ଦେଶଭକ୍ତଙ୍କ ପ୍ରବାସନ!

News Story - Posted on 2017-02-21

ସୂର୍ଯ୍ୟମଣି ମିଶ୍ର

 

ମା’, ମାଟି, ମାତୃଭାଷା, ଦେଶପ୍ରେମ ଓ ଦେଶଭକ୍ତିର କଥା କହୁଥିବା ଭାରତୀୟ ନାୟକ ନାୟିକାମାନଙ୍କର ସଂଖ୍ୟା କମ‍୍‌ ନୁହେଁ। ରାଷ୍ଟ୍ରବାଦର ନାରାରେ ଦେଶ ଦୁଲୁକୁଛି। ଦେଶଭକ୍ତ ବନାମ‍୍‌ ରାଷ୍ଟ୍ରଦ୍ରୋହୀକୁ ନେଇ ବିତର୍କ ବି କମ‍୍‌ ନୁହେଁ। ଦେଶ ଆଗକୁ ବଢୁଛି, ସମୃଦ୍ଧିରେ ବିଶ୍ୱର ଅନେକ ରାଷ୍ଟ୍ରକୁ ଭାରତ ପଛରେ ପକାଇବାରେ ସଫଳ ହୋଇଛି ବୋଲି ଶାସନ କ୍ଷମତାରେ ଥିବା ଦଳ ପକ୍ଷରୁ ଦାବି କରାଯାଉଛି।

 

ନିକଟରେ ପୁଡୁଚେରିରେ ପ୍ରବାସୀ ଭାରତୀୟମାନଙ୍କୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶ ବାହାରେ ଥିବା ଭାରତୀୟଙ୍କୁ ନିଜ ମାତୃଭୂମି ସହ ଯୋଡ଼ିବା ପାଇଁ ସରକାର ପ୍ରୟାସ କରିଛନ୍ତି। ଭାରତର ବିକାଶ ଯାତ୍ରାରେ ଭାଗିଦାରି କରିବାକୁ ଏହି ପ୍ରବାସୀଙ୍କୁ ଆମନ୍ତ୍ରିତ କରାଯାଇଛି। ପ୍ରବାସୀ ଭାରତୀୟ ବାର୍ଷିକ ଦେଶର ଅର୍ଥ ବ୍ୟବସ୍ଥାକୁ ୬୯ ଅରବ‍୍‌ ଡଲାର ଦେଇଥାନ୍ତି। ତଥ୍ୟ ଅନୁଯାୟୀ ବିଶ୍ୱର ୪୮ଟି ଦେଶରେ ୨ କୋଟି ଭାରତୀୟ ପ୍ରବାସୀ ଭାବରେ ରହିଛନ୍ତି। ୧୧ଟି ଦେଶରେ ୫ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟ ସେ ଦେଶର ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ପ୍ରମୁଖ ଭୂମିକା ପାଳନ କରୁଛନ୍ତି। ପ୍ରବାସୀ ଭାରତୀୟ ବିଶ୍ୱର ଏହିସବୁ ଦେଶରେ ପୃଥକ୍ ପୃଥକ୍ ଭାଷା ବ୍ୟବହାର କରିଥାନ୍ତି। ଭାରତ ସରକାର ୨୦୦୨ରେ ଏହି ପ୍ରବାସୀ ଭାରତୀୟଙ୍କୁ ମାଟିସହ ଯୋଡ଼ିବା ପାଇଁ ଉଦ୍ୟମ କରିଥିଲେ। ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଡକ୍ଟର ଲକ୍ଷ୍ମୀ ମିତ୍ତଲ ସିଙ୍ଗଭି ଆମେରିକାରେ ସ୍ୱତନ୍ତ୍ର ଭୂମିକାରେ ଅଛନ୍ତି।

 

