ହୃଦରୋଗୀ ହେବେ ଶୋଷଣମୁକ୍ତ!

News Story - Posted on 2017-02-21

ସରଳ କୁମାର ଦାସ

 

ଆଗରୁ ଗାଁ ଗହଳିରେ ବେଳେବେଳେ ଶୁଣା ହେଉଥିଲା ଅମୁକ ବାବୁଙ୍କର ଛାତି ଫାଟିଗଲା, ସେ ମରିଗଲେ। ଆଜିକାଲି ଅମୁକ ଭାଇ ହାର୍ଟ ଆଟାକ୍‌ରେ ମରିଗଲା କଥାଟି ଶୁଣାଯିବା ପ୍ରାୟ ସାଧାରଣ ହୋଇଗଲାଣି। ଭାରତରେ ପ୍ରାୟ ସାଢେ ଚାରିକୋଟି ଲୋକ ଏବେ ହୃଦରୋଗର ଶିକାର ହେଉଛନ୍ତି। ଓଡିଶାରେ ଏହି ସଂଖ୍ୟା ପ୍ରାୟ ୧୫ ଲକ୍ଷ ହେବ। ଏହାର ଚିକିତ୍ସା ବେଶ୍ ବ୍ୟୟବହୁଳ ହୋଇଥିବାରୁ ଅନେକ କ୍ଷେତ୍ରରେ ତାହା ସାଧାରଣ ଲୋକଙ୍କ ପହଞ୍ଚ ବାହାରେ। ତେବେ ହୃଦରୋଗୀଙ୍କ ପାଇଁ ଖୁସିର ଖବର ହେଉଛି, ଏହାର ଚିକିତ୍ସା ଖର୍ଚ୍ଚ ଆଶାତୀତ ଭାବେ ହ୍ରାସ ପାଇବ, କାରଣ ଜାତୀୟ ଫାର୍ମାସିଉଟିକାଲ ମୂଲ୍ୟନିର୍ଦ୍ଧାରକ ପ୍ରାଧିକରଣ (ଏନପିପିଏ) ନିକଟରେ ଏକ ବିଜ୍ଞପ୍ତି ଜାରି କରି ହୃଦରୋଗ ଚିକିତ୍ସାରେ ବ୍ୟବହୃତ ଷ୍ଟେଣ୍ଟର ମୂଲ୍ୟକୁ ଶତକଡା ୮୫ ଭାଗ ପର୍ଯ୍ୟନ୍ତ କମ୍ କରିଛନ୍ତି।

 

