ଶହେ ଟଙ୍କା

News Story - Posted on 2017-02-08

ଡାକ୍ତର ରବି ନାରାୟଣ ସେନାପତି

 

ସମର ବହୁଦିନ ପରେ ବଂଧୁ ଶରତଂକ ଘରକୁ ବାହାରିଛଂତି। ଶରତଂକ ପିତା ଅସୁସ୍ଥ। ସମ୍ଭବତଃ ମଉସାଂକ ସହ ଭବିଷ୍ୟତରେ ଆଉ ଦେଖା ହୋଇ ନପାରେ। ସାଥି ଖବର ଦେଇଛି ମଉସା କୁଆଡେ ବିଳିବିଳଉଛଂତି, ସମରକୁ ଡାକ, ତାକୁ ଟିକେ ଦେଖଂତି। ତାଂକ ସହ ଦେଖା ପ୍ରାୟ ପଂଦର ବର୍ଷ ତଳେ ଯେତେବେଳେ ସେ ମାଉସୀଂକ କ୍ରିୟାକର୍ମକୁ ଯାଇଥିଲେ। ପୂର୍ବରୁ ବୈତରଣୀ କୂଳର ଏହି ରାମଗଡ ଗ୍ରାମକୁ ଯିବା ଆସିବା ପ୍ରାୟ ଲାଗି ରହିଥିଲା। କଲେଜ ଛୁଟିର ଅଧେ ଦିନ କଟୁଥିଲା ଶରତ ଘରେ, ବାକି ଅଧା ଛୁଟି ଉଭୟ ବଂଧୁ କଟାଉଥିଲେ ବ୍ରାହ୍ମଣୀ କୂଳର ନିଜଗ୍ରାମ ଗଡମଧୁପୁରରେ। ମଧୁପୁରରେ ଆଉ କେହି ରହୁନାହାନ୍ତି, ଭାଇମାନେ ସମସ୍ତେ ବାହାରେ ରୁହଂତି। ଘରଟି ଭାଇଆଳିଆଂକ ନିଘାରେ ଯାହା ଥାଏ। ଶରତ କିଂତୁ ଗ୍ରାମ ସ୍କୁଲରେ ଶିକ୍ଷକତା କରଂତି। ଏଣୁ ତାଂକ ଘରଟି ଅଦ୍ୟାବଧି ଝୋଟିଚିତା, ପିଠାପଣା ଓ ହସ ଖୁସିରେ ଭରା। ସମର ରାଜଧାନୀ କଲେଜର ଗଣିତ ବିଭାଗର ବରିଷ୍ଠ ଅଧ୍ୟାପକ ଓ ତା ବାଦ ତାଂକର ଗଣିତ ଟିଉଟରିଆଲ୍ ସେଣ୍ଟର ରାମାନୁଜମ ବି ବେଶ ନାମକରା।

 

ରାମଗଡକୁ ଯିବାକୁ ହେଲେ ପାସେଞର ଟ୍ରେନରେ ଯାଇ କେଂଦୁଆପଦା ଷ୍ଟେସନରେ ଓହ୍ଲାଇ ପ୍ରାୟ ତିନି କିଲୋମିଟର ଅଣଓସାରି ଅଂକାବଂକା ରାସ୍ତାରେ ଚାଲି ଯିବାକୁ ପଡେ। ଏ ରାସ୍ତାରେ ଚାଲିଟା ନିଆରା। ଭାରୀ ଭଲ ଲାଗେ, ନଦୀକୂଳିଆ ସବୁଜ ଖେତ ଚିରି ରାସ୍ତାଟି ନିର୍ବାକ ଶୋଇଥାଏ। ଉଭୟ କଡରେ ଭରପୂର କିଆବୁଦାର ମହକ, କାଶତଣ୍ଡି ଓ କାଇଁଚ ବୁଦାର ଝୁମର, ନାନା କିସମର କଣ୍ଟାଜାତୀୟ ବୁଦୁବୁଦୁକିଆ କୋଳିଗଛର ସବୁଜ, ହଳଦିଆ ଅବା ଲାଲ ଟୁକୁ ଟୁକୁ ଖଟା, ମିଠା, କଶା କିମ୍ବା ପିତା କୋଳି, ଆଉ କେତେ କିସମର ଅନାବନା ଉଲ୍ଲସିତ ବିପ୍ଳବ। ଅବଶ୍ଯ ସେମାନେ ନିଜ ନିଜର ଅସ୍ତିତ୍ବ ଭିନ୍ନ ଭିନ୍ନ ଋତୁରେ ଜାହିର କରୁଥିଲେ, କିଂତୁ ତହିଁ ଆଶ୍ରୀତ ଏଣ୍ଡୁଅ, ଗୋଧି, ନେଉଳ ଓ ଉଡି ବୁଲୁଥିବା କଂକି, ପ୍ରଜାପତି କିମ୍ବା କ୍ଷୁଦ୍ରାତିକ୍ଷୁଦ୍ର ନାମ ଅଜଣା ବିହଂଗଂକ ଋତୁଚକ୍ର ଥିବାର ପ୍ରତୀତ ହେଉ ନଥିଲା। ବସ୍ତୁତଃ ସେମାନଂକ ନିରବିଛିନ୍ନ ଚଳ ପ୍ରଚଳ ପ୍ରତି ମୁହୂର୍ତ୍ତରେ ନୂତନ ପୁଲକର ସମ୍ଭାବନା ରଖୁଥିଲା।

 

