ରାମ ଓ ଶିବଙ୍କ ମିଳନ କ୍ଷେତ୍ର

News Story - Posted on 2017-02-24

ଜ୍ୟୋତିର୍ବିଦ‌୍‍ ଡ. ପ୍ରଦୀପ କୁମାର ଚୌଧୁରୀ

 

ଭୁବନେଶ୍ୱର ଏକ ବିଶିଷ୍ଟ ଶୈବକ୍ଷେତ୍ର - ଏ କଥା ଆମେ ଜାଣୁ। ଏଠାକାର ସହସ୍ର ଶିବ ମନ୍ଦିର, ଅଗଣିତ ଶିବ ଲିଙ୍ଗ, ଲିଙ୍ଗମାନଙ୍କ ସମ୍ରାଟ ଲିଙ୍ଗରାଜ ମନ୍ଦିର, ସହସ୍ର ତୀର୍ଥର ପୁଣ୍ୟ ଜଳର ସମାହାର ବିନ୍ଦୁସାଗର ବିଦ୍ୟମାନ। ଶୈବ ପୁରାଣରେ ବିଭିନ୍ନ ଶୈବକ୍ଷେତ୍ରମାନ ବର୍ଣ୍ଣନା ଅଛି। ସାଧାରଣତଃ ଶିବଙ୍କ ମହାନ‍୍‌ କ୍ଷେତ୍ରମାନଙ୍କରେ ଶିବଙ୍କୁ ନାଥ କିମ୍ୱା ଈଶ୍ୱର ବୋଲି ସମ୍ୱୋଧନ କରାଯାଇଛି, ଯଥା - ସୋମନାଥ, ପଶୁପତିନାଥ, ଅମରନାଥ, କାଶୀବିଶ୍ୱନାଥ, ଗୋରଖନାଥ, ବୈଦ୍ୟନାଥ, ନାଗନାଥ, କେଦାରନାଥ କିମ୍ୱା ଘୃଷ୍ମେଶ୍ୱର, ମହାକାଳେଶ୍ୱର, ରାମେଶ୍ୱର, ନାଗେଶ୍ୱର, ବେଲେଶ୍ୱର, ବିଲେଶ୍ୱର, ଗୁପ୍ତେଶ୍ୱର, ତ୍ରୟମ୍ୱକେଶ୍ୱର, ମାର୍କେଣ୍ଡଶ୍ୱର, ଓଁକାରେଶ୍ୱର ଇତ୍ୟାଦି। କିନ୍ତୁ ଏକାମ୍ର କ୍ଷେତ୍ରର ଏକମାତ୍ର ଶୈବକ୍ଷେତ୍ର ସାରା ଭାରତ ବର୍ଷର ଶିବ ଏଠାରେ ରାଜା ରୂପରେ ଅଧିଷ୍ଠିତ। ଏହି କ୍ଷେତ୍ରରେ ଶିବ ଲିଙ୍ଗରାଜ ରୂପେ ପରିଚିତ, ଅର୍ଥାତ୍ ଲିଙ୍ଗମାନଙ୍କ ମଧ୍ୟରେ ରାଜା ସେ ହେଉଛନ୍ତି ଲିଙ୍ଗରାଜ। ଲିଙ୍ଗରାଜ ମନ୍ଦିରର ବୈଶିଷ୍ଟ୍ୟ ସାରା ପୃଥିବୀର ସବୁ ଶିବ ମନ୍ଦିରଠାରୁ ଭିନ୍ନ ଏବଂ ଏହାର ଅନେକ ବିଶିଷ୍ଟତା ରହିଛି। ଏହାର ଐତିହାସିକ ଭିତ୍ତିଭୂମି, ଆଧ୍ୟାତ୍ମିକ, ଭୌତିକ ସ୍ଥିତି ଏବଂ ତତ୍ତ୍ୱକୁ ଅତି ସୂକ୍ଷ୍ମ ଭାବରେ ବିଶ୍ଳେଷଣ କରାଗଲେ ଆମେ ନିଜେ ବି ବିସ୍ମିତ ହେବା।

 