ହୃଦରୋଗର ଉପଚାର ସାଧାରଣତଃ ତିନି ପ୍ରକାର। ହୃଦରୋଗ ବିଶେଷଜ୍ଞ ବା କାର୍ଡ଼ିଓଲୋଜିଷ୍ଟ ଔଷଧ ମାଧ୍ୟମରେ ଏହାର ଉପଚାର କରୁଥିବା ବେଳେ କାର୍ଡ଼ିଆକ୍ ସର୍ଜନ୍ ଅପରେସନ୍ ମାଧ୍ୟମରେ ଉପଚାର କରିଥା’ନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଏକ ଶ୍ରେଣୀର ଡାକ୍ତର, ଯେଉଁମାନଙ୍କୁ ଇଣ୍ଟରଭେନସନାଲ କାର୍ଡ଼ିଓଲୋଜିଷ୍ଟ କୁହାଯାଏ, ହୃଦୟ ଓ ହ଼ୃଦଧମନୀରେ ଷ୍ଟେଣ୍ଟ, ଭଲଭ, ପେସମେକର ଆଦି ରୋପଣ କରି ଉପଚାର କରିଥା’ନ୍ତି। ଏହି ପ୍ରକ୍ରିୟାରେ କୌଣସି ଅସ୍ତ୍ରୋପଚାର ହେଉ ନଥିବାରୁ, ଅସ୍ତ୍ରୋପଚାରକୁ ଡରୁଥିବା ଲୋକମାନେ, ଏହାକୁ ଅପେକ୍ଷାକୃତ ସହଜ ମନେକରି ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଏକ ଆକଳନ ଅନୁସାରେ ହୃଦରୋଗର ଉପଚାର ପାଇଁ ଶତକଡା ସତୁରୀ ଭାଗରୁ ଅଧିକ ରୋଗୀଙ୍କ ହୃଦଧମନୀରେ ଷ୍ଟେଣ୍ଟ ରୋପିତ ହେଉଛି। ଏହି ପ୍ରକ୍ରିୟାକୁ ଆଞ୍ଜିଓପ୍ଲାଷ୍ଟି ବା ପରକ୍ଯୁଟାନିଅସ କରୋନାରୀ ଇଣ୍ଟରଭେନସନ (ପିସିଆଇ) କୁହାଯାଏ। ତିନୋଟି ପର୍ଯ୍ୟାୟ ଦେଇ ଆଗେଇଥିବା ପିସିଆଇ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ୧୯୭୭ ମସିହାରେ ପ୍ରଥମେ ଆନ୍ଦ୍ରିଆ ଗ୍ରୁଏଣ୍ଟଜିଗଙ୍କ ବେଲୁନ ଆଞ୍ଜିଓପ୍ଲାଷ୍ଟିରୁ ଆରମ୍ଭ ହୋଇ, ନବେ ଦଶକର ମଧ୍ୟ ଭାଗ ବେଳକୁ ବେୟାର ମେଟାଲ ଷ୍ଟେଣ୍ଟକୁ ଅଗ୍ରସର ହେଲା। ୨୦୦୩ ମସିହାରୁ ଏ ପର୍ଯ୍ୟନ୍ତ ଡ୍ରଗ ଏଲ୍ୟୁଟିଙ୍ଗ ଷ୍ଟେଣ୍ଟର ଉପଯୋଗ ହୋଇଆସୁଛି।

 

କରୋନାରୀ ଷ୍ଟେଣ୍ଟ, ଟ୍ୟୁବ ଆକୃତିର ଏକ ଯନ୍ତ୍ରାଂଶ, ଯାହା ଧମନୀର ବନ୍ଦ ହୋଇଯାଉଥିବା (ବ୍ଲକେଜ୍ ଥିବା) ସ୍ଥାନରେ ରୋପଣ କରାଯାଇ ଧମନୀକୁ ଫୁଲାଇ ଦିଆଯାଏ, ଯଦ୍ବାରା ଧମନୀ ଦେଇ ହୃଦୟକୁ ରକ୍ତପ୍ରବାହରେ ଆଉ ଅସୁବିଧା ହୋଇ ନଥାଏ। ସାଧାରଣତଃ ତିନି ପ୍ରକାର ଷ୍ଟେଣ୍ଟ ବ୍ୟବହାର ହୋଇଥାଏ, ବେୟାର ମେଟାଲ ଷ୍ଟେଣ୍ଟ (ବିଏମଏସ), ଡ୍ରଗ ଏଲ୍ୟୁଟିଙ୍ଗ ଷ୍ଟେଣ୍ଟ (ଡିଇଏସ) ଓ ବାଇଓ ରିସରଭେବଲ୍ ବା ବାଇଓ ଡିଗ୍ରେଡେବଲ୍ ଷ୍ଟେଣ୍ଟ (ବିଭିଏସ)। ବିଏମ ଷ୍ଟେଣ୍ଟ ଚିରଦିନ ଲାଗି ଶରୀର ଭିତରେ ରହିଥାଏ, ହେଲେ ବିଭି ଷ୍ଟେଣ୍ଟ ଅସ୍ଥାୟୀ ଭାବେ ରୋପଣ ହେଉଥିବାରୁ ଚିକିତ୍ସାର ଉଦ୍ଦେଶ୍ୟ ପୂରଣ ହେଲାପରେ ତାହା ଆପେଆପେ ଶରୀରରେ ମିଳେଇ ଯାଏ। ଅନ୍ୟ ପକ୍ଷରେ ଡିଇ ଷ୍ଟେଣ୍ଟରୁ ଏକ ପ୍ରକାର ଔଷଧ କ୍ଷରଣ ହେଉଥିବାରୁ ପୁଣି ଥରେ ସେହି ସ୍ଥାନରେ ଧମନୀ କ୍ଷୀଣ ହେବାର ଆଶଙ୍କା କମ୍ ଥାଏ। ଏହି ଡିଇ ଷ୍ଟେଣ୍ଟକୁ ଅଧିକ ରୋଗୀ ପସନ୍ଦ କରୁଥିଲେ ମଧ୍ୟ କେତେକ ରୋଗୀଙ୍କ କ୍ଷେତ୍ରରେ ବିଏମ ଷ୍ଟେଣ୍ଟର ବ୍ୟବହାର ଅପରିହାର୍ଯ୍ୟ।

