ବଢ଼ିଲା ତାପ, ଫେରିଲେ ଚଢ଼େଇ!

News Story - Posted on 2017-02-21

 

ତାପମାତ୍ରା ହଠାତ ବୃଦ୍ଧି ପାଇବା ପରେ ପ୍ରସିଦ୍ଧ ଚିଲିକା ହ୍ରଦରୁ ଫେରିବା ଆରମ୍ଭ କଲେଣି ବିଦେଶୀ ପକ୍ଷୀ। ଏଥର ସେମାନେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସ୍ୱଦେଶ ଫେରି ଯାଇଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

 

ଚିଲିକା ବନ୍ୟଜନ୍ତୁ ଖଣ୍ଡର ଡିଏଫଓ ବିକାଶ ରଂଜନ ଦାଶ କହିଛନ୍ତି ଯେ ଏ ବର୍ଷ ଚିଲିକାକୁ ଯେତେ ବିଦେଶୀ ପକ୍ଷୀ ଆସିଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଫେରିଗଲେଣି। ବାକି ପକ୍ଷୀମାନେ ଖୁବଶୀଘ୍ର ଫେରିଯିବାର ସମ୍ଭାବନା ରହିଛି। ଚିଲିକା ଅଂଚଳରେ ତାପମାତ୍ରା ହଠାତ ବୃଦ୍ଧି ପାଇବା ଏହାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ପକ୍ଷୀ ବିଶେଷଜ୍ଞମାନେ ମତ ଦେଉଛନ୍ତି।

 

ଚିଲିକା ହେଉଛି ଏସିଆର ବୃହତ୍ତମ କ୍ଷାରଜଳ ହ୍ରଦ। ଏହା ମଧ୍ୟ ଭାରତର ବୃହତ୍ତମ ଶୀତଦିନିଆ ପକ୍ଷୀ ବିଚରଣ କେନ୍ଦ୍ର। ଚଳିତ ଶୀତ ଋତୁରେ ଏଠାକୁ ଏବର୍ଷ ପ୍ରାୟ ୧୬୭ ପ୍ରଜାତିର ୯.୪୭ ଲକ୍ଷ ବିଦେଶୀ ପକ୍ଷୀ ପୃଥିବୀର ବିଭିନ୍ନ ଅଂଚଳରୁ ଆସିଥିଲେ। ଏମାନଙ୍କ ମଧ୍ୟରେ ଆର୍ଦ୍ରଭୂମି ନିର୍ଭରଶୀଳ ୬୭ ପ୍ରଜାତିର ୨୨,୭୬୬ ପକ୍ଷୀ ଅନ୍ତର୍ଭୁକ୍ତ। ବାକି ୯.୨୪ ଲକ୍ଷ ପକ୍ଷୀ ହେଲେ ୧୦୦ ପ୍ରଜାତିର ଅଣଆର୍ଦ୍ରଭୂିମ ପକ୍ଷୀ।

 

ଚିଲିକାକୁ ପ୍ରତିବର୍ଷ ଶୀତ ଋତୁରେ ହିମାଳୟ, ଉତ୍ତର ୟୁରେସିଆ, କାସ୍ପିଆନ ଅଂଚଳ, ସାଇବେରିଆ, କାଜାଖସ୍ତାନ, ବୈକାଲ ହ୍ରଦ ଓ ରୁଷିଆର ଉତ୍ତରାଂଚଳରୁ ପ୍ରତିବର୍ଷ ଲକ୍ଷଲକ୍ଷ ଚଢ଼େଇ ଆସିଥାନ୍ତି ଓ ଗରମ ପଡ଼ିଲେ ପୁଣି ନିଜ ଅଂଚଳକୁ ଫେରିଯାଆନ୍ତି। ସାଧାରଣତଃ ଫେବୃଆରୀ ଶେଷ ସପ୍ତାହ ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଚିଲିକା ଅଂଚଳରେ ତାପମାତ୍ରା ବୃଦ୍ଧି ପାଇଥାଏ। ଏଥର କିନ୍ତୁ ଦୁଇ ସପ୍ତାହ ପୂର୍ବରୁ ଚିଲିକାରେ ଦିନର ତାପମାତ୍ରା ହଠାତ ବୃଦ୍ଧି ପାଇଛି। କେବଳ ଚିଲିକା ନୁହେଁ ରାଜ୍ୟର ଅନେକ ଅଂଚଳର ତାପମାତ୍ରା ଏବେ ୩୫ ଡିଗ୍ରୀ ଟପିଗଲାଣି। ଏଥିଯୋଗୁଁ ଚିଲିକାର ବିଦେଶୀ ଆଗନ୍ତୁକମାନେ ଗରମ ସହ୍ୟ ନକରି ପାରି ନିଜନିଜର ମୂଳ ଭୂଖଣ୍ଡ ଶୀତାଞ୍ଚଳକୁ ଫେରିଗଲେଣି।

 

ଚିଲିକା ଡିଏଫଓ କହିଛନ୍ତି ଯେ ଏଥର ବିଦେଶୀ ପକ୍ଷୀମାନେ ନିର୍ଦ୍ଦିଷ୍ଟ ସମୟର ଗୋଟେ ସପ୍ତାହ ପୂର୍ବରୁ ଚିଲିକା ଛାଡ଼ିଛନ୍ତି। ଖରା ଓ ଗରମ ପାଇଁ ସେମାନେ ଚିଲିକା ଛାଡ଼ିଥାଇ ପାରନ୍ତି ବୋଲି ମଧ୍ୟ ସେ ମତ ଦେଇଛନ୍ତି।

 

ଗରମ ପଡ଼ିଲେ ଅଧିକାଂଶ ଆଗନ୍ତୁକ ପକ୍ଷୀ ଫେରିଯାଉଥିଲେ ବି କେତେକ ପ୍ରଜାତିର ବିଦେଶୀ ପକ୍ଷୀ ଚିଲିକାରେ ଗ୍ରୀଷ୍ମ ଋତୁ କଟାଇଥାନ୍ତି। ଗତ ବର୍ଷ ଗ୍ରୀଷ୍ମ ଋତୁରେ ଚିଲିକାରେ ଗ୍ରେଟର ଫ୍ଲାମିଙ୍ଗୋ, ସ୍ପଟ ବିଲ‌୍‍ ପେଲିକାନ‌୍‍, ପେଣ୍ଟେଟ ଷ୍ଟର୍କ, ସ୍ପୁନବିଲ‌୍‍, ବ୍ଲାକ ହେଡେଡ ଇବିସ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ଗତ ଗ୍ରୀଷ୍ମ ଋତୁରେ ଅର୍ଥାତ ୨୦୧୬ ମେ ମାସରେ ଚିଲିକାରେ ୧୧୩ ପ୍ରଜାତିର ୪୧,୫୬୯ ଚଢ଼େଇ ଥିବା ଗଣନା କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଳଚର ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା ଥିଲା ଯଥାକ୍ରମେ ୩୧,୧୯୫ ଓ ୧୦,୩୭୪। ଏମାନେ ମୁଖ୍ୟତଃ ନଳବଣ ପକ୍ଷୀ ଅଭୟାରଣ୍ୟ ମଧ୍ୟରେ ଥିବାର ଗଣନା କରାଯାଇଥିଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top