୨୦୦୦ ମସିହା ୧୮ ଅଗଷ୍ଟରେ ପ୍ରଥମ ଥର ପାଇଁ ଭାରତରେ ପ୍ରବାସୀ ଭାରତୀୟ ଦିବସ ପାଳନର ଅୟମାରମ୍ଭ ହୋଇଥିଲା। ୯ ଜାନୁଆରିରେ ଏହି ଦିବସ ପାଳନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଦିନ ଜାତିର ପିତା ମୋହନ ଦାସ କରମ‍୍‌ଚାନ୍ଦ ଗାନ୍ଧି ଦକ୍ଷିଣ ଆଫ୍ରିକାରୁ  ସ୍ୱଦେଶକୁ ଫେରିଥିଲେ। ଏହି ସ୍ମୃତିକୁ ମନେ ପକାଇ ବାଜପେୟୀ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଥିଲେ। ୯ ଜାନୁଆରି, ୨୦୦୩ ରେ ଏହି ଭାରତୀୟ ଦିବସ ପାଳନ ହୋଇଥିଲା। ବିଶ୍ୱର ୧୧୦ ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ନେଟୱାର୍କ  ସ୍ଥାପନ ପାଇଁ ଭାରତ ସରକାର ଉଦ୍ୟମ ଆରମ୍ଭ କରି ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରବାସୀ ଭାରତୀୟକୁ ନେଇ କୌଶଳ ବିକାଶ ଯୋଜନା ଆରମ୍ଭ ହୋଇଛି। ପ୍ରବାସୀ ଭାରତୀୟ ବିଦେଶୀ ମୁଦ୍ରା ଅର୍ଜନର ବଡ଼ ଉତ୍ସ। ଭାରତ ସରକାର ପ୍ରବାସୀ ଭାରତୀୟଙ୍କ ସହଯୋଗରେ ଦେଶର ବିକାଶ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ନିଶ୍ଚିତ ସ୍ୱାଗତଯୋଗ୍ୟ।

 

କିନ୍ତୁ ଅନ୍ୟ ଯେଉଁ ପ୍ରସଙ୍ଗଟି ଦେଶ ପାଇଁ ଉଦ‍୍‌ବେଗର କାରଣ ହୋଇଛି ତାହା ହେଲା ପ୍ରତିଭା ପଳାୟନ। ସରକାର ମେକ୍ ଇନ‍୍‌ ଇଣ୍ଡିଆ, ଷ୍ଟାଷ୍ଟ୍ ଅଫ୍ ଇଣ୍ଡିଆ ଏବଂ ଷ୍ଟାଣ୍ଡ୍ ଅଫ୍ ଇଣ୍ଡିଆ ଦ୍ୱାରା ଦେଶର ବିକାଶ ସାଧିତ ହେବ ବୋଲି ଦାବି କରୁଛନ୍ତି।  ଏଥିପାଇଁ ଯୋଜନା ପ୍ରଣୟନ କରାଯାଇଛି। କିନ୍ତୁ ଏହି ଯୋଜନା ଦେଶରୁ ବିଦେଶକୁ ପ୍ରତିଭା ପଳାୟନ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରିନାହିଁ। ଭାରତ ଛାଡ଼ି ଯୁବବର୍ଗ ବିଦେଶକୁ ପଳାୟନ କରୁଛନ୍ତି। ଅଧ୍ୟୟନ ଓ ନିଯୁକ୍ତି ପାଇଁ ଭାରତର ଉଚ୍ଚଶିକ୍ଷା ଭିତ୍ତିଭୂମି ଏବଂ ନିଯୁକ୍ତି କ୍ଷେତ୍ର ଯୁବବର୍ଗଙ୍କୁ ଧରି ରଖିପାରୁନାହିଁ।

 

