ବଢ଼ୁଛି ଡିଜିଟାଲ ନେଣଦେଣ

News Story - Posted on 2017-02-22

ଦେଶରେ ଡିଜିଟାଲ ପେମେଂଟ ବା ନେଣଦେଣ/କାରବାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୀତି ଆୟୋଗଙ୍କ ୨ଟି ଯୋଜନା-ଲକି ଗ୍ରାହକ ଯୋଜନା ଓ ଡିଜି ଧନ ବ୍ୟାପାର ଯୋଜନା ଆରମ୍ଭ ହେବାର ମାତ୍ର ୫୮ଦିନ ମଧ୍ୟରେ ସାଧାରଣ ଲୋକଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ବେଶ‌୍‍ ଉତ୍ସାହଜନକ ରହିଛି। ଏହି ଦୁଇ ଯୋଜନା ମାଧ୍ୟମରେ ଡିଜିଟାଲ କାରବାର ପ୍ରୟାସ ଏବେ ଭାରତରେ ଜନ ଆନ୍ଦୋଳନ ରୂପ ନେଇଛି। ଆଉ ଦେଶବ୍ୟାପୀ ଲୋକମାନେ ଅଧିକରୁ ଅଧିକ ଡିଜିଟାଲ ଦେଣନେଣ କରି ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

 

ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ନେସନାଲ‌୍‍ ପେମେଂଟ କର୍ପୋରେସନ‌୍‍ ଅଫ ଇଣ୍ଡିଆ (ଏନ‌୍‍ପିସିଆଇ)ଙ୍କ ଦ୍ୱାରା ଜାରି ସବିଶେଷ ତଥ୍ୟ ଅନୁସାରେ ପ୍ରାୟ ୧୦ ଲକ୍ଷ ଗ୍ରାହକ ଓ ବ୍ୟବସାୟୀଙ୍କୁ ୨୦୧୭ ଫେବୃୟାରୀ ୨୦ ତାରିଖ ସୁଦ୍ଧା ୧୫୩.୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇ ସାରିଛି।

 

ମୁଖ୍ୟାଂଶ

ମୋଟ ୯.୮ ଲକ୍ଷ ବିଜେତାଙ୍କ ମଧ୍ୟରେ ୯.୨ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଓ ୫୬ ହଜାର ବ୍ୟବସାୟୀ ରହିଛନ୍ତି।

 

୧୨୦ ଜଣ ଗ୍ରାହକ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଜିତିଛନ୍ତି।

 

୪ ହଜାର ବ୍ୟବସାୟୀ ପ୍ରତ୍ୟେକ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଅର୍ଥ ଜିତିଛନ୍ତି।

 

ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ସର୍ବାଧିକ ବିଜେତାଙ୍କ ସହ ପ୍ରଥମ ୫ଟି ରାଜ୍ୟ ରୂପେ ଉଭା ହୋଇଛି।

 

ସବୁ ଅଂଚଳରେ ମହିଳା ଓ ପୁରୁଷମାନଙ୍କ ସକ୍ରିୟ ଭାଗିଦାରୀ ରହିଛି।

 

ବିଜେତାଙ୍କ ମଧ୍ୟରେ ବିବିଧ ସାମାଜିକ-ଆର୍ଥିକ ପୃଷ୍ଠ ଭୂମି ସହ ଚାଷୀ, ବ୍ୟବସାୟୀ, ଛୋଟ ଉଦ୍ୟୋଗୀ, ପେଷାଦାର, ଗୃହିଣୀ, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି।

 

ବିଜେତାଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକମାନଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ରହିଛି।

 

ବିଜେତାଙ୍କ ମଧ୍ୟରେ ୧୫ରୁ ୬୬ ବର୍ଷ ବୟସର ଲୋକମାନେ ରହିଛନ୍ତି।  ଡିଜିଟାଲ ନେଣଦେଣ ବା ପେମେଂଟକୁ ବରି  ଲୋକମାନେ ଗ୍ରହଣ କରିବାରେ ପ୍ରଯୁକ୍ତିବିଦ୍ୟା ବଡ଼ ସମସ୍ୟା ହୋଇପାରେ ବୋଲି ଏକ ସନ୍ଦେହ ରହିଥିଲା। ତେବେ ଏଭଳି ସନ୍ଦେହ ଦୂରୀଭୂତ ହୋଇଛି।

 

