ରାଜନୀତି ପାଇଁ ବଳିପଡ଼ିବ ଓଡ଼ିଶା!

News Story - Posted on 2017-02-21

ରାଜନୀତିକ ସ୍ୱାର୍ଥ ପାଇଁ ରାଜ୍ୟସ୍ୱାର୍ଥକୁ ଅଣଦେଖା କରାଯାଉଥିବାରୁ ପାରାଦୀପର ବୃହତ ତୈଳ ପ୍ରକଳ୍ପର ଭବିଷ୍ୟତ କ୍ରମଶଃ ବିବାଦ ଭିତରକୁ ଠେଲି ହୋଇଯାଉଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାର ୨୦୦୪ ମସିହାରେ ମଂଜୁର କରିଥିବା ଟିକସ ରିହାତି ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ନୋଟିସ ଦେବା ପରେ ଭାରତୀୟ ତୈଳ ନିଗମ ୫୨ ହଜାର କୋଟି ଟଙ୍କାର ତୈଳ ବିଶୋଧନାଗାର ସଂପ୍ରସାରଣ ପ୍ରକଳ୍ପ ଉପରେ ପୁନର୍ବିଚାର କରିବାକୁ ଚିନ୍ତା ଆରମ୍ଭ କରିଛି।

 

ପାରାଦୀପ ନିକଟରେ କେନ୍ଦ୍ର ସରକାରଙ୍କ ଅଧୀନସ୍ତ ଭାରତୀୟ ତୈଳ ନିଗମ ତରଫରୁ ନିର୍ମିତ ହୋଇଥିବା ତୈଳ ବିଶୋଧନାଗାରର ଉତ୍ପାଦନ କ୍ଷମତା ଆଉ ୫ ନିୟୁତ ଟନ ବୃଦ୍ଧି କରିବାର ଯୋଜନା ରହିଛି। ଏବେ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧୫ ନିୟୁତ ଟନ। ଏହା ସହିତ ବିଶୋଧନାଗାର ପରିସରରେ ଏକ ପଲିପ୍ରୋପିଲିନ‌୍‍ କାରଖାନା ଓ ମନୋଥିଲିନ ଗ୍ଲାଇକୋଲ ଉତ୍ପାଦନ କେନ୍ଦ୍ର ଖୋଲିବାକୁ ମଧ୍ୟ ତୈଳ ନିଗମର ଯୋଜନା ରହିଛି। ଏ ବାବଦରେ ପ୍ରାୟ ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି।

 

କିନ୍ତୁ ସଂପ୍ରତି ତୈଳ ରାଷ୍ଟ୍ରମନ୍ତ୍ରୀ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ବିଜେଡି ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜନୀତିକ ସ୍ତରରେ ଚାଲେଞ୍ଜ ଦେଉଥିବାରୁ ଓଡ଼ିଶା ସରକାର ହଠାତ ଏହି ପ୍ରକଳ୍ପକୁ ପୂର୍ବରୁ ଦେଇ ଆସିଥିବା ଟିକସ ରିହାତି ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ନୋଟିସ ଜାରି କରିଛନ୍ତି। ତୈଳ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟ ୬ ବର୍ଷ ବିଳମ୍ୱିତ ହୋଇଥିବା ଦର୍ଶାଇ ଓଡ଼ିଶା ସରକାର ଏହାକୁ ଦେଇଥିବା ଟିକସ ରିହାତି ରଦ୍ଦ କରିବାକୁ ଚାହୁଁଛି।

 

ତେବେ ଭାରତୀୟ ତୈଳ ନିଗମ ବା ଆଇଓସିଏଲର ଯୁକ୍ତି ହେଉଛି ବାସ୍ତବରେ ଓଡ଼ିଶା ସରକାର କୌଣସି ରିହାତି ଦେଇ ନାହାନ୍ତି। ବିଶୋଧନାଗାର ପାଇଁ ୨୦୦୦ ମସିହା ମେ ୨୪ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଶିଳାନ୍ୟାସ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏହାକୁ କୌଣସି ରିହାତି ନଦେବାରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ନଥିଲା। ବହୁ ବିବାଦ ପରେ ୨୦୦୪ ମସିହାରେ ରାଜ୍ୟ ସରକାର ଏ ନେଇ ଏକ ରାଜିନାମା ସ୍ୱାକ୍ଷର କଲେ। ପ୍ରକଳ୍ପ ପାଇଁ ସ୍ୱାକ୍ଷରିତ ହୋଇଥିବା ଏକ ରାଜିନାମା ଅନୁସାରେ ଓଡ଼ିଶା ସରକାର ଓଡ଼ିଶାରେ ବିକ୍ରି ହେବାକୁ ଥିବା ଉତ୍ପାଦନ ଉପରେ ୧୧ ବର୍ଷ ପାଇଁ ଭାଟ‌୍‍ ଆଦାୟ ସ୍ଥଗିତ ରଖିବେ। ପରେ ଆଇଓସିଏଲ ଏହାକୁ ବିନା ସୁଧରେ ପଇଠ କରିବ। କିନ୍ତୁ ୨୦୧୬ ଡିସେମ୍ୱର ୨୯ ତାରିଖରେ ରାଜ୍ୟ ସରକାର ପଠାଇଥିବା ନୋଟିସରେ ପ୍ରକଳ୍ପ କାର୍ଯ୍ୟ ୬ ବର୍ଷ ବିଳମ୍ୱିତ ହୋଇଥିବାରୁ ଏହି ସୁବିଧା କାହିଁକି ପ୍ରତ୍ୟାହାର କରାନଯିବ ସେନେଇ ଜବାବ ଦାଖଲ କରିବାକୁ ନିଗମକୁ କୁହାଯାଇଥିଲା।

