ରେଡ଼ିଓ ଏବେ ବି ଲୋକପ୍ରିୟ!

News Story - Posted on 2017-02-13

ଚାରୁ ଚନ୍ଦନ ଦାଶ

 

ରେଡିଓ ହେଉଛି ଅନ୍ୟତମ ପ୍ରମୁଖ ଗଣମାଧ୍ୟମ। ଆମେ ଅନେକ ସମୟରେ ଶୁଣିଛେ ରେଡ଼ିଓ ଯାହା କୁହେ ଥରେ ମାତ୍ର କୁହେ। ଟିଭି ଭଳି ରିପିଟ କରେନି କି ଖବରକାଗଜ ଭଳି ପ୍ରିଣ୍ଟ ହୋଇ ରହେ ନାହିଁ। ତେବେ ଏହି ଛୋଟିଆ ଜିନିଷଟି ମଧ୍ୟ ତତକ୍ଷଣାତ ଖବର ପହଞ୍ଚାଇବାରେ ବିଶେଷ ଭୂମିକା ନିର୍ବାହ କରିଥାଏ। ଟିଭି ଆସିବା ପୂର୍ବରୁ ଏହି ରେଡ଼ିଓ ଥିଲା ଖବର ଜାଣିବାର ଏକମାତ୍ର ବେତାର ମାଧ୍ୟମ।

 

ଖବର ସହିତ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ଏହି ରାଡ଼ିଓରୁ ଆମେ ଶୁଣିବାକୁ ପାଇଥାଉ। ମୋର ମନେ ଅଛି ପିଲାଦିନେ ରବିବାର ସକାଳ ୯.୧୫ ମିନିଟ ହେଲା ମାତ୍ରେ ଆମେ ଭାଇଭଉଣୀ ତିନିଜଣ ଯାକ ଆମ ଫିଲିପ୍ସ ରେଡ଼ିଓ ସାମ୍ନାରେ ବସି ଯାଉଥିଲୁ ‘ଆପଣଙ୍କ ପସନ୍ଦ’ କାର୍ଯ୍ୟକ୍ରମ ଶୁଣିବା ପାଇଁ। ମାତ୍ର ଆଜିର ଡିଟିଏଚ, ଟାଟା ସ୍କାଏ, ଏଆରଟେଲ ଜମାନାରେ ଆଉ ସେଇ ଯୁଗ ନାହିଁ। କେବେଳ ମୋଦିଙ୍କ ‘ମନ କି ବାତ’ ଶୁଣିବା ପାଇଁ ହୁଏତ ଗ୍ରାମାଞ୍ଚଳରେ କେତେକ ଲୋକ ରେଡ଼ିଓ ବ୍ୟବହାର କରୁଥିବେ! ହୁଏତ ୟୁଟୁବ ଜମାନାରେ କରୁ ନଥାଇ ପାରନ୍ତି ମଧ୍ୟ।

 

ବିଶ୍ବଯୁଦ୍ଧ ସମୟରେ ରେଡିଓ ଥିଲା ଏକ ପ୍ରକୃଷ୍ଟ ମାଧ୍ୟମ। ୧୯୨୦ ମସିହାରେ ୟୁରୋପ, ଚିକାଗୋ ଓ ପିଟସବର୍ଗରେ ପ୍ରଥମେ ରେଡ଼ିଓ ସ୍ଥାପନ କରା ଯାଇଥିଲା। ୧୯୨୩ ମସିହା ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୪୫୦ଟି ରେଡିଓ ଷ୍ଟେସନ ସ୍ଥାପିତ ହୋଇଥିଲା। ଏହାପରେ ଧୀରେ ଧୀରେ ଏହାର ଚାହିଦା ବଢ଼ିବାରେ ଲାଗିଲା। ୧୯୨୬ ମସିହାରେ ଜାତୀୟ ବ୍ରୋଡକାଷ୍ଟିଂ କମ୍ପାନୀ(ଏନବିସି) ମାଧ୍ୟମରେ ପ୍ରସାରିତ ହେଲା। ଏହାପରେ କଲମ୍ବିଆ ବ୍ରୋଡକାଷ୍ଟିଂ ସିଷ୍ଟମ, ପବ୍ଲିକ ସଭିର୍ସ ନେଟୱାର୍କ, ପବ୍ଲିକ ବ୍ରୋଡକାଷ୍ଟିଂ ସର୍ଭିସ ଭଳି ଅନେକ ଗୁଡ଼ିଏ ସ୍ବାଧୀନ ରେଡିଓ ମଧ୍ୟ ପ୍ରସାରିତ ହେଲା। ସେତେବେଳେ ବ୍ରିଟିଶ ଲୋକଙ୍କ ପାଇଁ ଏହି ମାଧ୍ୟମ ବେଶ ସହାୟକ ହେଉଥିଲା।

