ଶ୍ରୀଜଗନ୍ନାଥ : ନାନା ମୁନି ନାନା ମତ-୧

News Story - Posted on 2016-01-28

ସୋମେଶ ମହାପାତ୍ର

ଜଗନ୍ନାଥ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତିତତ୍ତ୍ବର ମୂଳଉତ୍ସ ଅର୍ଥାତ୍ ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ ସମାହିତ ସ୍ବରୂପ ଭାବରେ ତାଙ୍କୁ କଳ୍ପନା କରାଯାଉଛି | ଆରମ୍ଭରୁ ବିଶ୍ବସ୍ରଷ୍ଟା ବା ଜଗତନାଥଙ୍କ ଭାବନା ପ୍ରମୂର୍ତ୍ତ ହେଲାବେଳେ, ରୂପାୟିତ ହେଲାବେଳେ ସେ ଏକମାତ୍ର ବିଗ୍ରହ ରୂପେ ଗଠିତ ହୋଇଥିବା ଜଣାଯାଏ | ଅବଶ୍ୟ ସ୍ଥାନ ଓ କାଳର ବିଭିନ୍ନତାରେ ଏକାକୀ ରୂପଟି ନୀଳମାଧବ ନାମରେ ଅଧିକ ଲୋକପ୍ରିୟ | ପୁଣି କେତେବେଳେ କେଉଁ ରୂପରେ ସେ ଦ୍ବିଭୂଜ ତ କେତେବେଳେ ଚତୁର୍ଭୂଜ ହୋଇ ବର୍ଣ୍ଣିତ ହୋଇଛନ୍ତି | ତାଙ୍କର ଏହି ବହୁଧା ପରିକଳ୍ପନା ଦୀର୍ଘକାଳବ୍ୟାପୀ ଦାର୍ଶନିକ ଅନୁଚିନ୍ତନର ପରିଣାମ ବୋଲି ବିଭିନ୍ନ ଶାସ୍ତ୍ର, ପୁରାଣ, ସମକାଳୀନ ଐତିହାସିକ ବିବରଣୀ ତଥା ପୁରାତାତ୍ତ୍ବିକ ଅଧ୍ୟୟନରୁ ସୂଚନା ମିଳେ | ତାଙ୍କର ଏହି ଲୌକିକ ପ୍ରତିମା ଉତ୍ପତ୍ତିର ଯୁଗ ଓ ପ୍ରକ୍ରିୟା, ଶ୍ରୀମନ୍ଦିରର ନିର୍ମାଣ, ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ରର ପ୍ରସିଦ୍ଧି ଇତ୍ୟାଦି ବହୁ ପ୍ରସଙ୍ଗ ମଧ୍ୟ ଅଦ୍ୟାବଧି ଅତ୍ୟନ୍ତ ରହସ୍ୟାବୃତ୍ତ ହୋଇ ରହିଛି | କାଳକ୍ରମିକ ଏକ ପୂର୍ଣ୍ଣାଙ୍ଗ ଇତିହାସ ରଚନା ଲାଗି ଗବେଷକଗଣ ବିଭିନ୍ନ ଦୃଷ୍ଟି ଓ ଦିଗନ୍ତରୁ ସୃଜନଶୀଳ ରହିଥିଲେ ମଧ୍ୟ ପ୍ରାଚୀନ ପୋଥିପୁରାଣରେ ଅବତାରଣା କରାଯାଇଥିବା ଜଗନ୍ନାଥଙ୍କ ଚରିତ ଏବେସୁଦ୍ଧା ଖଣ୍ଡିତ ମିଶ୍ରିତ ରୂପରେ ଲୋକସ୍ମୃତିରେ ରହିଯାଇଛି | ଏହି ପରିପ୍ରେକ୍ଷୀରେ ପ୍ରଥମେ କେବଳ ପୌରାଣିକ ବିବରଣୀ ସବୁକୁ ଗୋଟି ଗୋଟି କରି ଉପସ୍ଥାପନା କରାଯିବାର ଆବଶ୍ୟକତା ଉପଲବ୍ଧି ହୁଏ |