 

କରୋନାରୀ ଷ୍ଟେଣ୍ଟ ସାଧାରଣତଃ ଷ୍ଟେନଲେସ ଷ୍ଟିଲ, କୋବାଲ୍ଟ-କ୍ରୋମିଅମ, ପ୍ଲାଟିନମ-କ୍ରୋମିଅମ, ନିକେଲ-ଟିଟାନିଅମ, ପଲିମର୍ ଆଦିରେ ପ୍ରସ୍ତୁତ ହୋଇଥାଏ। ଏଥି ମଧ୍ୟରୁ କୋବାଲ୍ଟ-କ୍ରୋମିଅମରେ ପ୍ରସ୍ତୁତ ଷ୍ଟେଣ୍ଟର ଚାହିଦା ସର୍ବାଧିକ। ଆମ ଦେଶରେ ବ୍ୟବହୃତ ଷ୍ଟେଣ୍ଟର ପ୍ରାୟ ଶତକଡା ୬୫ ଭାଗ ବିଦେଶରୁ ଆମଦାନୀ ହୋଇଥାଏ। ଭାରତରେ ଏବେ ଯେଉଁ ଏଗାରଟି କମ୍ପାନୀ ଷ୍ଟେଣ୍ଟ ତିଆରି କରୁଛନ୍ତି, ସେମାନଙ୍କ ମଧ୍ୟରୁ ନଅଟି ଗୁଜରାଟର ସୁରାଟ ଓ ନିକଟବର୍ତ୍ତୀ ଭାପି ସହରରେ ଅବସ୍ଥିତ। ଦେଶରେ ବାର୍ଷିକ ପ୍ରାୟ ୨,୫୦୦ କୋଟି ଟଙ୍କାର ଷ୍ଟେଣ୍ଟ କାରବାର ହେଉଛି। ଏହା ପ୍ରତିବର୍ଷ ଶତକଡା ୧୪ ଭାଗ ହାରରେ ବଢି ଚାଲିବ।

 

