କଇଁଛ ଦେଲେଣି ୩.୫୫ ଲକ୍ଷ ଅଣ୍ଡା

News Story - Posted on 2017-02-21

 

ଋଷିକୁଲ୍ୟା ମୁହାଁଣରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ ୩.୫୫ ଲକ୍ଷ ଅଣ୍ଡା ଦେଇଛନ୍ତି ଅଲିଭ ରିଡଲେ କଇଁଛ। ପାଗ ପରିବର୍ତ୍ତନର ସଂକଟ ଭିତରେ ବିଲୋପ ଅଭିମୁଖୀ ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପ୍ରାଣୀପ୍ରେମୀମାନଙ୍କ ମଧ୍ୟରେ ଏହା ଆନନ୍ଦ ଖେଳାଇ ଦେଇଛି।

 

ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା କହିଛନ୍ତି ଯେ ଋଷିକୁଲ୍ୟା ମୁଁହାଣରେ ଏଥର ଗୋଟିଏ ସପ୍ତାହ ମଧ୍ୟରେ ଅଲିଭ ରିଡଲେ କଇଁଛମାନେ ପ୍ରାୟ ୩.୫୫ ଲକ୍ଷ ଅଣ୍ଡା ଦେଇଛନ୍ତି। ଏହା ଏକ ରେକର୍ଡ। ପୂର୍ବ ଥର ସେମାନେ ଋଷିକୁଲ୍ୟା ମୁଁହାଣରେ ୩.୦୯ ଲକ୍ଷ ଅଣ୍ଡା ଦେଇଥିଲେ। ଆଗକୁ ଅଧିକ କଇଁଛ ଅଣ୍ଡା ଦେବାର ଥିବାରୁ ଏବର୍ଷ ଅଣ୍ଡା ସଂଖ୍ୟା ୪ ଲକ୍ଷ ଟପିପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ଫେବୃଆରୀ ୧୩ ତାରିଖରୁ ଋଷିକୁଲ୍ୟା ମୁଁହାଣରେ ଅଲିଭ ରିଡଲେ କଇଁଛମାନେ ଅଣ୍ଡା ଦେବା ଆରମ୍ଭ କରିଛନ୍ତି।

 

ଅଲିଭ ରିଡଲେ କଇଁଛ ଅଣ୍ଡାର ସୁରକ୍ଷା ପାଇଁ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟବେକ୍ଷଣ ଶିବିର ଓ ଖୁଆଡ଼ ନିର୍ମାଣ କରାଯାଇଛି। ଅଣ୍ଡାର ସୁରକ୍ଷା ପାଇଁ ବ୍ୟାପକ ଅଂଚଳରେ ପହରା ବ୍ୟବସ୍ଥା ଗ୍ରହଣା କରାଯାଇଛି। ସୁମଦ୍ରରେ ସ୍ପିଡ଼ ବୋଟ‌୍‍ ଓ ଟ୍ରଲର ଜରିଆରେ ମଧ୍ୟ ଅଣ୍ଡାଦାନ ଜାଗାଗୁଡ଼ିକ ଉପରେ ନଜର ରଖାଯାଇଛି।

 

ସମୁଦ୍ର ବାଲିରେ ଗାତ ଖୋଳି ଅଣ୍ଡା ଦେଇ ସାରିବା ପରେ ମାଈ କଇଁଛମାନେ ତାହାକୁ ବାଲିରେ ଘୋଡେ଼ଇ ପକେଇ ନିଜ ଅଂଚଳକୁ ଫେରିଯାଆନ୍ତି। ବାଲି ଭିତରେ ଉଷୁମ ପାଇ ୪୫ ଦିନ ପରେ ଅଣ୍ଡାରୁ ଛୁଆ ଫୁଟେ ଓ ସେମାନେ ସମୁଦ୍ରକୁ ପଳାନ୍ତି। ଏହି ପ୍ରଜାତିର କଇଁଛମାନେ ଓଡ଼ିଶା ଉପକୂଳରେ ଲକ୍ଷଲକ୍ଷ ସଂଖ୍ୟାରେ ଆସି ପ୍ରଜନନ ଋତୁ କଟାଇଥାନ୍ତି।

ଋଷିକୂଲ୍ୟା ମୁହାଁଣ ବ୍ୟତିତ ଅସ୍ତରଙ୍ଗର ଦେବୀ ମୁହାଁଣ ଓ ଭିତରକନିକା ସମୁଦ୍ର ତଟରେ ମଧ୍ୟ ଲକ୍ଷଲକ୍ଷ ସଂଖ୍ୟାରେ ଅଲିଭ ରିଡଲେ ପ୍ରତିବର୍ଷ ଅଣ୍ଡା ଦେଇଥାନ୍ତି। 

 

ତେବେ ସମୁଦ୍ର ବାଲିରେ ଏହି ଅଣ୍ଡାଗୁଡ଼ିକୁ ଅନେକ ସମୟରେ କୁକୁର ଖାଇଯାଆନ୍ତି। ମଣିଷ ଚୋରେଇ ନେଇ ବିକ୍ରି କରିଦିଏ। ଏବେ ଏହା ରୋକିବା ପାଇଁ ବନ ବିଭାଗ ତରଫରୁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top