ନୃତ୍ୟ, ସଂଗୀତ ଓ ବାଦ୍ୟର ଉତ୍ସବ

News Story - Posted on 2017-02-21

ଅଜିତ କୁମାର ମଲ୍ଳିକ

 

ଉତ୍କଳୀୟ କଳା, ସ୍ଥାପତ୍ୟ ଓ ସଂସ୍କୃତିର ଅନବଦ୍ୟ ନିଦର୍ଶନ ବିଶ୍ୱ ଐତିହ୍ୟ କୋଣାର୍କ। ସୂର୍ଯ୍ୟମନ୍ଦିର ଗାତ୍ରରେ ଖୋଦିତ ପ୍ରତିଟି ଭାସ୍କର୍ଯ୍ୟରେ ଓଡ଼ିଆ ଜନଜୀବନର ନିଛକ ଛବି ପ୍ରତିଫଳିତ। କାଳର କରାଳ ସ୍ରୋତରେ କୋଣାର୍କର କଥାକୁହା ସୂକ୍ଷ୍ମ କାରୁକାର୍ଯ୍ୟ ଆଜି ଭୂଲୁଣ୍ଠିତ। ଓଡ଼ିଆ ସଂସ୍କୃତିର ମହାକାବ୍ୟ ସୂର୍ଯ୍ୟମନ୍ଦିରର ଭଗ୍ନ ଅବୟବ ତାର ପୂର୍ବ ଚମକ ହରାଇ ସ୍ମୃତିଚିହ୍ନ ସଦୃଶ ପ୍ରତୀୟମାନ। ଏହି ଅପରୂପ ଭାସ୍କର୍ଯ୍ୟର ମହନୀୟ ସନ୍ଦେଶକୁ  ବାସ୍ତବ ରୂପଦେବାର ସ୍ୱପ୍ନ ଦେଖିଥିଲେ ସ୍ୱର୍ଗୀୟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଡଃ. ଗୁରୁ ଗଙ୍ଗାଧର ପ୍ରଧାନ।

 

ଗଙ୍ଗାଧରଙ୍କର ଅନ୍ୟଏକ କଥାକୁହା ଜୀବନ୍ତ କୋଣାର୍କର ପରିକଳ୍ପନାରୁ  ୧୯୭୮ ମସିହାରେ ଜନ୍ମନେଲା କୋଣାର୍କ ନାଟ୍ୟମଣ୍ଡପ। ଗୁରୁ ଗଙ୍ଗାଧର ଓ ତାଙ୍କର କେତେକ ସହଯୋଗୀଙ୍କ ଅକ୍ଳାନ୍ତ ପରିଶ୍ରମରେ ଏକ ଅପନ୍ତରା ଭୂଇଁ ସୁଶୋଭିତ ହେଲା ସବୁଜିମାଭରା ବୃକ୍ଷରାଜୀରେ। ଜୀବନ୍ତ କୋଣାର୍କର ସ୍ୱପ୍ନକୁ ସାକାର କରି ୧୯୮୫ ମସିହା ପେଂବୃୟାରୀ ୧୯ରୁ୨୧ ତାରିଖ ତିନିଦିନ ବ୍ୟାପି ଏହି ମୁକ୍ତାକାଶ ନାଟ୍ୟମଣ୍ଡପରେ ଆୟୋଜିତ ହେଲା ପ୍ରଥମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ। ମୁକ୍ତାକାଶ ରଙ୍ଗମଞ୍ଚରେ ଭାରତୀୟ ଶାସ୍ତ୍ରୀ ନୃତ୍ୟ ଓ ସଂଗୀତ ଉତ୍ସବ ଆୟୋଜନର ଏହାଥିଲା ଓଡ଼ିଶାର ପ୍ରଥମ କାର୍ଯ୍ୟକ୍ରମ। ଏହି ଉତ୍ସବକୁ ଅନୁକରଣ କରି ୧୯୮୯ମସିହାରେ ଓଡ଼ିଶା ସରକାର ଆରମ୍ଭ କଲେ କୋଣାର୍କ ନୃତ୍ୟ ଉତ୍ସବ (ଡ଼ିସେମ୍ୱର ୧ରୁ୫), ଯାହାକୁ ପରବର୍ତ୍ତୀ ଅବସ୍ଥାରେ କୋଣାର୍କ ଉତ୍ସବ ନାମରେ ନାମିତ କରାଯାଇଛି।