ସେହି ରାସ୍ତାରେ ସାଇକେଲ, ରିକ୍ସା କିମ୍ବା ଶଗଡ ଗାଡିର ଚଳ ପ୍ରଚଳ ଥିଲା ନଗଣ୍ୟ। ଯେହେତୁ ରାସ୍ତାଟି କେବଳ ଏହି ଭୂଗୋଳ ପୋଥିପତ୍ରରେ ବିଶେଷ ନାମ ନଥିବା ଛୋଟିଆ ଗ୍ରାମକୁ ତା’ର ସେବା ଯୋଗାଉ ଥିଲା। ଏକ ବିଶାଳ ବୃକ୍ଷପ୍ରାୟ ଦେଖା ଯାଉଥିବା ଗ୍ରାମଟିକୁ ବୃତ୍ତାକାରେ ଘେରିରହିଥିଲା କୃଷିକ୍ଷେତ୍ର। ନଦୀକୂଳରେ ଏମିତି ଏକ ବିଛିନ୍ନ ଜନବସତି ପ୍ରାୟତଃ ଦେଖାଯାଏ ନାହିଁ।

 

ବାଇକ୍ କିମ୍ବା କାର୍ ନେଇ ଯିବା ପାଇଁ, ପତ୍ନୀ ସୁମୀ ସ୍ମରଣ କରାଇ ଦେଇଥିଲେ। କିଂତୁ ସମର ବିଗତ ଦିନର ଭାବକୁ ପୁନଶ୍ଚ ଅନୁଭବ ଅଥବା ଆବିଷ୍କାର କରିବାର ଅକୁହା ଆବେଗ ବା ପ୍ରେରଣା ପରିଚାଳିତ ହୋଇ ଭୋର ଡି.ଏମ୍.ୟୁ ପାସେଂଜର ଧରିବା ପାଇଁ ଛୁଟିଥିଲେ ଷ୍ଟେସନ, ଏକ ଶେୟାର୍ଡ ଅଟୋରେ। ଅଟୋରୁ ଓହ୍ଲାଇ ସାତ ଟଂକା ଦେବାକୁ ପକେଟ ଅଣ୍ଡାଳି ଜାଣିଲେ ଯେ ପର୍ସଟି ଘରେ ରହିଗଲା। ସବୁ ପକେଟ ଅଣ୍ଡାଳିଲା ପରେ ଦୈବାତ କେଉଁ କଣରୁ ଶହେଟଂକା ମିଳିଗଲା।

 

ଓ ହୋ!

 

ଆଜ୍ଞା, ଚେଞ୍ଜ ନାହିଁ, ସମୁଦାୟ ରୋଜଗାର ଏକୋଇଶ ଟଂକା।

 

ଏତେ ସକାଳୁ କେଉଁଠୁ ଖୁଚୁରା ଆଣିବା ବେଳକୁ ଟ୍ରେନ ଚାଲିଯିବ, ପୁଣି ଆଠ ଘଣ୍ଟାପରେ ଦ୍ବିତୀୟ ପାସେଂଜର।

 

ଆଜ୍ଞା ବ୍ୟସ୍ତ ହୁଅନ୍ତୁ ନାହଁ। ଆମ ପିଂକି ମାଂକୁ କହିଦେବେ, ଦେଇ ଦେବାକୁ, ସେ ମୋ ପିଂକ୍ ଅଟୋରେ କଲେଜ ଯାଆଂତି।

 

ସମର ପ୍ରୀତ ହେଲେ, ପୁଣି ଭାବିଲେ, ଛିଃ ସେ କେତେ ଆତ୍ମକୈଂଦ୍ରିକ! ତାଂକରି ଗଳିରେ ରହୁଥିବା ଏହି ବିନୟୀ ଅଟୋବାଲାକୁ ସେ ଜାଣି ନାହାଂତି ଅଥଚ ତହିଁରେ ନିରାପଦରେ ନିଜ ଝିଅ ଯିବା ଆସିବା କରୁଛି! ଝିଅକୁ ସ୍କୁଟର ନଦେଇଥିବା, ସଂଯୋଗ ବଶତଃ ସାହାଯ୍ୟ କଲା। ନଚେତ ଶହେ ଟଂକା’ଟା, ହୋଇ ଯାଇଥାଂତା ତେୟାନବେ। ଏତେ ଦିନ ପରେ ଅଂତରଂଗ ସାଥିର ଅସୁସ୍ଥ ବାପାଂକ ଡକରାରେ ଯାଉଛନ୍ତି, ସେ ପୁଣି ପ୍ରାୟ ଶେଷ ଡାକରା, ହର୍ଲିକ୍ସଟିଏ କିଣି ନେବେ ନାହିଁ! ସେଓ ଅଂଗୁର୍ ବି ନୁହେଁ? ଘରକୁ ଫେରିଯାଇ କାର୍ କିମ୍ବା ବାଇକ୍ ନେଇ ଯିବେକି? କିଏ ଜାଣେ ଏହା ଏକ ପରୀକ୍ଷା ହୋଇପାରେ, ହୁଏତ ଏବେ ଗଲେ ଦେଖିବେ, ଡେରିକଲେ ମଉସା ଠକିଦେବେ। ଫୁଃ! ଶରତକୁ କଥାଟା ଫିଟାଇ କହି ଦେବାରେ କେଉଁ ଲାଜ ଯେ! ତାକୁ କିଛି ମଗାଯାଇ ପାରେ, ମଲା ମାଗିବା କିଶ ଦରକାର! ସେ ବଳେ ବୁଝିବ ନାହିଁକି! ସେ କ’ଣ ପର ହୋଇଛି! ନା ସେ ଯିବେ ଅଲବତ।

 

ଯିବେ, କିଛି ନନେଇକି ଯିବେ, ଦରକାର ପଡିଲେ ବିନା ଟିକଟରେ ଫେରିବେ। ଷ୍ଟେସନରୁ ଘରକୁ ଚାଲି ଚାଲି ଫେରିବେ। ଏଇ ଦେଖୁନ ଅଟୋବାଲା ପଇସା ନେଲା ନାହିଁ, ଏଥିରୁ କ’ଣ ଜଣା ପଡୁନି ପ୍ରଭୁଂକ ଇଚ୍ଛା ସେ ଯାଆଂତୁ!

