ପୂର୍ଣ୍ଣ ସ୍ୱରାଜ- ସଂପଦର ଅଧିକାର

News Story - Posted on 2017-02-13

 

 

ସୂର୍ଯ୍ୟମଣି ମିଶ୍ର

 

୧୦, ମାର୍ଚ୍ଚ, ୧୯୨୭ର ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ସେଦିନର ମୋହନଦାସ କରମଚାନ୍ଦ ଗାନ୍ଧି ‘ସ୍ୱରାଜ’ର ଅର୍ଥ ବର୍ଣ୍ଣନା କରିବାକୁ ଯାଇ ଲେଖିଥିଲେ, ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହେବା ପାଇଁ ଶତତ ପ୍ରୟାସ କରିବା ଦ୍ୱାରା ହିଁ ସ୍ୱରାଜ ପ୍ରତିଷ୍ଠା ହୋଇପାରିବ। ସରକାର ବିଦେଶୀ ହେଉ ଅବା ସ୍ୱଦେଶୀ (ଜାତୀୟ)ର ଆର୍ଥିକ ନୀତି ଏପରି ହେବ ଯାହା ଉପରେ ସାଧାରଣ ଲୋକଙ୍କର ସର୍ବନିମ୍ନ ନିୟନ୍ତ୍ରଣ ରହିବ।

 

୨୬, ଜାନୁଆରୀ, ୧୯୩୦ରେ ଲାହୋର ସନ୍ନିକଟ ରବି ନଦୀ ତଟରେ କଂଗ୍ରେସ ଦଳ ପକ୍ଷରୁ ସମବେତ ସ୍ୱାଧୀନତା ସଂଗ୍ରାମୀ ଓ କଂଗ୍ରେସ ସଦସ୍ୟମାନେ ‘ପୂର୍ଣ୍ଣ ସ୍ୱରାଜ’ ପ୍ରତିଷ୍ଠାର ପ୍ରସ୍ତାବ ଗ୍ରହଣ କରିଥିଲେ। ଏହି ପ୍ରସ୍ତାବକୁ ଲେଖିଥିଲେ ଗାନ୍ଧିଜୀ। ପ୍ରସ୍ତାବରେ ଥିଲା ସ୍ୱାଧୀନତା ଲାଭ କରିବୁ, ସ୍ୱାଧୀନ ହେବୁ, ନିଜ ଶ୍ରମ ଫଳ ନିଜେ ଉପଭୋଗ କରିବୁ।

 

