ଅନ୍ଧ କେମିତି ଭକ୍ତ ହୁଏ?

News Story - Posted on 2017-02-25

ଅଜ୍ଞାତ

 

ଅନ୍ଧ ଭୀକାରିଟିଏ ଭିକ୍ଷା ମାଗି ମାଗି ରାଜାଙ୍କ ଦରବାରରେ ପହଞ୍ଚିଗଲା। ରାଜାଙ୍କର ତା’ ଉପରେ ଦୟା ଆସିଲା। ରାଜା ପ୍ରଧାନମନ୍ତ୍ରୀକୁ କହିଲେ, ଏହି ଭିକାରୀଟି ଜନ୍ମାନ୍ଧ ନୁହେଁ, ଇଏ ଠିକ ହେଇ ପାରିବ, ୟାକୁ ରାଜବୈଦ୍ୟ ପାଖକୁ ନେଇଚାଲ।

 

ଦୁହେଁ ତାକୁ ଧରିକରି ନେଇଗଲେ।

 

ରାସ୍ତାରେ ରାଜାଙ୍କୁ ମନ୍ତ୍ରୀ କହିଲେ, ମହାରାଜ ଆପଣଙ୍କୁ ଏକାନ୍ତରେ କିଛି କହିବାକୁ ଚାହୁଁଛି।

 

ଦୁହେଁ ଭିକାରୀକୁ ସେହିଠାରେ ବସାଇ ଟିକେ ଦୂରକୁ ଗଲେ।

 

ମନ୍ତ୍ରୀ କହିଲେ, ହେ ମହାରାଜ! ଏ ଭିକାରୀଟିର ଶରୀର ସୁସ୍ଥ ସବଳ, ଯଦି ଏହାର ଆଖିରେ ଜ୍ୟୋତି ଫେରି ଆସିବ ତ ୟାକୁ ଆପଣଙ୍କର ସବୁ ଭ୍ରଷ୍ଟାଚାର ଦେଖାଯିବ। ଆପଣଙ୍କର ସମସ୍ତ ଥାଟପାଟ ଆଉ ବଦଖର୍ଚ୍ଚ ଦେଖାଯିବ, ଆପଣଙ୍କର ରାଜମହଲର ବିଳାସ ବ୍ୟସନ ଆଉ ଆପଣଙ୍କ ରାଣୀହଂସପୁରର ଚାକଚକ୍ୟ ପାଇଁ ହେଉଥିବା ଖର୍ଚ୍ଚ ଦେଖାଯିବ। ୟାକୁ ଆହୁରି ମଧ୍ୟ ଦେଖାଯିବ ଯେ ପ୍ରଜାମାନେ କେମିତି ଭୋକ ଉପାସରେ ଡ଼ହଳ ବିକଳ ହେଉଛନ୍ତି। ମରୁଡି ହୋଇଥିବାରୁ ଫସଲର ଉତ୍ପାଦନ ଭଲ ହୋଇନାହିଁ। ତା’ପରେ ବି ଆପଣଙ୍କ ସୈନିକମାନେ କେମିତି ଜୋର ଜବରଦସ୍ତ ଚାରିଗୁଣା ଖଜଣା ଆଦାୟ କରୁଛନ୍ତି! ରାଜମହଲର ଖର୍ଚ୍ଚ ବୃଦ୍ଧି କାରଣରୁ ରାଜକୋଷ ଶୂନ୍ୟ ହେଇଯାଉଛି ଯାହାର ଭରଣା ଆମେ ସେନା ଆଉ କର୍ମଚାରୀଙ୍କ ଦରମାରୁ କାଟି କରୁଛନ୍ତି, ଯଦ୍ବାରା ହଜାର ହଜାର ସୈନିକ ଓ କର୍ମଚାରୀ ବେରୋଜଗାରୀ ହୋଇଛନ୍ତି। ଆଖି ଠିକ ହେଇଗଲା ପରେ ଏହି ଭିକାରୀଟି ମଧ୍ୟ ସମସ୍ତଙ୍କ ପରି ରୋଜଗାର ମାଗିବ ଆଉ ଆପଣଙ୍କର ବିରୋଧୀ ହୋଇଯିବ। ମୋକଥା ମାନନ୍ତୁ! ଇଏ ତ ଆପଣଙ୍କୁ କେବଳ ଦୁଇ ଓଳି ଖାଦ୍ୟ ହିଁ ମାଗୁଛି, ତାକୁ ଆପଣ ରାଜମହଲରେ ବସାଇ ମାଗଣାରେ ସକାଳେ ଆଉ ସନ୍ଧ୍ୟାରେ ଖାଲି ଖାଇବାର ବନ୍ଦୋବସ୍ତ କରିଦିଅନ୍ତୁ ଆଉ ଦିନସାରା ବୁଲିବାକୁ ଛାଡି ଦିଅନ୍ତୁ। ଇଏ ରାଜ୍ୟସାରା ବୁଲିବୁଲି ଆପଣଙ୍କର ଗୁଣଗାନ କରିବ, ରାଜା ବହୁତ ନ୍ୟାୟବନ୍ତ, ବହୁତ ଦୟାବାନ, ପରୋପକାରୀ ଅଟନ୍ତି। ଏମିତି ସେ ମାଗଣାରେ ଖାଇଲେ ଆପଣଙ୍କ ପ୍ରତି ବିପଦ ଆସିବନି ଆଉ ଆପଣ ଲମ୍ବା ସମୟ ଧରି ଶାସନ କରିପାରିବେ।