ସାରା ପୃଥିବୀର ଏକମାତ୍ର ଶିବମନ୍ଦିର ଲିଙ୍ଗରାଜ ଯେଉଁ ମନ୍ଦିର ଚୂଡାରେ ଶିବଙ୍କ ଆୟୁଧ (ଅସ୍ତ୍ର) ତ୍ରିଶୂଳ ବଦଳରେ ଧନୁ ବିଦ୍ୟମାନ ଯାହାର ନାମ ପିନାକ ଧନୁ। ଏହା ସବୁ ଶୈବକ୍ଷେତ୍ରଠାରୁ ଭିନ୍ନ ଏପରିକି ଜ୍ୟୋତିର୍ଲିଙ୍ଗ ଶୈବକ୍ଷେତ୍ରଗୁଡିକଠାରୁ ବି ଭିନ୍ନ। ମନ୍ଦିର ଚୂଡାରେ ତ୍ରିଶୂଳ ଶୈବକ୍ଷେତ୍ରର ପ୍ରତୀକ। କିନ୍ତୁ ଲିଙ୍ଗରାଜଙ୍କ ମନ୍ଦିର ଚୂଡାରେ ପିନାକ ଧନୁର ଶୋଭା ଏକ ଭିନ୍ନ ବିଶିଷ୍ଟତା। କେବଳ ଲିଙ୍ଗରାଜ ମନ୍ଦିର ଚୂଡାକୁ ଛାଡିଦେଲେ ସମ୍ଭବତଃ ଏପରିକି କୌଣସି ଶୈବ ମନ୍ଦିର ବିନା ତ୍ରିଶୂଳରେ ପ୍ରତିଷ୍ଠିତ ନୁହେଁ। ଅନ୍ୟ ଏକ ଭିନ୍ନତାରେ ଶିବଙ୍କ ମୁଖ୍ୟ ଦ୍ୱାରର ସମ୍ମୁଖ ଭାଗରେ ବୃଷଭ ରହି ଶିବଙ୍କୁ ଅହରହ ଅପଲକ ଭାବରେ ଦର୍ଶନ କରିବା କଥା ଯାହାକି ସବୁ ଶୈବକ୍ଷେତ୍ରରେ ଏକ ପ୍ରତୀକ। କିନ୍ତୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଏକ ବିରାଟକାୟ ବୃଷଭ ଶିବଙ୍କ ସମ୍ମୁଖ ଭାଗରେ ଦୃଶ୍ୟମାନ ହୁଏନାହିଁ। ଏଠାରେ ବୃଷଭ ମନ୍ଦିର ବେଢ଼ାର ବାମପାର୍ଶ୍ୱରେ ଏକ କୋଣରେ ବିଦ୍ୟମାନ ଏବଂ ଅନ୍ୟ ଏକ ବିଶେଷତାରେ ଶିବ ମନ୍ଦିରର ସମ୍ମୁଖ ଭାଗରେ ଅରୁଣ ସ୍ତମ୍ଭ ବିଦ୍ୟମାନ ଏବଂ ଅରୁଣ ସ୍ତମ୍ଭର ସର୍ବଉପରେ ବୃଷଭ ବିଦ୍ୟମାନ।

 

ଓଡିଶାର ବିଦ୍ୱାନ ପଣ୍ଡିତଗଣ ଲିଙ୍ଗରାଜଙ୍କୁ ହରିହର କ୍ଷେତ୍ର ବୋଲି କହନ୍ତି। ଯଦି ଏହା ଶିବ ଓ ବିଷ୍ଣୁଙ୍କ ମିଳନ କ୍ଷେତ୍ର ବା ହରିହରଙ୍କ ପୀଠ, ତାହା ହେଲେ ଏଠାରେ ଲିଙ୍ଗରାଜ ମନ୍ଦିର ଚୂଡାରେ ତ୍ରିଶୂଳ ଓ ଚକ୍ର ଶୋଭା ପାଇଥାଆନ୍ତା। ଯେହେତୁ ହରିଙ୍କ ପ୍ରତୀକ ଚକ୍ର ଏବଂ ହରଙ୍କ ପ୍ରତୀକ ତ୍ରିଶୂଳ, କିନ୍ତୁ ଏଠାରେ ପିନାକ ଧନୁ ଶୋଭା ପାଉଛି। ସମ୍ଭବତଃ ଭାରତ ବର୍ଷର ଏହା ହିଁ ଗୋଟିଏ ଶୈବପୀଠ ଯେଉଁଠାରେ ମନ୍ଦିର ଚୂଡାରେ ଧନୁ ଶୋଭା ପାଉଛି। ଏ କଥା ସତ ଯେ, ଏଠାରେ ହରି ଓ ହରଙ୍କର ମିଳନ ହୋଇଥିଲା। କିନ୍ତୁ ହରିଙ୍କ କେଉଁ ଅବତାରର କେଉଁ ସମୟରେ ଏହାର ସୂଚକ ଆମ ଲିଙ୍ଗରାଜ ମନ୍ଦିର ଚୂଡ଼ାରେ ଶୋଭିତ ଧନୁ ସୂଚନା ଦିଏ।

