ଗୋଟେ ଝଡ଼!

News Story - Posted on 2017-02-06

ବିନୟ ମହାପାତ୍ର

 

‘ଦେଖ ସ୍ମୃତି, ମୁଁ ବୁଝି ପାରୁନି, ତୁମେ ହଠାତ୍ ଏପରି ଗୋଟିଏ ନିଷ୍ପତ୍ତି କାହିଁକି ନେବାକୁ ଚାହୁଁଛ? କ’ଣ ବା ମୋର ଭୁଲ? ମୁଁ କ’ଣ ବା ଏପରି ମସ୍ତବଡ ଭୁଲଟାଏ କରି ଦେଲି ଯେ ତୁମେ ମୋର ମତାମତ କିମ୍ବା ଆମର ଏଇ ଛୋଟ ସଂସାରଟିର ଭବିଷ୍ୟତ ବିଷୟରେ ମଧ୍ୟ ଟିକେ ଚିନ୍ତା କରି ପାରୁନ? ଯଦି ବା  ମୁଁ ଏପରି କିଛି କରି ଦେଇଥାଏ ଯାହା ତୁମକୁ ବାଧିଛି, ପତ୍ନୀ ହିସାବରେ ତୁମ ମୋତେ କ୍ଷମା କରି ଦେଇ ପାରିବନି? ପତ୍ନୀ ହିସାବରେ ତୁମ ମୋତେ ଅଟକେଇ ପାରିବ, ହେଲେ ତୁମେ ତୁମର ଏ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁନ। ହଠାତ୍ ତୁମର ଏ ମସ୍ତବଡ ଫୈସଲା ମୁଁ ବୁଝି ପାରୁନି। ଆମେ ଦୁହେଁ ଏକାଠି ବସି ଏ ବିଷୟରେ କଥା ହୋଇ ପାରିବା। ଦୁହେଁ ବସି ଚିନ୍ତା କରିବା। ଯଦି ଏପରି କିଛି କରିବାକୁ ହୁଏ, ମୁଁ ତୁମ ସାଥୀରେ ଅଛି।’

 

ବଡ ନମ୍ର ଭାବରେ ଏତକ କହି ନୀରବ ହୋଇଗଲେ ସୁଧାକର ବାବୁ। ସ୍ମୃତି ମୁହଁରୁ ତାଙ୍କର ଜବାବ ଚାହୁଁଥିଲେ। ଜିଜ୍ଞାସୁ ଅଥଚ କରୁଣ ଭାବରେ ଚାହିଁ ରହିଥିଲେ ସ୍ମୃତିର ମୁହଁକୁ। ତଥାପି ସ୍ମୃତି ନୀରବ। ଏଇ ନୀରବତା ବଡ ଅସହ୍ୟ ଲାଗୁଥିଲା ତାଙ୍କୁ। ପୁଣି ପଚାରିଲେ, ‘କ’ଣ ଅଭାବ କରିଛି ମୁଁ ତୁମର? ତୁମେ ବି ତ ଚାକିରୀ କରୁଛ। ତୁମେ ସ୍ବୟଂ ସଂପୂର୍ଣ୍ଣ, ଆତ୍ମ ନିର୍ଭରଶୀଳ। ହଁ, ମୁଁ ମାନୁଛି, କୌଣସି ନାରୀ କିମ୍ବା ପୁରୁଷ ପାଇଁ ଆତ୍ମନିର୍ଭରଶିଳ ହେବା ଯଥେଷ୍ଟ ନୁହେଁ। ତୁମେ କୁହ ସ୍ତ୍ରୀ ହିସାବରେ, ପୁରୁଷ ହିସାବରେ ମୋ ପାଖରେ କେଉଁ ଜିନିଷଟିର ଅଭାବ ତୁମକୁ ଆଜି ମୋ ଠାରୁ ଅଲଗା ହୋଇ ଯିବାର ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି? ମୁଁ କିଛି ବୁଝି ପାରୁନି। କିଛି କୁହ ସ୍ମୃତି, ତୁମର ଏ ଚୁପ ରହିବା ମୋ ପ୍ରାଣ ନେଇ ଯିବ। ପ୍ଲିଜ୍ ସ୍ମୃତି, ଜବାବ ଦିଅ, ପ୍ଲିଜ୍!’