 

ସରକାରୀ ପ୍ରାୟୋଜିତ ଉତ୍ସବ ୧୯୯୯ ମସିହାରେ ମହାବାତ୍ୟା ଯୋଗୁଁ  ବର୍ଷକ ପାଇଁ ବନ୍ଦ ହୋଇଥିବା ବେଳେ ଉତ୍ସବର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ମାତ୍ର ଗୁରୁ ଗଙ୍ଗାଧରଙ୍କର ମାନସ ପ୍ରସୂତ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ନିର୍ଦ୍ଧାରିତ ସମୟରେ ପ୍ରାରମ୍ଭରୁ ଏଯାବତ ନିରବଛିନ୍ନ ଭାବରେ ଚାଲୁରହିଛି। ସମୟକ୍ରମେ ୨୦୦୭ ମସିହାରୁ ଏହି ଉତ୍ସବର ଅବଧି  ୩ ଦିନରୁ ୫ ଦିନକୁ ବୃଦ୍ଧିପାଇଲା। ୨୦୧୦ ମସିହାରେ ଏହି ଉତ୍ସବର ରୌପ୍ୟ ଜୟନ୍ତୀ ପାଳନ ପରେ ଅକ୍ଟୋବର ୧୦ ତାରିଖରେ ଗୁରୁ ଗଙ୍ଗାଧର ଇହଲୀଳା ସମ୍ୱରଣ କଲେ।  ଗୁରୁଙ୍କ ଅନୁପସ୍ଥିତିରେ ତାଙ୍କର ପୁତ୍ର ତଥା ନାଟ୍ୟମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ ଏହି ଉତ୍ସବର ମାନ ଓ ମର୍ଯ୍ୟାଦାକୁ ବଜାୟ ରଖିଛନ୍ତି। ଗଙ୍ଗାଧରଙ୍କ ଗୁରୁ  ତଥା ପ୍ରତିଥଯଶା ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁ, କୋଣାର୍କ ନାଟ୍ୟମଣ୍ଡପର ସ୍ଥାୟୀ ସଭାପତି ସ୍ୱାମୀ ଶଙ୍କରାନନ୍ଦ ଗିରି, ଯୁଗ୍ମ ସଂପାଦକ ପ୍ରତାପ ରାଉତଙ୍କ ସମେତ ନାଟ୍ୟମଣ୍ଡପର ଅନ୍ତେବାସୀ ଗୁରୁ ଓ ଶିଷ୍ୟମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଆନ୍ତରିକତା ମଧ୍ୟ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବକୁ ପରିପୁଷ୍ଟ କରିଆସିଛି। ଉତ୍ସବ ପ୍ରାରମ୍ଭରୁ ଏଯାବତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଦେଶ ତଥା ବିଦେଶର ବହୁ ନୃତ୍ୟ ଶିଳ୍ପୀ, ବାଦ୍ୟଯନ୍ତ୍ର ଶିଳ୍ପୀ ଓ ସଂଗୀତ ଶିଳ୍ପୀ ଏହି ମୁକ୍ତାକାଶ ରଙ୍ଗଗ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରି ଉତ୍ସବର ଗରିମା ବୃଦ୍ଧିରେ ସହାୟକ ହୋଇଛନ୍ତି।

 