ସଂସ୍କୃତ ପୁରାଣମାନଙ୍କ ମଧ୍ୟରେ ବ୍ରହ୍ମ ପୁରାଣ, ବୃହତ୍ତ ନାରଦୀୟ ପୁରାଣ, ପଦ୍ମ ପୁରାଣ, ସ୍କନ୍ଦ ପୁରାଣ, କପିଳ ସଂହିତା, ନୀଳାଦ୍ରି ମହୋଦୟ ପ୍ରଭୃତି ଗ୍ରନ୍ଥରେ ଜଗନ୍ନାଥଙ୍କ ଚରିତ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି | ସ୍କନ୍ଦ ପୁରାଣ ଅନ୍ତର୍ଗତ ପୁରୁଷୋତ୍ତମ ମହାତ୍ମ୍ୟ ବା ଉତ୍କଳ ଖଣ୍ଡରେ ଏ ସଂପର୍କରେ ଯେପରି ବର୍ଣ୍ଣନା ବାହୁଲ୍ୟ ରହିଛି ତଥା ଅନେକ ବିଷୟର ଅବତାରଣା କରାଯାଇଛି ଅନ୍ୟ ଗ୍ରନ୍ଥମାନଙ୍କରେ ସେପରି ପରିଲକ୍ଷିତ ହୁଏ ନାହିଁ | କପିଳ ସଂହିତା ଓ ନୀଳାଦ୍ରୀ ମହୋଦୟରେ ଉପରୋକ୍ତ ପୁରାଣମାନଙ୍କର, ବିଶେଷଭାବେ ସ୍କନ୍ଦ ପୁରାଣ ବିଷୟ ବର୍ଣ୍ଣନାର ଆଭାସ ବହୁ ପରିମାଣରେ ମିଳେ | ପ୍ରାଚୀନ ଓଡ଼ିଆ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଥମେ ସାରଳା ଦାସଙ୍କ କୃତ ମହାଭାରତର ବନପର୍ବ ଓ ମୂଷଳୀ ପର୍ବରେ ଜଗନ୍ନାଥଙ୍କ ଜନ୍ମ ବୃତ୍ତାନ୍ତ ବିସ୍ତୃତଭାବରେ ରହିଛି | ସାରଳାଙ୍କ ପରେ ବଳରାମ ଦାସ ଦେଉଳତୋଳାରେ ତାଙ୍କ ବର୍ଣ୍ଣିତ ବିଷୟବସ୍ତୁକୁ ମୁଖ୍ୟ ଉପାଦାନ ହିସାବରେ ଗ୍ରହଣ କରିଛନ୍ତି | ସେହିପରି ଓଡ଼ିଆ କବି ଶିଶୁ କୃଷ୍ଣ ଦାସଙ୍କ ରଚିତ ‘ଦେଉଳ ତୋଳା’ରେ ରହିଛି ଆଉ କିଛି ଭିନ୍ନ ଉପାଖ୍ୟାନ | ପୁନଶ୍ଚ ସଂସ୍କୃତ ପୁରାଣମାନଙ୍କରେ ବିବୃତ ବିଷୟଠାରୁ ଓଡ଼ିଆ କବିମାନଙ୍କ ବିଷୟ କେତେକାଂଶରେ ପୃଥକ | ଓଡ଼ିଆ କବିମାନଙ୍କ ରଚନାରେ କୃଷ୍ଣଙ୍କ ଶରୀରତ୍ୟାଗ ପରେ ଜଗନ୍ନାଥଙ୍କ ଆବିର୍ଭାବ ପ୍ରସଙ୍ଗ ସଂପୂର୍ଣ୍ଣ ନୂତନ |

