ଜାଗର

News Story - Posted on 2017-02-24

ନୀଳିମା ନିବେଦିତା

 

- ଗୁରୁବାରଟାରେ ଆମିଷ ଖାଇବ?

 

- ତୋ...?

 

- ଛ୍ୟା! ପୁରା ନାସ୍ତିକ!

 

- ସୋ ହ୍ବାଟ୍?

 

- ନାଇଁ! କିଛି ନାହିଁ। ( ପୁରୁଷକୁ ବୁଝାଇ ହୁଏନା କହି ମନେମନେ ଗାରୁଗାରୁ ହେଉଥାଏ ଲୀନା।)

 

- ନଉନା! ଚାଖ ଟିକେ, କେଡେ ସୁଆଦ ହେଇଛି ଏଇ ଚିକେନ୍ ଫିଙ୍ଗର୍ସ!

 

- ଦୂର୍ ଦୂର୍...!!! ବୁଝିଲ, ମୋତେ ଏମିତି ଖୁଆଇଖୁଆଇ ଅଭ୍ୟାସ କରାନା, ତମ ବୋଉ ଯେତେବେଳେ ଗଞ୍ଜଣା ଦେବେ ସେତେବେଳେ ପିଠିରେ ପଡିବଟି?

 

- ନଈ ନ ଦେଖୁଣୁ ଡ୍ୟାସ୍...? ତମ ଝିଅଗୁଡାକୁ ବି ପାରିହେବନି! ମୁଁ ହାଟକୁ ଯିବା ପାଇଁ ପ୍ରସ୍ତାବଟିଏ ଦେଲି, ଆଉ ଇଏ?

 

ନଈ ପାରି ହେଇ ବିଳହାଟରେ ଉଠିଲାଣି କହୁକହୁ ଖାଲି ହେଇଯାଇଥିବା ଠୁଙ୍ଗାଟାକୁ ନଈବନ୍ଧ ତଳକୁ ଉଡାଇଦେଲା ସୋମେନ।

 

ସଞ୍ଜ ନଇଁ ଆସୁଥାଏ ନଈ ଆରପାଖ ବୁଢା ବରଗଛ ପଛପାଖରୁ। ମନ ଉଦିତୀୟ ପ୍ରକ୍ରିୟାରେ ଉତ୍ତେଜନାର ଖୁବ୍ ନିକଟରୁ।

 

ଲୀନା ତର ହେଲାଣି ମନ୍ଦିର ଯିବାକୁ। ହେଲେ ଚକ୍ରାନ୍ତର ଜାଲ ବୁଣିବାକୁ ବେଶି ସମୟ ଲାଗେନା ପୁରୁଷକୁ। ବାହାରେ ରାତି ମାଡୁଥାଏ, ଭିତରେ ତାତି ବଢୁଥାଏ, ଲୀନର ବିଶ୍ବାସ କିନ୍ତୁ ଯେସାକୁ ତେଷା, ଅବିଚଳିତ...। ସୁଯୋଗକୁ ହାତଛଡା ନକରି ସୋମେନ୍ ହସିହସି ଠେଲିସାରିଥିଲା ଲୀନାକୁ ନଈ ଭିତରକୁ, ପାଣିରେ ପାଦ ଦେଉଦେଉ ସୂର୍ଯ୍ୟର ସେ ଫେରନ୍ତା ବାଟଆଡକୁ।

 

- ଆରେ ହେଇ! ତମେ ତ ପୂରା ଓଦା ହେଇଗଲ! (ମାଛି ଅନ୍ଧାର ଭିତରେ ବି ଲୀନା ଯୌବନର ପରିପାଟୀକୁ ସ୍ପଷ୍ଟ ପଢିପାରୁଥିଲା ସୋମେନ୍, ଯେତେବେଳେ ଲୀନା ଥାଏ ବେଫିକର୍।)

 