ବିଦେଶ ହେଉଛି ଭାରତୀୟ ଯୁବବର୍ଗଙ୍କ ପାଇଁ ଆକର୍ଷଣ। ସରକାର ଉଚ୍ଚଶିକ୍ଷା କ୍ଷେତ୍ରର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଭିତ୍ତିଭୂମିର ବିକାଶକୁ ସୁନିଶ୍ଚିତ କରାଯାଉଛି ବୋଲି କହୁଥିଲେ ହେଁ ଯୁବବର୍ଗ ଏନେଇ ସନ୍ତୁଷ୍ଟ ନୁହଁନ୍ତି। ସରକାରଙ୍କ ମେକ୍ ଇନ‍୍‌ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ ଏବଂ ଷ୍ଟାଣ୍ଡ୍ ଅପ ଇଣ୍ଡିଆ ଭଳି ଯୋଜନା ଯୁବବର୍ଗଙ୍କୁ ନିଯୁକ୍ତିର ଗ୍ୟାରେଣ୍ଟି ଦେଇପାରୁନାହିଁ। ଫଳରେ ପୂର୍ବବର୍ଷଠାରୁ ଅଧିକ ଭାବେ ଭାରତୀୟ ଯୁବବର୍ଗ ବିଦେଶକୁ ପଳାୟନ କରୁଛନ୍ତି। ବୃଦ୍ଧି ପାଉଛି ବ୍ରେନ‍୍‌ ଡ୍ରେନ‍୍‌ (ପ୍ରତିଭା ପଳାୟନ)। କିନ୍ତୁ ସରକାର ବ୍ରେନ‍୍‌ ଗେନ‍୍‌ (ପ୍ରତିଭା ଲାଭ) ପାଇଁ ସୁଚିନ୍ତିତ ତଥା ସୁନିଶ୍ଚିତ ପଦକ୍ଷେପ ନେଇପାରିନାହାନ୍ତି। ଫଳରେ ଭାରତର ସୂଚନା ପ୍ରଯୁକ୍ତି କ୍ଷେତ୍ର, ଚିକିତ୍ସା, ଇଞ୍ଜିନିୟରିଂ, ବ୍ୟାଙ୍କିଙ୍ଗ୍ ଏବଂ ପ୍ରଶାସନିକ କ୍ଷେତ୍ର ପାଇଁ ସୁଯୋଗ୍ୟ ପ୍ରତିଭାଧାରୀମାନେ ଦେଶର ମାଟିକୁ ଭଲ ପାଇବା ଅପେକ୍ଷା ବିଦେଶୀ ପାଣିପାଗକୁ ଆପଣେଇ ନେଉଛନ୍ତି।

 

ଆମେରିକା ସହ ବ୍ରିଟେନ‍୍‌, ଅଷ୍ଟ୍ରେଲିଆ, କାନାଡ଼ା, ରୁଷ୍, ଜର୍ମାନ‍୍‌, ଚୀନ‍୍‌, ସିଙ୍ଗାପୁର, ସାଉଦିଆରବ, ୟୁଏଇ ଭଳି ଦେଶର ଆଇଟି, ଚିକିତ୍ସା, ବ୍ୟାଙ୍କିଙ୍ଗ ପ୍ରଶାସନ, ଗବେଷଣା ଏପରିକି ହୋଟେଲ କ୍ଷେତ୍ରରେ ଭାରତୀୟ ପ୍ରତିଭାଧାରୀ ଯୁବବର୍ଗ ନିଜକୁ ଯୋଡ଼ି ଦେଉଛନ୍ତି। ପାଖାପାଖି ୩କୋଟି ଭାରତୀୟ ବିଦେଶର ଏହି କ୍ଷେତ୍ରଗୁଡ଼ିକରେ ନିଯୁକ୍ତ। କେବଳ ଆମେରିକାରେ ନିଯୁକ୍ତିପ୍ରାପ୍ତ ଭାରତୀୟ ଯୁବବର୍ଗଙ୍କ ସଂଖ୍ୟା ୬୦ଲକ୍ଷରୁ ଅଧିକ। ସେଠାକାର ଆଇଟି ହବ‍୍‌ ସିଲିକନ‍୍‌ ଭ୍ୟାଲିରେ ଥିବା କମ୍ପାନିଗୁଡ଼ିକରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୬୫ ପ୍ରତିଶତ ହେଉଛନ୍ତି ଭାରତୀୟ। ଏହି ୬୫ ପ୍ରତିଶତ ଭାରତୀୟ ଆଇଟି ହବ‍୍‌ରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିବା ସହ ଗୁରୁତ୍ୱପୂର୍ଣ୍ଣ ଭାର ଗ୍ରହଣ କରିଛନ୍ତି। ଏମାନଙ୍କ ସଂଖ୍ୟା ଏହି ଆଇଟି ହବ‍୍‌ରେ ୯୦ ହଜାର। ଏହା ସୂଚାଇ ଦେଉଛି ଭାରତୀୟ ପ୍ରତିଭା ପଳାୟନର ତଥ୍ୟ ସମ୍ପର୍କରେ।