ବ୍ରହ୍ମ ପୁରାଣ ଚରିତ : ସତ୍ୟଯୁଗରେ ମାଳବ ବା ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନ ଥିଲେ ପରମ ବୈଷ୍ଣବ ଓ ଦିବ୍ୟଜ୍ଞାନୀ ଥରେ ତାଙ୍କର ପୀତବସନ ପରିହିତ, ଚତୁର୍ଭୁଜ, ଶଙ୍ଖଚକ୍ରଧାରୀ ବିଷ୍ଣୁଙ୍କୁ ଦର୍ଶନ କରିବାକୁ ବଳବତୀ ଇଚ୍ଛା ହେବାରୁ ସେ ସେହି ଦିବ୍ୟବିଭୂତି ସମ୍ପନ୍ନ ଭଗବାନ ସ୍ବୟଂ ବିରାଜମାନ କରିଥିବା ପବିତ୍ର ପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରାକଲେ ପୂର୍ବରୁ ଏହି ଧାମରେ କଳ୍ପବଟ ନିକଟରେ ନୀଳକାନ୍ତ ମଣିମୟ ବିଗ୍ରହରୂପେ ପୂଜା ପାଉଥିଲେ | ଏ କ୍ଷେତ୍ରରେ ଯେଉଁମାନେ ତାଙ୍କର ଦର୍ଶନ କରନ୍ତି ମୃତ୍ୟୁପରେ ସେମାନେ ବିଷ୍ଣୁଲୋକ ଗମନ କରୁଥିବାରୁ ଯମରାଜା ବିଚଳିତ ହୋଇପଡିଲେ | ପାପୀ ଦଣ୍ଡ ଭୋଗ ନକରି ତପୀ ସହିତ ବୈକୁଣ୍ଠ ଭୋଗ କରିବା ଯୋଗୁଁ ସେ ନିଜର ଦାୟିତ୍ବ ତୁଲାଇ ପାରିଲେ ନାହିଁ | ଏହି କ୍ଷେତ୍ର ଉପରେ ତାଙ୍କର କର୍ତ୍ତୃତ୍ବ ରହିଲା ନାହିଁ | ତେଣୁ ସେ ଭଗବାନଙ୍କୁ ପ୍ରାର୍ଥନା କଲେ,‘ଆପଣ ପ୍ରସନ୍ନ ହୋଇ ଏହି ସ୍ଥାନରୁ ଆପଣଙ୍କ ମୁକ୍ତି ପ୍ରଦାୟକ ପ୍ରତିମାଙ୍କୁ ଅନ୍ତର କରି ଦିଅନ୍ତୁ ’ | ତହୁଁ ମହାପ୍ରଭୁ ଯମଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଲେ, ‘ମୁଁ ମଣିମୟ ବିଗ୍ରହଙ୍କୁ ବାଲୁକା ରାଶିଦ୍ବାରା ଲୁକ୍କାୟିତ କରିଦେବି’ | ସ୍ବବାକ୍ୟ ରକ୍ଷା କରି ସେ ତାହାହିଁ କଲେ |

ଦୁର୍ଭାଗ୍ୟବଶତଃ ଠିକ୍ ସେହି ଅର୍ନ୍ତଧ୍ୟାନ ସମୟକୁ ଇନ୍ଦ୍ରଦ୍ୟୁମ୍ନ ମହାରାଜା ପୁରୁଷୋତ୍ତମ କ୍ଷେତ୍ରକୁ ଆଗମନ କରିଥାନ୍ତି | ଏଭଳି ପରିସ୍ଥିତିରେ ଜଗତର ପରମକାରଣ ବିଷ୍ଣୁଙ୍କ ସ୍ନେହଭାଜନ ହୋଇ ତାଙ୍କୁ ପୁର୍ନବାର ପ୍ରକଟିତ ହେବା ଲାଗି ଅନୁନୟ କରିବା ସକାଶେ ସେ ଏହି କ୍ଷେତ୍ରରେ ଏକ ହରି ଅନୁପମ ପ୍ରସାଦ ନିର୍ମାଣ କରିବାକୁ ସ୍ଥିର କଲେ |