 

ଧନୁ ମର୍ଯ୍ୟଦାପୁରୁଷ ରାମଚନ୍ଦ୍ରଙ୍କର ଏକମାତ୍ର ଆୟୁଧ ଥିଲା। ରାମ ବିଷ୍ଣୁଙ୍କର ଏକ ଅବତାର ଥିଲେ। ପ୍ରଭୁ ରାମଚନ୍ଦ୍ର ନିଜ ବନବାସ ସମୟରେ ଏକାମ୍ର କାନନରେ ପଦାର୍ପଣ କରିଥିଲେ। ପ୍ରଭୁ ରାମ ଶିବଙ୍କ ପରମ ଭକ୍ତ ଏବଂ ଶିବ ରାମଙ୍କର ପରମ ଅନୁରାଗୀ ଏହା ରାମାୟଣ ପୃଷ୍ଠା ମଣ୍ଡନ କରିଛି। ପ୍ରଭୁ ରାମ ସେତୁବନ୍ଧ ଅବ୍ୟାହତ ପୂର୍ବରୁ ବାଲୁକାରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶିବଙ୍କ କୃପା ପାଇଥିବା କଥା ରାମାୟଣରେ ବର୍ଣ୍ଣିତ। ଏ କଥା ସତ୍ୟ ଯେ, ପ୍ରଭୁ ରାମଚନ୍ଦ୍ର ରାବଣ ସଂହାର ପରେ ମାତା ସୀତାଙ୍କୁ ଅଶୋକ ବନରୁ ଉଦ୍ଧାର କରି ଏକାମ୍ର କାନନକୁ ଆସି ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ରାବଣର ସଂହାର, ସୀତାମାତାଙ୍କ ଉଦ୍ଧାର ପରେ ରାଜ୍ୟାଭିଷେକ ପୂର୍ବରୁ ପ୍ରଭୁ ରାମଚନ୍ଦ୍ର ଶିବଙ୍କ ଆଶୀର୍ବାଦ ଅନୁଗ୍ରହ ପୂର୍ବକ ଏକାମ୍ର କାନନ ନିଜର ଭ୍ରାତୃବୃନ୍ଦ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ବିଭୀଷଣ ସହ ପଦାର୍ପଣ କରି ଏକାମ୍ର କ୍ଷେତ୍ରରେ ଶିବଙ୍କୁ ଦର୍ଶନ କରିଥିଲେ ଏବଂ ଶିବଙ୍କ ଦ୍ୱାରା ପ୍ରଦତ୍ତ ପିନାକ ଧନୁକୁ ରାବଣ ସଂହାର ଉଦ୍ଦେଶ୍ୟ ସାଧିତ ପରେ ଶିବଙ୍କୁ ଏଠାରେ ପ୍ରଦାନ କରିଥିଲେ, ଯାହାକି ଲିଙ୍ଗରାଜ ମନ୍ଦିର ଚୂଡାରେ ଶୋଭା ପାଉଛି। ନ୍ୟାୟବନ୍ତ, ଦୟାଳୁ, ପ୍ରଜାବତ୍ସଳ, ବିଶାଳହୃଦୟ ରାଜା ରାମଙ୍କ କ୍ଷେତ୍ରରେ ଅସ୍ତ୍ରର ଆବଶ୍ୟକତା ବା କ’ଣ ଏବଂ ହରିଙ୍କ ରାବଣ ସଂହାର ଉଦ୍ଦେଶ୍ୟ ସାଧିତ ହେବା ଫଳରେ ଧନୁର ଆବଶ୍ୟକତା ବା କ’ଣ?

 