 

ଭାରତ ପାଖରେ ବିଶ୍ୱର ତୃତୀୟ ବୃହତ ଶିକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ବିଶ୍ୱର ୨୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ଗୋଟିଏ ବିଶ୍ୱବିଦ୍ୟାଳୟର ନାମ ନାହିଁ। ଦେଶର ଆଇଆଇଟି, ଆଇଆଇଏମ‍୍‌ ଭଳି ୨୦ଟି ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନ ରହିଛି। କିନ୍ତୁ ଭାରତୀୟ ପ୍ରତିଭାଧାରୀଙ୍କୁ ଏହି ଶିକ୍ଷା ପ୍ରତିଷ୍ଠାନ ବିଶେଷ ଭାବେ ଆକର୍ଷିତ କରି ରଖି ପାରୁନାହିଁ। ଦେଶର ଉଚ୍ଚ, ଉଚ୍ଚମଧ୍ୟମ ଏବଂ ମଧ୍ୟମବର୍ଗର ଅଭିଭାବକମାନେ ନିଜ ପିଲାଙ୍କୁ ଉଚ୍ଚତର ଶିକ୍ଷା ପାଇଁ ବିଦେଶକୁ ପଠାଇବାକୁ ପସନ୍ଦ କରୁଛନ୍ତି। ଗୋଟିଏ କାରଣ ହେଲା ଭାରତର ଉଚ୍ଚଶିକ୍ଷା କ୍ଷେତ୍ରର ଭିତ୍ତିଭୂମି ଉଚ୍ଚତର ସୋପାନରେ ପହଞ୍ଚି ପାରିନାହିଁ। ଅନ୍ୟଟି ହେଲା ଭାରତରେ ଥିବା ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ନାମ ଲେଖାଇବା ପଦ୍ଧତି ଜଟିଳ। ଏଠାରେ ଅଭିଭାବକ ଜଣେ ନିଜ ପିଲାକୁ ପଢାଇବା କଠିନ। ଯାହା ବିଦେଶରେ ସହଜସାବ୍ୟସ୍ତ ହେଉଛି। ଭାରତ ସହ ବିଦେଶରେ ନିଯୁକ୍ତି ପାଇବା ପାଇଁ ବିଦେଶୀ ଡିଗ୍ରୀ ଜରୁରୀ ହୋଇପଡ଼ିଛି। ଏହାକୁ ଗୁରୁତ୍ୱ ଦେଉଛନ୍ତି ଦେଶ ଓ ବିଦେଶର ସରକାର। ଭାରତ ଉଚ୍ଚଶିକ୍ଷା କ୍ଷେତ୍ରର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସମସ୍ତ ଦାବି ସତ୍ତ୍ବେ ଏହା ପୂରଣ ହୋଇପାରୁନାହିଁ। ତଥ୍ୟ ଅନୁଯାୟୀ ଆମେରିକାରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୫-୧୬ରେ ଏକଲକ୍ଷ ୬୫ ହଜାର। ୨୦୧୪-୧୫ ତୁଳନାରେ ଏହାର ହାର ୨୫ ପ୍ରତିଶତ ଅଧିକ। ଆମେରିକାରେ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀ ତାଲିକାରେ ଭାରତ ଦ୍ୱିତୀୟରେ। ଜର୍ମାନୀରେ ୨୦୧୦-୧୬ ମଧ୍ୟରେ  ଭାରତୀୟ ଛାତ୍ରଛାତ୍ରୀଙ୍କ ନାମଲେଖା ହାର ୨ପ୍ରତିଶତ ବୃଦ୍ଧି ପାଇଛି।

 

