ଦେହ ଯା’ର ଅଧିକାର ତା’ର

News Story - Posted on 2017-02-11

ପିଲା ଜନ୍ମ କରିବେ କିମ୍ୱା ଗର୍ଭପାତ କରାଇବେ କିମ୍ୱା ଗର୍ଭ ନିରୋଧ କରିବେ- ଏହା ସଂପୂର୍ଣ୍ଣ ଭାବରେ ମହିଳାଙ୍କ ଇଚ୍ଛାଧୀନ ବ୍ୟାପାର। ଏଥିରେ ଅନ୍ୟ କାହାର ଜୋରଜବରଦସ୍ତି ରହିବ ନାହିଁ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଏକେ ସିକ୍ରି।

 

ସୁପ୍ରିମ କୋର୍ଟ ବିଚାରପତି ଏକେ ସିକ୍ରି ମହିଳାମାନଙ୍କର ପ୍ରଜନନ ଅଧିକାର ସଂପର୍କୀତ ଏକ ଆଲୋଚନା ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ମହିଳାମାନଙ୍କ ପ୍ରଜନନ ଅଧିକାର କଥା କହିଲେ ଏଯାଏଁ କେହି କିଛି ବୁଝନ୍ତି ନାହିଁ। ଏ କ୍ଷେତ୍ରରେ ମହିଳାମାନଙ୍କର ଏଯାଏଁ କୌଣସି ପସନ୍ଦ ନାହିଁ। ଏହି ଦୁଃସ୍ଥିତିରେ ମୁଁ ବି କିଛି କରିପାରୁନି। କିନ୍ତୁ ଆଶ୍ଚର୍ଯ୍ୟ ହୁଏ ଯେ ମଣିଷ ଭାବେ ଆମେ କେମିତି ମାନବିକତାକୁ ହରାଇ ଦେଇଛୁ।

 

ସେ କହିଛନ୍ତି, ମୁଁ ଆହୁରି ଆଶ୍ଚର୍ଯ୍ୟ ହୁଏ ଯେ ଏକବିଂଶ ଶତାବ୍ଦୀରେ, ଯେତେବେଳେ ଆମେ ପ୍ରଯୁକ୍ତିବିଦ୍ୟା ସହଯୋଗରେ ମହାକାଶକୁ ବାରମ୍ୱାର ଯାଇଆସି ପାରୁଛୁ, କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସୃଷ୍ଟି କରିପାରୁଛୁ, ସେତେବେଳେ ଆମେ ଆମର ମହିଳାମାନଙ୍କୁ ମାନବିକତାର ସୁଫଳ ଭୋଗିବାକୁ ଦେଇନାହୁଁ। ଏହା ହିଁ ହେଉଛି କଠୋର ବାସ୍ତବତା।

 

ବିଚାପରତି ସିକ୍ରି କହିଛନ୍ତି ଯେ ପ୍ରଜନନ ଅଧିକାର ଅବଶ୍ୟ ଏକ ମାନବିକ ଅଧିକାର, ଏହା ମାନବିକ ମର୍ଯ୍ୟାଦାର କଥା। ଆମେ ଯେତେବେଳେ ପ୍ରଜନନ ଅଧିକାର କଥା କହୁ ସେତେବେଳେ ଆମେ ମହିଳାଙ୍କର ଅନ୍ୟ ଏକ ଅଧିକାର ବିଷୟରେ ମଧ୍ୟ କହିଥାଉ, ତାହା ହେଉଛି ଯୌନଗତ ଅଧିକାର। ଭାରତବର୍ଷରେ ଯେତେବେଳେ ପ୍ରଜନନ ଅଧିକାର କଥା କୁହାଯାଏ ଏଯାଏଁ ତାହା ପରିବାରର ପୁରୁଷ ବା ବଡ଼ମାନଙ୍କର କଥା ହୋଇ ରହିଛି। ମହିଳା କେତେବେଳେ ପିଲା କରିବେ, ପୁଅ କରିବେ କି ଝିଅ କରିବେ ଏସବୁ ନିଷ୍ପତ୍ତି ପୁରୁଷ ଓ ବଡ଼ମାନେ ହିଁ ନେଇଥାନ୍ତି। କିନ୍ତୁ ଏହା ଏକ ଅପରାଧ।

 

ବିଚାରପତି ସିକ୍ରି କହିଛନ୍ତି ଯେ ପ୍ରଜନନ କରିବେ କିମ୍ୱା ଗର୍ଭପାତ କରିବେ କିମ୍ୱା ଗର୍ଭ ନିରୋଧ କରିବେ ତାହା ତାଙ୍କର ନିଜସ୍ୱ ପସନ୍ଦର କଥା। ଏହା ତାଙ୍କ ଶରୀର ବା ଶାରୀରିକ ସ୍ୱାସ୍ଥ୍ୟ ସହିତ ସଂପୃକ୍ତ। ଏହା ସେମାନଙ୍କ ଶରୀରର ବୈଶିଷ୍ଟ୍ୟ, ସେମାନେ ହିଁ ଗର୍ଭଧାରଣ କରିଥାନ୍ତି। ଏହା ସେମାନଙ୍କ ଦେହ, ସେମାନଙ୍କର ଅଧିକାର। ଏ ନିଷ୍ପତ୍ତି ସେମାନେ ନେବା ଉଚିତ।

 

ନିକଟରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଫିଲ୍ମ ‘ପିଙ୍କ’ର ଉଦାହରଣ ଦେଇ ସେ କହିଛନ୍ତି ଯେ ଯୌନ ଓ ପ୍ରଜନନ ବ୍ୟାପାରରେ ମହିଳାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉଚିତ। ସେମାନଙ୍କୁ ଏହି ସୁଯୋଗ ଓ ଅଧିକାର ମିଳିବା ଉଚିତ। ଜଣେ ମହିଳା ନିଜ ଦେହର ମାଲିକ ନହେଲା ଯାଏଁ ସେମାନେ ମୁକ୍ତ ବୋଲି କୁହାଯାଇ ପାରିବ ନାହିଁ ବୋଲି ବିଚାରପତି ସିକ୍ରି କହିଛନ୍ତି।

 

ମାନବାଧିକାର କ୍ଷେତ୍ରରେ ସୁପ୍ରିମ କୋର୍ଟଙ୍କ ମତ ଚୂଡ଼ାନ୍ତ ବୋଲି ମତ ଦେଇ ସେ କହିଛନ୍ତି ଯେ ସମ୍ୱିଧାନ ଅନୁସାରେ ସୁପ୍ରିମ କୋର୍ଟ ଆଇନର ତର୍ଜମା କରନ୍ତି। ଆଇନ ଓ ଅଧିକାର ନେଇ ସୁପ୍ରିମ କୋର୍ଟଙ୍କ ମତ ହିଁ ଚୂଡ଼ାନ୍ତ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top