ଅଭିବୃଦ୍ଧି ସତ୍ତ୍ବେ ନିଯୁକ୍ତିହାନୀ!

News Story - Posted on 2017-02-25

ଗତ ଛଅ ବର୍ଷ ମଧ୍ୟରେ ମୋଟ ରାଜ୍ୟ ଘରୋଇ ଉତ୍ପାଦ ହିସାବରେ ରାଜ୍ୟ ଅର୍ଥନୀତିରେ ୨୨.୨୭ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ମୁଣ୍ଡ ପିଛା ଆୟ ମଧ୍ୟ ୪୭,୬୩୨ ଟଙ୍କାରୁ ୬୧,୬୭୮ ଟଙ୍କାକୁ ବୃଦ୍ଧି ପାଇଛି। ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ଗୋଲାପୀ ଚିତ୍ର ଦିଆଯାଇଛି। ତେବେ ରାଜ୍ୟ ଅର୍ଥନୀତିରେ କୃଷିର ଗୁରୁତ୍ୱ ହ୍ରାସ ପାଉଛି। ଏହି କ୍ଷେତ୍ରରେ ରାଜ୍ୟର ୬୨ ପ୍ରତିଶତ ଲୋକ ନିୟୋଜିତ ଥିଲେ ବି ରାଜ୍ୟର ମୋଟ ଘରୋଇ ଉପିାଦକୁ କୃଷି କ୍ଷେତ୍ରର ଅବଦାନ କମିକମି ଚାଲିଛି। ଏ ଚିତ୍ର ମଧ୍ୟ ରହିଛି ଅର୍ଥନୈତିକ ସର୍ଭେ ରିପୋର୍ଟରେ।

 

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଫେବୃଆରୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ କରିଥିବା ଓଡ଼ିଶା ଅର୍ଥନୈତିକ ସର୍ଭେ ଅନୁସାରେ ୨୦୧୧-୧୨ ମୂଲ୍ୟ ସୂଚକାଙ୍କ ଭିତ୍ତିରେ ୨୦୧୬-୧୭ ବର୍ଷ ସୁଦ୍ଧା ରାଜ୍ୟର ମୋଟ ଘରୋଇ ଉତ୍ପାଦ ୨୨.୨୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ୬ ବର୍ଷ ମଧ୍ୟରେ ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ହେଉଛି ୬.୬୬ ପ୍ରତିଶତ। ୨୦୧୧-୧୨ ବର୍ଷ ରାଜ୍ୟର ମୁଣ୍ଡ ପିଛା ଆୟ ୪୭,୬୩୨ ଟଙ୍କା ଥିଲାବେଳେ ୨୦୧୬-୧୭ ବର୍ଷ ବେଳକୁ ତାହା ୬୧,୬୭୮ ଟଙ୍କାରେ ପହଂଚିଛି। ୨୦୧୨-୧୩ ବର୍ଷ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ୪.୬୧ ପ୍ରତିଶତ ଥିଲାବେଳେ ୨୦୧୩-୧୪ ବର୍ଷ ଏହା ୮.୭୩ ପ୍ରତିଶତ ହୋଇଥିଲା। ଏହି ହାର ୨୦୧୪-୧୫ ବର୍ଷ ୬.୦୦ ପ୍ରତିଶତ, ୨୦୧୫-୧୬ରେ ୬.୦୧ ପ୍ରତିଶତ ଓ ୨୦୧୬-୧୭ରେ ୭.୯୪ ପ୍ରତିଶତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