 

ଏତିକି କହୁ କହୁ ସୁଧାକର ବାବୁ କୁଶନ୍‌ ଉପରୁ ଉଠି ପଡିଥିଲେ। ସ୍ମୃତି ପାଖକୁ ଯାଇ, ତାଙ୍କର ହାତକୁ ଧରି ପକାଇଥିଲେ ଭାବାବେଗରେ ନିଜ ଅଜାଣତରେ। ହେଲେ ତାଙ୍କ ହାତକୁ ଛିଞ୍ଚାଡି ଦେଇ ଠିଆ ହୋଇ ପଡିଲେ ସ୍ମୃତି ଦେବୀ।

 

‘ମୁଁ ଆଜି ତୁମର କୌଣସି ପ୍ରଶ୍ନର ଉତ୍ତର ଦେଇ ପାରିବିନି। ମୁଁ ଥରେ ନିଷ୍ପତ୍ତି ନେଇ ସାରିଚି ତ ନେଇ ସାରିଛି। ମୁଁ ଆଉ ମୋ ନିଷ୍ପତ୍ତି ବଦଳେଇବାର ମୁଡ୍‌ରେ ନାହିଁ। ତୁମ ସହିତ ମୁଁ ଆଉ ଗୋଟିଏ ଛାତ ତଳେ ଗୋଟିଏ ମୁହୂର୍ତ୍ତ ବି ରହିବାକୁ ଚାହୁଁନି। ମୁଁ ଏଠି ଅଣନିଶ୍ବାସୀ ଫିଲ୍ କରୁଛି।’

 

‘କାହିଁକି? କାହିଁକି ତୁମେ ଅଣନିଶ୍ବାସୀ ଫିଲ୍ କରୁଛ? ତୁମକୁ କ’ଣ ଯଥେଷ୍ଟ ସ୍ବାଧୀନତା ଦିଆ ଯାଇନି? ତୁମର ଚାଲିଚଳନ, ଆଚାର ବ୍ୟବହାର ଦୈନନ୍ଦିନ ଜୀବନ ଉପରେ କିଛି ଜୋର ଜବରଦସ୍ତ ଲଦି ଦିଆଯାଇଛି? ତୁମେ ଯେତେବେଳେ ନୁଆ ବୋହୂ ହୋଇ ଆସିଥିଲ, ତୁମର ପଢିବାର ଆଗ୍ରହ ଦେଖି, ବାପା ବୋଉଙ୍କ ସାଙ୍ଗେ ଲଢେଇ କରି ମୁଁ ତୁମକୁ ସବୁ ପ୍ରକାର ସାହାଯ୍ୟ କରିଛି। ରାତି ରାତି ତୁମ ପାଖରେ ବସି ତୁମ ପରୀକ୍ଷା ପାଇଁ ପାଠ ପଢାରେ ସାହାଯ୍ୟ କରିଛି। ତୁମକୁ ନିଦ ଆସିବା ଆଗରୁ ଗରମ ଚା କପ୍ ତୁମ ହାତକୁ ବଢେଇ ଦେଇଛି। ଅଫିସରେ ପଛେ ମୋର ଡେରି ହେଉ, ମୁଁ ତୁମର କଲେଜ କେବେ ଡେରି ହେବାକୁ ଦେଇନି। ମୁଁ ପଛେ ସେଇ କିରାଣୀ ପୋଷ୍ଟରେ ଅଟକି ଗଲି, ହେଲେ ତୁମର ଅଧ୍ୟାପିକା ହେବାର ସ୍ବପ୍ନକୁ ପୂରା କରିବାରେ ମୁଁ କେବେ ହେଲେ ହେଳା କରିନି।’

 

‘ବାଃ’, ହସିଲେ ସ୍ମୃତି। ଗୋଟିଏ ତାତ୍ସଲ୍ୟର ହସ। ‘ବାଃ ରେ ବାଃ, ଏଇ ତୁମର ପୁରୁଷ ଜାତିର ଅହଙ୍କାର। ବଡ ଦୟାବାନ ତୁମେ। ମୋତେ ମୋ ପରି ଜୀଇଁବାର ଅଧିକାର ଦେଇ ବଡ ଦୟା ଦେଖାଇଚ ତୁମେ! ମୁଁ ବି ତୁମ ପରି ପାଠ ପଢିଛି। ସରକାରୀ ଚାକିରୀ କରିଛି। ତୁମ ପରି ମାସ ଶେଷରେ ମୋଟା ରକମର ଦରମା ନେଉଛି। ମୁଁ ତ କେବେ କହିନି ମୁଁ ତୁମକୁ ସ୍ବାଧୀନତା ଦେଇଛି ବୋଲି!’