 

ତାଂକ ବ୍ୟକ୍ ପ୍ୟାକ୍ ବ୍ୟାଗଟା ପିଠିରେ ପକାଇ, କଲେଜ ପିଲାଂକ ଭଳି ଚାଲିଲେ ଟିକେଟ ଘରକୁ। ବ୍ଯାଗଟାରେ, ମା’ ଆଉ ସୁମୀ ନାନାଦି ଚିଜ ଭରିଛଂତି। ମା’ ଜାଣଂତି ଶରତର ପସଂଦ। ସଂଧ୍ୟାରେ ଖବର ଆସିବା ଠାରୁ ରାତି ଅଧ ପର୍ଯ୍ୟତ ସେମାନେ ମାତିଥିଲେ ଯୁଦ୍ଧକାଳୀନ ଭିତ୍ତିରେ। ମା’ ଆଉ ପାରଂତି ନାହିଁ ତାଂକ ସମୟର କେତେ କିସମର ସୁଆଦିଆ ତୁଣ, ଶାଗ, ପିଠାପଣା ପ୍ରସ୍ତୁତ କରିବାକୁ। କାଲି କିଂତୁ ଶାଶୁ ବୋହୂ, ପାରମ୍ପରିକ ଦୁର୍ମୂଲ୍ୟ ଚିଜ ଗୁଡିଏ ଆଧୁନିକ ମେସିନ ଲଗାଇ ତୁରଂତ କରିଛଂତି।

 

ସୁମୀ ଡେରି ରାତିରେ କହିଲେ, ମାଆଂକର ପାଦ ଆଉ ତଳେ ଲାଗୁନି, ଏ ଶରତଟି ତୁମ ସାଂଗ ଅବା ଯମଜ ଭ୍ରାତା! କେଜାଣି କାଲି ପରିସ୍ଥିତି କ’ଣ ଥିବ! ଆମ ଏତିକି ମେହନତର ସ୍ବାାଦ ନେବାପାଇଁ ମଉସାଂକ ଅବସ୍ଥା ଅନୁକୁଳ ଥିବ କି ନାହିଁ! ମାଆ ଜାଣି ନାହାଂତି ତୁମେ କି କାରଣେ ରାମଗଡ ଯାଉଛ। ତୁମେ ଯଦି କାର୍ ନେଇ ଯାଇଥାଂତ ସେ ନିଶ୍ଚେ ବାହାରିଥାଂତେ, ଟ୍ରେନକୁ ସାହାସ କରୁନହାଂତି। ତାଂକ ବର୍ଣନାରୁ ମୁଁ ସ୍ବଚକ୍ଷୁରେ ତୁମ ବଂଧୁଂକ ଘର ଦେଖିଥିବାର ମନେ ହେଲାଣି। ଏତେ ଘନିଷ୍ଠତା ମଧ୍ୟକୁ ତାଂକ ସ୍ତ୍ରୀ ରାନୁ ଆଉ ମତେ କାହିଁକି ଯୋଡ କଲନି? କଣ ଅସୁବିଧା ଥିଲା?

 

ସତେ ତ, ଏତେ ନିବିଡତା ମଧ୍ୟରେ ଭଟ୍ଟା କେମିତି ଆସିଲା? ତା ପରିବାର ଆଉ ସମରଂକ ପରିବାର ଏମିତି ଦୂର କାହିଁକି ରହିଗଲେ? ଏହା ଉଦ୍ଦେଶ୍ୟମୂଳକ ଶିଥିଳତା ଅବା କାର୍ଯ୍ୟ ବ୍ୟସ୍ତତା କାରଣରୁ! ଧେତ୍, କାର୍‌ ନେଇ ଯାଇଥିଲେ ଭଲ ହୋଇଥାଆଂତା ମା’, ସୁମୀ ଓ ପିଂକିକୁ ଧରି। କେଜାଣି ସେମାନେ ଯାଇଥାଂତେ କି ନାହିଁ! ସେ ଅଂକା ବଂକା ଗ୍ରାମ ସଡକଟି ହୁଏତ ପ୍ରଧାନମଂତ୍ରୀ ଗ୍ରାମ ସଡକ ଯୋଜନାରେ କଂକ୍ରିଟ ହେବଣି! ବୋଧହୁଏ, ପୂର୍ବର ସେ ଛୋଟିଆ କାର୍ଟା ଥିଲେ ସେ ରିସ୍କ ନେଇ ପାରିଥାଂତେ। ଏବେ ସେ ଏକ ଅତ୍ୟାଧୁନିକ ଅଡି କିଣିଛଂତି। ସେ ଗାଡିକୁ  ଗ୍ରାମ୍ୟ ରାସ୍ତାକୁ ନେବାର ରିସ୍କ ନେବାକୁ ସେ ଚାହିଁଲେ ନାହିଁ। ଏ ପରିସ୍ଥିତିରେ ସେ ଭ୍ୟାନିଟି କିମିତି ଗୋଟେ ଅବାଗିଆ ଲାଗିଲା ସମରଂକୁ।

