ଟଙ୍କା କେମିତି ପାଣିରେ ପଡ଼େ?

News Story - Posted on 2017-02-13

 

ଯୋଜନା ଅନୁସାରେ ପୁଂଜି ବିନିଯୋଗ ନହେବା ଯୋଗୁଁ ଅଧୁରା ପଡ଼ିଛି ଓଡ଼ିଶାର ଅନେକ ଜଳସେଚନ ପ୍ରକଳ୍ପ। ବର୍ଷ ସାରା କାମ ନକରି ଟଙ୍କା ପକାଇ ରଖିବା ଓ ଆର୍ଥିକ ବର୍ଷର ଶେଷ ମାସରେ ତରବରିଆ ଭାବେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରିବା ଏହି ବିଭାଗର ସ୍ଥାୟୀ ଦୁର୍ନୀତି ସୂତ୍ର ହୋଇଯାଇଛି। ଏହି କାଇଦାରେ ବିଦାୟୀ ଆର୍ଥିକ ବର୍ଷର ୨୦୦୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହିଥିବାବେଳେ ଓଡ଼ିଶା ସରକାର ରାଜ୍ୟର ୮ଟି ଅଧୁରା ଜଳସେଚନ ପ୍ରକଳ୍ପ ପାଇଁ ନାବାର୍ଡ଼ରୁ ୪୮୬୦ କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେବା ବିଭାଗର ସ୍ୱଚ୍ଛତା ଓ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଲା ୧୫ ବର୍ଷ ହେଲା ଏହି ବିଭାଗର ମନ୍ତ୍ରୀ ଅଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

୨୦୧୬-୧୭ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦେଢ଼ ମାସ ବାକି ଅଛି। ରାଜ୍ୟର ଜଳସେଚନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର କିନ୍ତୁ ଜଳସେଚନ ବିଭାଗର ବଜେଟ ଅର୍ଥ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏହି ବିଭାଗରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ରାଜ୍ୟର ଅଧିକରୁ ଅଧିକ ଜମିକୁ ସେଚ ସୁବିଧା ଦେବା ଉଦ୍ଦେଶ୍ୟରେ ସରକାର ପ୍ରତି ବର୍ଷ ଜଳସେଚନ ବିଭାଗର ବଜେଟ ବୃଦ୍ଧି କରିଚାଲିଛନ୍ତି। ୨୦୧୫-୧୬ ବର୍ଷରେ ଏହି ବିଭାଗ ପାଇଁ ୬୨୧୨.୧୫ କୋଟି ଟଙ୍କା ମଂଜୁର ହୋଇଥିଲାବେଳେ ୨୦୧୬-୧୭ ବର୍ଷ ପାଇଁ ୭୨୪୧.୬୬ କୋଟି ଟଙ୍କା ମଂଜୁର ହୋଇଥିଲା। ପୂର୍ବ ବର୍ଷ ତୁଳନାରେ ଏହା ୧୬.୫୭ ପ୍ରତିଶତ ଅଧିକ।

 

ଯୋଜନା ଅନୁସାରେ ୨୦୧୬ ଡିସେମ୍ୱର ସୁଦ୍ଧା ବିଭାଗ ଏହି ଅର୍ଥର ୮୦ ପ୍ରତିଶତ ଖର୍ଚ୍ଚ କରିବା କଥା। କିନ୍ତୁ ଖର୍ଚ୍ଚ ହୋଇଛି ମାତ୍ର ୬୫ ପ୍ରତିଶତ। ଏବେ ଶେଷ ଦେଢ଼ ମାସରେ ଖର୍ଚ୍ଚ ଖର୍ଚ୍ଚ ହେବାକୁ ଅଛି ଆହୁରି ୨୦୦୦ କୋଟି। ଆର୍ଥିକ ବର୍ଷର ଶେଷ ମାସରେ ଏତେ ଟଙ୍କା ଖର୍ଚ୍ଚ ହେଲେ ତାହା କେମିତି ଖର୍ଚ୍ଚ ହୁଏ, କିଏ କେତେ କମିଶନ ଖାଆନ୍ତି ତାହା ସମସ୍ତଙ୍କୁ ଜଣା।

 