 

‘ପ୍ଲିଜ୍ ସ୍ମୃତି, ତୁମେ ଆଉ କଥାର ଖିଅ ବାହାର କରନା। ଥରେ ଭାବି ଦେଖ! କାଲି ଯେଉଁମାନେ ଆମ ସ୍ବାମୀ-ସ୍ତ୍ରୀର ସମ୍ପର୍କର ଉଦାହରଣ ଦେଉଥିଲେ, ମେଡ ଫର ଇଚ୍ ଅଦର କହୁଥିଲେ, ସେମାନେ ଆଜି କ’ଣ କହିବେ? ଏଇୟା ନା, ଯେ ସନାତନ ଦାଶ ଗୋଟେ ଆଦର୍ଶ ସ୍ବାମୀର ମୁଖା ପିନ୍ଧିଥିଲା, ଆଉ ସ୍ମୃତି ଦେବୀ ଜଣେ ପୋଖତ ଅଭିନେତ୍ରୀ ପରି ସ୍ତ୍ରୀର ଡ୍ରାମା କରୁଥିଲେ! ଯେଉଁ ହାତରେ ଆମକୁ ନମସ୍କାର କରୁଥିଲେ, ସେଇ ହାତର ଆଙ୍ଗୁଠି ଆମକୁ ଦେଖେଇ ଥଟ୍ଟା କରିବେ।’

 

‘ଲୋକେ କ’ଣ କହିବେ ବୋଲି, ତାଙ୍କର ମତାମତକୁ ସମ୍ମାନ ଦେବାକୁ ଯାଇ ମୁଁ ଆଉ ନିଜକୁ ଅଧିକ ଅପମାନିତ କରି ପାରିବିନି। ମୋର ବି ଗୋଟିଏ ମନ ଅଛି, ସ୍ବତନ୍ତ୍ର ଇଚ୍ଛା ଅଛି।’ ବଡ ବିରକ୍ତି ଓ କ୍ରୋଧ ଭରା ସ୍ବରରେ କହି ଉଠିଲେ ସ୍ମୃତି।

 

‘ମୋର ସ୍ତ୍ରୀର ପରିଚୟରେ ତୁମେ ଅପମାନିତ ବୋଧ କରୁଛ? ବାସ୍ ସ୍ମୃତି, ବାସ୍! ବହୁତ ହୋଇଗଲା! ଏସବୁ ଶୁଣିଲା ପରେ ଆମେ ସ୍ବାମୀ-ସ୍ତ୍ରୀ ହେବା ତ ବହୁତ ଦୂରର କଥା, ଦୁଇ ସାଧାରଣ ବନ୍ଧୁ ହେବାର ଯୋଗ୍ୟତା ବି ହରାଇ ବସିଲେଣି। ତଥାପି, ମୁଁ ତୁମକୁ ଗୋଟାଏ ଅନୁରୋଧ କରିବି, ଆଶା କରୁଚି.....’ ହଠାତ୍ ଅଟକି ଗଲେ ସନାତନ ବାବୁ, ସ୍ମୃତିଙ୍କ କ୍ରୋଧରେ ଜଳୁଥିବା ଦୁଇଟି ଆଖି ଚାହିଁ ରହିଥିଲା ସନାତନ ବାବୁଙ୍କୁ ଏକ ଲୟରେ, ଏକ ପ୍ରଶ୍ନବାଚୀ ଦୃଷ୍ଟିରେ।

 