 

ସେ ଟିକେଟ ଲାଇନରେ ଠିଆ ହୋଇ କଚ୍ଛପ ଗତିରେ ଆଗକୁ ଚାଲିଲେ। ତାଂକୁ ଭାରୀ ହସ ଲାଗିଲା ବୋର୍ଡରେ ଲେଖା, କେଂଦୁଆପଦାକୁ ଟିକେଟ ପଚିଶ ଟଂକା! ସେମାନେ ଶେଷଥର ଯେବେ କଲେଜ ଜୀବନରେ ସାଥିରେ ଯାଇଥିଲେ, ସମ୍ଭବତଃ ଏହାଥିଲା ଦଶଟଂକା। ଖୁବ ଗୋଟେ ଫୁଟାଣି ଥିଲା ସେ ଦୁହେଁ ଅନ୍ୟମାନଂକ ଭଳି ବିନାଟିକେଟିଆ କଲେଜ ପଢୁଆ ନୁହଂତି। ପଚୋସ୍ତରୀ ଟଂକାର ପେଟ୍ରୋଲରେ ଦଶ କିଲୋମିଟର କାର୍‌ରେ ଯିବାରେ ଅଭ୍ୟସ୍ତ ସମରବାବୁଂକୁ ରାଗ ଲାଗିଲା ରେଳବାଇ ଉପରେ। ଏତେ ଭଡା ପୁଣି ପାସେଂଜର ଗାଡିରେ! ସେ ଶହେଟଂକିଆ ନୋଟଟିକୁ ଯତନେଇକି ଧରିଛଂତି। ମୁହଁରେ ତାଂକର ବ୍ୟାକୁଳତା। ଟିକେଟ ମେସିନ ଲାଗିଛି ସେଠି ଗହଳି ବି ନାହିଁ। ଡର ଲାଗିଲା, କାଳେ ଯଦି ମେସିନର ମୁଣ୍ଡ ବିଗିଡିଗଲା ଓ ତାହା ବଳକା ପଚୋସ୍ତରୀ ନ ଫେରେଇଲା! ନା ବରଂ ସେ ଲାଇନରେ ରହିବେ, ଦେଖୁନ ମେସିନ କେମିତି ଫାଂକା, ଅଥଚ ଲାଇନରେ ଠେଲାପେଲା ଓ ଝଗଡାଝାଣ୍ଟି! ସେ ପୁଣି ଥରେ ସକାଳର ସେହି ପିଂକ ଅଟୋଚାଳକ କଥା ମନେ ପକାଇ ଖୁସି ହେଲେ ଓ ଏକ ବିମର୍ଷ ଓ ଉଲ୍ଲାସର ମିଶାଣିଆ ଭାବନାରେ ସେହି ପ୍ରିୟ ନୋଟଟିକୁ କାଉଣ୍ଟରରେ ଦେଇ କହିଲେ, ଆଜ୍ଞା କେଂଦୁଆପଦା।

 

ସେପଟୁ ଉତ୍ତର ମିଳିଲା, ପାଂଚଟଂକା ଚେଂଜ ଦିଅଂତୁ। ତାଂକୁ ପୁଣି କଡରେ ଅପେକ୍ଷା କରିବାକୁ ପଡିଲା। ଟ୍ରେନ ବେଳ ରତ ରତ। ଅଜାଣତରେ ଏକ ଦୀର୍ଘଶ୍ବାସ ଓ ମଉସାଂକ ସମ୍ଭାବ୍ୟ ଅବସ୍ଥାର ଆଶଂକା ତାଂକ ଅପେକ୍ଷାକୁ ଏକ କାଳୀନ ସାଥିଦେଲେ। ପର୍ସ ପାଖରେ ନାହିଁ, ଥିଲେ ବି ସେ କଏନ୍ ରଖିବାକୁ କେଉଁ ଅବା ଭଲ ପାଆଂତି! ପାଂଚଜଣ ଟିକେଟ କାଟିଲାପରେ ସେ ତାଂକ ଟିକେଟ ଓ ମହର୍ଘ ପଚୋସ୍ତରୀ ଫେରି ପାଇଲେ। ଛୁଟିଲେ ପ୍ଳାଟଫର୍ମ ଆଡକୁ।

 

