ଏସସି/ଏସଟି ଖୋଲିବେ ପେଟ୍ରୋ-ଦୋକାନ!

News Story - Posted on 2017-02-15

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଫସିଲଭୁକ୍ତ ଜାତି ଓ ଜନଜାତି (ଏସସି/ଏସଟି)ର ପ୍ରାର୍ଥୀମାନଙ୍କୁ ଖୁଚୁରା ଆଉଟଲେଟ (ଆରଓ) ଆବଂଟନ ପାଇଁ ପ୍ରଚଳିତ ନୀତିର ସମୀକ୍ଷା କରିଛନ୍ତି।

 

ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସାମାଜିକ ସମୀକରଣ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ନିମନ୍ତେ ତୈଳ ବିତରକ କମ୍ପାନୀ ଯଥା – ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ନୀତି ପ୍ରଣୟନ କରିଛନ୍ତି। ଏହି ଯୋଜନାର  ଅଂଶ ବିଶେଷ ସ୍ୱରୂପ ତୈଳ ବିତରକ କମ୍ପାୀନମାନେ ନୂତନ ଖୁଚୁରା ଆଉଟଲେଟ ଆବଂଟନ ବେଳେ ତଫସିଲଭୁକ୍ତ ଜାତି ଓ ଜନଜାତିର ପ୍ରାର୍ଥୀମାନଙ୍କୁ ୨୨.୫% ଆବଂଟନ ନିମନ୍ତେ ସ୍ଥିର କରିଛନ୍ତି। ଏଭଳି ନିୟମିତ ଆବଂଟନ ବ୍ୟତୀତ, ବର୍ତ୍ତମାନ କାର୍ଯ୍ୟ କରୁଥିବା ଖୁଚୁରା ଆଉଟଲେଟମାନଙ୍କରୁ ମଧ୍ୟ ଏସସି/ଏସଟି ଆବେଦନକାରୀମାନଙ୍କୁ ପ୍ରଦାନ କରିବା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। କମ୍ପାନୀ ଦ୍ୱାରା ଅସ୍ଥାୟୀ ଭାବେ ପ୍ରଦତ୍ତ ଖୁଚୁରା ଆଉଟଲେଟରୁ ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ଏହି ବ୍ୟବସ୍ଥା କରାଯାଇଛି।

 

ତୈଳ ବିତରକ କମ୍ପାନୀମାନେ ସେମାନଙ୍କର ସାମାଜିକ ପ୍ରତିବଦ୍ଧତା ପ୍ରତିଶ୍ରୁତି ପୂରଣ କ୍ଷେତ୍ରରେ ଯଥେଷ୍ଟ ପଛରେ ପଡିଥିବାର ଲକ୍ଷ୍ୟ କରାଯାଇଥିଲା। ପ୍ରଦତ୍ତ ନିର୍ଦ୍ଦେଶିକା ଅନୁସାରେ ଓଏମସିମାନେ ବିଭିନ୍ନ ରାଜ୍ୟସରକାରଙ୍କ ଠାରୁ ଭୂମି ଅଧିଗ୍ରହଣ ସକାଶେ ଉଦ୍ୟମ କରିବେ ବୋଲି ସ୍ଥିର ହୋଇଥିଲା। ଏଭଳି ଭୂମିକୁ କେବଳ ଏସସି/ଏସଟି ପ୍ରାର୍ଥୀଙ୍କୁ ଖୁଚୁରା ଆଉଟଲେଟ ଖୋଲିବା ନିମନ୍ତେ ଆବଂଟନ କରାଯିବାକୁ ସ୍ଥିର ହୋଇଛି।

 

ମନ୍ତ୍ରୀ ଶ୍ରୀ ପ୍ରଧାନ ସମୀକ୍ଷା ବୈଠକ ପରେ ତୈଳ ବିତରକ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୦୧୪-୧୫ ମସିହାରେ ଏସସି/ଏସଟି ପ୍ରାର୍ଥୀମାନଙ୍କୁ ସ୍ଥାନ ପ୍ରଦାନ ପାଇଁ ହୋଇଥିବା ବିଜ୍ଞପ୍ତି ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ। ଖୁଚୁରା ଆଉଟଲେଟ ଖୋଲିବାକୁ ଓଏମସିମାନଙ୍କୁ ଜମି ପ୍ରଦାନ ପାଇଁ ଏସସି/ଏସଟି ପ୍ରାର୍ଥୀମାନେ କରିବାକୁ ଥିବା ଆବେଦନ ନିମନ୍ତେ ଅତିରିକ୍ତ ସମୟସୀମା ପ୍ରଦାନ କରାଯାଇଛି।

 

ସମୀକ୍ଷା ବେଳେ ଜଣାପଡିଛି ଯେ ଯଥେଷ୍ଟ ସଂଖ୍ୟକ ଆବେଦନକାରୀ ଖୁଚୁରା ଆଉଟଲେଟ ପାଇବାକୁ ଅପେକ୍ଷାରତ ଅଛନ୍ତି। କମ୍ପାନୀମାନଙ୍କ ଦ୍ୱାରା ଅଧିକୃତ ଅସ୍ଥାୟୀ ଆଉଟଲେଟରୁ ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ଏଭଳି ଆରଓ ଆବଂଟନ କରାଯାଇଥାଏ। ୨୦୧୪ ମସିହାରୁ ଏଭଳି ଆବେଦନକାରୀମାନେ ଯେଉଁମାନେ କି ଏସସି/ଏସଟି ବର୍ଗର ଏଭଳି ଖୁଚୁରା ଆଉଟଲେଟ ପାଇବା ସକାଶେ ଅପେକ୍ଷାରତ ଅଛନ୍ତି। ସେହିସବୁ ପ୍ରାର୍ଥୀଙ୍କୁ ତୁରନ୍ତ ଖୁଚୁରା ଆଉଟଲେଟ ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି।

 

ଏଭଳି ଉଦ୍ୟମ/ସ୍ୱତନ୍ତ୍ର ଅଭିଯାନ ଦ୍ୱାରା ସାରା ଦେଶରୁ ପ୍ରାୟ ୬୦୦ ଖୁଚୁରା ଆଉଟଲେଟ ଆବେଦନକାରୀଙ୍କୁ ଚିହ୍ନଟ କରାଯାଇଛି। ଏଭଳି ଆବଂଟନକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଭାବେ ସମ୍ପନ୍ନ ନିମନ୍ତେ ଏଲଓଆଇଧାରୀମାନଙ୍କ ବିସ୍ତୃତ ବିବରଣୀ ତଥା ଯେଉଁ ଖୁୁଚୁରା ଆଉଟଲେଟ ପ୍ରଦାନ କରାଯିବ ସେସବୁ ସର୍ବସାଧାରଣରେ ବିଜ୍ଞପିତ କରାଯାଇଛି। ୩୧.୦୩.୨୦୧୭ ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବା ନିମନ୍ତେ ସ୍ଥିରୀକୃତ ହୋଇଛି। ଏହାଦ୍ୱାରା ପ୍ରାୟ ୫୦୦ ଏସସି/ଏସଟି, ବିଧବା ତଥା ଅବିବାହିତ ମହିଳା (ଯେଉଁମାନଙ୍କ ବୟସ ୪୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ) ସେଭଳି ପ୍ରାର୍ଥୀମାନେ ଉପକୃତ ହେବେ। ଆର୍ଥିକ ସଶକ୍ତିକରଣ ଅଭିଯାନରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ଯଥେଷ୍ଟ କର୍ମସଂସ୍ଥାନର ସୁଯୋଗ ପ୍ରଦାନ କରିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top