ସୋଫା ଉପରେ, ଦୁଇ ହାତ ପାପୁଲିରେ ମୁହଁରେ ଭରା ଦେଇ କିଛିକ୍ଷଣ କ’ଣ ଭାବିଲେ ସନାତନ। ଏକ ଦୀର୍ଘ ନିଶ୍ବାସ ଛାଡି କହିଲେ, ‘ଦେଖ ସ୍ମୃତି! ଆମେ ସ୍ବାମୀ-ସ୍ତ୍ରୀ ହୋଇ ପାରିବାନି, ଦୁଇ ବନ୍ଧୁ ହେବାର ଯୋଗ୍ୟତା ଆମେ ହରାଇ ସାଳିଲେଣି। ହେଲେ, ଗୋଟିଏ ଚଟିଘରେ ଗୋଟିଏ ରାତି ପାଇଁ, ଦୁଇଟି ଅଜଣା ଯାତ୍ରୀ କ’ଣ ଏକାଠି କେତୋଟି ଘଣ୍ଟା କଟେଇ ପାରିବେନି? ମନେ କରିନିଅ, ସେମିତି ଆମର ସମ୍ପର୍କ- ଆମେ କେହି କାହାକୁ ଚିହ୍ନିନେ, କାହା ବିଷୟରେ କାହାର କିଛି ଜାଣିବାର ଆବଶ୍ୟକତା ନାହିଁ, ଆଗ୍ରହ ବି ନାହିଁ। ହେଲେ ଏକାଠି ରହିବା ଛଡା ଅନ୍ୟ ଉପାୟ ନାହିଁ। ଏ କଥା ମୁଁ ମୋ ପାଇଁ କହୁନି କି ସମାଜକୁ ଦେଖେଇବାକୁ ନୁହେଁ। କେବଳ ଏଇ ମୋର ଅନୁରୋଧ ଆମର ଏଇ ଦୁଇ ସନ୍ତାନଙ୍କ ପାଇଁ। ତୁମେ ଭଲ ଭାବରେ ଜାଣିଛ, ମୁଁ ସେମାନଙ୍କ ବିନା ବଞ୍ଚି ପାରିବିନି ଏବଂ ସେମାନେ ତୁମ ବିନା। ତା ଛଡା....ତା ଛଡା, ଆମେ ଅଲଗା ହୋଇଗଲେ ସେମାନଙ୍କ ଉପରେ କି ପ୍ରଭାବ ପଡିବ? ସେମାନେ ଆମଠୁ ଶିକ୍ଷିବେ କ’ଣ? ସବୁଠାରୁ  ବଡ କଥା, ଏଇ ପରିସ୍ଥିତିରେ ସେମାନଙ୍କର ପୂର୍ଣ୍ଣ ବିକାଶ ହୋଇ ପାରିବ ତ? ତୁମେ ତ ମନସ୍ତତ୍ତ୍ବର ଅଧ୍ୟାପିକା, ମଣିଷର ମନ ପଢିପାର, ବୁଝିପାର, ତୁମେ ବିଚାର କର। ଆମ ବଡମାନଙ୍କର ଅଭିମାନର ଲଢେଇ ସେମାନଙ୍କ ଭବିଷ୍ୟତ ବିଗାଡି ନଦେଉ। ମୁଁ ସାମାନ୍ୟ କିରାଣୀଟିଏ, ତୁମ ପରି ଏତେ ଜ୍ଞାନକୌଶଳ ମୋ ପାଖରେ ନାହିଁ। ମୋର ଯଦି କିଛି ଭୁଲ ଥାଏ ତାର ଦଣ୍ଡ ଏଇ ନୀରିହ କୋମଳ ଶିଶୁମାନଙ୍କୁ ଦିଅନି। ଏମାନେ ଆଉ କେହି ନୁହଁନ୍ତି, ତୁମର ଜନ୍ମ କଲା ସନ୍ତାନ। ସେମାନଙ୍କ ଜୀବନ ନର୍କ ହେବାକୁ ଦିଅନି। ପ୍ଲିଜ୍..’ କଥାର ଶେଷ ଆଡକୁ ସନାତନ ବାବୁଙ୍କ ଆଖି ଛଳ ଛଳ ହୋଇ ଆସୁଥିଲା, କଣ୍ଠ ରୁନ୍ଧି ହୋଇ ଯାଇଥିଲା କେଉଁ ଏକ ଅଜଣା ଆବେଗରେ।

 

ହଠାତ୍ ଝଡ ବେଗରେ ରୁମ୍ ଭିତରୁ ବାହାରି ଗଲେ ସନାତନ ବାବୁ ଏବଂ ଥମ୍ କରି ସୋଫା ଉପରେ ବସିଗଲେ ସ୍ମୃତି।

 

binay.mohapatra2010@gmail.com


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top