 

ରାଜାଙ୍କ ମନକୁ ମନ୍ତ୍ରୀଙ୍କ କଥା ଛୁଇଁଲା। ସେମାନେ ଅନ୍ଧପାଖକୁ ଆସିଲେ ଆଉ ଦୁହେଁ ତାକୁ ଉଠେଇକି ରାଜମହଲକୁ ନେଇଆସିଲେ। ବର୍ତ୍ତମାନ ଅନ୍ଧଟି ରାଜାଙ୍କର ଗୁଣଗାନ ରାଜ୍ୟସାରା ବୁଲି ବୁଲି ପ୍ରଚାର କରୁଛି। ହେଲେ ତାକୁ ଜଣାନାହିଁ ଯେ ରାଜା ତା ସହ କେତେବଡ ଛଳନା କରିଛନ୍ତି! ସେ ଠିକ୍ ହୋଇ ରୋଜଗାର କରି ନିଜ ଆଖିରେ ସଂସାରର ଆନନ୍ଦ ଅନୁଭବ କରି ପାରିଥାନ୍ତା!

 

ଏହି ଅବସ୍ଥା ବର୍ତ୍ତମାନ ଆମ ସରକାର କରୁଛନ୍ତି। ଆମକୁ ମାଗଣାରେ ଶସ୍ତାରେ ଖାଦ୍ୟ ଦେଇ କର୍ମକୁଢି କରୁଛନ୍ତି। ହେଲେ ଆମ ଆଖିର ଜ୍ୟୋତି (ଉଚିତ ଶିକ୍ଷା ଓ ରୋଜଗାର) ଦେଉ ନାହାନ୍ତି କି ଯଦ୍ବାରା ଆମେ ସମସ୍ତ ଜନତା ସରକାରର ଭ୍ରଷ୍ଟାଚାର ଦେଖି ପାରିବା, ନେତା ଓ ମନ୍ତ୍ରୀଙ୍କର ଦୁର୍ନୀତି, ଲାଞ୍ଚ, ଚୋରୀ, ଅର୍ଥ ହଡପ ଆଉ ଗୁଣ୍ଡାଗିରି ଦେଖିପାରିବା, ସରକାରୀ କଳର ଶୋଷଣ ଆଉ ଗରୀବ ଉପରେ ଅନ୍ୟାୟ, ଅତ୍ୟାଚାର ଦେଖିପାରିବା।

 

ଏବଂ ଆମେ ସେ ଅନ୍ଧଟି ପରି ତାଙ୍କର ଗୁଣଗାନ କରିବୁଲୁଛନ୍ତି ଯେ ସରକାର ଆମକୁ ମାଗଣାରେ ଚାଉଳ ଦେଲେ, ସାଇକେଲ ଦେଲେ, ଛତା, ଚପଲ, କମ୍ବଳ ଦେଲେ, ଲାପଟପ୍ ଦେଲେ, ଅଣ୍ଡା ଦେଲେ..!

 

ଆମେ ଏକଥା ଚିନ୍ତା କରନ୍ତି ନାହିଁ ଯଦି ଆମକୁ ଉଚିତ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ସରକାର ଦିଅନ୍ତେ ତେବେ ତାଙ୍କ ମାଗଣା ଖୈରାତର ଆବଶ୍ୟକ ପଡନ୍ତା ନାହିଁ। ଆମେ ସ୍ବତଃ ଏସବୁ କିଣି ପାରନ୍ତେ। ନିଜକୁ ଯୋଗ୍ୟ ବୋଲି ଗର୍ବ ଅନୁଭବ କରନ୍ତେ।

 

ହେଲେ କ’ଣ ହେବ? ଆମେ ତ ଅନ୍ଧ ନା! କେବଳ ମାଗଣା କିଏ କ’ଣ ଦେଲା ଆମକୁ ସେଇଟା ହିଁ ଦରକାର!

 

(ଲେଖାଟି ସୋସିଆଲ ମିଡିଆରେ ଘୂରି ବୁଲୁଛି।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top