ସାହାରା ସଂପତ୍ତି ବାଜ୍ୟାପ୍ତ

News Story - Posted on 2017-02-06

ସାହାର ଗୋଷ୍ଠୀର ପୁନେରେ ଥିବା ଆମ୍ୱି ଭ୍ୟାଲି ପ୍ରକଳ୍ପକୁ ବାଜ୍ୟାପ୍ତ କରିଛନ୍ତି ସୁପ୍ରିମ କୋର୍ଟ। ଏହି ଗୋଷ୍ଠୀର ଦୁଇଟି ରିୟଲ ଇଷ୍ଟେଟ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଫେରାଇବାକୁ ଥିବାା ୧୪,୭୯୯ କୋଟି ଟଙ୍କା ବାବଦରେ କୋର୍ଟ ଏହି ସଂପତ୍ତି ବାଜ୍ୟାପ୍ତ କରିଛନ୍ତି। ଏହାର ମୂଲ୍ୟ ୩୯ ହଜାର କୋଟି ଟଙ୍କା ହେବ। କୋର୍ଟଙ୍କ ବାରମ୍ୱାର ନିର୍ଦ୍ଦେଶ ସତ୍ତ୍ବେ ସାହାରା ଗୋଷ୍ଠୀ ତା’ର ଗ୍ରାହକଙ୍କୁ ଟଙ୍କା ଫେରାଇବାରେ ବିଳମ୍ୱ କରୁଥିବାରୁ ସୁପ୍ରିମ କୋର୍ଟ ଏହି ଚରମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

 

ପୂର୍ବରୁ ସାହାରା କମ୍ପାନୀ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ କମ୍ପାନୀ ଗ୍ରାହକଙ୍କ ପ୍ରାପ୍ୟ ବାବଦରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ଼ ଅଫ‌୍‍ ଇଣ୍ଡିଆ ବା ସେବିକୁ ୧୪ ହଜାର କୋଟି ଟଙ୍କା ଫେରାଇବାକୁ ଅଛି। ସେଥିରୁ ୧୧ ହଜାର କୋଟି ଟଙ୍କା ପଇଠ ହୋଇସାରିଛି। ବିଚାରପତି ଦୀପକ ମିଶ୍ର, ରଂଜନ ଗୋଗୋଇ ଏବଂ ଏକେ ସିକ୍ରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଫେବୃଆରୀ ୨୦ ତାରିଖ ସୁଦ୍ଧା ଏହି ଗୋଷ୍ଠୀ ତା’ର ନିର୍ବିବାଦୀୟ ସଂପତ୍ତିର ତାଲିକା ଦାଖଲ କରିବା ପାଇଁ ସାହାରାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୭ ତାରିଖକୁ ଧାର୍ଯ୍ୟ ହୋଇଛି।

 

ଇତିମଧ୍ୟରେ କମ୍ପାନୀ ମୁଖ୍ୟ ସୁବ୍ରତ ରୟଙ୍କ ପାରୋଲ‌୍‍ ପାଇଁ କମ୍ପାନୀ ପକ୍ଷରୁ ସୁପ୍ରିମ କୋର୍ଟରେ ୬୦୦ କୋଟି ଟଙ୍କା ଜମା କରାଯାଇଛି। ଏ ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ଫେବୃଆରୀ ୨୭ ତାରିଖରେ ହେବ। ଫେବୃଆରୀ ୬ ତାରିଖରେ ସୁବ୍ରତ ରୟଙ୍କ ପାରୋଲ ସମୟ ଶେଷ ହେଉଥିଲା। ପୂର୍ବରୁ କୋର୍ଟ ରୟଙ୍କ ପାରୋଲ ସମୟ ନଭେମ୍ୱର ୨୮ ଯାଏଁ ବୃଦ୍ଧି କରିଥିଲେ। ପରେ ଏହାକୁ ଫେବୃଆରୀ ୬ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା। ସେଥିପାଇଁ କମ୍ପାନୀ କୋର୍ଟରେ ୬୦୦ କୋଟି ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

ରୟ ଏହି ମାମଲାରେ ଗିରଫ ହୋଇ ୨୦୧୪ ମାର୍ଚ୍ଚ ୪ ତାରିଖରୁ ତାଙ୍କ ମା’ଙ୍କ ମୃତ୍ୟୁ ୨୦୧୬ ମେ ୬ ତାରିଖ ଯାଏଁ ତିହାର ଜେଲ‌୍‍ରେ ଥିଲେ। ମା’ଙ୍କ ମୃତ୍ୟୁ ପାଇଁ ତାଙ୍କୁ ପାରୋଲ‌୍‍ରେ ମୁକ୍ତି ମିଳିଥିଲା।

 

ସାହାରା ଗୋଷ୍ଠୀର ଦୁଇଟି କମ୍ପାନୀ ସାହାରା ଇଣ୍ଡିଆ ରିୟଲ ଇଷ୍ଟେଟ‌୍‍ ଓ ସାହାରା ହାଉସିଂ ଫାଇନାନ୍ସ ୨୦୦୭ ଓ ୨୦୦୮ ମସିହାରେ ଦୁଇଟି ସ୍କିମ ଜରିଆରେ ଲୋକଙ୍କଠାରୁ ପ୍ରାୟ ୨୦ ହଜାର ଟଙ୍କା ଉଠାଇଥିଲା। କିନ୍ତୁ ସେମାନଙ୍କୁ ଠିକଣା ସମୟରେ ଘର କି ଜମି ଯୋଗାଇ ପାରିନଥିଲା। ସେଥିପାଇଁ ଲୋକଙ୍କୁ ୧୫ ପ୍ରତିଶତ ସୁଧ ସହିତ ମୂଳ ଟଙ୍କା ଫେରାଇବାକୁ ସୁପ୍ରିମ କୋର୍ଟ ୨୦୧୨ ମସିହାରେ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଏହି ରାୟକୁ କାର୍ଯ୍ୟକାରୀ ନକରିବାରୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ସୁବ୍ରତ ରୟଙ୍କୁ ଗିରଫ କରାଯାଇଥିଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top