ଆଧୁନିକ ୪୨୦!

News Story - Posted on 2017-02-06

 

 

ଓଡ଼ିଶାର ପାତ୍ରପଡ଼ା କୋଇଲା ଖଣି ଆବଣ୍ଟନରେ ହୋଇଥିଲା ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର। ଏହା ହୃଦବୋଧ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ତେଣୁ ଏହି ଖଣି ହାତେଇଥିବା ଆଧୁନିକ କର୍ପୋରେସନ‌୍‍ ଲିମିଟେଡ଼ ଓ ଏହାର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଏହିସବୁ ଦଫା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଓଡ଼ିଶା ସରକାରଙ୍କ ସହଯୋଗରେ ଆଧୁନିକ ଗୋଷ୍ଠୀ ରାଜ୍ୟରେ ବିଭିନ୍ନ ଖଣି ଓ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।

 

ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ବିଚାରପତି ଭାରତ ପରାଶର ଏହି ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀ ଓ ଏହାର ଦୁଇ ନିର୍ଦ୍ଦେଶକ ନିର୍ମଳ କୁମାର ଅଗ୍ରୱାଲ ଏବଂ ମହେଶ କୁମାର ଅଗ୍ରୱାଲଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ର ୪୨୦ (ଠକେଇ), ୪୭୧ (ଜାଲି ନଥିକୁ ଅସଲ ଭାବେ ଦର୍ଶାଇବା) ଏବଂ ୧୨୦-ଖ (ଅପରାଧିକ ଷଡ଼ଯନ୍ତ୍ର) ଦଫା ଲଗାଇବାକୁ ନିର୍ଦ୍ଦେଶ ଦେଇ ବିଚାରପତି କହିଛନ୍ତି ଯେ କମ୍ପାନୀ ବିରୋଧରେ ଏସବୁ ଦଫାର ବିଚାର କରିବା ପାଇଁ ଆପାତଃ ପ୍ରମାଣଯୋଗ୍ୟ ତଥ୍ୟ ରହିଛି। ଫେବୃଆରୀ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେହି ଦିନ କମ୍ପାନୀ ଓ ଏହାର ନିଦ୍ଦେଁଶକଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇପାରେ।

 

ଏହି ମାମଲାରେ ଦୁଇ ଅଭିଯୁକ୍ତ ନିର୍ମଳ ଓ ମହେଶ ଅଗ୍ରୱାଲ ପୂର୍ବରୁ ଗିରଫ ହେବାର ଥିଲା। କିନ୍ତୁ ଗତ ବର୍ଷ ଜାନୁଆରୀ ୧୫ ତାରିଖରେ ସେମାନେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ବିଚାରପତିଙ୍କ ନିକଟରେ ହାଜର ହେବାରୁ କୋର୍ଟ ଉଭୟଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ସମ ପରମାଣର ବଣ୍ଡ ବଦଳରେ ଜାମିନ ମଂଜୁର କରିଥିଲେ।

 

କୋଇଲା ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି କମ୍ପାନୀ ଓ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ କୋର୍ଟରେ ପ୍ରାଥମିକ ଅଭିଯୋଗଫର୍ଦ୍ଦ ଦାଖଲ କରିସାରିଛି। ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ର ୧୨୦(ଖ), ୪୨୦, ୪୬୮ ଏବଂ ୪୭୧ ଦଫା ଲଗାଯାଇଛି। ଆସନ୍ତା ଫେବୃଆରୀ ୧୬ ତାରିଖରେ ଏହି ଅଭିଯୋଗ ଫର୍ଦ୍ଦ ଉପରେ ଆନୁଷ୍ଠାନିକ ଭାବେ ଶୁଣାଣୀ ହେବ। କୋଇଲା ମନ୍ତ୍ରଣାଳୟର ୩୦ତମ ଯାଞ୍ଚ କମିଟି ବୈଠକରେ ପାତ୍ରପଡ଼ା କୋଇଲା ଖଣି କାହାକୁ ଦିଆଯିବ ସେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁସାରେ ଆଧୁନିକ କର୍ପୋରେସନ‌୍‍ ଲିମିଟେଡ଼କୁ ଖଣିର ଗୋଟିଏ ଅଂଶ ମିଳିଥିଲା। କୋର୍ଟକୁ ସିବିଆଇ ପୂର୍ବରୁ ଜଣାଇଛି ଯେ କମ୍ପାନୀ ଏହି ଖଣିର ଭାଗ ପାଇବା ପାଇଁ କୋଇଲା ଓ ଇସ୍ପାତ ମନ୍ତ୍ରଣାଳୟକୁ ଭୁଲ ତଥ୍ୟ ଦେଇଛି। ପୂର୍ବରୁ କୋର୍ଟ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଘନଶ୍ୟାମ ଦାସ ଅଗ୍ରୱାଲଙ୍କୁ ଛାଡ଼ି ଦେଇଛି। ତାଙ୍କ ବିରୋଧରେ ସେଭଳି କିଛି ପ୍ରମାଣ ମିଳି ନାହିଁ ବୋଲି କୋର୍ଟ କହିଥିଲେ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଆଧୁନିକ କର୍ପୋରେସନ‌୍‍ ଲିମିଟେଡ଼ର ସହଯୋଗୀ କମ୍ପାନୀ ରାଜ୍ୟରେ ଲୁହା ଖଣି ମଧ୍ୟ ପାଇଛି। ଏହି ଗୋଷ୍ଠୀର କେନ୍ଦୁଝରରେ ଏକ କାରଖାନା ରହିଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top