ଧେତ୍! ଗାଡି ଲେଟ୍ ଅଧ ଘଣ୍ଟା। ତାହା ଏକ ଘଣ୍ଟା ହୋଇପାରେ। ଏତିକି ସମୟ ଅଛି ବୋଲି କିଏ ଜାଣିଥିଲା! ହୁଏତ ଘରକୁ ଯାଇ ପର୍ସଟା ଅଣାଯାଇ ପାରିଥାଂତା। ପୁରୁଣା ଦିନର ସେ ଯେଉଁ ଖବରକାଗଜ ବାଲା ଏବେ ବି ବସିଛି। ତା ପାଖକୁ ଅଜାଣତରେ ଟାଣି ହୋଇଗଲେ। ନିଜଆଡୁ ଚିହ୍ନାମଣିଷ ଭଳି କଥା ହେଲେ, କିଂତୁ ପେପର ବିକାଳୀ କୌଣସି ଆଂତରକିତା ଦେଖାଇବା ଜଣାପଡିଲା ନାହିଁ। ସମର ସିନା ଏହି ଜଣଂକଠାରୁ ବାରଂବାର ପେପର କିଣିଛଂତି ବୋଲି ମନେ ରଖିଛଂତି, ହେଲେ ପେପରବାଲା ତ ଇତିମଧ୍ୟରେ ଲକ୍ଷେ ଗରାଖଂକୁ ଭେଟିଥିବ, ସବୁ ପୁଣି ନବ ଯାଯାବର, କେତେ ଲୋକଂକୁ ମନେ ରଖିବ! ଉଦାର ମନରେ କିଛି ଦୁଃଖ ନକରି ସମାଜଟିଏ ଓ ଇଂରେଜୀ ପେପରଟି ଧରି ଟଂକା ଦେବାକୁ ଗଲେ। କିଂତୁ ନା, ସେ ଅଟକିଗଲେ। କଉଡି ଆଜି ଗୋଟି ଗଣତା, ଅଗତ୍ୟା ପେପର ଦୁଇଟି ଯଥା ସ୍ଥାନରେ ସଯତ୍ନେ ରଖିଦେଲେ। ଖବରକାଗଜ ବାଲା ପ୍ରଥମ ବିକ୍ରୀରେ ଯେତିକି ଉଲ୍ଲସିତ ହୋଇଥିଲା, ତହିଁରୁ କେତେଗୁଣ ଅଧିକ ଚିଂତିତ ହୋଇପଡିଲା। ବଇନି ମାଡ ଖାଇବାଟା ତା’କୁ ଯମା ଠିକ ଲାଗିଲା ନାହିଁ।

 

କି ଅଜବ ଲୋକ, ପେପରଟିଏ କିଣିବ ନ କିଣିବ ଠିକ କରିପାରୁନା!

 

ସ୍ମିତହାସ୍ୟର ଲାଜୁଆ ଓ ଅକୁହା କ୍ଷମାଟିଏ ମାଗିବା ବ୍ୟତିରେକେ ସେ ନାଚାର। ଦୋକାନୀର ଦୃଷ୍ଟି ଅଗମ୍ୟ, ଏକ ବେଂଚରେ ବସି ସେ ରୋମଂଥନ କରିବାରେ ଲାଗିଲେ ଅନେକ ସ୍ମୃତି। କିଂତୁ ମଉସାଂକ ଅବସ୍ଥା ଦୃଷ୍ଟିରୁ ତାହା ମଧ୍ୟ ସ୍ବାଭାବିକ ଲାଗିଲା ନାହିଁ। ସମୟତକ ଏଣିକି କଟିଗଲା ଦୁଃଖ ଅବା ସୁଖ ନିରପେକ୍ଷ ପ୍ରାୟ।

 

ଟ୍ରେନ୍ ଅସ୍ବାଭାବିକ ଭାବେ ଭିଡ଼ ଥିଲା। ବାହୁଡା ବାସି ପୁରୀ ଟ୍ରେନ୍, ଅବଶ୍ୟ ଓହ୍ଲାଇଲେ ଅଧିକ। ସମର କଷ୍ଟେମଷ୍ଟେ ସିଟରେ ଗେଞ୍ଜିହୋଇ ବସି ପଡିଲେ, ପ୍ରାୟ ଯେପରି ସେ କଲେଜ ଦିନରେ କରୁଥିଲେ। ଶରତ ଏସବୁକୁ ପାରେ ନାହିଁ, ଏଣୁ ସେ ତା’କୁ ନିଜ ସିଟ ଦେଇ ଅନ୍ୟ ସିଟ ଦେଖନ୍ତି। ଅବଶ୍ୟ ଏ ଅସୁବିଧା ରାଜଧାନୀରୁ ଛାଡୁଥିବା ଟ୍ରେନରେ ହୁଏ ନାହିଁ।

 

ସମରବାବୁଙ୍କ ନୂଆ କାର୍ କିଣିବାର ଯୁକ୍ତିମାନ ଥିଲା ପାଦ ପାଇଁ, କହୁଣୀ ପାଇଁ, ମୁଣ୍ଡ ଉପରେ, ଗାଡିତଳେ ଶୂନ୍ୟସ୍ଥାନ କେତେ! କେତେ ସେଣ୍ଟିମିଟର କେଉଁ କାର୍‌ରେ? ନିରାପତ୍ତା ପାଇଁ କ’ଣ ସବୁ ବ୍ୟବସ୍ଥା ଅଛି? ଚାଳକ ପାଇଁ ଗାଡି ଆରାମ ଦାୟକ କି ନୁହେଁ? ଅଟୋକାର୍ ପତ୍ରିକାଟିକୁ ଘାଣ୍ଟି ଚକଟି ସେ ମନସ୍ଥ କଲେ ଅଡି ଠିକ ହେବ। ତାଂକ କୋଡିଏ କିଲୋମିଟର ପ୍ରତି ଲିଟର ଚାଲୁଥିବା ଛୋଟ ଗାଡିଟି ବଦଳାଇ, ତାର ଦୁଇଗୁଣ ତେଲ ପିଉଥିବା ଓ ଦଶଗୁଣ ଦାମୀ କାର୍ଟ କିଣିଲେ। ଆଗେ କହୁଥିଲେ, ହଁଅ ମ ଲେଡି ଡାଏନାଂକ ଗାଡିରେ କ’ଣ ନିରାପତ୍ତା ନଥିଲା! ସେ ତ ପୁଣି ଦୈବ ଦୁର୍ଘଟଣାରେ ଗଲେ! ପକେଟ୍‌କୁ ଟଂକା ଆସିଲା କଥା ବଦଲିଗଲା। ଆଜି ସାମାନ୍ୟ ଶହେ ଟଂକିଆ ନୋଟଟି ତାଂକୁ ହିସାବ ମାଗୁଛି! କୈଫିୟତ!