ନିରନ୍ତର ବିକାଶ ଉଦ୍ୟମ ଓ ଅର୍ଥନୀତିର ସ୍ଥୁଳ ପରିଚାଳନା ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ଏହି ଉଦ୍ୟମ ଭିତରେ ରାଜ୍ୟର କୃଷି-ଭିତ୍ତିକ ଅର୍ଥନୀତି ଶିଳ୍ପ ଓ ସେବା ଭିତ୍ତିକ ଅର୍ଥନୀତିରେ ପରିଣତ ହୋଇଯାଇଛି। ୧୯୫୦-୫୧ ବର୍ଷ ରାଜ୍ୟର ମୋଟ ଘରୋଇ ଉତ୍ପାଦରେ କୃଷି କ୍ଷେତ୍ରର ଅବଦାନ ୫୫ ପ୍ରତିଶତ ଥିଲାବେଳେ ୨୦୧୬-୧୭ ବର୍ଷକୁ ଏହି ହାର ୧୯.୯୧ ପ୍ରତିଶତକୁ ଖସି ଆସିଛି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଶିଳ୍ପ ଓ ସେବା କ୍ଷେତ୍ରର ଅବଦାନ ୪୫ ପ୍ରତିଶତରୁ ୮୦.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଖଣି, ମାନୁଫାକ‌୍‍ଚରିଂ, ବାଣିଜ୍ୟ, ପରିବହନ ଓ ରିୟଲ ଇଷ୍ଟେଟ‌୍‍ କ୍ଷେତ୍ର ହିଁ ରାଜ୍ୟ ଅର୍ଥନୀତିକୁ ଦ୍ରୁତ ଅଭିବୃଦ୍ଧି ଆଡ଼କୁ ଟାଣି ନେଇ ଚାଲିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ କୃଷି ବିକାଶ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଛି। ଓଡ଼ିଶାର ପାଣିପାଗ କୃଷି ପାଇଁ ଅତ୍ୟନ୍ତ ଉପଯୋଗୀ। ବିସ୍ତୀର୍ଣ୍ଣ ଉପକୂଳ ସହିତ ଏ ରାଜ୍ୟରେ ପ୍ରଚୁର ସଂଖ୍ୟାରେ ଜଳସୂତ୍ର ଅଛି। ଦେଶର ଜଳସଂପଦର ୧୧ ପ୍ରତିଶତ ରହିଛି ଓଡ଼ିଶାରେ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରହିଛି ୧୧ଟି ନଦୀ ଅବବାହିକା। ଏସବୁ ଏକ ପ୍ରଗତିଶୀଳ କୃଷି ଅର୍ଥନୀତି ପାଇଁ ଅତ୍ୟନ୍ତ ଅନୁକୂଳ। କିନ୍ତୁ ଆବଶ୍ୟକ ଜଳସେଚନ ସୁବିଧାର ଅଭାବ, ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳତା, ନିମ୍ନ ପୁଞ୍ଜିନିବେଶ, ଧାନ ଚାଷ ଉପରେ ଅଧିକ ଗୁରୁତ୍ୱ, ମନ୍ଥର ଆଧୁନିକିକରଣ, କ୍ଷୁଦ୍ର ଜମି ମାଲିକାନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଦି କାରଣରୁ ରାଜ୍ୟରେ କୃଷି କ୍ଷେତ୍ରର ଆବଶ୍ୟକ ବିକାଶ ହୋଇପାରି ନାହିଁ।

 

ରାଜ୍ୟ ଅର୍ଥନୀତିର ଅନ୍ୟ ଏକ ବିଫଳତା ହେଉଛି ରାଜ୍ୟର ମୋଟ ଘରୋଇ ଉତ୍ପାଦରେ କୃଷିର ଅଂଶ ୧୯ ପ୍ରତିଶତକୁ ଖସି ଯାଇଥିଲେ ମଧ୍ୟ ଏହି କ୍ଷେତ୍ର ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କୁ ଅନ୍ୟ କ୍ଷେତ୍ରରେ ନିୟୋଜିତ କରାଯାଇ ପାରି ନାହିଁ। ୨୦୧୧ ଜନଗଣନା ହିସାବରେ ଏବେ ବି ରାଜ୍ୟ ଶ୍ରମିକ ବଳର ପ୍ରାୟ ୬୨ ପ୍ରତିଶତ କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। କୃଷି କ୍ଷେତ୍ରର ଉପଯୁକ୍ତ ଅଭିବୃଦ୍ଧି ଓ ବିକାଶ ହୋଇ ନଥିବାରୁ ଏହି କ୍ଷେତ୍ର ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କର ମୁଣ୍ଡ ପିଛା ଆୟ ଅନ୍ୟ କ୍ଷେତ୍ରରେ ନିୟୋଜିତ ଲୋକଙ୍କ ତୁଳନାରେ ବଢ଼ି ନାହିଁ। ସେମାନଙ୍କ ଆୟ ବଢ଼ୁ ନଥିବାରୁ ସେମାନଙ୍କ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉ ନାହିଁ। ୨୦୦୧ ମସିହାରେ ରାଜ୍ୟର ମୋଟ ଶ୍ରମିକ ବଳର ୩୩ ପ୍ରତିଶତ ନାମମାତ୍ର ଶ୍ରମିକ ଥିଲେ। କିନ୍ତୁ ୨୦୧୧ ବେଳକୁ ଏହି ହାର ୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଶ୍ରମିକମାନଙ୍କୁ ଅନ୍ୟ କ୍ଷେତ୍ରରେ ଲାଭଜନକ ଭାବେ ନିୟୋଜିତ କରିବାର ଆବଶ୍ୟକତା ରହିଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ପରାମର୍ଶ ଦିଆଯାଇଛି।

 

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଉଥିଲେ ମଧ୍ୟ ସଂଗଠିତ କ୍ଷେତ୍ରରେ ନିୟୋଜିତ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ଅନ୍ୟ ଏକ ଚିନ୍ତାଜନକ ଚିତ୍ର। ୨୦୦୮ ମସିହାରେ ରାଜ୍ୟର ସଂଗଠିତ କ୍ଷେତ୍ରରେ ମୋଟ ୭.୦୧ ଲକ୍ଷ ଲୋକ ନିୟୋଜିତ ଥିଲାବେଳେ ୨୦୧୫ ମସିହା ବେଳକୁ ଏହା ୫.୯୩ ଲକ୍ଷକୁ ଖସି ଆସିଛି। ଏହି ସମୟ ମଧ୍ୟରେ ଘରୋଇ କ୍ଷେତ୍ରରେ ନିୟୋଜିତ ଲୋକଙ୍କ ହାର ୧୪.୫୫ ପ୍ରତିଶତରୁ ୧୭.୫୪ ପ୍ରତିଶତକୁ ବୃଦ୍ଧି ପାଇଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top