- ଭଲ ହେଲା। ଆମିଷ ଖାଇଲାବେଳେ ତମେ ଛୁଇଁଥିଲ ଆଉ ଏ ଚିତ୍ରୋତ୍ପଳା ନଦୀ ପବିତ୍ର କରିଦେଲା ମୋତେ ଓଦା କରି ଆଉଥରେ। ଏବେ ମନ୍ଦିରରେ ଦୀପ ଲଗାଇଲାବେଳେ ଶଙ୍କା ରହିବନି। (ସନ୍ଦେହ ନୁହେଁ ଆଖିରେ ବିଶ୍ବାସର ଲହଡି ନେଇ କହିଲା ଲୀନା।)

 

- ଆଛା, ମନ୍ଦିର କେତେବେଳେ ଯିବା ସୋମେନ୍?

 

- ମନ୍ଦିର ଆଉ କେତେ ଦୂର କି? ତମେ ସାଙ୍ଗରେ ଥିଲେ ଏଇ ପାହୁଣ୍ଡେ ପରେ ପରା! (ବିଦ୍ରୂପର ହସ ଲେସି ସୋମେନ୍ କହିଲା।)

 

ଲୀନା ହସିଲା ମୁଚୁମୁଚୁ ହେଇ, ଦୁହେଁ ଚାଲିଲେ ପାଦରେ ପାଦ ଥାପି। ଜଣେ ଜଳୁଥାଏ ନିଛାଟିଆ ଜାଗାରେ ପ୍ରେମିକାକୁ ଏକୁଟିଆ ପାଇ। ଆଉଜଣେ ଜଳଉଥାଏ ବିଶ୍ବାାସର ଦୀପ, ଆଜି ଜାଗର କହି। ସବୁ ନାରୀ ଆଉ ପୁରୁଷ ବୋଧେ ଏଇମିତି ଏକାପରି, ପ୍ରେମରେ ହଜନ୍ତି ଠାଏ ଆଉ ନିଜକୁ ଖୋଜନ୍ତି ଅନ୍ୟଠେଇଁ! ହଠାତ୍ ଫୋନ୍ ବାଜିଉଠିଲା ଲୀନାର।

 

- କେତେବେଳେ ଫେରିବୁ? (ସେପଟରୁ ସୁନୟନା ପଚାରିଲେ।)

 

- ଦୀପ ଲଗେଇ ସାରିଲିଣି ବୋଉ! ମୁଁ ଏବେ ଫେରିବା ବାଟରେ।

 

ଅନ୍ଧାର ରାତିରେ ଏବେ ବି ଲୀନା ଦିଶୁଥିଲା ସୋମେନକୁ। ଲୀନାର ଓଦା ଡ୍ରେସ୍‌ର ସବୁ ପାଣି ବୋଧେ ସଂକ୍ରମିତ ହେଇସାରିଥିଲା ସୋମେନ୍‌ର ଆଖିକୁ। ଥୋକାଏ ଚାହିଁ ରହିଲା ଲୀନାକୁ, ଅଟକାଇ ତାକୁ ରାସ୍ତା ମଝିରେ। ସୋମେନ୍‌ର ଯୌନ ଉଦ୍ଦୀପନା ସବୁ ଜଳୁଥିଲା ଏବେ ଲୀନା ଭରସାର ବଇଠିରେ। ଚାରିଆଡ ଆଲୋକିତ ହେଇଉଠୁଥିଲା ନିରବତାର ଛାତିଚିରି। ଶୁଭୁଥିଲା-  ଆଜି ଜାଗର, ଆଜି ଜାଗର ପ୍ରେମର ବୈଧତାରେ!


ପ୍ରତିକ୍ରିୟା

pradesh pradhan - Email: pradeshpradhan1982@gmail.com - Posted on 2017-02-26 17:35:12

bahut sundar srustiii, baastabtaara sparsh paai atyanta jeebant hoiii parichhii.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top