ଏଥୁଅନ୍ତେ କଳିଙ୍ଗ, ଉତ୍କଳ ଓ କୋଶଳର ନରପତିମାନଙ୍କ ସାହାଯ୍ୟରେ ବିନ୍ଧ୍ୟପର୍ବତରୁ ଉତ୍କୃଷ୍ଟ ଶିଳା ଆଣି ସେ ପ୍ରଥମେ ଭବ୍ୟ ମନ୍ଦିର ନିର୍ମାଣ କରାଇଲେ | ତତ୍ପରେ ବିଗ୍ରହ ପ୍ରତିଷ୍ଠା ପାଇଁ ତାଙ୍କ ମନ ଆତୁର ହେଲା | ଶିଳା କିମ୍ବା ଦାରୁମୂତ୍ତିର୍ କେଉଁଟି ଉପଯୁକ୍ତ ତାହା ସ୍ଥିର କରିବା ଲାଗି ରାଜା ପାଞ୍ଚରାତ୍ର ବିଧାନ ଅନୁସାରେ ବିଷ୍ଣୁଙ୍କୁ ଅର୍ଚ୍ଚନା କରି ଧ୍ୟାନସ୍ଥ ହେଲେ | ପ୍ରଭୁ ସନ୍ତୁଷ୍ଟ ହୋଇ ତାଙ୍କୁ ବିସ୍ତାରିତଭାବେ କହିଲେ, ‘ଆଜି ରାତି ପାହି ସୂର୍ଯ୍ୟ ଉଦିତ ହେବା କ୍ଷଣି ସାଗର ତଟରେ ଦେଖାଯିବ ଅଧା ଜଳ ଓ ଅଧା ସ୍ଥଳଭାଗକୁ ଆବୋରି ମୁଣ୍ଡ ଟେକି ଠିଆ ହୋଇଥିବା ଏକ ବିଶାଳ ବୃକ୍ଷ | ବିକ୍ଷୁବ୍ଧ ତରଙ୍ଗର ଆଘାତରେ ମଧ୍ୟ ନିଷ୍କମ୍ପ, ଅବିଚଳ ସେହି ବୃକ୍ଷକୁ ତୁମେ କୁରାଢୀ ଧରି ନିଶଙ୍କ ଚିତ୍ତରେ ହାଣିବ | ପ୍ରଭାତର ସ୍ପଷ୍ଟ ଆଲୋକରେ ସେହି ବୃକ୍ଷ ଅଦ୍ଭୁତ ଆକାରରେ ପରିଣତ ହୋଇଥିବା ଦେଖାଯିବ | ସେହିବୃକ୍ଷରୁ ତୁମେ ପ୍ରତିମା ନିର୍ମାଣ କରିବ’ |

ସ୍ବପ୍ନ ଭାଙ୍ଗିଗଲା ରାଜା ଉଠିପଡିଲେ ପ୍ରଭୁଙ୍କ ନିର୍ଦ୍ଦେଶମତେ ସେ ଗଛଟିକୁ କାଟି ପୁଣି ଦୁଇଗଡ କରିବାକୁ ଯିବା ବେଳେ ସହସା ବିଷ୍ଣୁ ଓ ବିଶ୍ବକର୍ମା ବ୍ରାହ୍ମଣ ରୂପ ଧରି ପହଂଚି ସେହି ଦାରୁଗଣ୍ଡିରୁ ମୂତ୍ତିର୍ଗଠନ କରିଦେବେ ବୋଲି ଆଶ୍ବାସନା ଦେଲେ | ବ୍ରାହ୍ମଣରୂପୀ ବିଷ୍ଣୁଙ୍କ ପରାମର୍ଶ ଅନୁସାରେ ବିଶ୍ବକର୍ମା, ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନଙ୍କୁ ଗଠନ କଲେ ଏବଂ ଦିବ୍ୟ ସୁନ୍ଦର ବସ୍ତ୍ରଦ୍ବାରା ଆବୃତ୍ତ କରି ନାନା ଅଳଙ୍କାରରେ ବିଭୂଷିତ କଲେ | ଏହାପରେ ବିଷ୍ଣୁ ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ନିଜରୂପରେ ପ୍ରକାଶିତ ହେଲେ ଓ ରାଜାଙ୍କୁ ବର ଦେଇ ଦୁହେଁ ଉଭାନ ହୋଇଗଲେ | ଇନ୍ଦ୍ରଦ୍ୟୁମ୍ନ ମହା ସମାରୋହରେ ଐଶ୍ବର୍ଯ୍ୟଶାଳୀ ପ୍ରତିମାମାନଙ୍କୁ ଆଣି ପବିତ୍ର ବିଗ୍ରହ ମନ୍ଦିରରେ ସ୍ଥାପନ କରି ପ୍ରତିଷ୍ଠା ଉତ୍ସବ ସମାପନ କଲେ |

ଗବେଷକମାନଙ୍କ ମତରେ ଖ୍ରୀ.ପୂ. ୨ୟ କିମ୍ବା ୩ୟ ଶତକରେ ଲିଖିତ ବ୍ରହ୍ମପୁରାଣରେ ନୀଳଗିରି, ନୀଳମାଧବ, ବିଦ୍ୟାପତି, ବିଶ୍ବାବସୁ, ମହାବେଦୀ ପ୍ରଭୃତି ନାମୋଲ୍ଲେଖ ସୁଦ୍ଧା ନାହିଁ | ନୀଳମାଧବଙ୍କ ନାମ ନଥାଇ ଇନ୍ଦ୍ରନୀଳ ମଣିମୟ ମୂର୍ତ୍ତିଙ୍କର ବର୍ଣ୍ଣନା ମାତ୍ର ଅଛି | ଶବର ଉପାସନା ପ୍ରସଙ୍ଗ ଆଦୌ ନାହିଁ ଓ ମହାବେଦୀ ନାମ ପରିବର୍ତ୍ତେ ଏକ ଶୁଭସ୍ଥାନ ବୋଲି ଉଲ୍ଲେଖ ଅଛି |