ଏତଦ ବ୍ୟତିତ ୧୯୮୭ ମସିହାଠାରୁ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ୩୦ ବର୍ଷ ଧରି ନିରବଛିନ୍ନ ଭାବରେ ଆୟୋଜିତ ହୋଇ ଆସୁଛି ୫ ଦିନିଆ ଝୁଲଣ ଉତ୍ସବ। ଏହି ଉତ୍ସବରେ ଦେଶ ବିଦେଶର ଲବ୍ଧତିଷ୍ଠିତ କଳାକାରମାନେ ନୃତ୍ୟ ଓ ସଂଗୀତ ପ୍ରଦର୍ଶନ କରିଥାନ୍ତି। କୋଣାର୍କ ନାଟ୍ୟମଣ୍ଡପର ଅନ୍ତେବାଶୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ବାରମାସର ତେର ପର୍ବକୁ ନେଇ ଆୟୋଜିତ ହୋଇଥାଏ ବିଭିନ୍ନ ଉତ୍ସବ। ଅନୁଷ୍ଠାନର ଗୋଟିପୁଅ ନୃତ୍ୟଶିଳ୍ପୀମାନେ ଦେଶ ବିଦେଶରେ ବଳିଷ୍ଠ ନୃତ୍ୟ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ଭବନ ଓ ଦେଶର ସବୁ ରାଜ୍ୟାପଳଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରି ବେଶ ସୁନାମ ଅର୍ଜନ କରିଛନ୍ତି। ସ୍ୱର୍ଗତ ଗୁରୁ ଗଙ୍ଗାଧରଙ୍କ ଉପସ୍ତିତରେ ଏହି ଉତ୍ସବର ମାନ ବୃଦ୍ଧି ପାଇଁ ସରକାରୀ ଓ ବେସରକାରୀ ସଂସ୍ଥାରୁ ଅନୁଦାନ ମିଳୁଥିବା ବେଳେ ଗତ ୫ ବର୍ଷ ଧରି ଆଉ ମିଳୁ ନାହିଁ। ଯାହା ଫଳରେ କି ଏତବେଡ ଉତ୍ସବ ଆୟୋଜନ କରିବାରେ ପ୍ରତିବନ୍ଧକ ଦେଖାଦେଲାଣି।

  

ବିମୁଦ୍ରିକରଣ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଚଳିତ ବର୍ଷ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ପାଞ୍ଚ ଦିନ ପରିବର୍ତ୍ତେ ୩ ଦିନ ଆୟୋଜିତ ହେବ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ-୨୦୧୭। ଏହି ଉତ୍ସବରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ ଓ ଯନ୍ତ୍ର ସଂଗୀତର ଅପୂର୍ବ ସମାରୋହ ମଧ୍ୟରେ ଅନୁଷ୍ଠିତ ବୋର କାର୍ଯ୍ୟକ୍ରମ ସ୍ଥିର ହୋଇଛି। କୋଣାର୍କ ନାଟ୍ୟମଣ୍ଡପର ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଶାସ୍ତ୍ରୀୟ ନୃତ୍ୟ ସଂଗୀତର ତିନୋଟି ପର୍ଯ୍ୟାୟରେ ନୃତ୍ୟ ସଂଗୀତ ପରିବେଷଣ କରାଯିବ। ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରମ୍ପରିକ ରୀତିରେ ଶଙ୍ଖଧ୍ୱନି ଓ ଘଣ୍ଟ ମର୍ଦ୍ଦଳର ତାଳେତାଳେ ବାବା ବାଲୁଗ୍ଧେଶ୍ୱର ମହାଦେବଙ୍କ ପୁଜକ ପବିତ୍ର ପାଢ଼ୀ ଆଜ୍ଞାମାଳ ଧରୀ ମଞ୍ଚରେ ପ୍ରବେଶ କରିବା ପରେ ସୂର୍ଯ୍ୟ ମନ୍ଦିର ସଦୃଶ କୋଣାର୍କ ନାଟ୍ୟମଣ୍ଡପର ଚୂଡ଼ାରୁ ପାଦଦେଶ ପର୍ଯନ୍ତ ଅପୂର୍ବ ଠାଣିରେ ନାଟ୍ୟମଣ୍ଡପର ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ ପଞ୍ଚଦେବ ସ୍ତୁତ (ଗଣେ ନାରୟଣେ ରୁଦ୍ରେ ଅମ୍ୱିକେ...)।

 