ଏହି ଉଦ୍ଦେଶ୍ୟରେ ପ୍ରଭୁ ରାମଚନ୍ଦ୍ର ଏଠାରେ ଧନୁ ପ୍ରତ୍ୟାର୍ପଣ କରି ଦେଇଥିଲେ ଏବଂ ସୀତାଙ୍କୁ ଅଶୋକ ବନରୁ ଉଦ୍ଧାର ପରେ ରାଜ୍ୟାଭିଷେକ ପୂର୍ବରୁ ଏଠାକୁ ଚୈତ୍ରଶୁକ୍ଳ ଅଷ୍ଟମୀ ତିଥିରେ ଆସି ଶିବ ରାମଙ୍କ ମିଳନର ସାକ୍ଷ୍ୟ ସ୍ୱରୂପ ଏକାମ୍ର ବନରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ବିଭୀଷଣ ପ୍ରତ୍ୟେକେ ଏକ ଏକ ଶିବ ଲିଙ୍ଗ ପ୍ରତିଷ୍ଠା କରିଥିଲେ। ରାମଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବଲିଙ୍ଗ ଯାହାକି ମାଉସୀମା ମନ୍ଦିର ରୂପେ ପରିଚିତ। ତାହାର ଅନ୍ୟ ନାମ ହେଲା ରାମେଶ୍ୱର। ଏହା ରାମଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ଏହାର ସମ୍ମୁଖରେ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ମନ୍ଦିର ପଶ୍ଚିମମୁଖା ହୋଇ ବିଦ୍ୟମାନ। ଲିଙ୍ଗରାଜ ମନ୍ଦିରର ସମ୍ମୁଖରେ ଏକ ଶିବ ମନ୍ଦିରରେ ଏକ ବିଶାଳକାୟ ପାଞ୍ଚଫୁଟ ସୁନ୍ଦର ସୁସଜ୍ଜିତ ଶିବଲିଙ୍ଗ ବିଦ୍ୟମାନ। ଏହା ବିଭୀଷଣଙ୍କ ଦ୍ୱାରା ପ୍ରତିଷ୍ଠିତ। ଏହା ଡାକୁଆ ବିଭୀଷଣ ମନ୍ଦିର ନାମରେ ପରିଚିତ। ରାମ ଶିବଙ୍କ ଏଠାରେ ମହାମିଳନ ହୋଇଥିଲା। ଏହାର ସାକ୍ଷ୍ୟ ସ୍ୱରୂପ ପ୍ରଭୁ ଲିଙ୍ଗରାଜ ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ରଥାରୂଢ଼ ହୋଇ ରାମଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବଲିଙ୍ଗ ରାମେଶ୍ୱରଙ୍କୁ ଦର୍ଶନ କରିବାକୁ ଯାଆନ୍ତି ଯାହାକି ଅଶୋକାଷ୍ଟମୀ ଭାବରେ ପରିଚିତ। ସେହିଦିନ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ରଥାରୁଢ ହୋଇ ଲିଙ୍ଗରାଜ ମନ୍ଦିରରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଆସନ୍ତି। ଏଠାରେ ଶିବ ଓ ରାମଙ୍କ ପର୍ବ ପାଳିତ ହୁଏ। ସମ୍ଭବତଃ କୌଣସି ଶୈବ କ୍ଷେତ୍ରରେ ଏହି ପରମ୍ପରା ଦେଖିବାକୁ ମିଳେ ନାହିଁ। ତେଣୁ ଲିଙ୍ଗରାଜ ସ୍ୱତନ୍ତ୍ର ଶୈବ କ୍ଷେତ୍ର ଯାହାଙ୍କ ଦର୍ଶନରେ ଶିବ ଓ ରାମଙ୍କ ଦର୍ଶନର ଫଳ ମିଳିଥାଏ।

 