ଆଜି ଦେଶର ରାଜନୈତିକ ଓ ଅର୍ଥନୈତିକ ବିଚାରଧାରା ପୁଞ୍ଜିବାଦ, ସାମ୍ୟବାଦ, ସମାଜବାଦ ଏବଂ ଗାନ୍ଧିବାଦ ଭାବରେ ବିଭକ୍ତ। ପୁଞ୍ଜିବାଦ ଓ ସାମ୍ୟବାଦ ବିଚାର ଧାରା ୟୁରୋପରୁ ଆସିଥିବା ବେଳେ ସ୍ୱରାଜ ବିଚାର ଭାରତ ମାଟିରୁ ଜନ୍ମ ନେଇଥିଲା। ଜଳ, ଜଙ୍ଗଲ, ଜମି, ଖଣିଜ ସଂପଦ ଏବଂ ଜୈବ ବିବିଧତା ଉପରେ ଜନ ସମୁଦାୟର ଅଧିକାର ରହିବ। ଲୋକ ହେଉଛି ପ୍ରାକୃତି ସଂପଦର ମାଲିକ। ଏହା ସ୍ୱରାଜର ବିଚାରଧାରା। ସ୍ୱରାଜ ଓ ସ୍ୱଦେଶ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ୱ। ନିଜ ଅର୍ଜିତ ସମ୍ପତ୍ତିର ନିଜେ ମାଲିକ। ପ୍ରକୃତି ଦତ୍ତ ସମ୍ପଦ ଉପରେ ସମସ୍ତଙ୍କର ସମାନ ଅଧିକାର ରହିଛି। ଏପରିକି ମନୁଷ୍ୟ ସହ ଜୀବଜଗତ। ତେବେ ୧୯୬୨ରେ ସୁପ୍ରିମ‍୍‌ କୋର୍ଟ ଏକ ରାୟରେ ପ୍ରାକୃତିକ ସଂପଦ ଉପରେ ରାଷ୍ଟ୍ରର ମାଲିକାନା ଓ ନିୟନ୍ତ୍ରଣକୁ ସ୍ୱୀକାର କରିଥିଲେ। ସୁପ୍ରିମ‍୍‌ କୋର୍ଟର ତିନିଜଣିଆ ଖଣ୍ଡପୀଠ ୮ ଜୁଲାଇ, ୨୦୧୩ରେ ଭାରତର କୌଣସି ଆଇନ ଏବଂ ସାମ୍ୱିଧାନିକ ବ୍ୟବସ୍ଥା ନାହିଁ, ଯାହା କି ପ୍ରାକୃତିକ ସଂପଦ ଉପରେ ରାଷ୍ଟ୍ରର ମାଲିକାନାକୁ ତିଆରି କରିବ। ଯେଉଁ ଜମିର ଯିଏ ମାଲିକ, ସିଏ ସେଇ ଜମି ଉପରେ ଥିବା ଜଳ, ଜଙ୍ଗଲ ଓ ଖଣିଜ ସଂପଦର ମାଲିକ ଅଟନ୍ତି। କେରଳ ରାଜ୍ୟର ଜଣେ କୃଷକଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ‍୍‌ କୋର୍ଟ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ଆଦିବାସୀ ଅଞ୍ଚଳରେ ବା ଅସୁସୂଚିତ ଅଞ୍ଚଳରେ ବିନା ଗ୍ରାମସଭାର ଅନୁମତିରେ ପ୍ରାକୃତିକ ସମ୍ପଦକୁ ରାଷ୍ଟ୍ର ନେଇ ପାରିବ ନାହିଁ ବୋଲି ଏହି ରାୟରେ ସୁୂପ୍ରିମ‍୍‌ କୋର୍ଟ ସ୍ପଷ୍ଟ କରିଥିଲେ। ଓଡ଼ିଶାର ନିୟମଗିରିର ଡଙ୍ଗରିଆ କନ୍ଧ ଆଦିବାସୀଙ୍କ ପ୍ରାକୃତିକ ସମ୍ପଦ ଉପରେ ଅଧିକାରକୁ ସୁନିଶ୍ଚିତ କରି ସରକାରଙ୍କ ଆବେଦନକୁ ଖାରଜ କରିଥିଲେ।

 