 

ସେ ବହୁଦିନ ପରେ ସାଧାରଣ ଜନତା, ତିନି ଜଣିଆ ସିଟରେ ବସିଛଂତି ପାଂଚ ଜଣ। ମୁଣ୍ଡ ଉପର ଲଗେଜ ରାକ ଅଥବା ଜାଲି ସ୍ଲିପରରେ ବସିଛଂତି ଲୋକେ। ତହିଁରେ ପୁଣି ଜନୈକ ଭଦ୍ରବ୍ୟକ୍ତି ତାଂକ ଜୋତା ବି ପିଂଧି ରହିଛଂତି, ସମର ଗାଲରୁ ଧୁଳି ପୋଛୁ ପୋଛୁ ଭାବୁଥିଲେ। ସେ ଟିକେ ଘୁଞ୍ଚିଯିବାକୁ ଚେଷ୍ଟାକରି ବିଫଳ ହେଲେ। ତାଙ୍କ ବ୍ଯାଗଟା ଜାବୁଡି ଧରି ବସିବାରୁ ଅହେତୁକ ଭାବେ ଆଉ ଅସନା ଲାଗିଲା ନାହିଁ। ଦୁଇ ଧାଡି ସିଟ ମଝିରେ ବି ଲୋକେ ଖୁଂଦି ହୋଇଛଂତି। ଅଧିକାଂଶ ପୁରୀ ଫେରଂତାୟ ଆଗରେ ବସିଥିବା ବୃଦ୍ଧ ଦମ୍ପତ୍ତି ସାରା ଭାରତ ତୀର୍ଥ ଶେଷରେ, ଜଗନ୍ନାଥ ଦର୍ଶନ କରି ଫେରିଛଂତି। ଏକ ଛୋଟ ଜାରିକେନରେ ଗଂଗାଜଳ ବି ରଖିଛଂତି, କେତୋଟି ଛୋଟ ଶିଶିରେ ବି ଅଛି। ପୁରୀରୁ ନିର୍ମାଲ୍ଯ ବି ସଂଗ୍ରହ କରିଛଂତି। କୋଳରେ ଧରି ବସିଛଂତି।

 

ସେହି ଗହଳି ମଧ୍ୟରେ ବି ନାନା କିସମର ପାଟି ଟକଳିଆ ଖାଦ୍ୟ ଦ୍ରବ୍ୟର ବିକ୍ରିବଟା ଚାଲିଥାଏ। ଖବରକାଗଜ ଘଟଣାରୁ ସମର ଡରି ଯାଇଥାନ୍ତି, ଜିହ୍ବାଲାଳସାରେ କିଛି ବରାଦ କରିଦେବେ ଯଦି, ସେ ଦାନ୍ତ ଚିପି ବସିଲେ। କଟକ ପହଞ୍ଚିଗଲା। ଭିଡ କିଛି କମ ହେଲା ବୋଧେ। କେତୋଟି ଷ୍ଟେସନ ପରେ, ଡାକ ଶୁଭିଲା, ଝାଲ ମୁଢି-ଝାଲ୍ ମୁଢି। ସେ ଶୁଣି ନଶୁଣିଲା ପରି ବସି ରହିଲେ। କିଏ ଜଣେ ଅର୍ଡର ଦେଲେ। ଆଶ୍ଚର୍ଯ୍ୟ, ମୁଢିବାଲା କେତେ ସମୟ ମନ ଧ୍ୟାନ ଦେଇ ନାନା ମହକର ମସଲା ପକାଇ ଯେଉଁ ପ୍ୟାକେଟଟି ତିଆରି କଲା ସେଇଟା ସେହି ଗ୍ରାହକକୁ ନଦେଇ ଧରାଇଲା ସମରଙ୍କୁ, ଆରେ ସମା, କି ଭାଗ୍ୟ!, ନେ ନେ ସେହି ଅସିଆ କାଳର ମସିଆ, ନା, ନା, ବଢିଆ ଝାଲ୍ ମୁଢି! ଆଜି ତୋ ଗାଡି? କ’ଣ, ଘରକୁ ଯାଉଛୁ? ନା ଆଉ କୁଆଡେ? ତୁ କାହିଁକି ଏସନ ରଜକୁ ଆସିଲୁ ନାହିଁ? ଆମେ ସବୁ ତୋ ଉପରେ ରାଗିଛୁ। ତୋ ବିନା ଭୋଜିଟା ଅଧୁରା ଲାଗିଲା।

 

ଜଗା ତାଂକ ଗାଆଁର, ବାଲ୍ୟବଂଧୁ, କାଳକ କଟିଗଲା ଏହି ବେପାରରେ, ଦିନସାରା ଟ୍ରେନରେ, କଟକରୁ ଗଡମଧୁପୁର, ଗଡ ମଧୁପୁରରୁ କଟକ, କେବଳ ଯାହା ପାସେଂଜର ଗାଡି, ରବିବାର ଘରେ ରୁହେ, ସୋମବାର ଦିନ ଗାଆଁ ଶିବ ମଂଦିରରେ ଓଳିକର ବେଉସା ତାପରେ ଛୁଟି। ସାରା ଗ୍ରାମରେ ତା’ର ଆଦର, ଭାରୀ ମେଳାପୀ।