ବୃହତ୍ ନାରଦୀୟ ପୁରାଣ : ଅଷ୍ଟାଦଶ ପୁରାଣଙ୍କ ମଧ୍ୟରେ ନାରଦ ପୁରାଣ ହେଉଛି ଆନୁମାନିକ ଖ୍ରୀଷ୍ଟପୂର୍ବ ୨ୟ  କିମ୍ବା ୩ୟ ଶତାବ୍ଦୀର | ନାରଦ ପୁରାଣରେ ବ୍ରହ୍ମପୁରାଣର ଅନୁରୂପ ପ୍ରସଙ୍ଗର ବର୍ଣ୍ଣନା ରହିଛି | ବ୍ରହ୍ମ ପୁରାଣରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ମନ୍ଦିର ନିର୍ମାଣ କାର୍ଯ୍ୟରେ ଉତ୍କଳ, କଳିଙ୍ଗ ଓ କୋଶଳାଧିପତି ଗଣ ସାହାଯ୍ୟ କରିଥିବା କଥା ବର୍ଣ୍ଣିତ ହୋଇଥିବା ବେଳେ ନାରଦ ପୁରାଣରେ ଏମାନଙ୍କ ଉଲ୍ଲେଖ ନାହିଁ | ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକରେ ଥିବା ସମୟରେ ଉତ୍କଳ ନରପତି ଗାଲ (ଅପର ନାମ ଶ୍ବେତ) ମନ୍ଦିର ଅଧିକାର କରିଥିବା ଘଟଣା ସ୍କନ୍ଦ ପୁରାଣରେ ଲେଖା ଅଛି | କିନ୍ତୁ ବ୍ରହ୍ମ କି ନାରଦ ପୁରାଣରେ ଏ ବିଷୟ ନାହିଁ | 

ପଦ୍ମ ପୁରାଣ : ଶ୍ରୀରାମଚନ୍ଦ୍ରଙ୍କ ଯଜ୍ଞାଶ୍ବ ରକ୍ଷା କରିବା ପାଇଁ ଶତ୍ରୁଘ୍ନ ବହୁସ୍ଥାନ ଭ୍ରମଣ କରି ଚ୍ୟବନାଶ୍ରମ ଓ ତାପରେ ରତ୍ନାତଟ ନଗର ଅତିକ୍ରମ କରି ନୀଳଗିରି ଦର୍ଶନ କଲେ | ଶ୍ରୀ ପୁରୁଷୋତ୍ତମ ଏହି ପର୍ବତରେ ଅବସ୍ଥାନ କରୁଥିଲେ | ଏହି ନୀଳଗିରି ନିବାସୀ ଭିଲ୍ଲମାନେ ସମସ୍ତେ ଚତୁର୍ଭୂଜ | ପୁରୁଷୋତ୍ତମଙ୍କ ମହିମା ବଳରେ ସେମାନେ ଚତୁର୍ଭୂଜ ହୋଇଯାଇଥିଲେ | ଏହି ଅବସ୍ଥା ପ୍ରାପ୍ତ ହେବା ସଂପର୍କରେ କାହାଣୀଟିଏ ଏହି ପୁରାଣରେ ଅଛି |