ଉତ୍ସବର ପ୍ରଥମ ସନ୍ଧ୍ୟାରେ ପଦ୍ମଶ୍ରୀ ଡଃ ଭାରତୀ ବନ୍ଧୁ ଓ ସାଥିମାନେ ପରିବେଷଣ କରାଯିବେ ସୁଫି ସଂଗୀତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବାଙ୍ଗାଲୋର ସାଇ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଭାରତନାଟ୍ଟ୍ୟମ ଏବଂ ତୃତୀୟ ଚରଣରେ କୋଣାର୍କ ନାଟ୍ୟମଣ୍ଡପର ଶିଶୁ କଳାକାରଙ୍କ ପକ୍ଷରୁ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯିବ। ଉତ୍ସବର ଦ୍ୱିତୀୟ ଦିବସର ପ୍ରଥମ ସେପାନରେ ମୁମ୍ୱାଇର ସାହାନୱାଜ ଖାନ‌୍‍ ଓ ସାଥୀଙ୍କ ପକ୍ଷରୁ ଗୀତାର ବାଦନ କରାଯିବ।  ଦ୍ୱିତୀୟ ସେପାନରେ ଭୁବନେଶ୍ୱରର ନୂପୁର ଅନୁଷ୍ଠାନର ନୃତ୍ୟାଙ୍ଗନାଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ଏବଂ ତୃତୀୟ ସେପାନରେ ହାଇଦ୍ରାବାଦର ପ୍ରଖ୍ୟାତ ନୃତ୍ୟାଙ୍ଗନା ଡଃ ପି ରମା ଦେବୀ ଓ ସାଥୀ ନୃତ୍ୟାଙ୍ଗନାମାନେ ପରିବେଷଣ କରିବେ କୁଚିପୁଡି ନୃତ୍ୟ। ଉଦଯାପନୀ ସନ୍ଧ୍ୟାରେ ୟୁ.ଏସ.ଏ.ର ବିଦେଶୀ ବଂଶୀବାଦକ ନାଶା ନୌବିରତଙ୍କ ବଂଶୀ ବାଦନ ଏବଂ କୋଲକତାର ସନ୍ଦିପ ମଲ୍ଲିକ ଓ ସାଥୀ କଳାକାରଙ୍କ ପକ୍ଷରୁ କଥକ ନୃତ୍ୟ ପରିବେଷଣ କରାଯିବ। ଏହି ଅବସରରେ କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ  ଉଦଯାପନୀ ସନ୍ଧ୍ୟରେ ନୃତ୍ୟ ଓ ସଂଗୀତ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ପଦ୍ମବିଭୁଷଣ ପଣ୍ଡୀତ ଟି.ଏଚ. ଭିକୁ ବିନାୟକ୍ରମଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ଲାଇଫ ଟାଇମ‌୍‍ ଆଚିଭ‌୍‍ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇ ସମ୍ମାନିତ କରାଯିବ।

 

ଶାସ୍ତ୍ରୀୟ ନୃତ୍ୟ, ସଂଗୀତ ଓ ବାଦ୍ୟଜନ୍ତ୍ରର ଏହି ସାଂସ୍କୃତିକ କାର୍ଯ୍ୟକମରେ ଦେଶ ବିଦେଶର ପ୍ରତିଷ୍ଠିତ କଳାକାରମାନେ ଯୋଗ ଦାନ କରି ନୃତ୍ୟ, ସଂଗୀତ ଓ ଯନ୍ତ୍ର ସଂଗୀତ ପରିବେଷଣ କରିଥିଲେ। କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ  ସମସ୍ତ କଳାକାରଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନୀତ କରାଯିବ। ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟୀ ରଖିବା ପାଇଁ କୋଣାର୍କ ନାଟ୍ୟମଣ୍ଡପର ଏହି ଉଦ୍ୟମ ପ୍ରଶଂସା ଯୋଗ୍ୟ ହୋଇଥିବା ବେଳେ ପ୍ରଥିତଯଶା ଗୁରୁମାନେ ଆଗାମୀ ପିଢିର କଳାକାରଙ୍କମାନଙ୍କ ପାଇଁ  ଯତ୍ନବାନ ହେବା ଜରୁରି ହୋଇପଇଛି ନୃତ୍ୟ ଓ ସଂଗୀତ ଗୁରୁମାନେ ପୋଷଣ କରିଛନ୍ତି। ତିନିଦିନିଆ ଏହି ଶାସ୍ତ୍ର ନୃତ୍ୟ, ସଂଗୀତ ଓ ଯନ୍ତ୍ରସଂଗୀତର ସଂାସ୍କୃତିକ କାର୍ଯ୍ୟକ୍ରମକୁ କୋଣାର୍କ ନାଟ୍ୟମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ, ସହ ସଂପାଦକ ପ୍ରତାପ ରାଉତ, ଗୁରୁ ଜୟକୃଷ୍ଣ ନାୟକ, ବାମଦେବ ଆଳୁକ, ଆଲୋକ ଦାସ, ପ୍ରସନ୍ନ ବେଉରିଆ ଓ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। 

 

ମୋ-୯୨୩୭୫୫୮୮୫୦/୯୦୪୦୬୦୦୨୩୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top