ସ୍ୱରାଜର ଅର୍ଥ ହେଉଛି ରାଷ୍ଟ୍ରର ସମସ୍ତ ସମ୍ପତ୍ତିର ଏବଂ ରାଷ୍ଟ୍ରର ସର୍ବଶକ୍ତିମାନ ମାଲିକ ହେଉଛନ୍ତି ଜନଗଣ। ଏହି ଜନଗଣ ଲୋକସଭା ଓ ବିଧାନସଭାକୁ ନିଜର ପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି। ସରକାର କହିଲେ ଏହି ପ୍ରତିନିଧିଙ୍କୁ ବୁଝାଯାଏ। ଜନଗଣଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଦେଶର ବିକାଶ ଓ ନିରାପତ୍ତା ପାଇଁ ଏହି ନିର୍ବାଚିତ ପ୍ରତିନିଧି ନିଜର ସାମ୍ୱିଧାନିକ ନିୟମ ମୁତାବକ ଉତ୍ତରଦାୟିତ୍ୱ ପାଳନ କରିଥାନ୍ତି। କିନ୍ତୁ ଦେଖାଯାଉଛି ଯେ, ଗାନ୍ଧିଙ୍କ ସ୍ୱରାଜ ଆଦର୍ଶକୁ ଆଜିର ନିର୍ବାଚିତ ପ୍ରତିନିଧି କାର୍ଯ୍ୟକାରୀ କରୁନାହାନ୍ତି। ଜନଗଣଙ୍କ ମୌଳିକ ଅଧିକାର ସୁନିଶ୍ଚିତ ହୋଇପାରୁନାହିଁ। ଏହିପାଇଁ ନାଗରିକ ସରକାରଙ୍କଠାରୁ ନିଜର ହକ୍ ଅଧିକାର ନପାଇ ସର୍ବୋଚ୍ଚ ନ୍ୟାୟାଳଙ୍କ ଦ୍ୱାରସ୍ଥ ହେଉଛନ୍ତି। ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଥିବା ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସରକାର ନିଜେ ପ୍ରଣୟନ କରିଥିବା ଆଇନକୁ  କାର୍ଯ୍ୟକାରୀ କରୁନାହାନ୍ତି। ସଂବିଧାନର ୭୩ ଏବଂ ୭୪ତମ ସଂଶୋଧନ ଅନୁଯାୟୀ ଅନୁଚ୍ଛେଦ-୨୪୩ରେ ଗ୍ରାମୀଣ କ୍ଷେତ୍ର ପଞ୍ଚାୟତ ପାଇଁ, ୨୪୩ ଡବ୍ଲ୍ୟୁ ସହରାଞ୍ଚଳ ନଗରପାଳିକା ପାଇଁ, ସାମାଜିକ ନ୍ୟାୟ ପ୍ରତିଷ୍ଠା, ଯୋଜନା ପ୍ରଣୟନ ଓ ଏହାକୁ କାର୍ଯ୍ୟକାରୀ  କରିବା ପାଇଁ ଲୋକଙ୍କ ହାତରେ କ୍ଷମତା ଦିଆଯାଇଛି। ସମ୍ୱିଧାନର ୧୧-ବି ଅନୁଚ୍ଛେଦ ଅନୁଯାୟୀ ୨୪୩ (ବ)ରେ ଓ ୨୪୩(ଦ)ରେ ଗ୍ରାମୀଣ କ୍ଷେତ୍ରର ସଂପଦ ଓ କାର୍ଯ୍ୟକ୍ରମର ସୂଚୀ ଦିଆଯାଇଛି। ଜୀବନର ଆବଶ୍ୟକତା ପାଇଁ ଯଦି କୌଣସି ସରକାର ଲୋକଙ୍କ ଅଧିକାରକୁ ଛଡ଼ାଇ ନେବା ଏବଂ ଦମନ କରିବେ, ତେବେ ଲୋକ ସରକାରଙ୍କ ଏହି କ୍ଷମତାର ଅନ୍ତ ଘଟାଇ ପାରିବେ ବୋଲି ଅଧିକାର ରହିଛି। ଆର୍ଥିକ, ରାଜନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକତାର ବିକାଶ ପାଇଁ ସରକାରଙ୍କ କାର୍ଯ୍ୟ ଲୋକପକ୍ଷ ହେବା ନିଶ୍ଚିତ। ଏହା ନହେଲେ ନାଗରିକ ନିଜ ଅଧିକାର ପାଇଁ ସରକାରଙ୍କୁ ହଟାଇ ପାରିବେ ବା ପରିବର୍ତ୍ତନ କରିପାରିବେ। ଏଥିପାଇଁ ସଂସଦୀୟ ନିର୍ବାଚନ ପଦ୍ଧତି ସମ୍ୱିଧାନମତେ କାର୍ଯ୍ୟକାରୀ ହେଉଛି। ତେବେ ରାଜନୈତିକ ଦଳ ସରକାର ଗଠନ ପରେ ଲୋକ ଅଧିକାରକୁ ସୁନିଶ୍ଚିତ କରୁନାହାନ୍ତି ବରଂ କର୍ପୋରେଟ‍୍‌ ବା କମ୍ପାନୀ ସ୍ୱାର୍ଥ ରକ୍ଷା ପାଇଁ ଜନଗଣଙ୍କ ସ୍ୱାର୍ଥକୁ ପରାହତ କରୁଛନ୍ତି।

 