ଏହିପରି ଭାବରେ ଜଳସେଚନ ବିଭାଗ ଅନେକ ସମୟରେ ଠିକାଦାର, ଯନ୍ତ୍ରୀ ଏବଂ ଉପର ମହଲର ବାବୁ ଓ ନେତାମାନଙ୍କ ପକେଟ ଗରମ କରିବାରେ ଲାଗିଥାଏ, ଜମିକୁ ଜଳ ମାଡ଼ୁ ବା ନମାଡ଼ୁ। ଏହି ସଂସ୍କୃତିକୁ ନିଷ୍ଠାପର ଭାବେ ପାଳନ କରୁଥିବା ସରକାର ଏବେ ରାଜ୍ୟର ଅଧୁରା ରହିଥିବା ୮ଟି ସେଚ ପ୍ରକଳ୍ପ ପାଇଁ ଜାତୀୟ କୃଷି ଓ ଗ୍ରାମ ଉନ୍ନୟନ ବ୍ୟାଙ୍କ ବା ନାବାର୍ଡ଼ରୁ ୪୮୬୦ କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

ନିକଟରେ ଏକ ବିଭାଗୀୟ ସମୀକ୍ଷାରୁ ଜଣାପଡ଼ିଛି ଯେ ୧୯୯୯-୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଏଯାଏଁ ଶେଷ ହୋଇନାହିଁ। ଏହାର ମୂଳ ବ୍ୟୟ ଅଟକଳ ଥିଲା ୨୧୧.୭୦ କୋଟି ଟଙ୍କା। ଗତ ୧୭ ବର୍ଷ ଭିତରେ ଏ ସରକାରଙ୍କୁ ଏତିକି ଟଙ୍କା ଯୁଟି ନାହିଁ କି ଏ କାମ ଶେଷ ହୋଇନାହିଁ। କାମ ବିଳମ୍ୱ ବାହାନାରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୮ ଗୁଣ ବୃଦ୍ଧି ପାଇଲାଣି। ଏବେ ଏଥିରେ ୧୬୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସାନି ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଶେଷ ହେଲେ ଖଡ଼ିଆଳ, ବୋଡେନ, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ଼ର ୨୯,୯୦୦ ହେକ୍ଟର ଜମିକୁ ସେଚ ସୁବିଧା ମିଳିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।

 

ସେହିପରି କଳାହାଣ୍ଡିର ରେତ ଜଳସେଚନ ପ୍ରକଳ୍ପ ଓ ସୁନ୍ଦରଗଡ଼ର ରୁକୁଡ଼ା ଜଳସେଚନ ପ୍ରକଳ୍ପ ମଧ୍ୟ ପରିଚାଳନାଗତ ତ୍ରୁଟି ଓ ଦୁର୍ନୀତି ପାଇଁ ବର୍ଷବର୍ଷ ବିଳମ୍ୱିତ ହୋଇଛି। ଏହି ଭଳି ରାଜ୍ୟର ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଏଆଇବିପି ବା ତ୍ୱରାନ୍ୱିତ ସେଚ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଯୋଜନା ଅନୁସାରେ ଠିକଣା ସମୟରେ କାମ ଶେଷ କରିପାରିଲେ ନାହିଁ। ଇତିମଧ୍ୟରେ ୨୦୧୨-୧୩ ମସିହାରେ କେନ୍ଦ୍ରର ଏହି ଯୋଜନା ବନ୍ଦ ହୋଇଗଲା। ଏବେ ଏସବୁ ପ୍ରକଳ୍ପ ଶେଷ କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠି ଉପରେ ନିର୍ଭର କରିବେ ନହେଲେ ନାବାର୍ଡ଼ ପରି ସଂସ୍ଥାରୁ ଋଣ କରିବାକୁ ବାଧ୍ୟ ହେବେ।

 

ଏବେ ସୁଦ୍ଧା ରାଜ୍ୟର ୩୧୪ ବ୍ଲକରୁ ୧୦୫ ବ୍ଲକର ୩୫ ପ୍ରତିଶତ ଜମିକୁ ବି ସେଚ ସୁବିଧା ଯୋଗାଇ ହୋଇନାହିଁ। ପାଞ୍ଚ ବର୍ଷରେ ରାଜ୍ୟରେ ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ସେଚ ସୁବିଧା ଯୋଗାଯିବା ବୋଲି ରାଜ୍ୟ ସରକାର ଗତ ୧୦ ବର୍ଷ ହେଲା ପ୍ରତିଶ୍ରୁତି ଦେଇଚାଲିଛନ୍ତି। କିନ୍ତୁ ଠିକଣା ସମୟରେ ଓ ଠିକ ଭାବେ ଅର୍ଥ ବିନିଯୋଗ ହେଉ ନଥିବାରୁ ଜଳସେଚନ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ କୋଷରେ ପରିଣତ ହୋଇଥିବା ଅଭିଯୋଗ ହେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top