ବିଜେତାମାନେ କିଭଳି ଡିଜିଟାଲ ପେମେଂଟକୁ ଆପଣେଇଲେ ଓ ଏହାଦ୍ୱାରା ସେମାନଙ୍କର ଜୀବନ କେତେ ସରଳ ହେଲା ତାହା ନିଜର ଅନୁଭବରୁ କହିଛନ୍ତି।  ଲକି ଗ୍ରାହକ ଯୋଜନାରେ ଦିଲ୍ଲୀର ଜଣେ ୨୨ବର୍ଷୀୟ ଡ୍ରାଇଭର ସବୀର ୧ଲକ୍ଷ ଟଙ୍କା ବିଜୟୀ ହୋଇଛନ୍ତି। ଡିଜିଟାଲ ପେମେଂଟ ତାଙ୍କ ପାଇଁ ପରୋକ୍ଷରେ ବରଦାନ ସାବ୍ୟସ୍ତ ହୋଇଛି। କାରଣ ତାଙ୍କ ପିତାଙ୍କ ମୃତ୍ୟୁ ପରେ ମା’ ଓ ଶାରୀରିକ ଅକ୍ଷମ ଉଭଣୀଙ୍କ ଦେଖାଶୁଣା କରିବାର ଦାୟିତ୍ୱ  ତାଙ୍କର ପଡ଼ିଥିଲା। ଏସବୁ କାରଣରୁ ବ୍ୟାଙ୍କରେ ଧାଡ଼ିବାନ୍ଧି ଛିଡ଼ା ହେବାକୁ ତାଙ୍କ ପାଖରେ ସମୟ ନଥିଲା। ସେହିପରି ଅନ୍ୟ ଜଣେ ବିଜେତା ହରିୟାଣାର ହିସାର ଜିଲ୍ଲାର ଗହମ ଚାଷୀ ୨୯ବର୍ଷୀୟ ଭୀମ ସିଂହ ଏବେ ଡିଜିଟାଲ ପେମେଂଟ ମାଧ୍ୟମରେ ପାଇକାରୀ ବ୍ୟବସାୟୀଙ୍କଠାରୁ ମାଲ‌୍‍ କିଣୁଛନ୍ତି। ସେହିପରି ତାମିଲନାଡୁର କୋଏମ୍ୱାଟୁରସ୍ଥିତ ୨୯ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀ ତଥା ୬ବର୍ଷ ଶିଶୁର ମା’ ଜୟନ୍ତୀ ଏସ‌୍‍ଏଫ‌୍‍ ଏହି ଯୋଜନାରେ ୧ଲକ୍ଷ ଟଙ୍କା ଜିତି ଗର୍ବ ଅନୁଭବ କରୁଛନ୍ତି।

 

ସେହିପରି ବ୍ୟବସାୟୀଙ୍କ ମଧ୍ୟରେ ରାଜସ୍ଥାନର ଆଲୱର ସହରର ଖୁଚୁରା କିରାଣୀ ଦୋକାନ ମାଲିକ ୪୨ବର୍ଷୀୟ  ଦାମୋଦର ପ୍ରସାଦ ଖଣ୍ଡେଲୱାଲ‌୍‍ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ ଡିଜି-ଧନ ବ୍ୟାପାର ଯୋଜନାରେ ୫୦ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି। ସେହିପରି ଏହି ବର୍ଗରେ ମୁମ୍ୱାଇର ଜଣେ ଫାଷ୍ଟଫୁଡ‌୍‍ ଦେକାନୀ ୩୨ ବର୍ଷୀୟ ମଞ୍ଜୁ ଆର.ଗୌଡ଼ ମଧ୍ୟ ଏହି ଯୋଜନାରେ ୫୦ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି।

 

ପୁରସ୍କାର ତଥ୍ୟ ବିଶ୍ଲେଷଣରୁ ଜଣାପଡ଼ୁଛି ଯେ ପ୍ରତ୍ୟେକ ରାଜ୍ୟର ଗ୍ରାମାଂଚଳ ଓ ସହରାଂଚଳରେ ସହ ବ୍ୟାପକ ଭୌଗୋଳିକ ଅଂଚଳରେ ବିଜେତାମାନେ ଅଛନ୍ତି। ବିଜେତାମାନେ ଦେଶର ପ୍ରାୟତଃ ସବୁ ରାଜ୍ୟର ଲୋକ ସାମିଲ ଅଛନ୍ତି।

 

ନୀତି ଆୟୋଗ ୨୦୧୬ ଡିସେମ୍ୱର ୨୫ରୁ ଦେଶର ୧୧୦ଟି ସହରରେ ଡିଜିଧନ ମେଳା ଆୟୋଜନ କରୁଛନ୍ତି। ଏହା ୨୦୧୭ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଚାଲିବ। ଆଜିସୁଦ୍ଧା ୫୯ଟି ଡିଜି ଧନମେଳା ଆୟୋଜନ କରାଯାଇ ସମଗ୍ର ଦେଶରେ ଡିଜିଟାଲ ପେମେଂଟକୁ ଜନ ଆନ୍ଦୋଳନ କରିବା ପାଇଁ ପ୍ରୟାସ ହେଉଛି।

 

ଉଲ୍ଲେଖଯୋଗ୍ୟ ଯେ, ଏବେ ନୀତି ଆୟୋଗଙ୍କର ୨ଟି ଯୋଜନା-  ଗ୍ରାହକଙ୍କ ପାଇଁ ଲକି ଗ୍ରାହକ ଯୋଜନା(ଏଲ‌୍‍ଜିୱାଇ) ଓ ବ୍ୟବସାୟୀଙ୍କ ପାଇଁ ଡିଜିଧନ ବ୍ୟାପାର ଯୋଜନା ଚାଲିଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଗ୍ରାହକ ଓ ବ୍ୟବସାୟୀ ଉଭୟଙ୍କୁ ଡିଜିଟାଲ ପେମେଂଟ ନିମନ୍ତେ ପ୍ରୋତ୍ସାହିତ କରିବା। ଏହା ଆଧାରରେ ଦୈନିକ ୧.୫ କୋଟି ଟଙ୍କାର ପୁରସ୍କାର ରାଶି ୧୫ ହଜାର ବିଜେତାଙ୍କ ପାଇଁ ଘୋଷଣା କରାଯାଉଛି। ରୂପେ କାର୍ଡ, ଭୀମ‌୍‍ ଆପ‌୍‍, ୟୁପିଆଇ, ୟୁଏସ‌୍‍ଏସ‌୍‍ଡି ଆଧାରିତ ସେବା ଓ ଆଧାର ସକ୍ଷମ ପୈଠ ସେବାର ଉପଯୋଗ କରୁଥିବା ଖାଉଟି ଓ ବ୍ୟବସାୟୀ ଦୈନିକ ଏବଂ ସାପ୍ତାହିକ ଲକି ଡ୍ର ପୁରସ୍କାର ଜିତିବା ପାଇଁ ଯୋଗ୍ୟ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top