ଗାନ୍ଧିଜୀଙ୍କ ସ୍ୱପ୍ନର ପୂର୍ଣ୍ଣ ସ୍ୱରାଜ ପ୍ରତିଷ୍ଠା ହେବା ବଦଳରେ ଦେଶରେ ଏକଚାଟିଆ କମ୍ପାନୀରାଜ ଚାଲିଛି। ଲୋକଙ୍କ ଉପରେ ସରକାର ବିକାଶ ନାମରେ ଦମନ ଲୀଳା ଚଳାଉଛନ୍ତି। ଏପରି ଆର୍ଥିକ ନୀତି ସରକାର କାର୍ଯ୍ୟକାରୀ କରୁଛନ୍ତି, ଯାହାର ପରିଣାମ ହେଲା ଧନୀ ଆହୁରି ଧନୀ ହେଉଛି, ଗରିବ ଆହୁରି ଗରିବ ହେଉଛି।  ଗାନ୍ଧିଜୀ କହିଥିଲେ, ଗାଁ ହେଉଛି ଦେଶର ଆତ୍ମା, ସହର ହେଉଛି ଶରୀର, ଆତ୍ମାର ମୃତ୍ୟୁରେ ଶରୀରର ସ୍ଥିତି ନାହିଁ। ଗାନ୍ଧିଜୀଙ୍କ ଏହି ବିଚାର ଉପରେ ଆଖି ପକାଇଲେ ଆଜିର ସରକାରଙ୍କ ନୀତି ଗାଁ ବିରୋଧୀ ବୋଲି ପ୍ରମାଣିତ ହେଉଛି। ତେଣୁ ଦେଶର ସମତୁଲ ଓ ସାମଗ୍ରିକ ବିକାଶ କିପରି ବା ହୋଇପାରିବ?

 

୧୯୨୭ ଏବଂ ୧୯୩୦ରେ ଗାନ୍ଧିଜୀ ଯେଉଁ ପୂର୍ଣ୍ଣ ସ୍ୱରାଜର ସ୍ୱପ୍ନ ଦେଖିଥିଲେ, ଏହାର ବାସ୍ତବ ରୂପାୟନ ଦିଗରେ ନିର୍ବାଚିତ ଗଣତାନ୍ତ୍ରିକ ସରକାର ଦୃଢ଼ ଇଚ୍ଛାଶକ୍ତି ପ୍ରକାଶ କରୁନାହାନ୍ତି। ଫଳରେ ଗାନ୍ଧିଜୀଙ୍କ ସ୍ୱପ୍ନର ପୂର୍ଣ୍ଣ ସ୍ୱରାଜ ପ୍ରତିଷ୍ଠା ଅଧୁରା ହୋଇ ରହିଛି। ଜନଗଣଙ୍କୁ ମିଳୁନି ସେମାନଙ୍କର ସାମ୍ୱିଧାନିକ ଓ ଗଣତାନ୍ତ୍ରିକ ଅଧିକାର। ଗାଁ ଗାଁରେ ଏବେ ସବୁଜ ବନାନୀ ପରିବେର୍ତ୍ତ କଂକ୍ରିଟ‍୍‌ର ଚିତ୍ର। ଚାଷଜମି ଏବେ ମରୁ ମରୁତ୍ୟାକାର ଭ୍ରମ ସୃଷ୍ଟି କରୁଛି। ଦେଶର ହଜାର ହଜାର ଗାଁରେ ଏହି ଚିତ୍ର। ଗାନ୍ଧିଜୀ ନିଶା ନିବାରଣ କଥା କହୁଥିଲେ। ଗାନ୍ଧିଜୀଙ୍କର ଚିନ୍ତା ଚେତନାରେ ଥିଲା ସ୍ୱଦେଶ ଭାବନା। ଆଜିର ନିର୍ବାଚିତ ସରକାର ସ୍ୱଦେଶ ଓ ସ୍ୱାବଲମ୍ୱନ ଭାବନାକୁ ପଛକୁ ଠେଲିଦେଇ ବିଦେଶୀ ବହୁଜାଜୀୟ ପୁଞ୍ଜିପତିର ବୋଲକରା ହେଉଛି। ଫଳରେ ଦେଶରେ ଗାନ୍ଧିଜୀଙ୍କ ସ୍ୱପ୍ନର ପୂର୍ଣ୍ଣ ସ୍ୱରାଜ ପ୍ରତିଷ୍ଠା ସ୍ୱପ୍ନ ହୋଇ ରହିଯାଇଛି।

 

ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ, ଚୀନ‍୍‌ର ମହାନ ବିପ୍ଳବୀ ମାଓ ସେତୁଙ୍ଗ ଚୀନ‍୍‌କୁ ସାମ୍ରାଜ୍ୟବାଦ କବଳରୁ ମୁକ୍ତ କଲାପରେ ସାମ୍ୟବାଦୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ଗାଁର ବିକାଶକୁ ସୁନିଶ୍ଚିତ କରିବାକୁ ଆହ୍ୱାନ ଜଣାଇଥିଲେ। ଶ୍ରମଶକ୍ତିର ଉପଯୋଗ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିଥିଲେ। ପରୋକ୍ଷରେ ମାଓ ସେତୁଙ୍ଗଙ୍କ ସାମ୍ୟବାଦୀ ରାଷ୍ଟ୍ର ନିର୍ମାଣ ପଛରେ ଗାନ୍ଧିଜୀଙ୍କ ପୂର୍ଣ୍ଣ ସ୍ୱରାଜ ଆଦର୍ଶର ବାର୍ତ୍ତା ରହିଥିବା ସ୍ପଷ୍ଟ। ଭାରତବର୍ଷର ଆଜିର ନିର୍ବାଚିତ ସରକାର ଗାନ୍ଧିଜୀଙ୍କ ପୂର୍ଣ୍ଣ ସ୍ୱରାଜ ପ୍ରତିଷ୍ଠାର ବିଚାରକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିବଦ୍ଧ ହେବା ଜରୁରୀ। ଏହା ନହେଲେ ଦେଶରେ ଅସମାନତା ବଢ଼ି ଚାଲିଥିବ, ଲୋକ ଅଧିକାର ବିପନ୍ନ ହେଉଥିବା କାରଣରୁ ପ୍ରତିବାଦ ସଂଘର୍ଷ ଆହୁରି ଜୋର ହେବାର ଆଶଙ୍କା ରହିଛି। କାରଣ ଦେଶର ଜନଗଣ ଏବେ ପ୍ରାକୃତିକ ସମ୍ପଦ ଉପରେ ନିଜର ହକ୍ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସ୍ଥାନେ ସ୍ଥାନେ ପ୍ରତିବାଦର ସ୍ୱରକୁ ବ୍ୟାପକ କରୁଥିବା ଦେଖିବାକୁ ମିଳୁଛି। ଛତିଶଗଡ଼ ହେଉ ବା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ହେଉ ଅବା ଓଡ଼ିଶା, ସବୁଠି ପ୍ରାକୃତିକ ସମ୍ପଦ ଉପରେ ଲୋକଙ୍କ ପକ୍ଷରୁ ନିଜର ଅଧିକାର ଦାବି ଜୋର‍୍‌ ଧରିଛି। ଦୀର୍ଘ ୮୭ ବର୍ଷ ପରେ ଗାନ୍ଧିଜୀଙ୍କ ସେଦିନର ପୂର୍ଣ୍ଣ ସ୍ୱରାଜ ପ୍ରତିଷ୍ଠାର ବିଚାର କେତେ ପ୍ରାସଙ୍ଗିକ, ତାହାର ଉଦାହରଣ ସୃଷ୍ଟି କରୁଛି ଆଜିର ଏକାଧିକ ଜନସଂଘର୍ଷ ଓ ଗଣ ପ୍ରତିବାଦ ଘଟଣାସମୂହରୁ।

ସରକାର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବାସ୍ତବଭାବେ କାର୍ଯ୍ୟକାରୀ କରିବା ଉଚିତ। ଗାନ୍ଧିଜୀଙ୍କ ପୂର୍ଣ୍ଣ ସ୍ୱରାଜର ବିଚାରମତେ ଲୋକଙ୍କ ହାତରେ ଲୋକଙ୍କ ଅଧିକାରକୁ ଲୋକଙ୍କ ଦ୍ୱାରା ସୁନିଶ୍ଚିତ କରିବାର ସମୟ ଆସିଛି। ଏହା ନହେଲେ ଦେଶ ଆଗକୁ ବଢ଼ିବାର ସମ୍ଭାବନା ନାହିଁ।

ଭୁବନେଶ୍ୱର, ଦୂରଭାଷ: ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top