ଭାରତରେ ହୃଦଧମନୀ ରୋଗ (କାଡ୍) କାୟା ବିସ୍ତାର କରି ଚାଲିଛି ଓ ଏହାଦ୍ବାରା ଅନେକ ଲୋକ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଫଳରେ ଏହା ଏକ ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟା ହେବାକୁ ବସିଲାଣି। ହସପିଟାଲ ଓ ସମ୍ପୃକ୍ତ ଅନ୍ୟମାନଙ୍କର ମୁନାଫାଖୋର ମନୋବୃତ୍ତି ଯୋଗୁଁ ଏହାର ଚିକିତ୍ସା ଏତେ ବ୍ୟୟବହୁଳ ହୋଇପଡିଛି ଯେ ସାଧାରଣ ଲୋକ ତଳିତଳାନ୍ତ ହେଉଛନ୍ତି। ଚିକିତ୍ସାରେ ବ୍ୟବହୃତ ଷ୍ଟେଣ୍ଟ ହସପିଟାଲ ଯୋଗାଇଥାଏ ଏବଂ ଏହା ବାହାରେ କିଣିବାକୁ ମିଳୁ ନଥିବାରୁ, ସେମାନେ ରୋଗୀଠାରୁ ମନ ଇଚ୍ଛା ଦାମ ଆଦାୟ କରିଥା’ନ୍ତି। ଷ୍ଟେଣ୍ଟର ଗୁଣବତ୍ତା ସମ୍ପର୍କରେ ଅନଭିଜ୍ଞ ରୋଗୀଠାରୁ ଇମ୍ପୋଟେଡ ଓ ଅନ୍ୟାନ୍ୟ ଗୁଣ ଦର୍ଶାଇ ପ୍ରକୃତ ମୂଲ୍ୟଠାରୁ ୫-୬ ଗୁଣ ଅଧିକ ଆଦାୟ କରିଥା’ନ୍ତି। ସ୍ଥଳବିଶେଷରେ ରୋଗୀଠାରୁ ଷ୍ଟେଣ୍ଟ ପିଛା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ଏହି ମୁନାଫାଖୋରୀ ମନୋବୃତ୍ତିକୁ ପ୍ରତିହତ କରିବା ପାଇଁ ଏନପିପିଏ ଗତ ବର୍ଷ ଜୁଲାଇ ମାସରେ ଷ୍ଟେଣ୍ଟକୁ ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ସ୍ଥାନିତ କରିଥିଲେ।

                                                                                                                                                                                                                                                                                                                                                                                                                                                                                                                                                                                                                      

ସୁପ୍ରିମକୋର୍ଟ ୧୯୮୭ ମସିହାରେ ସାଇନାମାଇଡ ଇଣ୍ଡିଆ କେଶ୍‌ରେ ଏକ ଉଲ୍ଲେଖନୀୟ ରାୟ ଶୁଣାଇ କହିଥିଲେ, ଏମିତିରେ ମୁନାଫାଖୋରୀ ଅନିଷ୍ଟକାରକ ଅଟେ। ତା’ ଉପରେ ଜୀବନ ଧାରଣ ପାଇଁ ଅତ୍ୟାବଶ୍ୟକ ଖାଦ୍ୟଦ୍ରବ୍ୟ ଓ ଜୀବନ ରକ୍ଷାକାରୀ ଔଷଧରେ ମୁନାଫାଖୋରୀ ଅତ୍ୟନ୍ତ ଅମାନୁଷିକ। ଏହା ଏକ ଭୟାନକ ସ୍ଥିତି ଯାହାକୁ ପ୍ରତିହତ ଓ ଦମନ କରିବାକୁ ହେବ। ଏହାହିଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ର ଏକ ପ୍ରମୁଖ ଉଦ୍ଦେଶ୍ୟ। ଏହାକୁ ଆଖି ଆଗରେ ରଖି ଏହି ଅନୈତିକ ମୁନାଫାଖୋରୀ ଓ ଶୋଷଣକାରୀ ମୂଲ୍ୟ ନିର୍ଦ୍ଧାରଣକୁ ପ୍ରତିହତ କରିବା ପାଇଁ ଫେବୃଆରୀ ୧୩ ତାରିଖ ଦିନ ଏନପିପିଏ ଏକ ବିଜ୍ଞପ୍ତି ଜାରି କରି ଷ୍ଟେଣ୍ଟର ମୂଲ୍ୟ ଉପରେ ସିଲିଂ ଘୋଷଣା କରିଛନ୍ତି। ଏଣିକି ବେୟାର ମେଟାଲ ଷ୍ଟେଣ୍ଟର ସର୍ବୋଚ୍ଚ ମୂଲ୍ୟ ୭,୨୬୦ ଟଙ୍କା ଓ ଡିଇଏସ୍ ଏବଂ ବିଭିଏସ୍ ଷ୍ଟେଣ୍ଟର ସର୍ବୋଚ୍ଚ ମୂଲ୍ୟ ୨୯,୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ମୂଲ୍ୟ ଉପରେ କେବଳ ସ୍ଥାନୀୟ କର ବା ଭାଟ୍ ବ୍ୟତୀତ ଅନ୍ୟ କିଛି ଆଦାୟ କରାଯାଇ ପାରିବ ନାହିଁ। ଏହି ମୂଲ୍ୟ ତୁରନ୍ତ ଲାଗୁ ହୋଇ ବର୍ଷେ ଯାଏଁ ବଳବତ୍ତର ରହିବ। ଏଠାରେ ଉଲ୍ଲେଖଯୋଗ୍ୟ, ରୋଗୀଙ୍କଠାରୁ ବର୍ତ୍ତମାନ ବେୟାର ମେଟାଲ ଷ୍ଟେଣ୍ଟ ବାବଦରେ 75 ହଜାର ଟଙ୍କା ଓ ଅନ୍ୟ ଷ୍ଟେଣ୍ଟ ବାବଦରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି।