 

ଅନ୍ୟମାନଂକ ମୁଢି ବରାଦ ମେଣ୍ଟାଇବା ପରେ ବେଶ୍ କିଛି ସମୟ ଗାଆଁ ମଜଲିସର ପସରା ମେଲାଇଲା ପରେ ଗଲା। ସମରଂକୁ ଗଡଟିଏ ଜିତିଲା ଭଳି ଲାଗିଲା। ନୁହେଁ ଆଉ କ’ଣ? ଏ ଲାଇନର ସର୍ବଶ୍ରେଷ୍ଠ ଝାଲ ମୁଢିବାଲା ତାଂକ ଗାଆଁ ଲୋକ ଓ ଏକାଂତ ଘନିଷ୍ଠ, ଏହା କ’ଣ କମ କଥା! ସକାଳୁ ଏପର୍ଯ୍ୟତ ଉଦାସ ରହୁଥିବା ସମର ବେଶ ପ୍ରଫୁଲ ଦେଖାଗଲେ।

 

କିଛ ସମୟ ପରେ ପୁଣି ମଉସାଂକ ଅବସ୍ଥା କଥା ମନେ ପଡିଲା। ସେ ଭାବିଲେ ସାମନାର ବସିଥିବା ସେ ତୀର୍ଥଥ ଫେରଂତା ଯାତ୍ରୀଂକଠାରୁ ଟିକେ ଗଂଗାଜଳ ଓ ନିର୍ମାଲ୍ୟ ମାଗିବେ କି? ନା ମଁ, ମଉସାଂକର କିଛି ହୋଇ ନଥିବ, ଶରତ କ’ଣ ଭାବିବ! ଓ ହୋ, ସେଥିରେ କିଶ ଅଛି, ଘର କରିକି ନିର୍ମାଲ୍ୟ, ଗଂଗାଜଳ ଟିକେ ରଖିବା କଥା ନୁହେଁ।

 

ଆଜ୍ଞା ମଉସା .......!

 

ଇଏ ଗୋଟେ କଥା ପୁଅ! ଶାସ୍ତ୍ର କହିଛି ଆଚଣ୍ଡାଳ ବ୍ରାହ୍ମଣ ପରସ୍ପର ଛଡାଛଡି ହୋଇ ଖାଇବେ, ନିର୍ମାଲ୍ୟ କାହାକୁ ଦେଲେ ବହୁ ପୂଣ୍ୟ। ଆଉ କିଏ ଆଶାକଲେ ଓ ତାଂକ ଆଶା ପୂରଣ କଲେ, ତେବେ ସେ ଲୋକ ଜୀବନ ସାରା ଯାହାକୁ ଯେତେ ଦେଲେ ବି ତାର ଊଣା ହେବନି। ଏହା ଅତି ଭାଗ୍ୟର କଥା।

 

ସତେ!

 

ଲୋକେ ବଲ ବଲକି ଅନାଇଲେ।

 

ଏତିକି କହି ସେ ଦୁଇ ଦାନା ନିର୍ମାଲ୍ୟ ସମରଂକ ହାତ ପାପୁଲିରେ ଦେବା ସହ ଏକ ପ୍ୟାକେଟ ମଧ୍ୟ ଦେଲେ ଓ ଛୋଟ ଗଂଗାଜଳ ଶିଶିଟାଏ ଦେଲେ। ମାଉସୀ ସେ ପର୍ଯ୍ୟଂତ ମୁରୁକି ମୁରୁକି ହସୁଥିଲେ, ଏବେ କହିଲେ, ନିର୍ମାଲ୍ୟ ଦେଇ ପୁତ୍ର କଲ, ସାତ ଯୁଗକୁ ଆବୋରିଲ।

 

ଯେତେ ମନା କଲେବି ଏକ କୁଡୁଆ ପୁରୀ ଭୋଗ ଦେଲେ ଓ ଘରକୁ ନେବାକୁ କହିଲେ। ତା ପରେ ଘର ପରିବାର, ଠିକଣା, ତୀର୍ଥ ବୁଲା, ଚାକିରୀ ଇତ୍ୟାଦି ଇତ୍ୟାଦି ସମ୍ପର୍କରେ ବେଶ ଆଲୋଚନା ଜମିଲା। ସମରଂକ ବ୍ୟାଗକୁ, ଓଡିଆ ସଂସ୍କୃତିର ଏହି ଅମୂଲ୍ୟ ଚିଜ ତାତ୍ପର୍ଯ୍ୟପୂର୍ଣ ଭାବେ ସ୍ଫୀତ କଲା।

 

ପୁଣି ନାନା କିସମର ଆଲୋଚନାରେ ଅବଶିଷ୍ଟ ସମୟ କଟିଗଲା ଓ କେଂଦୁଆପଦା ଆସିଗଲା। ସେ ସେହି ନୂତନ ସମ୍ମାନୀୟ ଆତ୍ମୀୟଂକୁ ପ୍ରଣାମ ଜଣାଇ ଟ୍ରେନରୁ ଓହ୍ଲାଇ ପଡିଲେ।

 