ପୂର୍ବେ ପୃଥୁକ ନାମକ ଏକ ଭିଲ୍ଲ ବାଳକ ଏଣେ ତେଣେ ଭ୍ରମଣ କରୁ କରୁ ଅନେକ ଗିରିପୁଞ୍ଜ ଭିତରୁ ଗୋଟିକର ଶୃଙ୍ଗ ଉପରକୁ ଚଢିଗଲା ପରେ ସେ ଏକ ଅଦ୍ଭୂତ ଦେବାଳୟ ଦେଖିଲା | ସେହି ମନ୍ଦିରର ସମଗ୍ର ଅବୟବ ସୁବର୍ଣ୍ଣ ମଣିମୁକ୍ତାଦି ଦ୍ବାରା ଆବୃତ୍ତ | ପୃଥୁକ ସେହି ଦେବାଳୟ ଭିତରେ ପଶି ଦେଖିଲା ଯେ ଶଙ୍ଖ, ଚକ୍ର, ଗଦା, ଓ ପଦ୍ମଧାରୀ ଦେବାଧିଦେବ ଶ୍ରୀହରି ପୂଜା ପାଉଛନ୍ତି | ଦେବତାମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ତାଙ୍କର ଆରାଧନ କରୁଛନ୍ତି | ସେଠାରେ ଯେଉଁ ପ୍ରସାଦ ପଡ଼ିଥିଲା ପୃଥୁକ ତାକୁ ଭକ୍ଷଣ କରି ଶ୍ରୀମୂର୍ତ୍ତି ଦର୍ଶନ କରିବା କ୍ଷଣି ଚତୁର୍ଭୂଜ ପ୍ରାପ୍ତ ହେଲା | ପୃଥୁକଠାରୁ ତା’ର ଜାତିଭାଇ ଭିଲ୍ଲମାନେ ଏପରି ବିସ୍ମୟଜନକ ସମ୍ବାଦଶୁଣି ଭଗବାନଙ୍କର ଆରାଧନା କରିବାରୁ ଚତୁର୍ଭୂଜ ରୂପ ଧାରଣ କଲେ | କାଂଚିନଗରର ରାଜା ରତ୍ନଗ୍ରୀବ ମଧ୍ୟ ଏହି ପୁରୁଷୋତ୍ତମ ଧାମରେ ଶ୍ରୀହରି ମୂର୍ତ୍ତି ଦର୍ଶନ କରି ଚତୁର୍ଭୂଜତ୍ବ ପ୍ରାପ୍ତ ହୋଇଥିଲେ |

ଏହି ପଦ୍ମ ପୁରାଣରେ ବଣ୍ଣିର୍ତ ପୁରୁଷୋତ୍ତମ ମହାତ୍ମ୍ୟ ଓ ନୀଳଗିରି ବିଷୟ କିନ୍ତୁ ଦକ୍ଷିଣ ମହୋଦଧିତଟର ପୁରୁଷୋତ୍ତମ କ୍ଷେତ୍ର ବା ପୁରୀ ଅନ୍ତର୍ଗତ ଜଗନ୍ନାଥଙ୍କ ସହିତ ସଂପୃକ୍ତ ନୁହେଁ | ଗଙ୍ଗାସାଗର ସଙ୍ଗମଠାରେ ଗଣ୍ଡୁକୀ ନଦୀ ପାରହେଲେ ପୁରୁଷୋତ୍ତମ କ୍ଷେତ୍ର ଅନ୍ତର୍ଗତ ନୀଳଗିରି ଅବସ୍ଥିତ ବୋଲି ଲେଖା ଅଛି | ଜଗନ୍ନାଥ କିମ୍ବା ଚତୁର୍ଦ୍ଧାମୂର୍ତ୍ତିଙ୍କର ଉଲ୍ଲେଖ ନଥାଇ କେବଳ ପୁରୁଷୋତ୍ତମ ହରି ନୀଳଗିରିରେ ପୂଜା ପାଉଛନ୍ତି ବୋଲି କୁହାଯାଇଛି | କଳ୍ପବଟ, ରୋହିଣୀକୁଣ୍ଡ, ମହାବେଦୀ କି ଅନ୍ୟକୌଣସି ତୀର୍ଥଧାମର ନାମ ସୁଦ୍ଧା ନାହିଁ | ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇ ନାହିଁ | ସେହିକ୍ଷେତ୍ରରେ ବିଜେ କରିଥିବା ପୁରୁଷୋତ୍ତମ ହିଁ ଶ୍ରୀରାମ ବୋଲି ଏହି ପୁରାଣରେ ବିବୃତ୍ତ ହୋଇଛି | (କ୍ରମଶଃ)


ପ୍ରତିକ୍ରିୟା

ଅଖଣ୍ଡ - Email: akhand11@rediffmail.com - Posted on 2016-04-07 11:56:11

ଆଦିପୁରୁଷ ଯୋଗେଶ୍ୱର ମହାପ୍ରଭୂ ଜଗନ୍ନାଥଙ୍କ ସୃଷ୍ଟି ଓ ମହିମା ବ୍ରହ୍ମାଙ୍କୁ ମଧ୍ୟ ଅଗୋଚର । ସଂଗ୍ରାହକଙ୍କୁ ଧନ୍ୟବାଦ । ଜୟ ଜଗନ୍ନାଥ ।

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top