ଲିଙ୍ଗରାଜ ରାମ ଓ ଶିବଙ୍କ ସମନ୍ୱୟର ପ୍ରତୀକ। ଅଶୋକ ବନରୁ ସୀତା ମାତାଙ୍କୁ ଉଦ୍ଧାର ପରେ ପ୍ରଭୁ ରାମଚନ୍ଦ୍ର ଚୈତ୍ରମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଏଠାରେ ପଦାର୍ପଣ କରିଥିବାରୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ। ଲିଙ୍ଗରାଜ ମନ୍ଦିର ଚୂଡାର ପିନାକ ଧନୁ ଏବଂ ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ଭରତେଶ୍ୱର, ଶତ୍ରୁଘ୍ନେଶ୍ୱର ଏବଂ ଡାକୁଆ ବିଭୀଷଣ ମନ୍ଦିର ତଥା ଅଶୋକାଷ୍ଟମୀ ତିଥି ସବୁ ରାମଚନ୍ଦ୍ରଙ୍କ ସହ ସମ୍ୱନ୍ଧିତ ହେତୁ ଲିଙ୍ଗରାଜ କ୍ଷେତ୍ରର ମହାତ୍ମ୍ୟ ହରିହରଙ୍କ ମିଳନ କ୍ଷେତ୍ର। କିନ୍ତୁ ଏହାକୁ ହରିହର ପୀଠ ଅପେକ୍ଷା ଶିବ ରାମଙ୍କ ମିଳନ କ୍ଷେତ୍ର କହିଲେ ଅଧିକ ଠିକ ହେବ। ତେଣୁ ଆମ୍ଭେମାନେ ଅତ୍ୟନ୍ତ ଭାଗ୍ୟବାନ‍୍‌, ଆମେ ଏକ ସ୍ୱତନ୍ତ୍ର ଶୈବକ୍ଷେତ୍ରରେ ବସବାସ କରୁଛୁ ଯେଉଁଠାରେ ଶିବ ରାଜା ରୂପେ ପରିଚିତ ଏବଂ ଏହି କ୍ଷେତ୍ରରେ ଶିବଙ୍କ ପ୍ରାଣ ସଖା ରାମ ଏବଂ ରାମଙ୍କ ପ୍ରାଣ ସଖା ଶିବଙ୍କ ମିଳନ ହୋଇଥିଲା। ଏହା ହିଁ ଲିଙ୍ଗରାଜ। ସାରା ଭାରତ ବର୍ଷର ଏହା ହିଁ ଗୋଟିଏ ମନ୍ଦିର ଉଭୟ ବୈଷ୍ଣବ ଓ ଶୈବମାନଙ୍କର ଏକ ବିଶିଷ୍ଟ ତୀର୍ଥକ୍ଷେତ୍ର ବା ପବିତ୍ର ଧର୍ମ ପୀଠ।

 

ଜ୍ୟୋତିଷ ତତ୍ତ୍ୱରେ ନବଗ୍ରହଙ୍କ ସହ ହରି ଓ ହରଙ୍କର ସମ୍ପୂର୍ଣ୍ଣ ସମ୍ପର୍କ ରହିଥିବା କଥା ହିନ୍ଦୁ ଜ୍ୟୋତିଷାଚାର୍ଯ୍ୟମାନେ ଦାବି କରନ୍ତି। ଆଧ୍ୟାତ୍ମିକ ବା ଧର୍ମ କ୍ଷେତ୍ରରେ ହିନ୍ଦୁମାନେ ଦୁଇଟି ସୂତ୍ରରେ ବନ୍ଧା। ଗୋଟିଏ ହେଲା ଶୈବ ଓ ଅନ୍ୟଟି ହେଲା ବୈଷ୍ଣବ। ଶୈବମାନେ ଶିବଙ୍କୁ ସେମାନଙ୍କ ଆରାଧନାର ଅଗ୍ରାଧିକାର ଦେଉଥିବା ସ୍ଥଳେ ବୈଷ୍ଣବମାନେ ବିଷ୍ଣୁଙ୍କ ଅଂଶ ଅବତାରୀଙ୍କୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। ଶୈବମାନେ ଦାବି କରନ୍ତି ଶିବ ସ୍ୱୟଂ ବ୍ରହ୍ମାଣ୍ଡର ସ୍ୱରୂପ, ସେ ହିଁ ସର୍ବସ୍ୱ ଏବଂ ନବଗ୍ରହ ଜନିତ ସମସ୍ତ କଷ୍ଟଫଳର ମୁକ୍ତିଦାତା। ତେଣୁ ସେ ସ୍ୱୟଂ ନବଗ୍ରହ। ଶୈବମାନଙ୍କ ଯୁକ୍ତି ଅନୁଯାୟୀ ଶିବଙ୍କ ତୃତୀୟ ନେତ୍ର ସୂର୍ଯ୍ୟଙ୍କ ପ୍ରତୀକ, ମସ୍ତକରେ ଶୋଭିତ ଅର୍ଦ୍ଧଚନ୍ଦ୍ର ଓ ଗଙ୍ଗା ଚନ୍ଦ୍ରଙ୍କ ପ୍ରତୀକ, ଆୟୁଧ ତ୍ରିଶୂଳ ମଙ୍ଗଳଙ୍କ ପ୍ରତୀକ, କଟିରେ ଶୋଭିତ ହରିତ୍ ବର୍ଣ୍ଣ ବ୍ୟାଘ୍ର ଚମଡା ବୃହସ୍ପତିଙ୍କ ପ୍ରତୀକ, ବାହାନ ବୃଷଭ ଓ ତାଣ୍ଡବ ନୃତ୍ୟକଳା ଶୁକ୍ରଙ୍କ ପ୍ରତୀକ, ନୀଳକଣ୍ଠ, ମୁଣ୍ଡର ଜଟା ଓ ଶ୍ମଶାନ ଶନିଙ୍କ ପ୍ରତୀକ, ଶୋଭିତ ନରମୁଣ୍ଡମାଳ ଓ ପ୍ରଚଣ୍ଡ କ୍ରୋଧ ରାହୁଙ୍କ ପ୍ରତୀକ ଏବଂ ମସ୍ତକରେ ଶୋଭିତ ସର୍ପ ଓ ଲଲାଟରେ ଶୋଭିତ ଭଷ୍ମ କେତୁଙ୍କ ପ୍ରତୀକ। ତେଣୁ ତାଙ୍କୁ ନବଗ୍ରହଙ୍କ ଅଧିଷ୍ଠାତ୍ର ଦେବ ବୋଲି ବର୍ଣ୍ଣନା କରିବା ସ୍ଥଳେ ବୈଷ୍ଣବମାନେ ବିଷ୍ଣୁଙ୍କ ବିଭିନ୍ନ ନଅ ଅବତାରକୁ ନେଇ ନବଗ୍ରହ ସହ ତୁଳନା କରିଛନ୍ତି।