ଷ୍ଟେସନ ବଜାର ବେସ ବଡ ହୋଇ ଯାଇଛି। ସେ ଫଳ ଦୋକାନ ପାଖକୁ ଗଲେ, ଭାବିଲେ କ’ଣ ବା କିଣି ପାରିବେ! ପ୍ରତ୍ୟେକ ଫଳର ଦାମ ପୁଛା କଲେ। ସେଓ କିଲୋ ନବେ, କୁହାବୋଲାରେ ଖସିଲା ଅଶିକୁ, ପଚୋସ୍ତରୀରେ ରାଜିହେଲା ନାହିଁ ଦୋକାନୀ। ବାଧ୍ୟ ହୋଇ ତାଂକୁ କହିଲେ ହିସାବ କରି, ସେତିକି ଟଂକାରେ ଯେତିକି ହେଉଛି, ସେତିକି ଦେବା ପାଇଁ। ତାଂକର ହିସାବ କରିବାରେ ଆଦୌ ଇଛା ହେଲା ନାହିଁ। ସେ ବାଛି ବାଛି ଛୋଟ ଛୋଟ ସେଓ ପାଲାରେ ଥୋଇଲେ ଯେମିତି ସଂଖ୍ୟାରେ ଅଧିକ ହେବ ଏବଂ ଏହା କରିବା ଯୋଗୁ ସେ ଅପେକ୍ଷାକୃତ ଅପକ୍ବ ସେଓକୁ ବାଛି ଦୋକାନୀ ମନରେ, ବେକୁବ ବୋଲି ସାବ୍ୟସ୍ତ ହେଲେ। ସେ ନିଜକୁ ବୁଝାଉଥିଲେ ହଁ ମ ଛୋଟ ହେଲେ ବି ସୁଆଦିଆ ଲାଗିବ। ଦୋକାନୀ ଅଛିଣ୍ଡା ହିସାବ ନକରି ଅଥବା ନିକୃଷ୍ଟ ଫଳ ବିକୁଥିବା ହେତୁ ପୂରା ଏକ କିଲୋ ଓଜନ କଲା।

 

ଖୁବ ଶୀଘ୍ର ସେହି ଅଂକା ବଂକା ରାସ୍ତା ଉପରେ ସେ ଚାଲୁଥିଲେ। ରାସ୍ତାଟି କଂକ୍ରିଟ ଓ ଚଉଡା ହୋଇଛି କିଂତୁ ସବୁଜିମା ଓ ସାଥି ଜୀବଜଂତୁମାନେ ବିଲୁପ୍ତ।

 

ଶରତ କହିଲା, ତୁ ଟ୍ରେନରେ ଆସିବୁ ଜାଣିଥିଲେ ମୁଁ ଯାଇଥାଂତି ଅବା କାହକୁ ପଠାଇ ଥାଂତି, ମୁଁ ଭାବିଲି ତୁ କାର୍‌ରେ ଆସିବୁ। ବ୍ୟସ୍ତ ହେବାର କିଛି ନାହିଁ, ବାପାଂକର ଜର କମିଗଲା ପରେ ସେ ପୂରାଭଲ ଓ ସକାଳୁ ବ୍ୟସ୍ତ ତୋ ଆସିବା ଓ ତୋର ରୁଚି ଓ ପସଂଦ ଉପରେ ଚାଲିଛି ତାଂକର ନିର୍ଦ୍ଦେଶ। କାଲି ଏତେବେଳକୁ ବାପାଂକୁ ଡାକ୍ତରବାବୁ ଦେଖି କଟକ ରେଫର କରିଥିଲେ। ବାପା ଜମା ରାଜି ହେଲେ ନାହିଁ, କହିଲେ ମୁଁ ହୋସ୍‌ରେ ଥିଲା ପର୍ଯ୍ୟତ କେହି ମତେ ଏଠୁ ନେଇ ପାରିବେ ନାହିଁ। ମୁଁ ଭାବିଲି ତୁ ଆସି କହିଲେ ସେ ରାଜି ହେବେ। ପୁଣି କାଲି କ’ଣ ହୋଇ ପାରେ, ତୁ ତାଂକୁ ଟିକେ ବୁଝା।

 

 

କହିବା ବାହୁଲ୍ୟ, ବେସ୍ ହସଖୁସିରେ ସମୟ କଟିଥିଲା, ରାନୁ ଏବଂ ଦୁଇ ପୁଅ ଝିଅଂକ ଆଦର କହିଲେ ନସରେ।

 

ପରଦିନ ଏକ ଭଡା ଗାଡିରେ ସମସ୍ତେ କଟକ ଯାଇଥିଲେ।

 

ଇତିମଧ୍ୟରେ ସେ ସୁମୀଂକୁ ସବିଶେଷ ବିବରଣୀ ଫୋନରେ କହିଥିଲେ। ପରଦିନ ସମସ୍ତେ କଟକ ପହଂଚିବା ବେଳକୁ କୋଚିଂ ସେଣ୍ଟରର ଷ୍ଟାଫ ଆସି ସମରଂକୁ ହସ୍ତାଂତର କରିଥିଲେ ତାଂକ ପର୍ସ ଓ କାର୍ଡ଼।

 

 ସେ ବହୁତ ଖୁସି, ପୁଣି ଏକ ପରୀକ୍ଷାରେ ଶହେରୁ ଶହେରେ ଉତ୍ତୀର୍ଣ୍ଣ!


ପ୍ରତିକ୍ରିୟା

HIMANSHU BHUSAN SAHOO - Email: himanshuiob@gmail.com - Posted on 2017-02-08 22:03:38

Khub bhala lagila.Kahani ti bhala thila.Mora Munda bindhuthila kintukahani ti bhala thibaru padhi deli

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top