ଏହା ଭାରତୀୟ ଇତିହାସର ବ୍ୟତିକ୍ରମ । ପ୍ରାଚୀନ କାଳରେ ଭାରତର ନାଳନ୍ଦା, ତକ୍ଷଶିଳା, ପୁଷ୍ପଗିରି ଭଳି ବିଶ୍ୱବିଦ୍ୟାଳୟରେ  ଅଧ୍ୟୟନ କରିବା ପାଇଁ ବିଦେଶୀ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା କରିଥିଲେ। ଭାରତର ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରାଚୀନ କାଳରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। କିନ୍ତୁ ଆଜି ଭାରତରେ ବିଦେଶର ପ୍ରତିଭାବନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ମନ ବଳାଉନାହାନ୍ତି। ରିପୋର୍ଟ ଅନୁସାରେ ୨୦୦୩ ତୁଳନାରେ ୨୦୧୫ରେ ଭାରତରୁ ବିଦେଶକୁ ଯାଉଥିବା ଗବେଷଣାରତ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ହାର ୮୫ ପ୍ରତିଶତ ବୃଦ୍ଧି ପାଇଛି। ପାଖାପାଖି ୨.୬୪ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଅଧ୍ୟୟନ କରିବା ସହ ସେଠାରେ ନିଯୁକ୍ତି ପାଇ ରହୁଛନ୍ତି। ଭାରତ ଆସିବାକୁ ଚାହୁଁନାହାନ୍ତି। ଏହି ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶରେ ଅଧ୍ୟୟନ କରିବା ଏବଂ ନିଯୁକ୍ତି ପାଇବା ଗର୍ବର ବିଷୟ ହୋଇଛି। ଏଠାରେ ନିଯୁକ୍ତି ପାଉଥିବା ଛାତ୍ରଛାତ୍ରୀଙ୍କ ଦେଶରେ ରହୁଥିବା ଅଭିଭାବକଙ୍କ ମୁହଁରୁ ବେତନ କଥା ଶୁଣିବାକୁ ମିଳେନି। ବରଂ ପ୍ୟାକେଜର କଥା କହିଥାନ୍ତି ଏହି ଅଭିଭାବକମାନେ। ଏହା କହିବାକୁ ଗର୍ବ ଅନୁଭବ କରିଥାନ୍ତି। ଦେଶର ନେତା ଓ ପ୍ରଶାସକ ନିଜ ପିଲାମାନଙ୍କୁ ଦେଶର ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ପଢାଇବା ଅପେକ୍ଷା ବିଦେଶକୁ ପଠାଇବାକୁ ବିଶେଷ ଭାବେ ପସନ୍ଦ କରିଥାନ୍ତି। ଯେଉଁମାନଙ୍କ ମୁହଁରେ ଦେଶଭକ୍ତି ଓ ରାଷ୍ଟ୍ରବାଦର କଥା ଶୁଣିବାକୁ ମିଳୁଛି ସେହି ନେତା ଓ ପ୍ରଶାସକ ଅଧିକ ଭାବେ ନିଜ ପିଲାମାନଙ୍କୁ ବିଦେଶକୁ ପଠାଇଥାନ୍ତି। କାରଣ ବିଦେଶରେ ରହିଛି ଭାରତ ଅପେକ୍ଷା ଅଧିକ ଚାକଚକ୍ୟର ପରିବେଶ। ଏହା ସହ ଉଚ୍ଚ ବେତନ ଏବଂ ସମୃଦ୍ଧ ଜୀବନ ଯାପନ ପାଇଁ ପାଣିପାଗ। ବିଦେଶକୁ ନିଜ ପିଲାମାନଙ୍କୁ ପଠାଉଥିବା ଅଭିଭାବକମାନଙ୍କର ମାର୍ଗଦର୍ଶନ ଓ ପ୍ରେରଣା ହୋଇଛି ଯେ ସ୍ନାତକୋତ୍ତର ଏବଂ ଡାକ୍ତରୀ ଡିଗ୍ରୀ ପରେ ଆଉ ଭାରତକୁ ନଆସି ସେଠାରେ ରହିବା ବରଂ ଉତ୍ତମ ହେବ।

 