 

ସୂର୍ଯ୍ୟଙ୍କୁ ରାମ, ଚନ୍ଦ୍ରଙ୍କୁ କୃଷ୍ଣ ଓ ବଳରାମ, ମଙ୍ଗଳଙ୍କୁ ନୃସିଂହ, ବୁଧଙ୍କୁ ବୌଦ୍ଧ, ବୃହସ୍ପତିଙ୍କୁ ବାମନ, ଶୁକ୍ରଙ୍କୁ ପର୍ଶୁରାମ, ଶନିଙ୍କୁ କଛପ, ରାହୁଙ୍କୁ ବରାହ ଓ କେତୁଙ୍କୁ କଳ୍କୀ ଅବତାର ବୋଲି ବିଚାର କରିଥା’ନ୍ତି। କିନ୍ତୁ ଉଭୟ ବୈଷ୍ଣବ ଓ ଶୈବମାନଙ୍କ ପାଇଁ ହରିହର ବା ଶିବରାମଙ୍କ ସମନ୍ୱୟର ପ୍ରତୀକ ସ୍ୱରୂପ ଲିଙ୍ଗରାଜ ଭାରତ ବର୍ଷରେ ଏକମାତ୍ର ପୀଠ। ଏଠାରେ ଶୈବ ଓ ବୈଷ୍ଣବ ସମସ୍ତେ ଏକାକାର ଭାବରେ ନବଗ୍ରହଙ୍କ ସ୍ୱରୂପକୁ ଶିବ ଓ ରାମ ରୂପରେ ଗୋଟିଏ କ୍ଷେତ୍ରରେ ଦର୍ଶନ କରିଥାଆନ୍ତି।

 

ଅନ୍ୟ ଏକ ଲୌକିକ ତତ୍ତ୍ୱରେ ଏକାମ୍ର କାନନରେ ଏହି ପ୍ରସିଦ୍ଧ ଶୈବ କ୍ଷେତ୍ରକୁ ରାଜା ଭାବରେ ସମ୍ୱୋଧନ କରିବା ପଛରେ ରାମାୟଣର କାହାଣୀ ସହ ସମ୍ପର୍କ ଅଛି। ଏହିକ୍ଷେତ୍ରରୁ ଶିବଙ୍କ ଆଶୀର୍ବାଦ ନେବା ପରେ ବିଭୀଷଣଙ୍କ ଭଳି ଧର୍ମାତ୍ମାଙ୍କର ଲଙ୍କାରେ ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ଭଳି ମର୍ଯ୍ୟାଦାପୁରୁଷଙ୍କର ଅଯୋଧ୍ୟାରେ ରାଜ୍ୟାଭିଷେକ ହୋଇଥିଲା। ତେଣୁ ଏହିକ୍ଷେତ୍ରକୁ ଲିଙ୍ଗରାଜ ବୋଲି କୁହାଯାଏ। ଏହାର ଚାକ୍ଷୁଷ ପ୍ରମାଣ ସ୍ୱରୂପ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ରାମାୟଣରେ ବର୍ଣ୍ଣିତ ସମସ୍ତ କଥାଚିତ୍ର ଖୋଦିତ ରହିଥିବା ଦେଖିବାକୁ ମିଳେ।

 

ଭିଏ ୩୪/୪, ୟୁନିଟ‌୍‍-୨, ଭୁବନେଶ୍ୱର, ମୋ: ୯୪୩୭୨୮୪୨୧୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top