ଶତକ ମାରିଲା ଇସ୍ରୋ!

News Story - Posted on 2017-02-15

ମହକାଶ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଲେଖିଛି ଭାରତ। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋ ଏକ ବିଶ୍ୱ ରେକର୍ଡ଼ କରିଛି। ଗୋଟିଏ ମହାକାଶ ଯାନରେ ଏକାଥରକେ ୧୦୪ଟି ଉପଗ୍ରହ ମହକାଶକୁ ପଠାଇଛି ଇସ୍ରୋ। ଏହା ଥିଲା ପୋଲାର ସାଟେଲାଇଟ‌୍‍ ଲଞ୍ଚ ଭେହିକ୍ଲର ୩୯ଶ ମହାକାଶ ଅଭିଯାନ।

 

ଫେବୃଆରୀ ୧୫ ତାରିଖ ମଙ୍ଗଳବାର ସକାଳ ୯.୨୮ ଘଣ୍ଟା ସମୟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୩୭ ମହାକାଶ ଅଭିମୁଖେ ଯାତ୍ରା କରିଥିଲା। ଏଥିରେ ଥିଲା ବିଭିନ୍ନ ଦେଶର ୧୦୪ଟି ଉପଗ୍ରହ। ଏହା ମଧ୍ୟରେ କେବଳ ଆମେରିକାର ୯୬ଟି ଉପଗ୍ରହ ରହିଥିବାବେଳେ ଇଜ୍ରାଏଲ, ଆରବ ଅମିରାତ, ନେଦରଲାଣ୍ଡ, ସୁଇଜରଲାଣ୍ଡ ଓ କାଜାଖସ୍ତାନର ମଧ୍ୟ ଗୋଟିଏ ଲେଖାଏଁ ଉପଗ୍ରହ ଅନ୍ତର୍ଭୁକ୍ତ। ଏହି ମହାକାଶ ଯାନରେ ଭାରତର ନିଜସ୍ୱ କାର୍ଟୋସାଟ-୨ ସିରିଜର ଗୋଟିଏ ଏବଂ ଇସ୍ରୋର ଦୁଇଟି ଅଣୁ ଉପଗ୍ରହ ଆଇଏନଏସ-୧କ ଓ ଆଇଏନଏସ-୧ଖ ମଧ୍ୟ ମହାକାଶକୁ ଉତକ୍ଷେପିତ ହୋଇଥିଲା।

 

ପୃଥିବୀ ଛାଡ଼ିବାର ମାତ୍ର ୧୭ ମିନିଟି ମଧ୍ୟରେ ପିଏସଏଲଭି-ସି୩୭ ଗୋଟେ ଗୋଟେ କରି ଉପଗ୍ରହକୁ କକ୍ଷ ପଥରେ ଅବସ୍ଥାପିତ କରିଥିଲା। ପ୍ରଥମେ ଭାରତର ୩ଟି ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିବା ପରେ ଅନ୍ୟ ଦେଶର ଗୋଟିଏ ପରେ ଗୋଟିଏ ଉପଗ୍ରହକୁ ଅବସ୍ଥାପିତ କରିଥିଲା। ଏଥିପାଇଁ ସମୁଦାୟ ୧୧ ମିନିଟ ସମୟ ଲାଗିଥିଲା। ଇସ୍ରୋର ଏହି ରେକର୍ଡ଼ ସଫଳତା ପୂର୍ବରୁ ରୁଷୀୟ ମହାକାଶ ସଂସ୍ଥା ୨୦୧୪ ଜୁନ ମାସରେ ଏକାଥରକେ ୩୭ଟି ଉପଗ୍ରହ ମହକାଶକୁ ଛାଡ଼ିଥିଲା। ଭାରତ ମଧ୍ୟ ୨୦୧୫ ଜୁନରେ ୨୩ଟି ଉପଗ୍ରହ ଏକାଥରକେ ମହାକାଶ ପଠାଇଥିଲା।

 

ଇସ୍ରୋର ଏହି ସଫଳତା ପାଇଁ ଏହାର ଅଧ୍ୟକ୍ଷ ଏଏସ କିରଣ କୁମାର ତାଙ୍କ ବୈଜ୍ଞାନିକ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇସ୍ରୋ ସାଟେଲାଇଟ ସେଣ୍ଟର ନିଦ୍ଦେର୍ଶକ ମାୟାଲିସାମ ଆନ୍ନାଦୁରାଇ କହିଛନ୍ତି ଯେ ଆମେ ମଧ୍ୟ କ୍ରିକେଟରଙ୍କ ପରି ଶତକ ମାରିପାରୁ। ଖୁବଶୀଘ୍ର ଇସ୍ରୋର ଉପଗ୍ରହ ନିର୍ମାଣରେ ବି ଶତକ ମାରିବ। ଆସନ୍ତା ବର୍ଷ ଚନ୍ଦ୍ରଯାନ-୨କୁ ମହାକାଶ ପଠାଯିବ।

ଇସ୍ରୋ ମିଶନ ନିଦ୍ଦେର୍ଶକ ବି. ଜୟକୁମାର କହିଛନ୍ତି ଏଯାଏଁ ଇସ୍ରୋ ସମୁଦାୟ ୨୨୬ ଉପଗ୍ରହକୁ ମହାକାଶ ପଠାଇଲାଣି। ଏହା ମଧ୍ୟରେ ୧୭୯ଟି ବିଦେଶୀ ଉପଗ୍ରହ ଅନ୍ତର୍ଭୁକ୍ତ। ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରର ନିଦ୍ଦେର୍ଶକ କେ. ଶିବାନ କହିଛନ୍ତି ଯେ ଏହା ଏକ କଠିନ ଅଭିଯାନ ଥିଲା। ଏତେଗୁଡ଼ାଏ ଉପଗ୍ରହ ମହାକାଶରେ ଯେପରି ପରସ୍ପର ସହିତ ଧକ୍କା ନହେବେ ତାହା ନିଶ୍ଚିତ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ।

 

ଭାରତର କାର୍ଟୋସାଟ-୨ ସିରିଜର ଉପଗ୍ରହର ଓଜନ ହେଉଛି ୬୬୪ କିଲୋଗ୍ରାମ। ଏହା ଏହାର ପୂର୍ବସୂରୀ ପରି ରିମୋଟ ସେନ୍ସିଂ ସେବା ଯୋଗାଇବ। ଏହି ଉପଗ୍ରହ ପଠାଉଥିବା ଫଟୋଚିତ୍ରରୁ ଭୂମି, ସମୁଦ୍ର ଓ ଭୂଗୋଳ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଦରକାରୀ ତଥ୍ୟ ମିଳିପାରିବ।

 

ଇସ୍ରୋର ଏହି ସଫଳତା ପାଇଁ ରାଷ୍ଟ୍ରପତି ପ୍ରଣମ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ଏହି ସଫଳତା ଦେଶ ପାଇଁ ଗର୍ବର ବିଷୟ। ସେମାନେ ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top