 

ଭାରତରେ ୧୯୨୧ ମସିହା ଅଗଷ୍ଟ ୨୦ ତାରିଖରେ ରେଡ଼ିଓ ସେବା ଆରମ୍ଭ ହୋଇଥିଲା ବୋଲି ଟାଇମ୍ସ ଅଫ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଥିଲା। ୧୯୨୩ ମସିହାରେ ବମ୍ବେ ଠାରେ ପ୍ରଥମ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା। ସେଥିପାଇଁ ଉଭୟ କଲିକତା ଓ ବମ୍ବେରେ ୨ଟି ସ୍ବତନ୍ତ୍ର ଟ୍ରାନ୍ସମିଟର ରଖା ଯାଇଥିଲା। କୁହାଯାଏ ୧୯୨୨ ମସିହା ଫେବୃଆରୀ ୨୩ ତାରିଖରେ ରେଡ଼ିଓକୁ ଭାରତରେ ପ୍ରସାରଣ କରିବା ପାଇଁ ଅନୁମତି ମିଳିଥିଲା।

 

ଭାରତରେ ପ୍ରଥମ ପ୍ରସାରଣ କଣ୍ଟ୍ରୋଲର ଲିଓନେଲ ଫିଲ୍ଡେନ ତାଙ୍କ ଆତ୍ମଜୀବନୀରେ ଭାରତର ପ୍ରଥମ ପ୍ରସାରିତ ରେଡ଼ିଓ ବିଷୟରେ ମଧ୍ୟ ଲେଖିଛନ୍ତି। ୧୯୨୭ ମସିହାରେ ରେଡ଼ିଓ ଦ୍ବାରା ୟୁରୋପ ଆର୍ଥିକ ଲାଭ କରିବା ପରେ ଏହାର ପ୍ରଭାବ ଭାରତରେ ପଡିଥିଲା। ସେଥିପାଇଁ ଭାରତର କେତେକ ବ୍ୟବସାୟୀ ରେଡ଼ିଓକୁ ବ୍ୟାବସାୟିକ ଭିତ୍ତିରେ ପ୍ରସାରଣ କରିବା ପାଇଁ ମନସ୍ଥ କଲେ। ତେଣୁ ବମ୍ବେ ଓ କଲିକତାରେ ସେମାନେ ୨ଟି ଛୋଟ ଷ୍ଟେସନ ସ୍ଥାପନ କରିଥିଲେ। ଏହାର ୩ ବର୍ଷ ପରେ ସେମାଙ୍କ ଶ୍ରୋତାଙ୍କ ସଂଖ୍ୟା ୭ ହଜାରରେ ପହଞ୍ଚିଥିଲା। ମାତ୍ର ବିପୁଳ ପରିମାଣରେ କ୍ଷତି ହୋଇଥିବାରୁ ପରବର୍ତ୍ତୀ ସମୟରେ ସେମାନେ ଅନିଚ୍ଛା ପ୍ରକାଶ କରିଥିଲେ। ଭାରତ ସରକାର ମଧ୍ୟ କେତେକ ରେଡ଼ିଓ ଡିଲରଙ୍କ ଠାରୁ ଟ୍ରାନ୍ସମିଟର ଆଣିବା ପାଇଁ ସ୍ଥିର କରିସାରିଥିଲେ ବି କ୍ଷତିକୁ ଦୃଷ୍ଟିରେ ରଖି ଆରମ୍ଭ କରି ନଥିଲେ।

 

ଏହାପରେ ଭାରତରେ ବ୍ୟବସାୟ କରୁଥିବା ବିବିସି ୟୁରୋପିଆନଙ୍କ ସହ ଆଲୋଚନା କରି ୫୦ ପ୍ରତିଶତ ଅର୍ଥ ଦେବାକୁ ଭାରତ ସରକାର ରାଜି ହୋଇଥିଲେ।

