍ୟ ହ୍ରାସ ପାଇଛି। ତଫସିଲଭୁକ୍ତ ଜାତି ବର୍ଗରେ ୨୬.୫୧ ପ୍ରତିଶତ ହ୍ରାସ ପାଇଥିଲାବେଳେ ତଫସିଲଭୁକ୍ତ ଉପଜାତି କ୍ଷେତ୍ରରେ ୨୦.୮୮ ପ୍ରତିଶତ ଦାରିଦ୍ର୍ୟ ହଟିଛି। ଉତ୍ତର ଓଡ଼ିଶାରେ ଦାରିଦ୍ର୍ୟ ହ୍ରାସ ହାର ସର୍ବାଧିକ ୩୦.୫୩ ପ୍ରତିଶତ ହୋଇଥିବାବେଳେ ଦକ୍ଷିଣ ଓଡ଼ିଶାରେ ଏହି ହାର ହେଉଛି ୨୫.୪୦ ପ୍ରତିଶତ ଓ ଉପକୂଳ ଓଡ଼ିଶାରେ ୧୯.୯୫ ପ୍ରତିଶତ। ଦାରିଦ୍ର୍ୟ ବ୍ୟବଧାନ ଅନୁପାତ ୨୦୦୪-୦୫ ବର୍ଷରେ ୧୭.୭ ପ୍ରତିଶତ ଥିଲାବେଳେ ୨୦୧୧-୧୨ ବର୍ଷରେ ଏହା ୭.୦୧ ପ୍ରତିଶତକୁ ହ୍ରାସ ପାଇଛି। ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

ତଥାପି ରାଜ୍ୟର ବିଭିନ୍ନ ଅଂଚଳରେ ବିକାଶର ବ୍ୟବଧାନ ବରକରାର ରହିଛି। ଏହି ବ୍ୟବଧାନ କମାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟର ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଅନେକ ଯୋଜନା ଜରିଆରେ ଏହି ବ୍ୟବଧାନ କମାଇବାକୁ ଓଡ଼ିଶା ଉଦ୍ୟମ କରୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏସବୁ ଯୋଜନା ମଧ୍ୟରେ ସଂଶୋଧିତ ଦୀର୍ଘସୂତ୍ରୀ କ୍ରିୟାନୁଷ୍ଠାନ ଯୋଜନା ବା ଆରଏଲଟିଏପି, ପଛୁଆ ଅଂଚଳ ଅନୁଦାନ ପାଣ୍ଠି ବା ବିଆରଜିଏଫ, ସମନ୍ୱିତ କ୍ରିୟାନୁଷ୍ଠାନ ଯୋଜନା ବା ଆଇଏପି, ବିଜୁ କେବିକେ ଯୋଜନା, ବିଜୁ ଗଜପତି ଓ କନ୍ଧମାଳ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଜରିଆରେ କାର୍ଯ୍ୟକାରୀ ହେଉଥିବା ଅନେକ ଯୋଜନା ଅନ୍ତର୍ଭୁକ୍ତ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top