 

ଏହି ବିଜ୍ଞପ୍ତି ଅନୁସାରେ ରୋଗୀଙ୍କ ବିଲ୍‌ରେ ଷ୍ଟେଣ୍ଟର ମୂଲ୍ୟ ସହ ଏହାର ବ୍ରାଣ୍ଡ ନାମ, ପ୍ରସ୍ତୁତକାରୀ/ ଆମଦାନୀକାରୀଙ୍କ ନାମ, ବ୍ୟାଚ୍ ନମ୍ବର ଆଦି ଉଲ୍ଲେଖ କରିବା ଅପରିହାର୍ଯ୍ୟ। ଏତଦ ବ୍ୟତୀତ ହସପିଟାଲ ପରିସରରେ ରୋଗୀଙ୍କ ଦୃଷ୍ଟିଗୋଚର ହେଲା ଭଳି ସ୍ଥାନରେ ତାଙ୍କ ନିକଟରେ ଗଚ୍ଛିତ ଥିବା ଷ୍ଟେଣ୍ଟ ଓ ତା’ର ମୂଲ୍ୟ ଦର୍ଶାଇବାକୁ ହେବ।

 

ଏ ସମ୍ପର୍କରେ ରୋଗୀ ଓ ତାଙ୍କ ସହଯୋଗୀଙ୍କ ସଚେତନତା ଅଧିକ ଗୁରୁତ୍ବପୂର୍ଣ୍ଣ, ନହେଲେ ସେମାନେ ଶୋଷଣର ଶିକାର ହୋଇପାରନ୍ତି। ହସପିଟାଲ ଓ ନର୍ସିଂହୋମଗୁଡିକ ଏହି ବିଜ୍ଞପ୍ତିକୁ ଠିକ୍ ଭାବେ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ, ତାହା ରାଜ୍ୟ ସରକାର ତଦାରଖ କରିବା ଉଚିତ। ରୋଗୀ ଚିକିତ୍ସା ଆଉ ସେବା ହୋଇ ରହିନାହିଁ, ଏହା ରୀତିମତ ବ୍ୟବସାୟ। ଗ୍ରାହକ ବେପାରୀର ସମ୍ପର୍କ। ତେଣୁ ଗ୍ରାହକକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ।   

    

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ବର- ୭୫୧୦୧୨

ମୋ. ୯୪୩୭୦୩୮୦୧୫


ପ୍ରତିକ୍ରିୟା

rudra rath - Email: rudra8@yahoo.co.in - Posted on 2017-02-21 14:35:23

Is it being implemented now? How much major hospitals in Bhubaneswar is charging for such stents now a days after passing of this diktat from Govt.Can any one clarify?

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top