 

ପରବର୍ତ୍ତୀ ସମୟରେ ଇଣ୍ଡିଆନ ଷ୍ଟେଟ ବ୍ରୋଡକାଷ୍ଟିଂ ସର୍ଭିସ (ଆଇଏସବିଏସ) ନାମରେ ସରକାର ପ୍ରସାରଣ କରିବା ପାଇଁ ସ୍ଥିର କଲେ। ଏହା ଶ୍ରମ ଓ ଶିଳ୍ପ ବିଭାଗ ଅଧୀନରେ ରହିଥିଲା। ତେବେ ଏହାର ପ୍ରଥମ କଣ୍ଟ୍ରୋଲର ଥିଲେ ଲିଓନେଲ ଫିଲଡେନ। ପରବର୍ତ୍ତୀ ସମୟରେ ଏହାର ବହୁଳ ପ୍ରସାରଣ ହେବା ଫଳରେ ୧୯୩୬ ମସିହା ଜୁନ ମାସରେ ଫିଲ୍ଡେନ ଏହାର ନାମ ପରିବର୍ତ୍ତନ କରି ଅଲ ଇଣ୍ଡିଆ ରେଡ଼ିଓ ରଖିଥିଲେ।

 

ଏହି ନାମ ଆସିବା ପଛରେ ମଧ୍ୟ ଏକ ଛୋଟିଆ କାହାଣୀ ଅଛି। ବିରୋଧୀଙ୍କ ବିରୋଧ ଏବଂ ଲୋକଙ୍କ ଉଚ୍ଚାରଣ ସମସ୍ୟାରେ ଫିଲ୍ଡେନ ଚିନ୍ତିତ ହୋଇ ପଡ଼ିଥିଲେ। ସେଥିପାଇଁ ସେ ଭାଇସରଏ ଲର୍ଡ ଲିନଲିଟଗ୍ଲୋଙ୍କୁ ନିଜର ଦୁଃଖ କଥା ଶୁଣେଇଥିଲେ। ଏହା ଶୁଣି ଲର୍ଡ ଲିନଲିଟଗ୍ଲୋ ଇଣ୍ଡିଆନ ଷ୍ଟେଟ ବଦଳରେ ଅଲ ଇଣ୍ଡିଆ ଓ ବ୍ରୋଡକାଷ୍ଟିଂ ବଦଳରେ ରେଡ଼ିଓ ରଖିବାକୁ କହିଥିଲେ। ଏହି କଥାଟି ଫିଲ୍ଡେନଙ୍କ ମନକୁ ଛୁଇଁ ଥିଲା। ଏହାପରେ ସେ ଏହି ନୂତନ ନାମଟିକୁ ଆପଣେଇବାକୁ ସଚିବାଳୟରେ ପ୍ରସ୍ତାବ ରଖିଥିଲେ ଏବଂ ତାକୁ ସମସ୍ତେ ଗ୍ରହଣ କରିଥିଲେ। ସେଠାରୁ ହିଁ ଜନ୍ମ ନେଇଥିଲା ଅଲ ଇଣ୍ଡିଆ ରେଡ଼ିଓ। ୧୯୪୬ ମସିହାରେ ଏହା ଶ୍ରମ ଓ ଶିଳ୍ପ ବିଭାଗରୁ ସ୍ଥାନାନ୍ତରିତ ହୋଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଆସିଥିଲା।

 