 

ଆଇଓସିଏଲ କର୍ତ୍ତୃପକ୍ଷ ଏହି ନୋଟିସର ଉତ୍ତର ଦେଇ କହିସାରିଛନ୍ତି ଯେ ରାଜ୍ୟ ସରକାର ପ୍ରକଳ୍ପକୁ କୌଣସି କର ଛାଡ଼ କରି ନାହାନ୍ତି। ଯାହା ଏବେ ଆଦାୟ ହେଉନାହିଁ ତାହା ୨୦୨୦ ପରେ ବିନା ସୁଧରେ ଆଦାୟ ହେବ। ରାଜ୍ୟ ସରକାର ଟିକସ ରିହାତି ଦେବା ବିଳମ୍ୱ କରିବାରୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ୱିତ ହୋଇଛି। ସେହିପରି ଏହି ସୁବିଧା ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ୨୦୧୦ ଓ ୨୦୧୧ ମସିହାରେ କହିବାରୁ ନିଗମ ଏହାର ମୂଳ ଯୋଜନା ପରିବର୍ତ୍ତନ କରିଥିଲା ଓ ତାହା ହିଁ ବିଳମ୍ୱର ଅନ୍ୟ ଏକ କାରଣ। ମୂଳ ଯୋଜନା ଅନୁସାରେ ୨୦୦୯-୧୦ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ବି ରାଜ୍ୟ ସରକାରଙ୍କ ଚୁକ୍ତି ଅନୁସାରେ ଟିକସ ସୁବିଧା ୨୦୨୦-୨୧ ଯାଏଁ ରହିବା କଥା। ତେବେ ରାଜ୍ୟ ସରକାର ନିଜ ପ୍ରତିଶ୍ରୁତିରୁ ଓହରି ଯାଇ ୨୦୧୬-୧୭ ବର୍ଷରୁ ଏହି ସୁବିଧା ପ୍ରତ୍ୟାହାର କରିବା ନ୍ୟାୟସଙ୍ଗତ ନୁହେଁ।

 

ସେହିପରି ରାଜ୍ୟ ସରକାରଙ୍କ ଯୁକ୍ତି ହେଲା ମୂଳ ଯୋଜନା ଅନୁସାରେ ଆଇଓସିଏଲ ପାରାଦୀପରେ ବାର୍ଷିକ ୯ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ବିଶୋଧନାଗାର କରିବା କଥା। କିନ୍ତୁ ଏହାର ଏବେକାର ଉପିାଦନ କ୍ଷମତା ହେଉଛି ବାର୍ଷିକ ୧୫ ନିୟୁତ ଟନ‌୍‍। ତେଣୁ ଟିକସ ସୁବିଧା ଦିଆଯିବାର ଆଉ କୌଣସି ଯୁକ୍ତି ନାହିଁ। ତେବେ ଆଇଓସିଏଲର କହିବା କଥା ହେଲା ପ୍ରକଳ୍ପର ଉତ୍ପାଦନ କ୍ଷମତା ଯାହା ହେଲେ ବି ରାଜ୍ୟ ଭିତରେ ବିକ୍ରି ହେବାକୁ ଥିବା ବାର୍ଷିକ ୨ ନିୟୁତ ଟନର ପେଟ୍ରୋ ଉତ୍ପାଦନ ଉପରେ ରାଜ୍ୟ ସରକାର ଭାଟ‌୍‍ ଆଦାୟ କରିବେ। ଏହା ହେଉଛି ବାର୍ଷିକ ୨ ହଜାର କୋଟି ଟଙ୍କା। ଚୁକ୍ତିନାମା ଅନୁସାରେ ଆଇଓସିଏଲ ଏହି ଅର୍ଥ ବିନା ସୁଧରେ ୨୦୨୦-୨୧ ପରେ ଜମା କରିବ।

 

କିନ୍ତୁ ରାଜ୍ୟର ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକଳ୍ପ ହେବାକୁ ଉଦ୍ୟମ କରିବା ପରେ ରାଜ୍ୟ ସରକାର ତୈଳ ନିଗମର ଟିକସ ରିହାତି ପ୍ରସଙ୍ଗ ଉଠାଇଛନ୍ତି। ଏହାର ଜବାବରେ ତୈଳ ନିଗମ କର୍ତ୍ତୃପକ୍ଷ ପ୍ରକଳ୍ପର ସଂପ୍ରସାରଣ ଯୋଜନା ନେଇ ପୁନର୍ବିଚାର କରିବେ ବୋଲି ସଂକେତ ଦେଇ ସାରିଲେଣି। ଏ ନେଇ ନିଗମର ଉଚ୍ଚ ପଦାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି।

 

ଯଦି ଏହା ହୁଏ ତେବେ ବିଜେଡି ଓ ବିଜେପି ନେତାମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥର ବିବାଦ ଯୋଗୁଁ ଓଡ଼ିଶା ଏହି ବୃହତ ପ୍ରକଳ୍ପ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top