ମିଳିମିଳା, ରୁବେଲାରୁ ମୁକ୍ତି ମିଳିବ!

News Story - Posted on 2017-02-22

ଆଗାମୀ ୨୦୨୦ ମଧ୍ୟରେ ଦେଶରୁ ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ଭାବେ ଦୂର କରାଯିବ। ଭାରତରେ ମିଳିମିଳା ଜନିତ ମୃତ୍ୟୁ ହାରରେ ୫୧ ପ୍ରତିଶତ ହ୍ରାସ ଘଟିଛି। ୨୦୦୦ ମସିହାରେ ମୃତ୍ୟୁସଂଖ୍ୟା ଏକ ଲକ୍ଷ ଥିଲାବେଳେ ଏଥିରେ ହ୍ରାସ ଘଟି ୨୦୧୫ରେ ୪୯ ହଜାରକୁ ଆସିଛି। ମିଳିମିଳା ଟୀକାକରଣର ପ୍ରଥମ ପାନ ରୁଟିନ ଟୀକାକରଣ କାର୍ଯ୍ୟକ୍ରମରେ ପିଲାଙ୍କୁ ୯ ମାସରେ ଦିଆଯାଇଥିବାରୁ ଏହା ସମ୍ଭବ ହୋଇପାରିଛି। ମିଳିମିଳାକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ ୨୦୧୦ ମସିହାରେ ମିଳିମିଳାର ଦ୍ୱିତୀୟ ପାନ ଆରମ୍ଭ କରାଯାଇଛି। ଦେଶର ବଛା ବଛା ରାଜ୍ୟଗୁଡିକରେ ୨୦୧୦ରୁ ୨୦୧୩ ମଧ୍ୟରେ ସାମୂହିକ ମିଳିମିଳା ଟୀକାକରଣ କାର୍ଯ୍ୟକ୍ରମରେ ୯ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ୧୧.୮ କୋଟି ପିଲାଙ୍କୁ ଟୀକା ଦିଆଯାଇଥିଲା। ଆଗାମୀ ଦୁଇ ବର୍ଷ ମଧ୍ୟରେ ଆଉ ୪୧ କୋଟି ପିଲାଙ୍କୁ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଛି।

 

ଦେଶରୁ ମିଳିମିଳା ଏବଂ ରୁବେଲା ଦୂର କରିବା ପାଇଁ ଏକ ବିଶେଷଜ୍ଞ ଗୋଷ୍ଠୀର ବୈଠକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆୟୋଜନ କରିଥିଲେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ କେସି ମିଶ୍ର କହିଥିଲେ ଯେ ମିଳିମିଳା ଏବଂ ରୁବେଲା ଆକ୍ରମଣରୁ ଆଗାମୀ ଦିନରେ ଯେପରି ପିଲାମାନେ କିମ୍ୱା ତାଙ୍କ ପରିବାର ଦୂରରେ ରହିବେ ସେଥିପ୍ରତି ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

 

ବିଶେଷଜ୍ଞ ଗୋଷ୍ଠୀ ମିଳିମିଳାକୁ ଦୂର କରିବା ଏବଂ ରୁବେଲାକୁ ନିୟନ୍ତ୍ରଣ କରିବା ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଖାସକରି ଚଳିତ ମାସରେ ମିଳିମିଳା ଏବଂ ରୁବେଲା ଅଭିଯାନର ଶୁଭାରମ୍ଭ ପାଇଁ ଭାରତର ପ୍ରଶଂସା କରିଥିଲେ। ଏହା ବ୍ୟତୀତ ଏମଆର ଅଭିଯାନର ଅନ୍ତିମ ପର୍ଯ୍ୟାୟ ସମୟାନୁସାରେ ଆରମ୍ଭ କରିବା ଏବଂ ମିଳିମିଳା-ରୁବେଲା ଟୀକାକରଣ ଅଭିଯାନର ସଚେତନତାକୁ ଆହୁରି ଅଧିକ କରିବା ପାଇଁ ସୁପାରିଶ କରିଥିଲେ। ୨୦୧୫ରେ ବିଶେଷଜ୍ଞମାନଙ୍କ ମତ ଅନୁସାରେ ରୁବେଲା ପାଇଁ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଟୀକା ୯ ମାସରୁ ୧୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯାଇଥିଲା। ଏହି ଟୀକାକରଣ କାର୍ଯ୍ୟକ୍ରମ ତାମିଲନାଡୁ, କର୍ଣ୍ଣାଟକ, ଗୋଆ, ପୁଡୁଚେରୀ ଏବଂ ଲାକ୍ଷାଦ୍ୱୀପରେ ଚାଲିଛି। ଏ ପର୍ଯ୍ୟନ୍ତ ୧.୧୬ କୋଟି ପିଲାଙ୍କୁ ଟୀକା ଦିଆଯାଇଛି। ଆଗାମୀ ଦିନରେ ଏମଆର ଟୀକାକରଣ ଶୁଭାରମ୍ଭ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଯୋଡାଯିବ।

 

ବିଶେଷଜ୍ଞମାନଙ୍କ ମଧ୍ୟରେ ଦକ୍ଷିଣ ପୂର୍ବ ଏସିଆ ଡବ୍ଲ୍ୟୁଏଚଓ ଆଂଚଳିକ ନିଦ୍ଦେର୍ଶକ ଡଃ ପୁନମ କ୍ଷେତ୍ରପାଲ ସିଂହ ମିଳିମିଳା ଏବଂ ରୁବେଲା ପାଇଁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ ଉପଦେଷ୍ଟା ଦଳର ଉପାଧ୍ୟକ୍ଷ ଡଃ ଟି.ଜ୍ୟାକବ ଜନ ପ୍ରମୁଖ ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top