ଦ୍ବିିତୀୟ ବିଶ୍ବଯୁଦ୍ଧ ସମୟରେ ବିଶେଷ ଭୂମିକା ତୁଲେଇ ଥିବା ଏହି ରେଡ଼ିଓ ଭାରତର ସ୍ବାଧୀନତା ସଂଗ୍ରାମରେ ମଧ୍ୟ ବିଶେଷ ଭୂମିକା ନିର୍ବାହ କରିଥିଲା। ଭାରତ ଛାଡ଼ ଆନ୍ଦୋଳନରେ କଂଗ୍ରେସର ସ୍ବାଧୀନତା ସଂଗ୍ରାମୀ ଉଷା ମେହେଟ୍ଟା, ବିଠଲ ଦାସ ଖକ୍କର ଓ ଚନ୍ଦ୍ରକାନ୍ତ ଜାଭେରି ପ୍ରମୁଖ ୧୯୪୨ ମସିହା ସେପ୍ଟେମ୍ବର ୩ ତାରିଖରେ ବମ୍ବେରେ ୪୧.୭୮ ମିଟର ବ୍ୟବଧାନରେ ଭୂତଳ ରେଡ଼ିଓ ପ୍ରସାରଣ କରିବା ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ସେମାନେ ନିଜର ବାର୍ତ୍ତା ପ୍ରେରଣ କରୁଥିଲେ। ମହାତ୍ମା ଗାନ୍ଧୀ ମଧ୍ୟ ଅନେକ ସମୟରେ ଏହି ରେଡ଼ିଓ ମାଧ୍ୟମରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଥିଲେ।

 

ଏହାପରେ ଆସିଲା ଏଫଏମ ରେଡ଼ିଓ। ୧୯୯୩ ମସିହାରେ ରେଡ଼ିଓର ଚାହିଦା ବିପୁଳ ପରିମାଣରେ ହୋଇଯାଇ ଥିବାରୁ ବିଭିନ୍ନ ବେସରକାରୀ ସଂସ୍ଥାମାନ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଏଫଏମ ଷ୍ଟେସନ ପ୍ରତିଷ୍ଠା କରିବାରେ ଲାଗିଲେ। ଅବଶ୍ୟ ୧୯୭୭ ମସିହାରେ ମାଡ୍ରାସ ଓ ୧୯୯୨ ମସିହାରେ ଜଳନ୍ଧରରେ ପ୍ରଥମ ରେଡ଼ିଓ ଏଫଏମ ପ୍ରତିଷ୍ଠା ହୋଇ ସାରିଥିଲା। ଏହା ଏତେ ମାତ୍ରାରେ ଲୋକଙ୍କ ପସନ୍ଦ ହୋଇଥିଲା ଯେ ପ୍ରତି ୧୦ ସେକେଣ୍ଡ ବିଜ୍ଞାପନକୁ ୨୫୦-୩୦୦ ଟଙ୍କା ଚାର୍ଜ କରୁଥିଲେ ଏବଂ ସେହି ସମୟରେ ସରକାରୀ ରେଡ଼ିଓ ଅଲ ଇଣ୍ଡିଆ ରେଡ଼ିଓ ଘଣ୍ଟାକୁ ୩୦୦୦ ଟଙ୍କା ବିଜ୍ଞାପନ ବାବଦକୁ ନେଉଥିଲା। ଏବେ ତ ଘରେ ଘରେ ପୁରେ ପୁରେ ଏଫଏମ ଷ୍ଟେସନ! ଏଥିସହିତ କମୁ୍ୟନିଟି ବା ଗୋଷ୍ଠୀ ରେଡ଼ିଓ କେନ୍ଦ୍ରଗୁଡ଼ିକ ମଧ୍ୟ ପ୍ରତିଷ୍ଠା ହେଲାଣି। ଓଡ଼ିଶାରେ କୋଣାର୍କକ, ରେଭେନ୍ଶା, ସୋଆ ୟୁନିଭରସିଟି ଆଦିର ନିଜସ୍ବ ରେଡ଼ିଓ କେନ୍ଦ୍ର ରହିଛି।

 

ଲୋକେ ଯେତେ ଟିଭିକୁ ପସନ୍ଦ କଲେ ବି ବ୍ୟସ୍ତବହୁଳ ଜୀବନରେ ଆଜିର ଯୁବପିଢ଼ି କାନରେ ଇଅର ଫୋନ ଲଗାଇ ୯୨.୭ କି ୯୩.୫ ଅବା ୧୦୪ ରେଡ଼ିଓ ଚକୋଲେଟ ଶୁଣୁଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରେଡ଼ିଓର ଚାହିଦା କମିଥିଲେ ବି ନୂଆ ରୂପରେ ଏହା ଯୁବପିଢ଼ିଙ୍କ ନିକଟରେ କେତେକାଂଶରେ ଛାପ ପକାଇ ପାରିଛି।

 

ବୀରମହାରାଜପୁର, ସୁବର୍ଣ୍ଣପୁର

ଫୋ- ୯୬୫୮୨୬୩୨୮୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top