ଆମେରିକାର ନ୍ୟାସନାଲ‍୍‌ ସାଇନ୍ସ ଫାଉଣ୍ଡେସନର ସଦ୍ୟତମ ସର୍ଭେ ରିପୋର୍ଟ ଅନୁଯାୟୀ ଡାକ୍ତରୀ କିମ୍ୱା ଅନ୍ୟ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବିଶେଷଜ୍ଞ ହେବା ପରେ ୮୦ ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶକୁ ଯିବାକୁ ଚାହୁଁନାହାନ୍ତି। ସବୁଠାରୁ ଏହି ପ୍ରତିଭା ପଳାୟନ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ସ୍ୱାସ୍ଥ୍ୟକ୍ଷେତ୍ରକୁ ନେଇ।  ଭାରତରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଏହାକୁ ସଜାଡ଼ିବା ପାଇଁ ଆବଶ୍ୟକ ପଡୁଥିବା ଡାକ୍ତର, ନର୍ସ ଏବଂ ପାରାମେଡ଼ିକାଲ ଷ୍ଟାଫଙ୍କ ଅଭାବ ଲାଗିରହିଛି। ଏହି ଅଭାବକୁ ଦୂର କରିବା ଦିଗରେ ସରକାର ସଫଳ ହୋଇପାରୁନାହାନ୍ତି। ଅଥଚ ଗତ ୩ବର୍ଷ ମଧ୍ୟରେ ଭାରତରୁ ୩ ହଜାର ସ୍ନାତକୋତ୍ତର ଡିଗ୍ରୀଧାରୀ ଡାକ୍ତର ବିଦେଶକୁ ଯାଇଛନ୍ତି ଯେ ଆଉ ଫେରିନାହାନ୍ତି। ଡାକ୍ତରଙ୍କ ଭଳି ପ୍ରତିଭାଧାରୀଙ୍କ ବିଦେଶ ପଳାୟନ ଦେଶପାଇଁ ଉଦ‍୍‌ବେଗର ପ୍ରସଙ୍ଗ ହୋଇଛି। ଦେଶରେ ସ୍ୱାସ୍ଥ୍ୟସେବା ନପାଇ ମହିଳା ଓ ଶିଶୁ ଅଧିକ ଭାବେ ମୃତ୍ୟୁର ଶିକାର ହେଉଛନ୍ତି। ବିଶେଷଜ୍ଞ ଡାକ୍ତରଙ୍କ ବିଦେଶ ପଳାୟନକୁ ନିୟନ୍ତ୍ରଣ କରିବା ପାଇଁ ସଂସଦରେ ଉଦ‍୍‌ବେଗ ପ୍ରକାଶ ପାଉଛି।

 

ଏହି ପ୍ରତିଭାଧାରୀଙ୍କୁ ଦେଶର ମାଟି ସହ ଯୋଡ଼ି ରଖିବା ଦିଗରେ ସରକାର ଯେଭଳି ପଦକ୍ଷେପ ନେବା କଥା ଏବଂ ସଫଳତା ପାଇବା କଥା ତାହା ହୋଇପାରିନାହିଁ। ବଢୁଛି ପ୍ରତିଭା ପଳାୟନ। ସରକାର କିନ୍ତୁ ଷ୍ଟାଣ୍ଡ୍ ଅପ ଇଣ୍ଡିଆ, ଷ୍ଟାର୍ଟ୍ ଅପ ଇଣ୍ଡିଆ ଏବଂ ମେକ୍ ଇନ‍୍‌ ଇଣ୍ଡିଆର ନାରା ଦେଉଛନ୍ତି। କେବେ ନିୟନ୍ତ୍ରଣ ହେବ ପ୍ରତିଭା ପଳାୟନ? ରାଷ୍ଟ୍ରବାଦ ଓ ଦେଶଭକ୍ତିର କଥା କହୁଥିବା ନେତା ଓ ପ୍ରଶାସକ କେବେ ସଜାଡ଼ିବେ ଦେଶର ଉଚ୍ଚଶିକ୍ଷା କ୍ଷେତ୍ରର ଭିତ୍ତିଭୂମି। କେବେ ପ୍ରତିଷ୍ଠା ହେବ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାର ମାନ। ଏହି ପ୍ରଶ୍ନକୁ ନେଇ ସମୀକ୍ଷା, ବିତର୍କ ଯେପରି ଜରୁରୀ ସେହିପରି ସରକାରଙ୍କ ପକ୍ଷରୁ ପଦକ୍ଷେପ ନେବା ଅତି ଜରୁରୀ ନିଶ୍ଚୟ।

 

ଭିଆର‍୍‌-୧୦/୧, ଖାରବେଳ ନଗର, ୟୁନିଟ‍୍‌-୩, ଭୁବନେଶ୍ୱର-୭୫୧୦୦୧, ଦୂରଭାଷ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top